ଦଲାଲଙ୍କ କବ୍‌ଜାରେ ଏମ୍‌ସ ଟିକଟ୍‌ କାଉଣ୍ଟର୍‌: ହତାସ ହେଉଛନ୍ତି ରୋଗୀ, ଭୋର ୪ ଟାରୁ ଗଲେ ମଧ୍ଯ ମିଳୁନି ଟିକଟ

The Sakala Picture
Published On

ଖଣ୍ଡଗିରି: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ମାତିଛନ୍ତି ଟିକଟ ଦଲାଲ୍। ସେମାନେ ମାତ୍ର ୧୦ ଟଙ୍କାରେ ମିଳୁଥିବା ଟିକଟକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷକରି ଅଣଓଡ଼ିଆ ରୋଗୀମାନଙ୍କୁ ଟାର୍ଗେଟ କରି ଏପରି ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏମ୍‌ସ ଭୁବନେଶ୍ୱରରେ ରୋଗୀସେବା ପାଇଁ ମୋଟ ୩୪ ଟି ବିଭାଗ ରହିଛି। ଡାକ୍ତରଙ୍କ ପରାମର୍ଶ କରାଇବା ନିମନ୍ତେ ୧୦ ଟଙ୍କା ଦେଇ ଓପିଡି ଟିକଟ କରିବାର ନିୟମ ରହିଛି। ତେବେ ଯଥେଷ୍ଟ […]

ଖଣ୍ଡଗିରି: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ମାତିଛନ୍ତି ଟିକଟ ଦଲାଲ୍। ସେମାନେ ମାତ୍ର ୧୦ ଟଙ୍କାରେ ମିଳୁଥିବା ଟିକଟକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷକରି ଅଣଓଡ଼ିଆ ରୋଗୀମାନଙ୍କୁ ଟାର୍ଗେଟ କରି ଏପରି ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏମ୍‌ସ ଭୁବନେଶ୍ୱରରେ ରୋଗୀସେବା ପାଇଁ ମୋଟ ୩୪ ଟି ବିଭାଗ ରହିଛି। ଡାକ୍ତରଙ୍କ ପରାମର୍ଶ କରାଇବା ନିମନ୍ତେ ୧୦ ଟଙ୍କା ଦେଇ ଓପିଡି ଟିକଟ କରିବାର ନିୟମ ରହିଛି। ତେବେ ଯଥେଷ୍ଟ ପରିମାଣର ଟିକଟ ଉପଲବ୍ଧ ହେଉ ନ ଥିବାରୁ ଅନେକ ରୋଗୀମାନଙ୍କୁ ଡାକ୍ତରଙ୍କ ପରାମର୍ଶରୁ ବଞ୍ଚିତ ହେବାକୁ ପଡୁଛି। ଏମିତିକି ରାତି ୩ଟାରୁ ଧାଡ଼ି ଲଗାଇ ମଧ୍ୟ ଟିକଟ ନ ପାଇ ଅନେକ ରୋଗୀଙ୍କୁ ନିରାଶ ହେବାକୁ ପଡୁଛି। ଅପରପକ୍ଷରେ ଓପିଡି ଟିକଟକୁ ଏକ ରୋଜଗାରର ପନ୍ଥା ଭାବେ ବାଛି ନେଇଛନ୍ତି କେତେକ ଦଲାଲ୍। ଟଙ୍କା ଦେଲେ ଟିକଟ କରିବା ଠାରୁ ଆରମ୍ଭ କରି ଡ଼ାକ୍ତରଙ୍କ ପରାମର୍ଶ କରାଇବା ପର୍ଯ୍ୟନ୍ତ ସବୁକିଛି ବ୍ୟବସ୍ଥା କରାଇ ଦେଉଛନ୍ତି। ଦଲାଲମାନେ ନ୍ୟୁରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ନେଫରୋଲୋଜି ବିଭାଗର ଟିକଟ ପାଇଁ ଦେଢ଼ ହଜାରରୁ ଅଢ଼େଇ ହଜାର ଟଙ୍କା ନେଉଥିବା ବେଳେ ଅର୍ଥୋପେଡିକ, ମେଡିସିନ, ଇଏନଟି ବିଭାଗର ଟିକଟ ପାଇଁ ୩ ଶହରୁ ୫ ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ ଟିକଟ ପାଇଁ ଧାଡ଼ି କରିବା ପୂର୍ବରୁ ଇଟା ଥୋଇବାକୁ ପଡୁଛି ଓ ଏକ କାଗଜରେ ନିଜ ନାମ ଓ ଫୋନ ନମ୍ବର ଲେଖି ଇଟା ତଳେ ରଖିବାକୁ ପଡୁଛି। ତେବେ ଲାଇନର ପ୍ରଥମ ୧୦ ଟି ଇଟାକୁ ମଧ୍ୟ ଏକ ହଜାରରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଧାଡ଼ିରେ ୧୦ ଜଣଙ୍କ ମଧ୍ୟରେ ରହିଲେ ଯେ କୌଣସି ବିଭାଗର ଟିକଟ ପାଇବା ଏକ ପ୍ରକାର ପକ୍କା ହୋଇଥିବାରୁ ରୋଗୀମାନେ ବାଧ୍ୟ ହୋଇ ଦଲାଲମାନେ ଲାଇନରେ ରଖିଥିବା ଇଟାକୁ କିଣୁଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ତାଙ୍କ ସମ୍ପର୍କୀୟଙ୍କୁ ନେଫରୋଲୋଜି ବିଭାଗର ଡାକ୍ତରଙ୍କ ପରାମର୍ଶ କରାଇବାକୁ ଆସିଥିଲେ। ଟିକଟ ପାଇଁ ରାତି ୪ଟାରୁ ଧାଡ଼ି ଲଗାଇଥିଲେ କିନ୍ତୁ ସେ ଟିକଟ ପାଇ ପାରି ନ ଥିଲେ। ନିରାଶ ହୋଇ ଫେରି ଯାଉଥିବା ବେଳେ ଏକ ଦଲାଲ ତାଙ୍କୁ ଭେଟ ହୋଇଥିଲା ଓ ଦେଢ଼ ହଜାର ଟଙ୍କା ଦେଲେ ସାଙ୍ଗେ ସାଙ୍ଗେ ଟିକଟ କରିଦେବ ବୋଲି କହିଥିଲା। ଶ୍ରୀ ମଣ୍ଡଳ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହିତ ଏକ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ହଜାର ଟଙ୍କା ଦେବାର ୧୫ ମିନିଟ ମଧ୍ୟରେ ଦଲାଲ୍ ଜଣଙ୍କ ତାଙ୍କୁ ଆଣି ନେଫରୋଲୋଜି ବିଭାଗର ଟିକେଟ ଦେଇଥିଲା।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେହିପରି ଝାଡ଼ଖଣ୍ଡ ରାଞ୍ଚିର ଅଞ୍ଜଳି ଉପାଧ୍ୟାୟ ନିଜ ମା’ଙ୍କୁ ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ଦେଖାଇବାକୁ ଆସିଥିଲେ। ଭୋର ୪ ଟାରୁ ଦୀର୍ଘ ୬ ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ମଧ୍ୟ ତାଙ୍କୁ ଟିକଟ ମିଳି ପାରି ନ ଥିଲା। ତେବେ ଜଣେ ଦଲାଲ ତାଙ୍କ ଠାରୁ ୫ ଶହ ଟଙ୍କା ନେଇ ଟିକଟ କରାଇ ଦେଇଥିଲା ଓ ସେ ତାଙ୍କ ମା’ଙ୍କୁ ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ଦେଖାଇଥିଲେ। ଗୋଟିଏ ପଟେ ଜଣେ ସାଧାରଣ ଲୋକ ଧାଡ଼ିରେ ଠିଆହୋଇ ଟିକଟ ପାଉ ନ ଥିବା ବେଳେ ଅନ୍ୟପଟେ ଜଣେ ଦଲାଲ ଟଙ୍କା ନେବାର ୧୫/୨୦ ମିନିଟ ପରେ ଟିକଟ କରାଇଦେବା ଘଟଣା ଦଲାଲ ଓ ଟିକଟ କାଉଣ୍ଟର କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ତେବେ କେବଳ ଦଲାଲ୍ ନୁହନ୍ତି ବରଂ ଏମ୍‌ସର ଟିକଟ କାଉଣ୍ଟରର କର୍ମଚାରୀ ମଧ୍ୟ ଦଲାଲଙ୍କ ସହିତ ହାତ ମିଳାଇଥିବା ଏଭଳି ଘଟଣାରୁ ସ୍ପଷ୍ଟ ହୋଇଛି। କେବଳ ଟିକଟ ନୁହେଁ ବରଂ ବିଭିନ୍ନ ପରୀକ୍ଷାକୁ ଜଲଦି କରାଇବାକୁ ମଧ୍ୟ ଦଲାଲମାନେ ଟଙ୍କା ନେଉଥିବା ଜଣାପଡିଛି। ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା ପାଇଁ ରୋଗୀମାନଙ୍କୁ ୩ ମାସ ପରର ତାରିଖ ଦିଆଯାଉଥିବା ବେଳେ ଦଲାଲମାନେ ହାତଗୁଞ୍ଜା ନେଇ ଦୁଇରୁ ତିନି ଦିନ ମଧ୍ୟରେ ପରୀକ୍ଷା କରାଇ ଦେଉଛନ୍ତି। ସିଟିସ୍କାନ ଓ ଏମଆରଆଇ ପରୀକ୍ଷା ପାଇଁ ଦଲାଲମାନେ ୫ ଶହରୁ ହଜାରେ ଟଙ୍କା ନେଉଥିବା ବେଳେ ବାୟୋପସି ଓ ଆଞ୍ଜିଓଗ୍ରାଫି ପରୀକ୍ଷା ପାଇଁ ୩ ହଜାରରୁ ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହେଉଛି।

ବିଶେଷକରି ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଅଣଓଡିଆ ରୋଗୀମାନଙ୍କୁ ଟାର୍ଗେଟ କରି ଦଲାଲମାନେ ଏହିଭଳି ଭାବେ ଟିକଟ ବ୍ୟବସାୟ ଚଳାଇଛନ୍ତି। ତେବେ କମ୍ ଟଙ୍କାରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀ ଦଲାଲଙ୍କ ଦ୍ବାରା ଶୋଷଣର ଶିକାର ହେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର