ମନୋରଞ୍ଜନ
ଓଡ଼ିଶା
ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ସତର୍କ ସୂଚନା ଜାରି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ବହିବା ସହ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସିଷ୍ଟମ୍ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ନିଜର ପ୍ରଭାବ ପକାଇବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖ ରାତି ୧୧ଟାରୁ ସେପ୍ଟେମ୍ବର ୨୪ ତାରିଖ ଭୋର ୧ଟା ମଧ୍ୟରେ ଏହି ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ ନିକଟରେ ଉପକୂଳ ଅତିକ୍ରମ କରିଥିଲା। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଥିବାବେଳେ, ବେଳେବେଳେ ଏହା ସର୍ବାଧିକ ୭୫ କିଲୋମିଟର ଛୁଇଁଥିଲା। ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଛି ଝଡ଼ବର୍ଷା । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରେଡ୍ ଆଲର୍ଟ । ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ ।
ଗୁରୁବାର ସକାଳ ୫:୩୦ ସୁଦ୍ଧା ଏହି ଗଭୀର ଅବପାତ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା କଳିଙ୍ଗପାଟନମ୍ ଠାରୁ ପଶ୍ଚିମ ଦିଗରେ ୫୦ କିଲୋମିଟର, ବିଶାଖାପାଟଣା ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୮୦ କିଲୋମିଟର ଏବଂ ଓଡ଼ିଶାର ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଏହି ସିଷ୍ଟମ୍ ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜର ତୀବ୍ରତା ବଜାୟ ରଖିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି।
ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତରେ ଏହି ସିଷ୍ଟମର ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତମାମ୍ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଆଗାମୀ ଦିନରେ ବର୍ଷାର ପରିମାଣ ଆହୁରି ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ। ତେଣୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କଡ଼ା ବାରଣ କରାଯାଇଛି।






