ଭୟଙ୍କର ତାତି: ଆଜି ୭ ଜିଲ୍ଲାକୁ ହିଟ୍‍ ୱେଭ୍‍ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବା ବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ବଡ଼ କଥା ହେଉଛି ଯେ ଗୁରୁବାର ଏକାଥରେ ଦୁଇଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ପାର୍‍ କରିଛି। ୪୫.୩ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ […]

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବା ବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ବଡ଼ କଥା ହେଉଛି ଯେ ଗୁରୁବାର ଏକାଥରେ ଦୁଇଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ପାର୍‍ କରିଛି। ୪୫.୩ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବୁଧବାର ଭଳି ଗୁରୁବାର ମଧ୍ୟ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକାଥରେ ଦୁଇଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ଏହା ସହିତ ବଲାଙ୍ଗୀର ମଧ୍ୟ ଜୁନ ମାସର ତାତି ରେକର୍ଡ ଭାଙ୍ଗିଛି। ଗୁରୁବାର ରେକର୍ଡ ହୋଇଥିବା ୪୫.୩ ଡିଗ୍ରୀ ବଲାଙ୍ଗୀର ପାଇଁ ଜୁନ୍‍ ମାସର ଦ୍ୱିତୀୟ ସର୍ବାଧିକ ତତଲା ଦିନରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

ଏହା ପୂର୍ବରୁ ଗତ ୨୦୧୨ ଜୁନ ୫ ତାରିଖରେ ବଲାଙ୍ଗୀରରେ ତାପମାତ୍ରା ୪୬.୭ ଡିଗ୍ରୀ ରେକର୍ଡ ହୋଇଥିଲା। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜୁନ୍‍ ମାସର ସର୍ବକାଳୀନ ରେକର୍ଡ ଭାବେ ପରିଗଣିତ ହେଉଛି। ଏହି ଦୁଇ ସହର ବ୍ୟତୀତ ଗୁରୁବାର ୧୫ ସହର ରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରଏହି ତାତି ଜାରି ରହୁଛି। ଶୁକ୍ରବାର ମଧ୍ୟ ଏହାର ପ୍ରଭାବ ଦେଖାଯିବ ବିଶେଷ କରି ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧରେ ତାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଗ୍ରୀଷ୍ମ ପ୍ରବାହ ଜନିତ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପଶ୍ଚିମରେ ତାତି ଲାଗି ରହିଥିବା ବେଳେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ପ୍ରକୋପ ଲୋକଙ୍କୁ ଅସହ୍ୟ କରୁଛି। ଉପକୂଳ ଓଡ଼ିଶାରେ ଦିନ ତମାମ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ତଥା ବାୟୁମଣ୍ଡଳର ୨ କିମି ଉପରେ ଉତ୍ତର-ପଶ୍ଚିମଦିଗରୁ ରହୁଥିବା ଶୁଷ୍କ ବାୟୁ ସକ୍ରିୟ ରହୁଛି। ଉଚ୍ଚ ଆର୍ଦ୍ରତା ସତ୍ତ୍ବେ ଗତ ୭-୮ ଦିନ ଧରି ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ଯୋଗୁ କାଳବୈଶାଖୀ ବର୍ଷାର ପରିମାଣ କମ୍‍ ରହୁଛି। ଯାହାକି ଗୁଳୁଗୁଳି ଅନୁଭୂତ ହେବାରେ ସହାୟ ହେଉଛି। ତେବେ ଶନିବାରଠାରୁ ଏଥିରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇବ। ଏହା ସାଙ୍ଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅନ୍ୟପଟେ ଗରମ ଗୁଳୁଗୁଳି ଲାଗି ରହିଥିବାରୁ ରାଜ୍ୟବାସୀ ମୌସୁମୀକୁ ଚାହିଁ ରହିଛନ୍ତି। ହେଲେ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବନାହିଁ ବୋଲି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ। ଆଇଏମଡି ପକ୍ଷରୁ ୫ ଦିନ ପାଇଁ ମୌସୁମୀ ଆକଳନ କରାଯାଇଛି। ହେଲେ ଏଥିରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକାରେ ଗତ ଦୁଇ ଦିନ ଭିତରେ ମୌସୁମୀ ପ୍ରବେଶ କରିବା ସୂଚନା ଦିଆଯାଇଥିବା ବେଳେ ଓଡ଼ିଶା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଓଡ଼ିଶାରେ ରଜରେ ମୌସୁମୀ ଜନିତ (ପ୍ରାକ ମୌସୁମୀ) ବର୍ଷା ହେବ କି ନାହିଁ ତାହା ୧୧ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ଶ୍ରୀ ଜେନାମଣୀ କହିଛନ୍ତି। ସାଧାରଣ ଭାବେ ମୌସୁମୀ ୧୦-୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତୀକ୍ରମ ଦେଖିବାର ଆଶଙ୍କା ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର