କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ବଡ଼ ଧରଣର ଉଛେଦ ଅଭିଯାନ, ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ବୁଲିଲା ବୁଲଡ୍ରୋଜର
ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଉଛେଦ ଅଭିଯାନ କରିଛି ବିଏମସି । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ବୁଲଡ୍ରୋଜର ଚାଲିଛି। ଘର ଓ ଦୋକାନ ଭାଙ୍ଗି ଉଛେଦ ପ୍ରକ୍ରିୟା କରାଯାଉଛି। ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଛି ସଫେଇ ଓ ଉଛେଦ କାଯ୍ୟକ୍ରମ । ବହୁଦିନ ଧରି ଜୋର ଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଉଛି । କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି। ଅଞ୍ଚଳରେ ପୂର୍ବରୁ ରାସ୍ତା ସଂକୀର୍ଣ୍ଣ ଥିବାରୁ ଯାତାୟାତରେ ସମସ୍ୟା ହେଉଥିଲା । ଏବେ ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC । ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି ।
ତେବେ କୌଣସି ସୂଚନା ନଦେଇ ହଠାତ୍ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପ୍ରଭାବିତ ପରିବାର। ଅନ୍ୟପଟେ, କ୍ୟାପିଟାଲ ହସ୍ପିଟାଲ ପଛ ଅଞ୍ଚଳରେ ଅନ୍ଧାରୁଆ ରହିଥିଲା ଅବୈଧ ଦୋକାନ ସହିତ ମଦପ୍ୟ ମାନଙ୍କ ସଂଖ୍ୟା ବଢ଼ୁଥିଲା । ଆଜି ଉଛେଦ ସହ କ୍ୟାପିଟାଲ ମେଡିକାଲ ପଛ ପଟେ ପଡ଼ିଥିବା ଅଳିଆ ଗଦା BMC ପକ୍ଷରୁ ସଫା କରାଯାଇଛି ।





