ମନୋରଞ୍ଜନ
ଓଡ଼ିଶା
ରାଜ୍ୟରେ ଭୋକେସନାଲ ଶିକ୍ଷକଙ୍କୁ ମିଳିନି ୬ ମାସର ଦରମା, ବିଭିନ୍ନ ସ୍ଥାନରେ ୫ମାସ ହେଲାଣି ମିଳିନି ବାର୍ଦ୍ଧକ୍ୟ ଭତ୍ତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଖରେ ପାଣ୍ଠି ନାହିଁ। ଫଳରେ ଅନେକ ଆନୁଷଙ୍ଗିକ ଓ ବିଭିନ୍ନ ଅନୁଦାନ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଏସ୍ସି ଓ ଏସ୍ଟି ପିଲାମାନଙ୍କୁ ୬ ମାସ ହେଲା ଷ୍ଟାଇପେଣ୍ଡ ମିଳି ନ ଥିବାବେଳେ ଭୋକେସନାଲ ଶିକ୍ଷକମାନେ ମଧ୍ୟ ୬ ମାସ ହେଲା ଦରମା ପାଇ ନାହାନ୍ତି । ଏପରିକି ବୟସ୍କ ନାଗରିକଙ୍କୁ ମିଳୁଥିବା ସାମାଜିକ ସୁରକ୍ଷା ଭତ୍ତା ମଧ୍ୟ କେତେକ ଅଞ୍ଚଳରେ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ଭୋକେସନାଲ ଶିକ୍ଷକଙ୍କୁ ଦରମା ମିଳୁନି। ଦୀର୍ଘ ୬ ମାସର ଦରମା ବକେୟା ରହିଛି। ଭୋକେସନାଲ୍ ଟ୍ରେନିଂ ପାର୍ଟନର୍ (ଭିଟିପି) ମାଧ୍ୟମରେ ଠିକା ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ସମ୍ପୃକ୍ତ କମ୍ପାନୀ ୬ ମାସ ହେଲା ଦରମା ଦେଇନଥିବାବେଳେ କମ୍ପାନୀଗୁଡ଼ିକୁ ସରକାର ପ୍ରାୟ ୯ ମାସ ହେଲା ଦରମା ବାବଦକୁ ଅର୍ଥ ଦେଇ ନଥିବା ଅଭିଯୋଗ ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ଶେଷ ପ୍ରାୟ ୪ ମାସ ଦରମା ଶିକ୍ଷକଙ୍କୁ ମିଳିନି। ସରକାର ଦେୟ ପ୍ରଦାନ ନ କଲେ ମଧ୍ୟ ଶିକ୍ଷକଙ୍କୁ ୩ ମାସ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଦରମା ଦିଆଯିବାର ପ୍ରାବଧାନ ଥିବାରୁ କମ୍ପାନୀ ମାନେ ନିଜସ୍ୱ ଅର୍ଥରୁ ଦରମା ଦେଇଛନ୍ତି। ସରକାର ପ୍ରାୟ ୭ ମାସର ଦରମା କମ୍ପାନୀଗୁଡ଼ିକୁ ପ୍ରଦାନ କରି ନାହାନ୍ତି। ଅପରପକ୍ଷରେ ୨୦୨୬-୨୭ ଶିକ୍ଷାବର୍ଷରେ ସରକାରଙ୍କ ପକ୍ଷରୁ ଏପ୍ରିଲ୍, ମେ ଓ ଜୁନ୍ ମାସର ଦରମା ବାବଦ ଦେୟ ଦେଇଥିବା ଜଣା ପଡ଼ିଛି। ପୂର୍ବ ଶିକ୍ଷାବର୍ଷର ଦେୟ ବକେୟା ଥିବାରୁ କମ୍ପାନୀଗୁଡ଼ିକ ମଧ୍ୟ କେବଳ ଏହି ୩ ମାସର ଦରମା ଦେବା ପରେ ହାତ ଟେକିଦେଇଛନ୍ତି। ଫଳରେ ଚଳିତ ଶିକ୍ଷାବର୍ଷର ଅବଶିଷ୍ଟ ଆଉ ୨ ମାସର ଦରମା ମଧ୍ୟ ଶିକ୍ଷକଙ୍କୁ ମିଳିପାରି ନାହିଁ। ଦୀର୍ଘ ୬ ମସ ଧରି ଦରମା ମିଳି ନଥିବାରୁ ଶିକ୍ଷକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ମାଧ୍ୟମରେ ୨୦୧୬ ମସିହାରୁ ପର୍ଯ୍ୟାୟକ୍ରମେ ପ୍ରାୟ ୩୨୨୬ ଭୋକେସନାଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଥିଓରୀ, ପ୍ରାକ୍ଟିକାଲ୍ ସମେତ ବିଭିନ୍ନ ରେକର୍ଡ ପ୍ରସ୍ତୁତି, ଇଣ୍ଡଷ୍ଟ୍ରି ଭିଜିଟ୍, ଏବଂ ବିଦ୍ୟାଳୟର ବିଭିନ୍ନ ବୈଷୟିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ମାତ୍ର ସେମାନଙ୍କୁ ନିୟମିତ ଭାବେ ଦରମା ମିଳୁନଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ୬୦ରୁ ଊର୍ଦ୍ଧ୍ବ ଛାତ୍ରାବାସ ଓ ଛାତ୍ରୀନିବାସକୁ ମିଶାଇ ରାଜ୍ୟର ୬୦୦ରୁ ଊର୍ଦ୍ଧ୍ବ ଅନୁସୂଚୀତ ଜାତି ଓ ଜନଜାତି ସ୍କୁଲ ଛାତ୍ରାବାସର ଅନ୍ତେବାସୀଙ୍କୁ ୬ ମାସ ହେଲା ବୃତ୍ତି ମିଳି ନଥିବା ଅଭିଯୋଗ ହୋଇଛି । ଏହି ଅର୍ଥରାଶି ଗରିବ ପରିବାରର ପିଲାଙ୍କ ଶିକ୍ଷା ଖର୍ଚ୍ଚ, ପୁସ୍ତକ, ଖାତା ଓ ଅନ୍ୟାନ୍ୟ ଆବଶ୍ୟକତା ସହ ଛାତ୍ରାବାସରେ ଖାଦ୍ୟ ସାମଗ୍ରୀ କ୍ରୟ ନିମନ୍ତେ ମଧ୍ୟ ବ୍ୟବହାର ହୋଇଥାଏ। ତେଣୁ ଦୀର୍ଘ ସମୟ ଧରି ଟଙ୍କା ନ ମିଳିବା ଶିକ୍ଷକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଓ ଅଭିଭାବକମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ସରକାରଙ୍କ ଦ୍ୱାରା ସିଧାସଳଖ ପରିଚାଳିତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳୁଥିବାବେଳେ ଜିଲ୍ଲାସ୍ତରରେ ଅନୁମୋଦିତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ୬ ମାସ ହେଲା ମିଳିନାହିଁ। ଯାହାକୁ ନେଇ ସମସ୍ୟ ସୃଷ୍ଟି ହୋଇଛି । ଗତ ଫେବ୍ରୁଆରୀ ୩ ତାରିଖରେ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏ ସଂକ୍ରାନ୍ତରେ ସବୁ ଜିଲ୍ଲାର କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖି ୨୦ ତାରିଖ ସୁଦ୍ଧା ଅନୁମତିପ୍ରାପ୍ତ ଛାତ୍ରାବାସ ଓ ଛାତ୍ରୀନିବାସ ଅନ୍ତେବାସୀଙ୍କ ପାକ୍ ମାଟ୍ରିକ୍ ଛାତ୍ରବୃତ୍ତି ସଂକ୍ରାନ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଆର୍ଥିକ ବର୍ଷର ୬ମାସ ବିତିବାକୁ ବସିଥିଲେ ମଧ୍ୟ ଏହି ଅନୁମତିପ୍ରାପ୍ତ ଛାତ୍ରାବାସ ଓ ଛାତ୍ରୀନିବାସ ଅନ୍ତେବାସୀଙ୍କୁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ମିଳିନାହିଁ।
ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବରିଷ୍ଠ ନାଗରିକମାନଙ୍କୁ ପ୍ରାୟ ୫ ମାସ ଧରି ଭତ୍ତା ଦିଆଯାଇ ନାହିଁ । ପ୍ରଥମେ ବୈଷୟିକ କାରଣରୁ ଏହି ଭତ୍ତା ଦିଆଯାଇ ପାରିନାହିଁ ବୋଲି କୁହାଗଲା। ନିକଟରେ ବିଧାନସଭାରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଏହାକୁ ସ୍ୱୀକାର କରି ବୈଷୟିକ କାରଣ ପ୍ରସଙ୍ଗକୁ ଦୋହରାଇଛନ୍ତି ଓ ଖୁବ୍ ଶୀଘ୍ର ଏହି ଭତ୍ତା ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି । ଗୋଟିଏ ପରେ ଗୋଟିଏ ବିଭାଗର ଅନୁଦାନ ପ୍ରଦାନରେ ବିଳମ୍ବିତ ହେଉଥିବାରୁ ରାଜ୍ୟ ସରକାର ଆର୍ଥିର୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।






