ଅକ୍ଟୋବର ୧୩ ବେଳକୁ ଲଘୁଚାପ ସମ୍ଭାବନା, ବର୍ଷାରେ ଭିଜିପାରେ ଦଶହରା

Madhusudan Das Picture
Published On

ଭୁବନେଶ୍ୱର: ସାଧାରଣତଃ ଅକ୍ଟୋବର ପରେ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଗୁଡ଼ିକ ଅନେକ ସମୟରେ ବାତ୍ୟାରେ ପରିଣତ ହୋଇଥାଏ। ପୂର୍ବରୁ ଦୁର୍ଗା ପୂଜା ସମୟରେ ବାତ୍ୟା ଆସିବାର ମଧ୍ୟ ନଜିର ରହିଛି। ଏହି କ୍ରମରେ ଆସନ୍ତା ଦୁର୍ଗା ପୂଜା ସମୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନାକୁ ନେଇ ଯାବତୀୟ ଆଶଙ୍କା ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଗୁରୁବାର ଆଇଏମ୍‌ଡି ପକ୍ଷରୁ ଜାରି ବିସ୍ତାରିତ ପରିସର ଆକଳନରେ ଆସନ୍ତା ୧୨ ଅକ୍ଟୋବର ବେଳକୁ ଆଣ୍ଡାମାନ ସାଗରକୁ ଦକ୍ଷିଣ ଚାଇନା ସାଗର ପଟୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବ ବୋଲି କୁହାଯାଇଛି। ଏହା ପ୍ରଭାବରେ ଅର୍ଥାତ ୧୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏହା  ଘନୀଭୂତ ହୋଇ ୧୫ ବେଳକୁ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ମାତ୍ର ଲଘୁଚାପ ସୃଷ୍ଟି ହେବାକୁ ଆହୁରି ୨ ସପ୍ତାହ ବାକି ଅଛି ଓ ଅବପାତ ସୃଷ୍ଟି ହେବା ନେଇ ୩୩% ପର୍ଯ୍ୟନ୍ତ ଆଶଙ୍କା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ ଦର୍ଶାଯାଇଛି। ଅକ୍ଟୋବର ୧୬ ତାରିଖଠାରୁ ଷଷ୍ଠୀ ପୂଜା ଆରମ୍ଭ ହେବ; ତେଣୁ ଯଦି ଏହି ଅବପାତ ଅଧିକ ଘନୀଭୂତ ହୁଏ ଏବଂ ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ପ୍ରଭାବ ପକାଏ, ତେବେ ପୂଜାକୁ ବର୍ଷା ଭିଜାଇବ ବୋଲି କରାଯାଉଥିବା ଆଶଙ୍କା ଅମୂଳକ ହେବ ନାହିଁ। ତେବେ ଲଘୁଚାପ ସୃଷ୍ଟି ହେଲେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବିପଦ ରହିବ। ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ଅର୍ଥାତ କେତେ ଘନୀଭୂତ ହେବ ତାହା ଜଣାପଡ଼ିବ। 

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ


ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗର ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଜାରି ରହିଛି। ତେବେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇଛି। ପୂର୍ବ-ମଧ୍ୟ ଓ ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଉପରେ ମୌସୁମୀ ପ୍ରବାହ ତୁଳନାତ୍ମକ ଭାବେ ଅଧିକ ସକ୍ରିୟ ରହିଛି। ତେବେ ୮-୧୫ ଅକ୍ଟୋବର ମଧ୍ୟରେ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ଅନୁକୂଳ ସଙ୍କେତ ଦେଖାଯାଉଛି। ଏହାର ଅର୍ଥ, ଏକ ନିମ୍ନଚାପ କିମ୍ୱା ଅଧିକ ସଂଗଠିତ ପ୍ରଣାଳୀ ଗଠନ ପାଇଁ ପରିସ୍ଥିତି ସହାୟକ ହୋଇପାରେ। ଯଦି ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅଧିକ ଉତ୍ତରରେ ସୃଷ୍ଟି ହୁଏ, ତେବେ ଉତ୍ତର ଆନ୍ଧ୍ର/ଓଡ଼ିଶା ଦିଗକୁ ଗତି କରିବାର ସମ୍ଭାବନା ବଢ଼ିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ନବରଙ୍ଗପୁରରେ ଅଭାବନୀୟ ଘଟଣା: ଗଛରୁ ବିବାହିତ ଯୁବକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନ୍ୟପଟେ ମୌସୁମୀ ଅପସାରଣ ପାଇଁ ପାଗ ଅନକୂଳ ହେବାରେ ଲାଗିଛି। ଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶାରୁ ମୌସୁମୀ ବିଦାୟ ନେବା ନେବାର ସମ୍ଭାବନା ରହିଛି। ଦେଶର ଅନ୍ୟ ସ୍ଥାନଗୁଡ଼ିକରୁ ମୌସୁମୀ ଅପସାରଣ ଜାରି ରହିଥିବା ବେଳେ ଖୁବ୍‌ଶୀଘ୍ର ମୌସୁମୀ ଓଡ଼ିଶା ଛାଡ଼ିବ ବୋଲି ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର