ମାଟିର ପର୍ବ ରଜ: ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୁରପଲ୍ଲୀ

The Sakala Picture
Published On

ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେମିତି ଏହା  ଧରିତ୍ରୀ ମାତା ଓ ମୌସୁମୀର ମିଳନର ପର୍ବ ।  ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏତ ଆଉ କୋଉଠି ନ ଥିବ।  ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ବାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି […]

ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେମିତି ଏହା  ଧରିତ୍ରୀ ମାତା ଓ ମୌସୁମୀର ମିଳନର ପର୍ବ ।  ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏତ ଆଉ କୋଉଠି ନ ଥିବ।  ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ବାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରନ୍ତି, ତା’ର ପୂର୍ବଦିନ ଓ ପରଦିନକୁ ମିଶାଇ ମୋଟ ତିନିଦିନ ଧରି ରଜପର୍ବ ପାଳନ କରାଯାଏ  । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । କୃଷି ଓଡ଼ିଶାର ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ । ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଏଥିସହିତ କୃଷି କର୍ମରୁ ଅବ୍ୟାହତି ନେଇ ଆନନ୍ଦ ଉଲ୍ଲାସରେ ମାତିଯାନ୍ତି କୃଷକ ସମାଜ ।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୁରପଲ୍ଲୀ । ରଜପାନ ଖିଆ, ଦୋଳିରେ ଝୁଲିବା,ଲୁଡୁ, ତାସ୍ ଓ ବାଗୁଡ଼ି ଖେଳ ମଧ୍ୟରେ ପୂରି ଉଠେ ଓଡ଼ିଶାର ପୁରପଲ୍ଲୀ। ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନ ପହଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ। ଏହି ତିନି ଦିନ ପରେ ଶେଷ ଦିନ ବସୁମତୀ ସ୍ନାନ କରାଯାଇଥାଏ। ଯେପରି ଏକ ରଜସ୍ବଳା ନାରୀ ମୋଟ ୪ ଦିନ ପାଇଁ ଅଛୁତ ରୁହେ, ସେପରି ବସୁଧା ମାତାଙ୍କୁ ଏହି ଚାରିଦିନ ଅକ୍ଷତ ଓ ଅସ୍ପୃଶ୍ୟ କରି ରଖାଯାଏ । ଧରିତ୍ରୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢ଼ାଏ । ଏହି ସମୟରେ ପୃଥିବୀ ମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ । ଆଗକାଳରେ ଏହି ତିନି ଦିନ ଝିଅମାନେ କଦଳୀ ପାଟୁକା ଓ ଗୁଆ ଖୋଳପା ପାଦରେ ବାନ୍ଧି ଚାଲୁଥିଲେ। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜପାନ ଓ ପୋଡ଼ପିଠା I ଘରେ ଘରେ ପୋଡ଼ପିଠା ସହିତ ବିଭିନ୍ନ ପ୍ରକାର ପିଠା ହେଇଥାଏ। ଗାଁଠୁ ସହର ପୋଡ଼ପିଠାରେ ମହକି ଉଠେ ସାରା ଓଡ଼ିଶା। ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ୟ। କିନ୍ତୁ ରଜରେ ଧରିତ୍ରୀ ମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ, ବୋହୂମାନଙ୍କୁ ନିୟମିତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଏ। ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳିବା ସହ ଘରେ ବସି ତାସ୍‌ ଓ ଲୁଡୁ ଖେଳିଥାନ୍ତି। ଏହି ସମୟରେ ନୂଆ ବାହା ହୋଇଥିବା ଝିଅଟି ଘରୁ ରଜଭାର ଆସିଥାଏ। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାନ୍ତି। ଗାଁ ଗହଳିରେ ଝିଅମାନେ ଦୋଳି ଖେଳି ଗୀତ ଗାଉଥାନ୍ତି-

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥’’
‘‘ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ ॥’’

ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । ଏହି ଦିନଗୁଡ଼ିକର ରୀତିନୀତିରେ ସମ୍ପୂର୍ଣ୍ଣ ଓଡ଼ିଆ ଘରର ଚଳଣି ପ୍ରତିଫଳିତ ହୋଇଥାଏ। ଆଧୁନିକତାର ଛାପରେ ରଜପର୍ବ ପାଳନକୁ ନେଇ ପୂର୍ବଭଳି ଏତେଟା ଆଗ୍ରହ ଉଦ୍ଦୀପନା ପରିଲକ୍ଷିତ ହେଉନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର