ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ

Madhusudan Das Picture
Published On

ବାରିପଦା: ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଭାବେ ଫୁଲୁଥିବା ବେଳେ, ଶିମିଳିପାଳରେ ଗତ ୧୨ଘଣ୍ଟାରେ ରେକର୍ଡ ପରିମାଣର ବର୍ଷା ପାଇଁ  ପଳପଳା ଆଦି ଛୋଟ ନଦୀରେ ବନ୍ୟା ଯୋଗୁଁ ବୁଢ଼ାବଳଙ୍ଗର ଜଳସ୍ତର ମଧ୍ୟ ବଢ଼ୁଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ପାଣିପାଗ ବିଭାଗର ଆଜିର ବୃଷ୍ଟିପାତ ରେକର୍ଡ ଅନୁଯାୟୀ, ଠାକୁରମୁଣ୍ଡା ଓ ବିଶୋଇ ବ୍ଲକରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଛି। ବିଜାତଳାରେ ୧୫୦, ରାଇରଙ୍ଗପୁରରେ ୧୨୪, କପ୍ତିପଦାରେ ୧୧୮, କୁସୁମୀରେ ୧୧୨ ଏବଂ ଉଦଳାରେ ୯୫.୩ ମିଲିମିଟର ବୃଷ୍ଟିପାତ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ

ଶିମିଳିପାଳ ଜୈବମଣ୍ଡଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନଓଣାରେ ୧୨୩.୨ ମିଲିମିଟର ଓ କୁଳିପାଳରେ ସର୍ବାଧିକ ୩୬୨.୪୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ଜେନାବିଲରେ ୨୧୫.୧୩୮, ଭଞ୍ଜବସାରେ ୨୦୭.୦୧, ପୋଡ଼ାଡିହାରେ ୧୭୧.୯୫୮, ଡୋଭରେ ୧୪୧ ଏବଂ କବାଟଘାଇରେ ୧୩୭.୪୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୭ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସେହିପରି ଆଜି ସକାଳ ୬ଟାରୁ ୯ଟା ମଧ୍ୟରେ ଉତ୍ତର ପିଠାବଟାରେ ୭୨.୧୨, ପୋଡ଼ାଡିହାରେ ୫୮.୪୨, ନଓଣାରେ ୩୮.୪, କେନ୍ଦୁମୁଣ୍ଡିରେ ୨୭.୯୪, ବରେହିପାଣିରେ ୨୪.୬୩ ଏବଂ ସାତକୋଶିଆରେ ୨୨.୩୫ ମିଲିମିଟର ବୃଷ୍ଟିପାତ ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଲଗାଣ ବର୍ଷାର ପ୍ରଭାବରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ବାଙ୍ଗିରିପୋଷି କାଳିଆମୀ ନିକଟରେ ବୁଢ଼ାବଳଙ୍ଗ ପୋଲ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି।

ପଳପଳା ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ିବାରୁ ଏକାଧିକ ପୋଲ ଉପରେ ବନ୍ୟାପାଣି ଚାଲୁଛି। ଏହା ଯୋଗୁଁ ବାଲିଡିହା-କୁଚିଳାଘାଟୀ ଏବଂ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୁଲୁଙ୍ଗ ଓ ସୀତାକୁଣ୍ଡ ଅଞ୍ଚଳର ବିଭିନ୍ନ ରିସୋର୍ଟ ମଧ୍ୟ ବନ୍ୟାଜଳ ଘେରରେ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍‌କୁ ସେଠାକୁ ପଠାଯାଇଛି।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ସାରସକଣା ବ୍ଲକର ଜାଲଦା ପଞ୍ଚାୟତ ଅନ୍ତର୍ଗତ ପୁନସିଆ ଗ୍ରାମରେ କାନ୍ଥ ପଡ଼ି ଚୁନୁ ନାଏକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ସାହି ଓ ବେତନଟୀ ବ୍ଲକର ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ଗଙ୍ଗାହାର ନଦୀର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେବାରୁ ବୈଶିଙ୍ଗା-ଭୀମଦା ଏବଂ ବଡ଼ସାହି-କୁଆମରା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ିଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଓଡ୍ରାଫ୍ ଟିମ୍ ସହ ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି। ବିଭିନ୍ନ ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।

ଆଗକୁ ବର୍ଷା ପରିମାଣ ବଢ଼ିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରହିବା ସହ ତଳିଆ ଓ ନଦୀକୂଳିଆ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର