ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଖୁସିର ଖବର ସାମ୍ନାକୁ ଆସିଛି। ଏସିଆଟିକ୍ ସିଂହୀ ମାୟା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛନ୍ତି। ଏହା ଫଳରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ସିଂହ ଶିବମ୍ ଏବଂ ସିଂହୀ ମାୟାର ମିଳନରୁ ଏହି ଦୁଇ ଶାବକ ଜନ୍ମଗ୍ରହଣ କରିଛନ୍ତି। ଏହା ହେଉଛି ମାୟାr ପ୍ରଥମ ଗର୍ଭଧାରଣ। ବିଶେଷ କଥା ହେଉଛି, ଉଭୟ ଶିବମ୍ ଏବଂ ମାୟା ହେଉଛନ୍ତି ଏସିଆଟିକ୍ ସିଂହ ଏବଂ ସେମାନେ ଉଭୟ ସିଂହୀ ରେୱା ଠାରୁ ଜନ୍ମଗ୍ରହଣ କରିଥିଲେ। ବିପନ୍ନ ଏସିଆଟିକ୍ ସିଂହମାନଙ୍କ ବଂଶ ବିସ୍ତାର କାର୍ଯ୍ୟକ୍ରମ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ନୂତନ ଅତିଥିଙ୍କ ଆଗମନ ପରେ ବର୍ତ୍ତମାନ ନନ୍ଦନକାନନରେ ମୋଟ ସିଂହଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି ଯେ, ବର୍ତ୍ତମାନ ସିଂହୀ ମାୟା ଏବଂ ତାଙ୍କର ଦୁଇ ନବଜାତ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନବଜାତ ଶାବକମାନଙ୍କର ସ୍ୱତନ୍ତ୍ର ଯତ୍ନ ନେଉଛନ୍ତି। ଏହାସହ ସେମାନଙ୍କ ସୁରକ୍ଷା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି।






