ପର୍ଯ୍ୟଟନ ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ବାଲେଶ୍ୱର ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳ

The Sakala Picture
Published On

ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କେବଳ ୮୧ କି.ମି ବେଳାଭୂମି ରହିଛି। ଯେଉଁଠି ରହିଛି ବିସ୍ତୀର୍ଣ୍ଣ ବେଳାଭୂମି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଓ ଆକର୍ଷଣୀୟ ତଥା ଶାନ୍ତ ମନୋରମ ପ୍ରାକୃତିକ ପରିବେଶ। ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି ପର୍ଯ୍ୟଟନସ୍ଥଳର ବିକାଶ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ଅନ୍ୟ ବେଳାଭୂମିଗୁଡ଼ିକର ବିକାଶର ଛାପ ଦେଖିବା ଅପେକ୍ଷାରେ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା […]

ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କେବଳ ୮୧ କି.ମି ବେଳାଭୂମି ରହିଛି। ଯେଉଁଠି ରହିଛି ବିସ୍ତୀର୍ଣ୍ଣ ବେଳାଭୂମି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଓ ଆକର୍ଷଣୀୟ ତଥା ଶାନ୍ତ ମନୋରମ ପ୍ରାକୃତିକ ପରିବେଶ। ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି ପର୍ଯ୍ୟଟନସ୍ଥଳର ବିକାଶ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ଅନ୍ୟ ବେଳାଭୂମିଗୁଡ଼ିକର ବିକାଶର ଛାପ ଦେଖିବା ଅପେକ୍ଷାରେ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ଏବେ ବି ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ଅନେକ ପର୍ଯ୍ୟଟନସ୍ଥଳ। ଏପରିକି ଉଭୟ ବେଳାଭୂମିର ବିକାଶ ପର୍ଯ୍ୟଟନ ଓ ବଣପାହାଡ଼ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କଲା ଭଳି କ୍ଷମତା ରଖିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ଭିତ୍ତିଭୂମି ମନ୍ଥର ଗତିରେ ଚାଲିଥିବା ବେଳେ କିଛି କିଛି ସ୍ଥାନକୁ ବିଦେଶୀ ପର୍ଯ୍ୟଟକ ଆପଣାଛାଏଁ ଆକୃଷ୍ଟ ହୋଇ ଆସୁଛନ୍ତି।

ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗର ବେଳାଭୂମି ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ଯେତେଟା ଆଗେଇଛି, ଓଡ଼ିଶା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ପଶ୍ଚିମବଙ୍ଗ ସରକାର ଆତିଥ୍ୟ ଉଦ୍ୟୋଗକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ସରକାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଅଧିକ ଫୋକସ୍‌ ଦେଇଛନ୍ତି। ପଶ୍ଚିମବଙ୍ଗର ଦୀଘା, ମନ୍ଦାରମଣି, ଶଙ୍କରପୁର, ତେଜପୁର ଭଳି ବେଳାଭୂମିର ଭିତ୍ତିଭୂମି ବିକାଶ ଓ ଆନୁସଙ୍ଗିକ ହୋଟେଲ୍‌ ଶିଳ୍ପର ବିକାଶ ହୋଇ ଚାଲିଥିବାରୁ ଆତିଥ୍ୟ ଉଦ୍ୟୋଗ ଆଗେଇ ଚାଲିଛି। ପଡେ଼ାଶୀ ବାଲେଶ୍ୱର ଜିଲ୍ଲାରେ ରହିଥିବା ବହୁ ପ୍ରାକୃତିକ ବେଳାଭୂମି ମଧ୍ୟରେ ଉୟଦପୁର, ତାଳସାରୀ, ବିଚିତ୍ରପୁର, ଚାନ୍ଦିପୁର, ଡଗରା, କଷାଫଳ ଓ ଦୁବଲାଗଡ଼ି ଆଦି ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାସ୍ତାଘାଟ, ମେରାଇନ ଡ୍ରାଇଭ୍‌, ହୋଟେଲ ଏବଂ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ଯେତେଟା ବିକାଶ ହେବ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ସେତେଟା ଆକର୍ଷଣ କରିପାରିବ। ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ତଥା ଶାନ୍ତ ମନୋରମ ବେଳାଭୂମିକୁ ଅଧିକ ପସନ୍ଦ କରୁଥିବାରୁ ବାଲେଶ୍ୱର ଜିଲ୍ଲାର ପ୍ରତିଟି ପର୍ଯ୍ୟଟନସ୍ଥଳ ସେମାନଙ୍କ ପସନ୍ଦଯୋଗ୍ୟ ହୋଇପାରିବ। କିନ୍ତୁ ହେଟେଲ ଓ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ସରକାରଙ୍କ ଅଧିକ ଫୋକସ୍‌ ଏବଂ ଘରୋଇ କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶ ହୋଇପାରିଲେ ବାଲେଶ୍ୱର ଜିଲ୍ଲାର ପ୍ରାକୃତିକ ବେଳାଭୂମି ପର୍ଯ୍ୟଟନ ସଫଳତାର ଶୀର୍ଷରେ ଛୁଇଁପାରିବ। ବେଳାଭୂମି ପର୍ଯ୍ୟଟନ ସହିତ ଗ୍ରାମାଞ୍ଚଳ ପର୍ଯ୍ୟଟନ ବିକଶିତ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅର୍ଥନୈତିକ ବିକାଶର ରାସ୍ତା ଫିଟିବ।

ବୈଚିତ୍ର୍ୟପୂର୍ଣ୍ଣ ବିଚିତ୍ରପୁର
ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ଭୋଗରାଇ ବ୍ଲକରେ ରହିଛି ବିଚିତ୍ରପୁର ପ୍ରାକୃତିକ ପର୍ଯ୍ୟଟନସ୍ଥଳ। ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳରେ ରହିଛି ବଚିତ୍ର ପ୍ରାକୃତିକ ସମ୍ଭାରରେ ଭରପୂର ବିଚିତ୍ରପୁର। ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ପ୍ରକୃତି ନିବାସ। ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି ପ୍ରକୃତି କୋଳରେ ସମୟ ବିତାଇବାର ପ୍ରକୃଷ୍ଟ ପର୍ଯ୍ୟଟନସ୍ଥଳ ହେଉଛି ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀକୂଳସ୍ଥ ଖଡ଼ିବିଲଠାରୁ ନୌକାବିହାର (ବୋଟିଂ) କରି ସମୁଦ୍ର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଯିବାକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରୁଛନ୍ତି। ନଦୀର ଉଭୟ ପାଶ୍ୱର୍ରେ ଚିର ସବୁଜ ଜଙ୍ଗଲ ପର୍ଯ୍ୟଟକଙ୍କ ମନରେ ସବୁଜିମାର ଛାପ ଛାଡ଼ିଥାଏ। ପାଖାପାଖି ୫୬୩ ହେକ୍ଟର ପରିମିତ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ବହୁ ସାମୁଦ୍ରିକ ଜୀବଜନ୍ତୁ, ବିଦେଶୀ ପକ୍ଷୀ, ଅଲିଭ୍‌ ରିଡ୍‌ଲେ କଇଁଛ, ନାଲି କଙ୍କଡ଼ା, ବିରଳ ନୀଳରକ୍ତ କଙ୍କଡ଼ା ଆଦି ଦେଖିବାକୁ ମିଳିଥାନ୍ତି। ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବାରୁ ବଣଭୋଜି କରିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଓଡ଼ିଶା ବନବିଭାଗ ପକ୍ଷରୁ ବିଚିତ୍ରପୁର ଇକୋ ଟୁରିଜିମ୍‌ କ୍ୟାମ୍ପ୍‌ରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ୍‌ର ବ୍ୟବସ୍ଥା ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାର ଇକୋସିଷ୍ଟମ୍‌ ଉପରେ ଗବେଷଣା ପାଇଁ ଅଧିକାଂଶ ସମୟରେ ପ୍ରକୃତି ବିଜ୍ଞାନୀ ଆସିଥାନ୍ତି।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପରୂପ ଅନୁଭବ
ବିଶ୍ୱସ୍ତରୀୟ ପ୍ରାକୃତିକ ବେଳାଭୂମି ମଧ୍ୟରେ ରହିଛି ବାଲେଶ୍ୱରର ତାଳସାରୀ-ଉଦୟପୁର ବେଳାଭୂମି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଭଳି ଏହି ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା ରହିଛି। ମନୋରମ ବେଳାଭୂମି ଓ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିବାର ଅନ୍ୟଏକ କାରଣ। ଶାନ୍ତ ମନୋରମ ପରିବେଶ ତଥା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ମନୋଜ୍ଞ ଦୃଶ୍ୟର ମଜା ନେବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରାଜ୍ୟ ସରକାର ଉଦୟପୁର ଓ ତାଳସାରୀ ବେଳାଭୂମିର ମେରାଇନ୍‌ ଡ୍ରାଇଭ୍‌କୁ ବିକଶିତ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଏହି ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି। ମେରାଇନ୍‌ ଡ୍ରାଇଭର ଭିତ୍ତିଭୂମି ବିକାଶ ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଉନ୍ନୟନ କାର୍ଯ୍ୟ ଜାରିରହିଛି। ପାଖରେ ଥିବା ପଶ୍ଚିମବଙ୍ଗର ଦୀଘା ବେଳାଭୂମି ସଦାସର୍ବଦା ବ୍ୟସ୍ତବହୁଳ ରହୁଥିବାରୁ ବହୁ ପର୍ଯ୍ୟଟକ ଭୋଗରାଇ ବ୍ଲକର ତାଳସାରୀ-ଉଦୟପୁର ବେଳାଭୂମିରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ ଉଦୟପୁର-ତାଳସାରୀ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ଧୀରେ ଧୀରେ ବଢ଼ିବାରେ ଲାଗୁଛି। ତିନି କିଲୋମିଟରର ବିସ୍ତୀର୍ଣ୍ଣ ମେରାଇନ୍‌ ଡ୍ରାଇଭ୍‌ରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଓ ଝାଉଁ ଜଙ୍ଗଲରୁ ଭାସି ଆସୁଥିବା ସାଇଁ ସାଇଁ ପବନ ଓ ସମୁଦ୍ରରୁ ଭାସି ଆସୁଥିବା ମତୁଆଲା ଲହରୀ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରୁଛି। ଏଠାରେ ଆତିଥ୍ୟ ଉଦ୍ୟୋଗର ବିକାଶ ପାଇଁ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି।

ଚାନ୍ଦିପୁରରେ ଜୁଆରର ନିଆରା ଖେଳ
ବାଲେଶ୍ୱର ସହରଠୁ ଅନତି ଦୂରରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମି ହେଉଛି ବିଶ୍ୱର ଅଦ୍ୱିତୀୟ ବିରଳ ବେଳାଭୂମି। ଯଦିଚ ଚାନ୍ଦିପୁର ଡିଆର୍‌ଡିଓର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପାଇଁ ପ୍ରସିଦ୍ଧ, କିନ୍ତୁ ଏଠାର ଅନନ୍ୟ ବେଳାଭୂମିର ଜୁଆର ଏବଂ ଭଟ୍ଟାର ଲୁଚକାଳି ଖେଳ ବେଶ୍‌ ଅଦ୍ଭୁତ। ଏହି ବେଳାଭୂମିରେ ଜୁଆର ସମୟରେ ସମୁଦ୍ରର ଲହରୀ କୂଳ ଛୁଉଁଥିବା ବେଳେ ଭଟ୍ଟା ଆସିଲେ ସମୁଦ୍ର ଗର୍ଭକୁ ୩ରୁ ୫କିଲୋମିଟର ପର୍ଯ୍ୟନ୍ତ ଲହରୀ ଉଭାନ ହୋଇଯାଇଥାଏ। ଏହି ସମୟରେ ରହିଥିବା ହାଲୁକା ପାଣିରେ ଚାଲିଚାଲି ସମୁଦ୍ର ଭିତରରେ ବୁଲିବାରେ ପର୍ଯ୍ୟଟକଙ୍କୁ ମଜା ଦେଇଥାଏ। ଚାନ୍ଦିପୁର ବେଳାଭୂମିରେ ସମୁଦ୍ର ପାଣିର ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ଅଧିକ ଉତ୍ସୁକ କରୁଥାଏ ଏବଂ ଏହି ବେଳାଭୂମିକୁ ନିଆରା ପରିଚୟ ଦେଇଥାଏ। ଶାନ୍ତ ମନୋରମ ପରିବେଶର ମଜା ଉଠାଇବାକୁ ପର୍ଯ୍ୟଟକ ଆସିଥାନ୍ତି। ଯଦିଓ ଚାନ୍ଦିପୁରରେ ପର୍ଯ୍ୟଟନ ଶିଳ୍ପର ଆଖିଦୃଶିଆ ବିକାଶ ହୋଇନି, କିନ୍ତୁ ଏଠାର ଶାନ୍ତ ମନୋରମ ପରିବେଶ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବାଲେଶ୍ୱର ସହର ସନ୍ନିକଟ ଚାନ୍ଦିପୁର ବେଳାଭୂମି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାର ସାମଗ୍ରିକ ଭିତ୍ତିଭୂମି ବିକାଶ ଏକ ଚ୍ୟାଲେଞ୍ଜ ପାଲଟିଛି।

ଯମୁନାଶୂଳରେ ଝାଉଁ ଜଙ୍ଗଲର ସ୍ୱର
ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ୭୦କିଲୋମିଟର ଓ ବାଲିଆପାଳ ବ୍ଲକ ମୁଖ୍ୟାଳୟଠାରୁ ୨୦କିଲୋମିଟର ଓ ଲଙ୍ଗଳେଶ୍ୱରଠାରୁ ୫କିଲୋମିଟର ଦୂର ପଞ୍ଚୁପାଲିଠାରେ ରହିଛି ଅନନ୍ୟ ଯମୁନାଶୂଳ ବେଳାଭୂମି। ଯାହାକି ଏକ ପ୍ରାକୃତିକ ବେଳାଭୂମି ଭାବେ ପରିଚିତ। ସୁବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ହରିତକାୟ ଝାଉଁ ଜଙ୍ଗଲର ସୁଁ ସୁଁ ଶବ୍ଦ ମଧ୍ୟରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ, ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସମୁଦ୍ରର ଜଳରାଶି ଉପରେ ରକ୍ତଭିଜା ଲାଲ କିରଣର ଦୃଶ୍ୟ ପର୍ଯ୍ୟଟକଙ୍କ ମନ ମୋହି ନେଇଥାଏ। ଏଠାରେ ରହିଥିବା ପାନ୍ଥନିବାସରେ ପର୍ଯ୍ୟଟକଙ୍କୁ ସବୁ ସୁବିଧା ମିଳିଥାଏ। ଏହି ବେଳାଭୂମିରେ ମକର ମେଳା, ବାରୁଣୀ ସ୍ନାନ ପାଇଁ ପ୍ରତିବର୍ଷ ହଜାର ହଜାର ଜନସମାଗମ ହୋଇଥାଏ।

ଡଗରାରେ ନାଲିକଙ୍କଡ଼ାର ଚାଦର
ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଡଗରାଠାରେ ରହିଛି ମନୋରମ ବିସ୍ତୀର୍ଣ୍ଣ ବେଳାଭୂମି। ଏହି ବେଳାଭୂମି ନାଲି କଙ୍କଡ଼ାର ଚାଦର ଓ ରୁପେଲି ବାଲୁକା ଶଯ୍ୟା ପାଇଁ ପ୍ରସିଦ୍ଧ। ଏହ ଏଭଳି ଏକ ପ୍ରାକୃତିକ ବେଳାଭୂମି ଯାହାର ତଟରେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ରହିଛି। ଯାହାକି ସାମୁଦ୍ରିକ ବିରଳ କଇଁଛ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ ନୂଆ ଠିକଣା ମଧ୍ୟ ପାଲଟିଛି। ୨୦୧୪ ମସିହାରେ ଡଗରା ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଥିଲା। କିନ୍ତୁ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହିଁ। ବେଳାଭୂମିର ପାରିପାଶ୍ୱିର୍କ ଉନ୍ନୟନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ରହଣିରେ ଅସୁବିଧା ଉପୁଜୁଛି। ଏହି ପ୍ରାକୃତିକ ବେଳାଭୂମିର ପାରିପାଶ୍ୱିର୍କ ବିକାଶ ସହିତ ହେଟେଲ ଆଦି ଗଢ଼ି ଉଠିଲେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିପାରିବ।

କଷାଫଳ ଓ ଦୁବଲାଗଡ଼ିରେ ସୁଆଦିଆ ଖାଦ୍ୟର ମଜା
ବାଲେଶ୍ୱର ସଦର ବ୍ଲକର ବାହାବଳପୁର ମୁହାଣକୁ ଲାଗି ରହିଛି କଷାଫଳ ବେଳାଭୂମି। ବିଶେଷକରି ମତ୍ସ୍ୟ ଅବତରଣ କେନ୍ଦ୍ର ଭାବେ ଜଣାଶୁଣା ଏହି ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ। କିନ୍ତୁ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଭିତ୍ତିଭୂମି ନ ଥିବାରୁ ଏହି ପ୍ରାକୃତିକ ବେଳାଭୂମି ଲୋକଲୋଚନକୁ ଆସି ପାରୁନାହିଁ। ପଞ୍ଚୁପଡ଼ା ଓ ଡୁବଡୁବି ନଦୀର ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମିରେ ନାଲି କଙ୍କଡ଼ାର ଅପରୂପ ସମ୍ଭାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ନଦୀର ଗୋଟିଏ ପଟେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ସାଙ୍ଗକୁ ସମୁଦ୍ରର ବିଚିତ୍ର ରୂପ ବେଳାଭୂମି ପର୍ଯ୍ୟଟନ ଉପରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ଛକରୁ ବାହାବଳପୁର ମୁହାଣକୁ ଯୋଡ଼ିଥିବା ରାସ୍ତାର ବିକାଶ ତଥା ଏହି ପ୍ରାକୃତିକ ବେଳାଭୂମିର ଭିତ୍ତିଭୂମି ବିକାଶ ଆବଶ୍ୟକ। ବାହାବଳପୁର ସମୁଦ୍ରତଟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଦୁବଲାଗଡ଼ି ବାଗଦା ବେଳାଭୂମି ରହିଛି। ଏହି ପ୍ରାକୃତିକ ବେଳାଭୂମିର ଇକୋ ରିସୋର୍ଟ ଏବେ ପର୍ଯ୍ୟଟକଙ୍କ ପସନ୍ଦଯୋଗ୍ୟ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି। ପ୍ରାକୃତିକ ପରିବେଶ ମଧ୍ୟରେ ସମୟ ଅତିବାହିତ କରିବା ସହ ସୁଆଦିଆ ଖାଦ୍ୟ ଖାଇବାର ମଜା ଉଠାଇବାକୁ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଦୁବଲାଗଡ଼ି ବାଗଦା ବେଳାଭୂମିର ବିକାଶ କ୍ଷେତ୍ରରେ ବେସରକାରୀ ସଂସ୍ଥାର ଯୋଗଦାନ ଅଧିକ ରହିଛି। ସେହିପରି ଅନ୍ୟ ବେଳାଭୂମି ବିକାଶ ପାଇଁ ପ୍ରୋତ୍ସାହନ ମିଳିଲେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ହୋଇପାରିବ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ