ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ, ଚାଲିଗଲା ମା'-ପୁଅଙ୍କ ଜୀବନ
ପୁରୀ: ପୁଣି ସମୁଦ୍ରରେ ଅଘଟଣ। ସମୁଦ୍ର ସ୍ନାନ ହେଲା କାଳ। ସମୁଦ୍ର ସ୍ନାନ ବେଳେ ଚାଲିଗଲା ମା' ପୁଅଙ୍କର ଜୀବନ। ମୃତକ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଗୁପ୍ତା ଓ ଅଙ୍କିତ ଗୁପ୍ତା । ପୁରୀ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ଘଟଣାସ୍ଥଳରେ ପୁରୀ ଏସପି ଓ ଥାନା ଅଧିକାରୀଙ୍କ ତଦନ୍ତ ଜାରି।
ସୂଚନା ଅନୁସାରେ, ପରିବାର ଲୋକଙ୍କ ସହ କୁସୁମ ଓ ଅଙ୍କିତ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ସମୁଦ୍ରରେ ଗାଧୋଉଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇଜଣ ମା’ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।





