ଆସନ୍ତା ଜୁନ ମାସ ଶେଷ ସୁଦ୍ଧା କଟକ ହେବ ଜାଇକାମୁକ୍ତ

The Sakala Picture
Published On

କଟକ : ଜାଇକା କାର୍ଯ୍ୟ ଯୋଗୁଁ ସହରବାସୀଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ୨୦୧୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ସରିଛି। ଆସନ୍ତା ଜୁନ ମାସ ଶେଷ ସୁଦ୍ଧା କଟକ ସହର ସମ୍ପୂର୍ଣ୍ଣ ରୂପେ ଜାଇକାମୁକ୍ତ ହେବ ବୋଲି ଜାଇକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ହାଡ଼ିବନ୍ଧୁ ବେହେରା କହିଛନ୍ତି। ଗତକାଲି ଚହଟାସ୍ଥିତ ହୋଟେଲ ପ୍ରମୋଦଠାରେ କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକୁ ନଗର ଉନ୍ନୟନ […]

କଟକ : ଜାଇକା କାର୍ଯ୍ୟ ଯୋଗୁଁ ସହରବାସୀଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ୨୦୧୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ସରିଛି। ଆସନ୍ତା ଜୁନ ମାସ ଶେଷ ସୁଦ୍ଧା କଟକ ସହର ସମ୍ପୂର୍ଣ୍ଣ ରୂପେ ଜାଇକାମୁକ୍ତ ହେବ ବୋଲି ଜାଇକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ହାଡ଼ିବନ୍ଧୁ ବେହେରା କହିଛନ୍ତି। ଗତକାଲି ଚହଟାସ୍ଥିତ ହୋଟେଲ ପ୍ରମୋଦଠାରେ କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିବା ଅବସରରେ ଇଂ ବେହେରା ଏହା କହିଛନ୍ତି। ସେହିଭଳି ସହରର ଡ୍ରେନେଜ ବ୍ୟବସ୍ଥା କାମ ୮୦ ପ୍ରତିଶତ ସରିଥିବାବେଳେ ଉକ୍ତ କାର୍ଯ୍ୟ ନଭେମ୍ବର ମାସ ଶେଷ ସୁଦ୍ଧା ସରିବ ବୋଲି ଇଂ ବେହେରା କହିଥିଲେ। ଏତଦବ୍ୟତୀତ ସହର ବିଭିନ୍ନ୍‍ ସମସ୍ୟା ସଂକ୍ରାନ୍ତରେ ବିଧାୟକ ଏବଂ ସାଧାରଣ ବ୍ୟକ୍ତିମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସମସ୍ତ ସମସ୍ୟାଗୁଡିକର ବିସ୍ତ୍ରୃତ ରିପୋର୍ଟ ଅଧିକାରୀମାନେ ପ୍ରଦାନ କରିବା ପରେ ଏସବୁର ସମାଧାନ କରାଯିବ ବୋଲି ମନ୍ତ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଉକ୍ତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ, ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଉମେଶ ରାୟ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ-ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ରାଜନ୍ଦ୍ରେ ପ୍ରସାଦ ସିଂ, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଭୀକାରି ଦାସ, ଯୁବ ନେତା ଅରିନ୍ଦମ ରାଏ, ସିଏମସିର ଡେପୁଟି କମିଶନର ସଞ୍ଜିବିତା ରାୟ, ସିଟି ଇଞ୍ଜିନିୟର ସୁବାରାଓ ପାତ୍ର, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ଧର୍ମେଶ ନାୟକ, କଟକ ମହାନଗର ବିଜେଡି ସଭାପତି ମଧୁସୂଦନ ସାହୁ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୀବନ ବିନ୍ଦୁ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

୨୦୨୩ ଜାନୁଆରୀ ୧୫ରେ ସରିବ ବକ୍ସ ଡ୍ରେନ୍‌ ନିର୍ମାଣ

ବକ୍ସି ଡ୍ରେନର କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ସହରର ମୁଖ୍ୟ ନାଳ-୧ ଉପରେ ହେବାକୁ ଥିବା ବକ୍ସ ଡ୍ରେନ କାମକୁ ଦୁଇଟି ଭାଗରେ କରାଯାଇଛି। ଏଥି ନିମନ୍ତେ ପ୍ରାୟ ୪୫୦ କୋଟି ୪୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ପଟ୍ଟାପୋଲରୁ ବଜ୍ରକବାଟୀ ପର୍ଯ୍ୟନ୍ତ ବକ୍ସ ଡ୍ରେନ ନିର୍ମାଣ ପାଇଁ ୨୧୩ କୋଟି ୧୫ ଲକ୍ଷ ଟଙ୍କା ଏବଂ ବଜ୍ରକବାଟୀରୁ ମାତୃଭବନ ପର୍ଯ୍ୟନ୍ତ ୨୩୭ କୋଟି ୨୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ଶେଷ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ମାର୍ଚ୍ଚରୁ ପ୍ରତି ଘରେ ୨୪ ଘଣ୍ଟିଆ ପାନୀୟଜଳ

କଟକ ସହରରେ ଥିବା ୫୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସବୁ ଘରକୁ ମହାନଦୀରୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ସିଡିଏ, ଜଗତପୁର ଏବଂ ପ୍ରତାପନଗରୀରେ ଥିବା ଜଳ ବିଶୋଧନଗାରକୁ ଉଦଘାଟନ କରିବେ। ଏହାପରେ ପାଖାପାଖି ୫୦ଟି ୱାର୍ଡରେ ନଦୀଜଳ ଯୋଗାଣ ହେବ। ଅବଶିଷ୍ଟ ୯ଟି ୱାର୍ଡରେ ମାର୍ଚ୍ଚ ସୁଦ୍ଧା ଜଳଯୋଗାଣ ଆରମ୍ଭ ହେବ ବୋଲି ୱାଟ୍‌କୋ ଅଧିକାରୀ ଦେବବ୍ରତ ମହାନ୍ତି କହିଥିଲେ। କଟକ ସହରରେ ପ୍ରାୟ ୯୮ ହଜାର ୧୭୭ ଟି ଘରକୁ ପାଇପ ସଂଯୋଗ ହୋଇଛି। ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୪୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ଅଧିକାରୀ ମନ୍ତ୍ରୀ ଶ୍ରୀ ଜେନାକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ।

ଅଗଷ୍ଟରେ ସରିବ ନେତାଜୀ ବସ୍‌ ଟର୍ମିନାଲ କାର୍ଯ୍ୟ

ଖାନନଗରଠାରେ ଚାଲିଥିବା ନେତାଜୀ ବସ ଟର୍ମିନାଲ କାର୍ଯ୍ୟ ପାଇଁ ପ୍ରାୟ ୧୭ ଏକର ଜମି ଅଧିଗ୍ରହଣ କରାଯିବା ସହ ୮୫ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ଏବେ ଭୂତଳ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବସ ଟର୍ମିନାଲର କାର୍ଯ୍ୟ ଶେଷ ହେବ ବୋଲି ଆଜି ସମୀକ୍ଷା ବୈଠକରେ ଓବିସିସିର ଅଧିକାରୀଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି। ବସ ଟର୍ମିନାଲ ପ୍ରକଳ୍ପ ପରେ ଅବଶିଷ୍ଟ ୨ ଏକ ଜମିର ସପିଂ କମ୍ପେକ୍ସ କରିବାକୁ ଯୋଜନା ରଖିଛି ନଗର ଉନ୍ନୟନ ବିଭାଗ। ଏହି ବସ ଟର୍ମିନାଲରେ ପ୍ରାୟ ୧୮୦ଟି ବସ ପାର୍କିଂର ବ୍ୟବସ୍ଥା ରହିବ। ସାଧାରଣ ଯାତ୍ରୀବାହୀ ବସ ଏବଂ ମୋ ବସ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯିବ। ଗାଡି ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ବ୍ୟବସ୍ଥା ରହିବ। ଏହି ବସ ଟର୍ମିନାଲରେ ଯାତ୍ରୀ ବିଶ୍ରାମାଗାର, ଫୁଡକୋର୍ଟ, ଟିକେଟ କାଉଣ୍ଟର, ଇ-ଯାନ ଚାର୍ଜିଙ୍ଗ ପଏଣ୍ଟ, ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ୍‌ର ବ୍ୟବସ୍ଥା କରାଯିବା ପାଇଁ ଯୋଜନା ରହିଛି। ହେଲେ ବସଗୁଡିକ କେଉଁ ରୁଟରେ ସହରକୁ ପ୍ରବେଶ କରିବ ତାହା ସ୍ଥିର କରାଯାଇ ନଥିବା ଜଣାପଡ଼ିଛି। ଟ୍ରାଫିକ ପୁଲିସ ଏବଂ ପ୍ରଶାସନର ମିଳିତ ଭାବେ ଏକ ବୈଠକରେ ଏହାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ଶିଶୁଭବନର ୭ ମହଲା କୋଠାରେ ୮୫ ଆଇସିୟୁ

ଶିଶୁଭବନରେ ୭ ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ୭୨ ପ୍ରତିଶତ ଶେଷ ହୋଇସାରିଛି। ଅବଶିଷ୍ଟ କାର୍ଯ୍ୟ ମାର୍ଚ୍ଚ ମାସ ୩ ତାରିଖ ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଏହି ୭ ମହଲା ବିଶିଷ୍ଟ କୋଠାରେ ପ୍ରଥମ ୪ଟି ମହଲାରେ ଡାକ୍ତରଖାନା, ପଞ୍ଚମ ମହଲାରେ ପ୍ରଶାସନିକ ବ୍ଲକ ଏବଂ ଷଷ୍ଠ ମହଲାରେ ଏକାଡେମିକ ବ୍ଲକ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ହସ୍ପିଟାଲରେ ମୋଟ ୮୫ ଟି ଆଇସିୟୁର ବ୍ୟବସ୍ଥା ରହିବ। ନିୟୁ ବର୍ଣ୍ଣ ଚାଇଲ୍ଡ ମାନଙ୍କ ନିମନ୍ତେ ୪୦ଟି ଆଇସିୟୁ, ପେଡ଼ିଆଟ୍ରିକ ପାଇଁ ୧୫ଟି ଏବଂ ଏଚଡିୟୁ ଆଇସିୟୁ ୩୦ଟି ରହିବ ବୋଲି ଯୋଜନା କରାଯାଇଛି। ଅନ୍ୟପକ୍ଷରେ ଜି+୬ ମହଲା ହଷ୍ଟେଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏଥିରେ ୬ଶହଟି ଶଯ୍ୟା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ୨୦୧୯ ମସିହା ଫେବୃଆରୀ ମାସ ୨୭ ତାରିଖରେ ଏହି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତବର୍ଷ ଫେବୃଆରୀ ମାସରେ ସରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ କରୋନା ଯୋଗୁଁ କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ତେବେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି।

ପେଟାନାଳ ପୁନରୁଦ୍ଧାର ନିମନ୍ତେ ୩୬ କୋଟି

ପେଟାନାଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୬ କୋଟି ଟଙ୍କା ମଞ୍ଜୁର ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ପେଟାନାଳର ଉଭୟ ପାର୍ଶ୍ବରେ ବନ୍ଧ ସହ ତାରବାଡ଼ ରହିବ। ଜଳସମ୍ପଦ ବିଭାଗ ପେଟାନାଳର ପୁନରୁଦ୍ଧାର କରିବା ସହ ସିଏମସି ଏହାର ସୌନ୍ଦର୍ଯ୍ୟକରଣ କରିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର