ଅନୁଗୋଳରେ ମୃଦୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୫
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ସୋମବାର ରାତିରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର ପ୍ରଭାବ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଏବଂ ପଡ଼ୋଶୀ ଦେବଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ର ରିପୋର୍ଟ ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ୪୭ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି କମ୍ପନ ପ୍ରାୟ ୫ ସେକେଣ୍ଡ ଧରି ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳୀ ମାଟିର ୨୦ କିଲୋମିଟର ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି।
ଭୂକମ୍ପର କେନ୍ଦ୍ରସ୍ଥଳୀ ଛେଣ୍ଡିପଦା ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୨୫ କିଲୋମିଟର ଦୂର ଛଡ଼େଇମରା ଜଙ୍ଗଲରେ ଥିଲା। ଏହାର ପ୍ରଭାବରେ ଅନୁଗୋଳ ଓ ଦେବଗଡ଼ର ଛଡ଼େଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ, ଖମାର, କୋଶଳା ବଗଡ଼ିଆ ଏବଂ ଓତ୍ରାପଡ଼ା ଆଦି ଅଞ୍ଚଳରେ ଲୋକେ କମ୍ପନ ଅନୁଭବ କରିଥିଲେ।
ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷୟକ୍ଷତି କିମ୍ବା କୋଠାବାଡ଼ି ଭାଙ୍ଗିଥିବାର ରିପୋର୍ଟ ମିଳିନାହିଁ। ତେବେ ହଠାତ୍ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଅନେକ ଲୋକ ଭୟରେ ନିଜ ଘରୁ ବାହାରକୁ ପଳାଇ ଆସି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।






