ବାପା ଓ ମାଆ ଚାଲିଗଲା ପରେ ସ୍ୱାମୀ କରିଥିଲା ପର, ସାତ ଜନ୍ମର ସେତୁ ହେଲା ‘ମାଧ୍ୟମ’
ଭୁବନେଶ୍ୱର: ପିଲା ବେଳୁ ବାପା ଓ ମାଆଙ୍କୁ ହରାଇଥିଲା ହତଭାଗିନି। ଆଉ ସାତ ଜନ୍ମ ଲାଗି ହାତ ଧରିଥିବା ସ୍ୱାମୀ ଅଧାବାଟରେ ଛାଡ଼ି ଦେଇଥିଲା ହାତ। କିଛି ଦିନର ସୁନାର ସଂସାରରେ ମାଡ଼ି ଆସିଥିଲା ଅଦିନିଆ ଜୁଆର। ସ୍ୱାମୀ ମାର୍ପିଟ୍ କରିବା ସହ ଚରିତ୍ର ଉପରେ କରୁଥିଲେ ସନ୍ଦେହ। ଦୁଇଟି ପିଲାଙ୍କୁ ନେଇ ଅଲଗା ରହିବାକୁ କହିଥିଲେ ସ୍ୱାମୀ। ଏ ବିଷୟରେ ଯୁବତୀଙ୍କ ପରିବାର ଲୋକେ ‘ମାଧ୍ୟମ’ର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି। […]
ଭୁବନେଶ୍ୱର: ପିଲା ବେଳୁ ବାପା ଓ ମାଆଙ୍କୁ ହରାଇଥିଲା ହତଭାଗିନି। ଆଉ ସାତ ଜନ୍ମ ଲାଗି ହାତ ଧରିଥିବା ସ୍ୱାମୀ ଅଧାବାଟରେ ଛାଡ଼ି ଦେଇଥିଲା ହାତ। କିଛି ଦିନର ସୁନାର ସଂସାରରେ ମାଡ଼ି ଆସିଥିଲା ଅଦିନିଆ ଜୁଆର। ସ୍ୱାମୀ ମାର୍ପିଟ୍ କରିବା ସହ ଚରିତ୍ର ଉପରେ କରୁଥିଲେ ସନ୍ଦେହ। ଦୁଇଟି ପିଲାଙ୍କୁ ନେଇ ଅଲଗା ରହିବାକୁ କହିଥିଲେ ସ୍ୱାମୀ। ଏ ବିଷୟରେ ଯୁବତୀଙ୍କ ପରିବାର ଲୋକେ ‘ମାଧ୍ୟମ’ର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି।
ଏମିତି ଥିଲା ପୂରା ଘଟଣା। ଛୋଟ ବୟସରେ ବାପା ଓ ମାଆଙ୍କ ହରାଇଥିଲେ ସ୍ନେହା। ବାପା ଓ ମାଆ ଆଗପଛ ହୋଇ ଚାଲିଯିବା ପରେ ସ୍ନେହା ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ପରେ ଗାଁ ଲୋକଙ୍କ ସହାୟତାରେ ଆଗକୁ ବଢ଼଼ିଥିଲେ ସ୍ନେହା। ସ୍କୁଲରେ ପାଠ ପଢ଼ୁଥିବା ସମୟରେ ସୁନ୍ଦର ଗୀତଗାଇ ସ୍ନେହା ଜିଣୁଥିଲେ ସମସ୍ତଙ୍କ ମନ। ସମୟ ବଦଳିବା ପରେ ସେ ଅନେକ ମନୋରଞ୍ଜନଧର୍ମୀ ସ୍ଥାନ ତଥା ବିଭିନ୍ନ ମଞ୍ଚରେ ଗୀତଗାଇ ନିଜ ଖର୍ଚ୍ଚ ନିଜେ ତୁଲାଉଥିଲେ। ଗାଁର କିଛି ମୁଖିଆ ଲୋକଙ୍କ ସହଯୋଗ ଓ ସହାୟତାରେ ବରପାତ୍ର ଯୋଗାଡ଼ କରାଯାଇ ସ୍ନେହାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପବିତ୍ରଙ୍କୁ ବିବାହ ପରେ ପୁଅ, ଝିଅଙ୍କୁ ନେଇ ସ୍ନେହାଙ୍କ ହସଖୁସିର ସଂସାର ଆଗକୁ ବଢ଼଼ି ଚାଲିଥିଲା। ବିବାହର ୨ ବର୍ଷ ପରେ ପବିତ୍ର ମଦ ପିଇବା ଆରମ୍ଭ କରିବା ସହ ସାମାନ୍ୟ ବଚସାକୁ ନେଇ ସ୍ନେହାଙ୍କୁ ମାର୍ପିଟ୍ କରିବା ସହ ଚରିତ୍ରକୁ ସନ୍ଦେହ କରୁଥିଲେ। ପରେ ତାଙ୍କୁ ଘରୁ ବାହାରିଯିବା ଲାଗି କହିଥିଲେ ସ୍ନେହାଙ୍କ ସ୍ୱାମୀ। ଏହି ଘଟଣାରେ ସ୍ନେହା ବହୁତ ଭାଙ୍ଗିପଡ଼ିବା ସହିତ ‘ମାଧ୍ୟମ’ କାର୍ଯ୍ୟାଳୟର ସହଯୋଗ ଆଶା କରିଥିଲେ। ସେଠାରେ ତାଙ୍କର ସମସ୍ତ ଅସୁବିଧା ବିଷୟରେ ଜଣାଇଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ପବିତ୍ର ଓ ତାଙ୍କ ପରିବାର ଲୋକଙ୍କୁ କାଉନ୍ସିଲ୍ ପାଇଁ ଡକାଯାଇଥିଲା। ଉଭୟ ପକ୍ଷ ଉପସ୍ଥିତ ଥିବା ସମୟରେ ସ୍ନେହାଙ୍କ ଶାଶୂ କହିଥିଲେ କି, ପବିତ୍ରର ମଦ ପିଇବା ଅଭ୍ୟାସ ସ୍ନେହା ଛଡ଼ାଇ ଦେଇଥିଲେ। ମାତ୍ର ସ୍ନେହା ପୁଣି ବାହାରକୁ ଯାଇ କାମ କରିବାରୁ ପବିତ୍ର ସନ୍ଦେହ କରି ତାଙ୍କୁ ମାର୍ପିଟ୍ କରୁଛି। ଉଭୟପକ୍ଷଙ୍କୁ କାଉନ୍ସିଲ୍ କରିବା ପରେ ପବିତ୍ର ନିଜର ମଦ ପିଇବା ଛାଡ଼ିବେ ଓ ସ୍ନେହାଙ୍କୁ ଆଉ ସନ୍ଦେହ ନ କରି କାମ କରିବା ଲାଗି ବାହାରକୁ ଛାଡ଼ିବ ବୋଲି ସମ୍ମତି ଜଣାଇଥିଲେ। ଶେଷରେ ସ୍ୱାମୀ, ସ୍ତ୍ରୀ ଉଭୟ ରୋଜଗାର କରି ପିଲା ଦୁଇଟିଙ୍କ ଭବିଷ୍ୟତ ଗଢ଼ିବା ଲାଗି ପରାମର୍ଶ ଦିଆଯାଇଥିଲା। ଏବେ ସଂସାର ହସଖୁସିରେ ଚାଲୁଛି।
ଜୁଲାଇରେ ୧୬ ଅଭିଯୋଗ; ୧୨ ସମାଧାନ
ଜୁଲାଇ ମାସରେ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’କୁ ସଫଳତା ମିଳିଛି। ଏଥିରେ ୧୬ଟି ଅଭିଯୋଗ ପଞ୍ଜୀକରଣ କରାଯାଇଛି। ସେଥିରୁ ୧୨ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଛି। ଜଣେ ମହିଳାଙ୍କୁ ସମ୍ପୃକ୍ତ ଥାନାରେ ଅଭିଯୋଗ ଲାଗି ପରାମର୍ଶ ଦିଆଯାଇଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି। ଏପରିକି ଜଣେ ମହିଳାଙ୍କ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି। କମିସନରେଟ୍ ପୁଲିସର ‘ମାଧ୍ୟମ’ ସମ୍ପର୍କକୁ ଯୋଡ଼ି ନୂଆ ସଂସାର ତୋଳିବାକୁ ରାସ୍ତା ଦେଖାଇଛି। ଏହି ସଂସ୍ଥା ପୀଡ଼ିତାଙ୍କୁ ସ୍ୱାବଲମ୍ବୀ କରିବା ସହ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରଗୁଡ଼ିକରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି। ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତେକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଉଛି।





