'ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ'; କଂଗ୍ରେସରୁ ବହିଷ୍କୃତ ପରେ ଏମିତି ପ୍ରତିକ୍ରିୟା ଦେଲେ ମହମ୍ମଦ ମୋକିମ...
ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ୍ । ସେ କହିଛନ୍ତି କି, 'ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ' । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି, 'ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି....ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି। ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନ୍ତିନି। ତେଣୁ ମୁଁ କାହାକୁ ନ ଡ଼ରି ଚିଠି ଲେଖିଲି। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ। ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି। ଶେଷ ନିଶ୍ଵାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ସେବା କରିବି।'
ସୂଚନାଯୋଗ୍ୟ, ମହମ୍ମଦ ମୋକିମଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମଙ୍କୁ ବହିଷ୍କୃତ ନେଇ ଏଆଇସିସିକୁ ଚିଠି ଲେଖିଥିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଏଥିରେ ଏଆଇସିସି ମୋହର ମାରିଛି । ଗତ କିଛି ଦିନ ତଳେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଚିଠି ଲେଖିଥିଲେ ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ ।





