ମନୋରଞ୍ଜନ
ଓଡ଼ିଶା
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି। ରାଜ୍ୟର ସମ୍ପଦ ଲୁଟ୍ ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପାଟି ଖୋଲୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି।
ଡ. ସାମନ୍ତସିଂହାର କହିଛନ୍ତି ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି। ଯାହାକି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭଜନକ ବିମାନ ବନ୍ଦର। ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ପ୍ରାୟ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି। ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି। ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି। ଏମଏମଡିଆର ଆଇନ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି। ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି।






