ପାର୍ଶଲରେ ଲାପଟପ୍ ବଦଳରେ ଆସିଲା ମାର୍ବଲ, ଇ-କମର୍ସ ସଂସ୍ଥାକୁ ୯୦ ହଜାର ଟଙ୍କା ଫାଇନ
ସମ୍ବଲପୁର: ଅନ୍ଲାଇନରେ ଅର୍ଡର କରିଥିଲେ ଲାପଟପ୍, ହେଲେ ପାର୍ଶଲରେ ଆସିଲା ମାର୍ବଲ ଖଣ୍ଡ । ଯାହାକୁ ଦେଖି ତାଜୁବ୍ ହୋଇଗଲେ ଗ୍ରାହକ । ଆଉ ଏହାପରେ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ସମ୍ପର୍କତ ଗ୍ରାହକ । ଏପରି ଘଟଣା ଘଟିଛି ସମ୍ବଲପୁରର ଝାଙ୍କରପାଲି ଅଞ୍ଚଳରେ । ଅଭିଯୋଗର ଶୁଣାଣି କରି ଇ- କମର୍ସ ସଂସ୍ଥାକୁ ଖାଉଟି ଅଦାଲତର ୯୦ ହଜାର ଟଙ୍କା ଫାଇନ। ଲାପଟପ୍ ବାବଦକୁ ୬୦ ହଜାର ୭୯୯ଟଙ୍କା ଜୋରିମାନା । ମାମଲା ସମ୍ପର୍କିତ ଖର୍ଚ୍ଚ ବାବଦକୁ ୨୫ ହଜାର ଜୋରିମାନା ଓ କ୍ଷତିପୂରଣ ବାବଦକୁ ୫ହଜାର ଟଙ୍କା ଜୋରିମାନା। ଏହି ମାମଲାର ରାୟ ଶୁଣାଇଛନ୍ତି ଖାଉଟି ଅଦାଲତ ସମ୍ବଲପୁର । ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ମିଳିଥିବା ସୂଚନା ଅନୁସାରେ, ୪୫ ବର୍ଷୀୟ ଡ. ଚଉବର୍ଗ ୨୦୨୫ ମସିହା ଫେବୃଆରୀ ୪ ତାରିଖରେ ଏକ ଇ-କମର୍ସ କମ୍ପାନୀରୁ ୬୦ ହଜାର ୭୯୯ ଟଙ୍କା ମୂଲ୍ୟର ଏକ ଲାପଟପ୍ ଅର୍ଡର୍ କରିଥିଲେ । ପ୍ରଡକ୍ଟଟି ପ୍ରିପେଡ୍ ମୋଡରେ ଥିବାରୁ ଡେଲିଭରି ହେବା ପୂର୍ବରୁ ସେ ଏହାର ଅଗ୍ରୀମ ପେମେଣ୍ଟ କରିଥିଲେ । ୬ ତାରିଖରେ ଏକ ପାର୍ସଲରେ ଅର୍ଡରଟି ତାଙ୍କ ଠିକଣାରେ ପହଞ୍ଚିଥିଲା । ମାତ୍ର ଏହାକୁ ଖୋଲିବା ପରେ ସେଥିରେ ଲ୍ୟାପଟପ ପରିବର୍ତ୍ତେ ଏକ ମାର୍ବଲ ଖଣ୍ଡ ଥିବା ଦେଖିବାକୁ ମିଳିଥିଲା । ଚଉବର୍ଗ ପ୍ରଥମେ ଉକ୍ତ ଇ-କମର୍ସ ସଂସ୍ଥାର ଅଫିସିଆଲ ୱେବସାଇଟରେ ଅଭିଯୋଗ ପଞ୍ଜିକରଣ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ପରେ ସେ ଥାନାରେ ଓ ପରେ ସମ୍ବଲପୁର ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ମାମଲାର ତଦନ୍ତ କରି ଇ-କମର୍ସ ସଂସ୍ଥାକୁ ଜରିମାନା କରିଛନ୍ତି ।





