ମନୋରଞ୍ଜନ
ଆଉ ଜଣେ ନକଲି ଡାକ୍ତର ଗିରଫ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ ୨୨ ଲକ୍ଷ ଟଙ୍କା
ଭୁବନେଶ୍ୱର: ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ ଗିରଫ ଅଭିଯୁକ୍ତ ରଞ୍ଜୀବ କୁମାର ପ୍ରଧାନ । ୨୦୨୧ରେ ମାଟ୍ରିମୋନି ସାଇଟ୍ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି ।
ବୈଷୟିକ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ନମ୍ବର ସମାନ ମୋବାଇଲ ହ୍ୟାଣ୍ଡ୍ସେଟ୍ରୁ ଚାଲୁଥିଲା ଏବଂ ସମାନ ବ୍ୟକ୍ତିଙ୍କ ସହିତ ସଂପୃକ୍ତ ଥିଲା । ସିଡିଆର/ ଏସ୍ଡିଆର ବିଶ୍ଳେଷଣ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଠକିବା ପାଇଁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ଓ ତୁଷାର ପ୍ରଧାନ ବୋଲି ପରିଚୟ ଦେଇଥିଲେ । ତେଣୁ ପୁଲିସ ଏହି ଠକେଇ ମାମଲାରେ ରଞ୍ଜିବଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।





