ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ମହାନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେଡି। ଦଳର ବହୁ ବରିଷ୍ଠ ନେତା ଶ୍ରୀ ଦୁବେଙ୍କୁ କଟୁ ଭର୍ତ୍ସନା କରିବା ସହ ତାଙ୍କର ମନ୍ତବ୍ୟକୁ ବିରୋଧ କରିଛନ୍ତି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିଜୁ ପଟ୍ଟନାୟକଙ୍କ ପରି ଜଣେ ବୀର, ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ଏବଂ ଅଦ୍ୱିତୀୟ ଦେଶପ୍ରେମୀଙ୍କ ଗୌରବମୟ ଇତିହାସକୁ କଳଙ୍କିତ କରିବାକୁ କରାଯାଉଥିବା ପ୍ରୟାସ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀଦଳ ନେତାଙ୍କ ରାଜନୈତିକ ସଚିବ ଡ଼. ସନ୍ତୃପ୍ତ ମିଶ୍ର । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଆନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଯେଉଁ ଅସାର, ବିଦ୍ୱେଷପୂର୍ଣ୍ଣ ଓ  ରାଜନୈତିକ ଅଭିସନ୍ଧିମୂଳକ କୌଶଳ ପ୍ରୟୋଗ କରୁଛନ୍ତି। ଏହା କେବଳ ଅଜ୍ଞତା ନୁହେଁ, ବରଂ ଇତିହାସ ଏବଂ ଘଟଣାବଳୀକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ବିଜୁ ପଟ୍ଟନାୟକ କେବଳ ଜଣେ ସାଧାରଣ ରାଜନୈତିକ କର୍ମକର୍ତ୍ତା ନଥିଲେ, ଯାହାଙ୍କୁ ଇତିହାସ ବା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଜ୍ଞାନ ନଥିବା ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତିମାନେ ଆକଳନ କରିପାରିବେ।  ଆଜି ଏହା ଉପରେ ଯେଉଁମାନେ ଟୀକାଟିପ୍ପଣୀ ଦେଉଛନ୍ତି, ସେମାନଙ୍କର ଐତିହାସିକ ଜ୍ଞାନର ଘୋର ଅଭାବ ରହିଛି ବା ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଇତିହାସକୁ ମନଗଢ଼ା ଭାବେ ବ୍ୟାଖ୍ୟା କରି ଅସଲ ପ୍ରଶ୍ନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି। ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ କେବଳ  ଭୁଲ ନୁହେଁ, ବରଂ ଏହା ଭାରତର କୂଟନୈତିକ ଇତିହାସ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଅସ୍ମିତା ପ୍ରତି ଏକ ଅପମାନ। ତେଣୁ ନିଶିକାନ୍ତ ଦୁବେ ତୁରନ୍ତ ଏହି ଅପମାନଜନକ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଶ୍ରୀ  ଦୁବେଙ୍କ ମନ୍ତବ୍ୟକୁ  ଓଡ଼ିଶା ବିଜେପି ଓ ରାଜ୍ୟ ସରକାର ନିନ୍ଦା କରିବା ଆବଶ୍ୟକ ବୋଲି ଡ଼. ମିଶ୍ର କହିଛନ୍ତି । 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବିଜେଡି ଉପସଭାପତି ସଞ୍ଜୟ  ଦାସବର୍ମା କହିଛନ୍ତି ଯେ ନିଶିକାନ୍ତଙ୍କ  ମନ୍ତବ୍ୟ କେବଳ ଓଡ଼ିଶାବାସୀଙ୍କୁ ଆଘାତ ଦେଇନାହିଁ, ଭାରତୀୟ ରାଜନୀତିର ଇତିହାସ ଓ ଗୌରବକୁ ମଧ୍ୟ କଳଙ୍କିତ କରିଛି। ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଜାଣିଥିଲେ ହୁଏତ ନିଶିକାନ୍ତ ଏପରି ମନ୍ତବ୍ୟ ଦେଇ ନ ଥାନ୍ତେ। ତାଙ୍କର ସାହସିକ କାର୍ଯ୍ୟ ପାଇଁ ଇଣ୍ଡୋନେସିଆ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରିଥିଲା, ରୁଷ ସରକାର ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ। ତାଙ୍କ୍‌ ମର ଶରୀରରେ ୩ ଦେଶର ଜାତୀୟ ପତାକା ପଡ଼ିଥିଲା। ଏହି ମହାନ ନେତାଙ୍କୁ ‘ସିଆଇଏ ଏଜେଣ୍ଟ‘ ବା ‘ଲିଙ୍କ୍‌’ କହି ନିଶିକାନ୍ତ ଦୁବେ ଅପମାନିତ କରିବା କେବଳ ତାଙ୍କର ଅଜ୍ଞତା ନୁହେଁ, ନିମ୍ନରୁଚିର ରାଜନୀତିର ସର୍ବନିମ୍ନସ୍ତରୀୟ ଉଦାହରଣ । ଏହି ମନ୍ତବ୍ୟ କେବଳ ବିଜୁ ବାବୁଙ୍କ ନୁହେଁ, ସମଗ୍ର ଓଡ଼ିଆ ଜାତିର ଅପମାନ। ଏଥିପାଇଁ ଶ୍ରୀ ଦୁବେ କ୍ଷମାପ୍ରାର୍ଥର୍ନା କରନ୍ତୁ ବୋଲି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । 

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

 ନିଶିକାନ୍ତ ଦୁବେଙ୍କର ମାନସିକ ବିକୃତି ଘଟିଛି ବୋଲି ଆକ୍ଷେପ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ ସାହୁ । ସେ  କହିଛନ୍ତି ଯେ ବିଜୁ ବାବୁଙ୍କ ପ୍ରତି ସମଗ୍ର ଭାରତବର୍ଷର ଜନସାଧାରଣଙ୍କ ସମ୍ମାନ ରହିଛି। ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ। ପାକିସ୍ତାନ କବଳରୁ ଶ୍ରୀନଗରକୁ ଉଦ୍ଧାର, ଭାରତ-ଚାଇନା ଯୁଦ୍ଧରେ ଅଗ୍ରଣୀ ଭୂମିକା ନେବାରେ ବିଜୁ ବାବୁ ସବୁଥିରେ ଆଗୁଆ ଥିଲେ। ବିଜୁବାବୁ ରାଜ୍ୟ ଓ ଦେଶ ପାଇଁ କ’ଣ କରିଛନ୍ତି, ସେ ସମ୍ପର୍କରେ ନିଶିକାନ୍ତ ଦୁବେଙ୍କ ପରି କୁଖ୍ୟାତ ଲୋକଙ୍କର ଧାରଣା ଆସିବ କେଉଁଠୁ ? ସେ ନିଜେ ଯେପରି, ଅନ୍ୟମାନଙ୍କୁ ସେହିପରି ଦୃଷ୍ଟିରେ ଦେଖୁଛନ୍ତି। ବିଜୁଙ୍କ ଅପମାନ ଓଡ଼ିଶାର ଅପମାନ, ଏଥିପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ତାଙ୍କ ଦଳ ଏଥିପାଇଁ କ୍ଷମାପ୍ରାର୍ଥନା କରୁ ବୋଲି ସେ ଦାବି କରିଛନ୍ତି । 

ଦଳର ଅନ୍ୟତମ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ନିଶିକାନ୍ତଙ୍କ ଟିପ୍ପଣୀକୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଇତିହାସକୁ ବିକୃତ କରିବାକୁ ନିଶିକାନ୍ତଙ୍କ ଅପଚେଷ୍ଟା କେବଳ ଓଡିଶାବାସୀଙ୍କୁ ଆଘାତ ଦେଇନାହିଁ, ପ୍ରତ୍ୟେକ ଓଡ଼ିଆଙ୍କ ଆତ୍ମାକୁ କ୍ଷତାକ୍ତ କରିଛି। ତାଙ୍କର ଏପରି ମନ୍ତବ୍ୟ ରାଜନୈତିକ ଅସୂୟା ପ୍ରଣୋଦିତ। ଏହା ଦେଶ ତଥା ରାଜ୍ୟବାସୀଙ୍କ ପ୍ରତି ଅପମାନ। ଏଥିପାଇଁ ନିଶିକାନ୍ତ ନିସର୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର