ଓଡ଼ିଶାର ଗୌରବମୟ ଐତିହ୍ୟର ମୁକସାକ୍ଷୀ ‘ବାଲିଯାତ୍ରା’; ବୋଇତ ବନ୍ଦାଣ ଉତ୍ସବର ସ୍ମାରକୀ ବହନ କରେ ଏହି ପର୍ବ

The Sakala Picture
Published On

ଉତ୍କଳୀୟ ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବୋଇତରେ ସୁଦୂର ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଯାତ୍ରା କରୁଥିଲେ। ସାଧବପୁଅ ମାନଙ୍କର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆମାନେ ଆ-କା-ମା-ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି। ଏଇଠୁ ଅୟମାରମ୍ଭ ହୋଇଥାଏ ବାଲିଯାତ୍ରା। ବାଲିରେ ଯାତରା-ବାଲିଯାତ୍ରା। ଓଡ଼ିଶାର ଗୌରବମୟ ଐତିହ୍ୟର ମୁକସାକ୍ଷୀ ହେଉଛି ଏହି ଯାତ୍ରା। ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, […]

ଉତ୍କଳୀୟ ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବୋଇତରେ ସୁଦୂର ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଯାତ୍ରା କରୁଥିଲେ। ସାଧବପୁଅ ମାନଙ୍କର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆମାନେ ଆ-କା-ମା-ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି। ଏଇଠୁ ଅୟମାରମ୍ଭ ହୋଇଥାଏ ବାଲିଯାତ୍ରା। ବାଲିରେ ଯାତରା-ବାଲିଯାତ୍ରା। ଓଡ଼ିଶାର ଗୌରବମୟ ଐତିହ୍ୟର ମୁକସାକ୍ଷୀ ହେଉଛି ଏହି ଯାତ୍ରା। ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା। ଡଙ୍ଗାଭସା ବା ବୋଇତ ବନ୍ଦାଣ ଉତ୍ସବର ସ୍ମାରକୀ ବହନ କରେ ଏହି ପର୍ବ। ଏହା ମେଳା ନୁହେଁ ଏକ ମହାମେଳ। ଛୁଞ୍ଚି ଠାରୁ ଆରମ୍ଭ କରି ଶିଳପୁଆ ପର୍ଯ୍ୟନ୍ତ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାଲିଯାତ୍ରାରେ ଉପଲବ୍ଧ ହୋଇଥାଏ। (ପ୍ରସ୍ତୁତି: ଅଶୋକ)

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥାଏ। କଟକଠାରେ ବାଲିଯାତ୍ରା ପ୍ରତିବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ପସରା ମେଲାଇଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତର ହସ୍ତଶିଳ୍ପର ସମ୍ଭାର ଏହି ମେଳାରେ ଦେଖିବାକୁ ମିଳିଥାଏ। ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା ଆଳୁଦମ, ଠୁଙ୍କାପୁରି ଛେନା ତରକାରୀର ସ୍ୱାଦ ନିଆରା।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଏଥର ଅଣ୍ଡରୱାଟର୍‌‌ ଟନେଲ୍‌‌ ଆକ୍ୱାରିୟମ୍‌, ୨ଶହ ଫୁଟ୍‌ ଲମ୍ବ, ୫ ଶହ ପ୍ରଜାତିର ୨ ହଜାର ମାଛ

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ପ୍ରତିବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏଥିରେ ଦେଖିବାକୁ ମିଳୁଛି ନିଆରା ଦୃଶ୍ୟ। ଚଳିତବର୍ଷ ବାଲିଯାତ୍ରାରେ ଲୋକମାନେ ଅଣ୍ଡର୍‌‌ୱାଟର୍‌‌ ଫିସ୍‌‌ ଟନେଲ ଆକ୍ୱାରିୟମରେ ମଜା ଉଠାଇପାରିବେ। ପ୍ରଥମଥର ନିମନ୍ତେ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ। ଯାହାର ଲମ୍ବ ୨୫୦ ଫୁଟ୍‌‌ ରହିଥିବାବେଳେ ଓସାର ୬୦ ଫୁଟ ରହିଛି। ଲୋକମାନେ ଆକ୍ୱାରିୟମ ମଧ୍ୟରେ ପ୍ରବେଶ କରି ବିଭିନ୍ନ ପ୍ରଜାତିର ମାଛ ବୁଲି ଦେଖି ପାରିବେ। ପ୍ରାୟ ୫ଶହ ପ୍ରଜାତିର ୨ହଜାରରୁ ଅଧିକ ମାଛ ଦେଖିବା ସହ ଫଟୋ ଉଠାଇପାରିବେ। ଜଣକ ପ୍ରତି ଟିକଟ୍‌‌ର ମୂଲ୍ୟ ୧୫୦ ଟଙ୍କା ରହିଛି। ଉଭୟ ଅନ୍‌‌ଲାଇନ ଏବଂ ଅଫ୍‌‌ଲାଇନ ମାଧ୍ୟମରେ ଟିକଟ ଉପଲବ୍ଧ ହେବ। ଯେଉଁମାନେ ଅନ୍‌‌ଲାଇନ୍‌‌ରେ ଟିକଟ୍‌‌ କରିଥିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଥିବା ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଆକ୍ୱାରିୟମ ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବାବେଳେ ଏଥିରେ ସାର୍କ, ଗୁରାମି ଭଳି ମାଛ ଦେଖିବାକୁ ମିଳିବ।

‘କଟକ ଇନ୍‌‌ କଟକ ’ରେ ଗ୍ରାମୀଣ ବଜାର
‘କଟକ ଇନ୍‌‌ କଟକ’ ପରିସରରେ ସିଏମ୍‌‌ସି ଦ୍ୱାରା ଗ୍ରାମୀଣ ବଜାର ଖୋଲିବାର ବ୍ୟବସ୍ଥା କରାଯାଇଛି। ସ୍ୱୟଂସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ସଦସ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିକ୍ରି କରିବେ। ଏଥିରେ ପ୍ରାୟ ୬୦ଟି ଷ୍ଟଲର ବ୍ୟବସ୍ଥା କରାଯିବ। ସୁରକ୍ଷା ଜମାଭିତ୍ତିରେ ଏସ୍‌‌ଏଜ୍‌‌ଜିଗୁଡ଼ିକୁ ୨ ହଜାର ଟଙ୍କା ଲେଖାଏ ଦେବାକୁ ହେବ। ଏଥିସହ ସେମାନଙ୍କ ନିମନ୍ତେ ବୀମା ସୁବିଧା ରହିବ ବୋଲି ସିଏମ୍‌‌ସି ନିଷ୍ପତ୍ତି ନେଇଛି।

ମଞ୍ଚରେ ସଚିନ୍‌-ଜିଗର୍‌, ଅନୁ ମଲିକ୍‌
ଚଳିତବର୍ଷ ବାଲିଯାତ୍ରାରେ ଦୁଇରାତି ବଲିଉଡ୍‌‌ ନାଇଟ ଶୋ’ ହେବ। ଡିସେମ୍ବର ୨ତାରିଖ ମଞ୍ଚରେ ବଲିଉଡର ଯୋଡ଼ି ସଚିନ-ଜିଗର ସଙ୍ଗୀତ ପରିବେଷଣ କରିବେ। ତେରେ ଭାସତେ’, ‘ଫିର୍‌‌ ଔର କ୍ୟା ଚାହିଏ’, ‘ଆପନା ବନା ଲେ’, ‘ଇକ୍‌‌ ଜିନ୍ଦେଗୀ’ ଭଳି ମନୁଛୁଆଁ ହିନ୍ଦୀ ଗୀତ ଶୁଣିବାକୁ ମିଳିବ। ସେହିଭଳି ୩ ତାରିଖରେ ବଲିଉଡ୍‌‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଦେଖିବାକୁ ମିଳିବ। ‘ତୁମ୍‌‌ ସେ ମିଲକେ ଦିଲା କା ଜୋ ହାଲ’, ‘ମୋ ହୁଁ ନା’, ‘ବାଜିଗର ଓ ବାଜିଗର’ ଭଳି ଗୀତ ଶୁଣିବାକୁ ପାଇବେ ଶ୍ରୋତା। ସେ ତାଙ୍କ ପୂରା ଟିମ୍‌‌ ସହ ଏଥର ବାଲିଯାତ୍ରାରେ ସାମିଲ ହେବେ।

ସ୍ୱରୂପଙ୍କ ସ୍ମୃତିରେ ମ୍ୟୁଜିକାଲ୍‌‌ ନାଇଟ୍‌‌
ଓଲିଉଡ୍‌‌ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ମୃତିରେ ଏଥର ବାଲିଯାତ୍ରାରେ ମ୍ୟୁଜିକାଲ୍‌‌ ନାଇଟ୍‌‌ ଆୟୋଜନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରାଯିବ। ସୀତା ଲୋ’ ଆଜି ଜଳୁଛି ଯାହାର ଚିତା ଲୋ…, ଗାଁ ମଝିରେ ଚାନ୍ଦିନୀ…, ନୀଳ ନୟନା… ଭଳି ପୁରୁଣା ଓ ବହୁ ଶ୍ରୁତିମଧୁର ସଙ୍ଗୀତ ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ପରିବେଷଣ କରାଯିବ।

ଦୋଳିର ମଜା
ବିଭିନ୍ନ ପ୍ରକାର ଦୋଳିର ମଜା ଲୋକମାନେ ନେଇପାରିବେ। ପ୍ରାୟ ୩୦ ପ୍ରକାର ଦୋଳି ଏଥର ବାଲିଯାତ୍ରାକୁ ଆସିଛି। ୧୦୦ ଫୁଟ୍‌‌ ଉଚ୍ଚର ରାମ ଦୋଳି ଏଥର ମୁଖ୍ୟ ଆକର୍ଷଣ ହେବ। ଏଥିରେ ୧୨୦ଜଣ ଏକାସାଙ୍ଗରେ ବସି ପାରିବେ। ସେହିଭଳି ‘ଫ୍ରିସ୍‌‌ ବି ଝୁଲା’ ମଧ୍ୟ ଏଥିର ନୂଆ। ଡଙ୍ଗା ଆକୃତିର ଏହି ଦୋଳି ରହିଥିବାବେଳେ ଏଥର ଏହାର ଲୋକଙ୍କ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ଟୋରାଟୋରା, ବ୍ରେକ୍ସ ଡ୍ୟାନ୍ସ, ଚାନ୍ଦ ତାରା, ଡ୍ରାଗନ୍‌‌ ଆଦି ଦୋଳି ଦେଖିବାକୁ ମିଳିବ। ୭ଟି ସଂସ୍ଥାର ବ୍ୟବସାୟୀମାନେ ଏଥର ଦୋଳି ବ୍ୟବସାୟ ପାଇଁ ବାଲିଯାତ୍ରାକୁ ଆସିଛନ୍ତି।

ଯାତ୍ରାରେ ମିଳିବ ଗାଁର ଅନୁଭୂତି
ଗାଁ ଧୂଳି ଦାଣ୍ଡରୁ ଆରମ୍ଭ କରି ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ। ତା ମଧ୍ୟରେ ଗାଁ ପୋଖରୀ ଆଉ ଅଙ୍ଗନବାଡ଼ି ଓ ସ୍କୁଲ୍‌‌। ଆଲୋକୀକରଣ ବ୍ୟବସ୍ଥା ସମେତ ଗାଁ ପରିବେଶର ଏକ ଅନନ୍ୟ ଅନୁଭବ। ସହରୀ ଜାକଜମକରେ ଦେଖିବାକୁ ମିଳିବ ଗାଁ ପରିବେଶ। ଏଥିପାଇଁ ‘କଟକ ଇନ୍‌‌ କଟକ’ରେ ଜାରିରହିଛି କାର୍ଯ୍ୟ। ଏଥିରେ ବିଭିନ୍ନ ସମ୍ପ୍ରଦାୟର ପ୍ରାର୍ଥନାଗୃହ ନିର୍ମାଣ ହୋଇଥିଲା ବେଳେ ପ୍ରାୟ ୭୦ଟି ବିଭିନ୍ନ ଘର ତିଆରି କରାଯାଉଛି। ଭାଗବତ ଟୁଙ୍ଗିରୁ ଆରମ୍ଭ କରି ‘ମୋ ସ୍କୁଲ୍‌‌’ ମଧ୍ୟ ସ୍ଥାନ ପାଇବ।

ଆକର୍ଷଣରେ ସେଲ୍‌ଫି ଜୋନ୍‌‌ ଓ ମତ୍ସ୍ୟକନ୍ୟା
ବାଲିଯାତ୍ରାରେ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବ ବିଭିନ୍ନ ପ୍ରକାରର ସେଲ୍‌ଫଫି ଜୋନ। ପ୍ରାୟ ୧୦ଟିରୁ ଅଧିକ ସେଲ୍‌ଫଫି ଜୋନ୍‌‌ ‘କଟକ ଇନ୍‌‌ କଟକ’ ମଧ୍ୟରେ କରାଯିବ। ସେହିଭଳି ବାଲିଯାତ୍ରା ପଡ଼ିଆର ପ୍ରବେଶ ପଥଗୁଡ଼ିକରେ ଆକର୍ଷଣ ସାଜିବ ମତ୍ସ୍ୟକନ୍ୟା। ପାଖାପାଖି ୧୩ଫୁଟ୍‌‌ ଉଚ୍ଚତା ବିଶିଷ୍ଟ ଏହି ମତ୍ସ୍ୟକନ୍ୟାରେ ରହିବ ସଚେତନତା ବାର୍ତ୍ତା। ଯେଉଁଥିରେ ୮ଟି ମତ୍ସ୍ୟକନ୍ୟା ଗଢ଼ାଯିବ।

ଥ୍ରୀ-ଡି ଇଫେକ୍ଟ ସୋ’
ବାଲିଯାତ୍ରାରେ ଏଥର ଦେଖିବାକୁ ମିଳିବ ଥ୍ରୀ-ଡି ଇଫେକ୍ଟ ସୋ। ଏହା ସାଙ୍ଗକୁ ଲୋକମାନେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏକ ବଡ଼ ହଲ୍‌‌ ଭିତରେ ଡିଜିଟାଲ ଥ୍ରୀ-ଡି ଇଫେକ୍ଟ ଜରିଆରେ ବିଭିନ୍ନ ବିଷୟବସ୍ତୁ ପ୍ରଦର୍ଶିତ ହେବ। ସେହିଭଳି ପାଖାପାଖି ଦୁଇଟି ଆମ୍ୟୁସ୍‌‌ମେଣ୍ଟ ତିଆରି ହେବ। ଆବଦ୍ଧ ପରିସରରେ ସମୁଦ୍ରକୂଳ ସମେତ ବିଭିନ୍ନ ସ୍ଥାନରେ ବୁଲିବାର ଅନୁଭବ ମିଳିବ। ଏଥିପାଇଁ ୫ ମିନିଟ୍‌‌ ଲେଖାଏଁ ପ୍ରଦର୍ଶିତ ହେବ ୩-ଡି ପାନାରୋମିକ୍‌‌ ସୋ।

ବୈଷ୍ଣବ ପାଣି ମଞ୍ଚରେ ବସ୍ତିର ପିଲା
ବାଲିଯାତ୍ରାର ଐତିହାସିକ ବୈଷ୍ଣବ ପାଣି ମଞ୍ଚରେ ପ୍ର୍ରଥମଥର ପାଇଁ ନିଆରା ନାଚଗୀତ ପରିବେଷଣ କରାଯିବ। ଏଥିପାଇଁ କୁନିକୁନି ବସ୍ତିର ପିଲାମାନେ ପ୍ରସ୍ତୁତି ଚଳାଇଛନ୍ତି। ଯାହା ଏଥର ବୈଷ୍ଣବ ପାଣି ମଞ୍ଚର ଆକର୍ଷଣ ହେବା ସହିତ ଅଭିଜ୍ଞ ନାଚଗୀତ କଳାକାର ଭଳି ମଞ୍ଚ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ଝୁମାଇବେ କୁନି ପିଲା। ଏ ନେଇ ପିଲାମାନଙ୍କୁ ସିଏମ୍‌‌ସି ଓ କଳା ବିକାଶ କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ସମ୍ବଲପୁରୀ ସାଙ୍ଗକୁ ଓଡ଼ିଆ ଆଧୁନିକ ଗୀତ। ଆକର୍ଷଣୀୟ ପୋଷାକ ସାଙ୍ଗକୁ ସୁନ୍ଦର ନାଚ। ତା’ ସହିତ ମନଛୁଆଁ ଗୀତ ଲୋକମାନେ ଶୁଣିବାକୁ ପାଇବେ।

ସବୁଜ ବାଣ ସାଙ୍ଗକୁ ଫାୟାର୍‌‌ ସୋ’
ପ୍ରଥମଥର ନିମନ୍ତେ ବାଲିଯାତ୍ରାରେ ହେବ ଫାୟାର ସୋ। ପ୍ରାୟ ୭ଦିନ ଧରି ଏହି ସୋ କରାଯିବ। ସେହିଭଳି ଗ୍ରୀନ୍‌‌ କ୍ରାକର ସୋ ବା ସବୁଜ ବାଣ ସୋ’ ହେବ। ବିଭିନ୍ନ ରଙ୍ଗର ସବୁଜ ବାଣ ଫୁଟାଯିବ। ଲୋକମାନଙ୍କୁ ବାଲିଯାତ୍ରାରେ ମନୋରଞ୍ଜନ ଯୋଗାଇ ଦେବାକୁ ସିଏମ୍‌‌ସି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ହୋଇଛି।

ପ୍ରଚାରପ୍ରସାର କରୁଛି ପ୍ରଜ୍ଞାପନ ମେଢ଼
ଐତିହାସିକ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ଐତିହାସିକ ଯାତ୍ରାର ପ୍ରଚାର ଓ ପ୍ରସାର ପାଇଁ ଗଡ଼ଗଡ଼ିଆ ମନ୍ଦିରରେ ପ୍ରଜ୍ଞାପନ ମେଢ଼ର ଉଦଘାଟନ ହୋଇଯାଇଛି। ଏହି ପ୍ରଜ୍ଞାପନ ମେଢ଼ କଟକ ସହିତ ପୁରୀ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ପାରାଦ୍ୱୀପ ଆଦି ଅଞ୍ଚଳ ବୁଲି ଐତିହାସିକ ବାଲିଯାତ୍ରା ସମ୍ପର୍କିତ ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ।

ସୂଚନା ଦେବ ‘ ଆମ ବାଲିଯାତ୍ରା’
ଚଳିତବର୍ଷ ବାଲିଯାତ୍ରା ସମ୍ପର୍କିତ ସମସ୍ତ ସୂଚନା ଲୋକମାନେ ନିଜ ମୋବାଇଲରେ ପାଇପାରିବେ। କେଉଁ ସ୍ଥାନରେ ପାର୍କିଂ ରହିଛି, କେଉଁ ଦୋଳି ପଡ଼ିଛି ତାହାର ସମସ୍ତ ତଥ୍ୟ ଲୋକମାନେ ଏକ ଆପ୍ଲିକେସନ ମାଧ୍ୟମରେ ଜାଣିପାରିବେ। କଟକର ଯୁବକ ସୂର୍ଯ୍ୟନାରାୟଣ ବାରିକଙ୍କ ଦ୍ୱାରା ଏହି ଆପ ପ୍ରସ୍ତୁତ ହୋଇଥିବାବେଳେ ଏହାର ନାମ ରହିଛି ‘ଆମ ବାଲିଯାତ୍ରା’ ଆପ୍‌‌। ୨ ବର୍ଷ ଧରି ବାଲିଯାତ୍ରା ସମ୍ପର୍କିତ ସବୁ ତଥ୍ୟ ଲୋକମାନେ ଏହି ଆପ୍‌‌ରୁ ଜାଣିପାରୁଥିଲେ। ତେବେ ଏଥର ମଧ୍ୟ ଏହି ଆପ୍‌‌ କାର୍ଯ୍ୟକାରୀ ହୋଇଛି। ସିଏମ୍‌‌ସି ପକ୍ଷରୁ ମଧ୍ୟ ଏଭଳି ଆପ୍‌‌କୁ କମିସନର ନିଖିଲ ପୱନ କଲ୍ୟାଣ ପ୍ରଶଂସା କରିଛନ୍ତି। ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକମାନେ ଦୋକାନର ଏକ ବିସ୍ତୃତ ତାଲିକା, ସରଳୀକୃତ ସ୍ଥାନ ପାଇପାରିବେ। ବ୍ୟବସାୟ ଏବଂ ଅଫରଗୁଡ଼ିକ ପ୍ରଦର୍ଶିତ ହେବ। ପାର୍କିଂ କ୍ଷେତ୍ର, ଶୌଚାଳୟ ସାଂସ୍କୃତିକ ମଞ୍ଚ, ପ୍ରବେଶ ଓ ପ୍ରସ୍ଥାନ ଫାଟକ, ଷ୍ଟଲ୍‌‌ ଆଦିର ତଥ୍ୟ ଏହି ଆପ୍‌‌ ଭିତରେ ରହିଛି। ଲୋକଙ୍କୁ ରିଅଲ୍‌‌-ଟାଇମ୍‌‌ ଟ୍ରାଫିକ୍‌‌ ଅପ୍‌‌ଡେଟ୍‌‌ ଏବଂ ପାର୍କିଂ ସ୍ଥାନ ପ୍ରଦାନ କରାଯିବ। ଏଥିନିମନ୍ତେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସୂର୍ଯ୍ୟନାରାୟଣ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର