ଗରମ ପେଜ ପଡି ୫ ବର୍ଷର ଶିଶୁ ଗୁରୁତର, ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବାଲିପାଟଣା: ତତଲା ପେଜ ଉପରେ ଢାଳି ହୋଇ ଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଗ୍ରାମର ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳୁ ଘରେ ଖେଳୁଥିଲେ । ମାଆ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିବା ବେଳେ ଅଜାଣତରେ ଶିଶୁ ଜଣଙ୍କ ଦୌଡ଼ି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ । ମହିଳାଙ୍କ ହାତରୁ ଗରମ ପେଜ କରେଇ ଖସି ଶିଶୁ ଉପରେ ଢାଳି ହୋଇଯାଇଥିଲା । ତୁରନ୍ତ ଶିଶୁକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହୋଇଛି ଶିଶୁଟି । ପେଜ ଢାଳି ଶିଶୁର ପିଠି, କାନ୍ଧ, ପେଟ, ହାତ ସହ ଶରୀରର ବିଭିନ୍ନ ସ୍ଥାନ ସିଝି ଯାଇଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟି ଶରୀରର ୪୦ ଶତକଡା ପୋଡି ଯାଇଛି ବୋଲି ଜଣାପଡିଛି ।





