ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଜାତୀୟ ପୋଷଣ ମାସ ପାଳିତ
ଭୁବନେଶ୍ୱର: ଆର୍ସଲରମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଏହାର ପ୍ରମୁଖ ସିଏସ୍ଆର ପ୍ରକଳ୍ପ ‘ଆରୋଗ୍ୟ’ ଅନ୍ତର୍ଗତ ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଏକ ଅଂଶସ୍ୱରୂପ ଓଡ଼ିଶାରେ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି। ପାରାଦ୍ୱୀପରେ, ବିଶେଷ ଭାବେ ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ପୋଷଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ନୂଆଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଚକ୍ରଧରପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆଗଡ଼ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ରାଉତ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଡାକ୍ତର ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସାମଗ୍ରିକ ସ୍ୱାସ୍ଥ୍ୟ, ଶାରୀରିକ ବିକାଶ ଏବଂ କଲ୍ୟାଣ ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର ଏକ ସନ୍ତୁଳିତ ଆହାର ଗ୍ରହଣ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏଏନ୍ଏମ୍ କର୍ମଚାରୀ, କିଶୋରୀ ଏବଂ ନିକଟବର୍ତ୍ତୀ ଗ୍ରାମର ମହିଳାମାନଙ୍କୁ ମିଶାଇ ୨୦୦ ରୁ ଅଧିକ ଜଣ ଅଂଶଗ୍ରହଣ କରିଥିଲେ।

ସେହିଭଳି ଏକ ସଚେତନତା ଅଧିବେଶନ କଳମାଙ୍ଗ ଏବଂ ସାଗାସାହି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ୧୦୦ ରୁ ଅଧିକ ସ୍ଥାନୀୟ ମହିଳା, ଶିଶୁ, ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ। ଏଠାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ, କଳମାଙ୍ଗର ସିଏସଆର ଡିସପେନସାରିର ଚିକିତ୍ସା ଅଧିକାରୀ ଡାକ୍ତର ଅନିଲ ମାହତୋ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ମୋବାଇଲ୍ ମେଡିକାଲ୍ ୟୁନିଟ୍ ଡାକ୍ତର ଶ୍ରୀକାନ୍ତ ରଥ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସନ୍ତୁଳିତ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସର ସୁଫଳ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉପସ୍ଥିତ ଲୋକମାନେ କୁପୋଷଣ ଚକ୍ରକୁ ଭାଙ୍ଗିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
ଠାକୁରାଣୀ ଖଣି ଅଞ୍ଚଳର ଡାଲକି ଗ୍ରାମସ୍ଥିତ ମୁଣ୍ଡା ସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀ କଲ୍ୟାଣ ପାଇଁ ପୋଷଣ ଖାଦ୍ୟର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜାତୀୟ ପୋଷଣ ମାସ ପାଳନ କରାଯାଇଥିଲା। ଏଏମ୍/ଏନ୍ଏସ୍ ଇଣ୍ଡିଆ, ଡାଲକିର ସିଏସଆର ଡିସପେନସାରିର ଚିକିତ୍ସା ଅଧିକାରୀ ଡାକ୍ତର ସୁବ୍ରତ ଧଳ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ଏକ ସନ୍ତୁଳିତ ଆହାର ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ତଟକା ଏବଂ ପୁଷ୍ଟିକର ଖାଦ୍ୟର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସେ ପ୍ରତ୍ୟେକ ପରିବାରକୁ ନିଜ ଘର ବାରିପଟେ ପୋଷଣ ବଗିଚା (କିଚେନ୍ ଗାର୍ଡେନ୍) ତିଆରି କରିବାକୁ ଉତ୍ସାହିତ କରିଥିଲେ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହାର କାର୍ଯ୍ୟକ୍ରମଗୁଡ଼ିକୁ ବିଭିନ୍ନ ଗ୍ରାମକୁ ସମ୍ପ୍ରସାରିତ କରୁଛି, ଯାହା ସ୍ଥାନୀୟ ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ମହିଳା, ଶିଶୁ ଏବଂ କିଶୋରୀମାନଙ୍କୁ ସଶକ୍ତ କରୁଛି। ଏହା ମାଧ୍ୟମରେ କମ୍ପାନୀ ଓଡ଼ିଶାରେ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଅଧିକ ସ୍ୱାସ୍ଥ୍ୟବାନ, ଶକ୍ତିଶାଳୀ ଏବଂ ସମୃଦ୍ଧ ସମାଜ ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି।






