ଭିଜିଲାନ୍ସ ଜାଲରେ ଭବାନୀପାଟଣା ରେଞ୍ଜ ଫରେଷ୍ଟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଭବାନୀପାଟଣା ରେଞ୍ଜ ଫରେଷ୍ଟର ଭାଗବତ ଭୂଷଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଚଢ଼ାଉବେଳେ ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା । ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ମଧ୍ୟ ଯାଞ୍ଚ ଚାଲିଛି । କଳାହାଣ୍ଡି ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି ଭବାନୀ ଭୂଷଣ । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଭବାନୀପାଟଣାରେ ତିନି ମହଲା ଆବାସିକ ଘର, ଜୁନାଗଡ଼ରେ ଭାଇଙ୍କ ଘର ଓ ଭବାନୀପାଟଣା ଭଟଙ୍ଗପଦର ବନ ବିଭାଗ ଅଫିସରେ ରେଡ୍ ଚାଲିଛି । ଚଢ଼ାଉରେ ୪ ଡିଏସପି, ୭ ଇନିସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଫରେଷ୍ଟରଙ୍କର ଭବାନୀପାଟଣାରେ ୯ ପ୍ଲଟ ଠାବ କରିଛି ଭିଜିଲାନ୍ସ ବିଭାଗ । ଭବାନୀପାଟଣା ସହରରେ ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା ମଧ୍ୟ ରହିଛି । ଏହା ସହିତ ଗୋଟିଏ ଟୟୋଟା କ୍ରୁଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ, ଗୋଟିଏ ବାଇକ୍ ସହ ୨୧୦ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ । ବ୍ୟାଙ୍କ ଓ ପୋଷ୍ଟାଲ ଜମା ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି । ତେବେ ୨୦୦୦ ମସିହାରେ ମାତ୍ର ୩ ହଜାର ଦରମାରେ ଫରେଷ୍ଟ ଗାର୍ଡ ଚାକିରି ଆରମ୍ଭ କରିଥିଲେ ଭବାନୀ ଭୂଷଣ ।





