ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

Madhusudan Das Picture
Published On

ଭୁବନେଶ୍ୱର: ପୁଲିସକୁ ଡର ନାହିଁ, ଆଇନକୁ ଭୟ ନାହିଁ। ଖୋଦ୍‌ ପୁଲିସ ଉପସ୍ଥିତିରେ ଲୋକେ ଆଇନ ହାତକୁ ନେଉଛନ୍ତି; ଅପରାଧୀ ଆତଙ୍କରାଜ ଚଳାଉଛନ୍ତି। ଅନେକ କ୍ଷେତ୍ରରେ ପୁଲିସ ନିରବଦ୍ରଷ୍ଟା ସାଜିଛି, କେତେକ ଘଟଣାରେ ପୁଲିସର ସହଯୋଗରେ ଅପରାଧ ଘଟୁଥିବା ଅଭିଯୋଗ ହୋଇଛି। ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା ପରଠାରୁ ଗତ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନୁରୂପ ଘଟଣା ଘଟିଛି। ‘ଭିଡ଼’କୁ ରୋକିବାକୁ ପୁଲିସର ସାମର୍ଥ୍ୟ ନଥିବା ଏହି ଘଟଣାରୁ ପ୍ରମାଣିତ ହୋଇଛି ।

ଆହୁରି ପଢ଼ନ୍ତୁ: ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷାରେ ଖସିଲା ମାଟି ଅତଡ଼ା

ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ପଥର ମାଫିଆ ରାସ୍ତା ଉପରେ ଗୋଡେ଼ଇ ଗୋଡେଇ ଖଣ୍ଡାରେ ଜଣେ ଯୁବକଙ୍କୁ ଖଣ୍ଡଖଣ୍ଡ କରିଛନ୍ତି। ଏହି ଘଟଣାରେ ଅଜିତ୍‌ ସାହୁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଖରିନାସୀ ଗାଁରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଲୋକେ। ଟିକିଏ ବିଳମ୍ବ ହୋଇଥିଲେ ହୁଏତ ତାଙ୍କ ଜୀବନ ଯାଇଥାଆନ୍ତା। ଅଳ୍ପକେ ତାଙ୍କର ଜୀବନ ବର୍ତ୍ତିଗଲା ବୋଲି କୁହାଯାଉଛି। ୫ରୁ ଊର୍ଦ୍ଧ୍ବ ଲୋକଙ୍କ ସମ୍ପୃକ୍ତି ଥିଲେ ପୁଲିସ ବ୍ୟବସ୍ଥାରେ ତାହାକୁ ‘ଭିଡ଼’ ବୋଲି କୁହାଯାଏ ଓ ଏହି ସବୁ ଘଟଣାରେ ୫ରୁ ଅଧିକ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି। ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ଲୋକମାନେ ଆଇନକୁ ହାତକୁ ନେବା ସହ ସଙ୍ଘବଦ୍ଧ ହୋଇ ଆକ୍ରମଣ କରୁଛନ୍ତି। କେଉଁଠି ପୀଡ଼ିତ ଗୁରୁତର ହେଉଛନ୍ତି ତ ଆଉ କେଉଁଠି ମୃତ୍ୟୁବରଣ କରୁଛନ୍ତି। ମୋଟାମୋଟି କହିବାକୁ ଗଲେ, ଭିଡ଼କୁ ରୋକିବାରେ ପୁଲିସ ବିଫଳ ହୋଇଛି ଓ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ବିଜୁ ପଟ୍ଟନାୟକ ବିମାନବନ୍ଦର ଲିଜ୍‌ ନକ୍ସା ପ୍ରସ୍ତୁତ: ୪୦୦୦ କୋଟିରେ ୫୦ ବର୍ଷ !

ଗତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ଲୋକମାନେ ପିଟି ପିଟି ହତ୍ୟା କରିଥିଲେ। ହାତଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ଟ୍ରକ୍‌ ଡାଲାରେ ଫିଙ୍ଗି ଦେଇଥିଲେ।  ଘଟଣକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେବା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ସଜାଗ ଓ ସତର୍କ ରହିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକୁ ଦୁଇ ଦିନ ନ ହେଉଣୁ , ଓଡ଼ଗାଁ ଏବଂ ଖରିନାସୀ ଅଞ୍ଚଳରୁ ଦୁଇଟି ଘଟଣା ସାମ୍ନାକୁ ଆସିଛି। ଓଡ଼ଗାଁ ଘଟଣାରେ ଅଜିତଙ୍କ ହାତକୁ ହାଣି ଖଣ୍ଡ ଖଣ୍ଡ କରିବା ସହ ହତ୍ୟା କରିଛନ୍ତି। ଆଉ ଖରିନାସୀ ଗାଁ ଦାଣ୍ଡରେ ୨୦ରୁ ଅଧିକ ଲୋକେ ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ଆକ୍ରମଣ କରୁଛନ୍ତି। ପରିସ୍ଥିତି ଏମିତି ଯେ, ଯୁବକ ଜଣକ ମୁହଁ ମାଡ଼ି ପଡ଼ି ଯାଉଥିବା ବେଳେ ଉଠିବାକୁ ସୁଯୋଗ ପାଉ ନାହାନ୍ତି। ସୋର ଓ ରାୟଗଡ଼ାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାୟଗଡ଼ା ସହରରେ ଜଣେ ଯୁବକକୁ ଗୁଳିକରି ହତ୍ୟା ପରେ ନାଗାବଳୀ ନଦୀ ତଟରେ ଫିଙ୍ଗି ଦେଇଛନ୍ତି। ସୋରରେ ଜଣେ ମହିଳାଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ପୁଲିସ ବି ଏଥିରୁ ବାଦ ପଡ଼ିନାହିଁ। ଜଣେ ଅଟୋ ଡ଼୍ରାଇଭର ଜନୈକ ମହିଳା କନଷ୍ଟେବଳଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲା ବିଜେଡି

ବଲାଙ୍ଗୀରରେ ଘଟିଥିବା ଘଟଣା ଆହୁରି ସ୍ପର୍ଶକାତର। ନ୍ୟାୟ ଦେବାରେ ପୁଲିସର ବିଫଳତା ଜଣେ ଯୁବକଙ୍କ ଜୀବନ ନେଇଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି, କ୍ରୋଧାନ୍ୱିତ ଲୋକମାନେ ପ୍ରତିବାଦ ସ୍ୱରୂପ ଥାନା ଆଗରେ ଯୁବକଙ୍କ ଶବ ରଖି ବାଣ ଫୁଟାଇ ପ୍ରତିବାଦ କରିଛନ୍ତି। ସମ୍ବଲପୁରରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଲୋକମାନେ ଏକତ୍ରିତ ହୋଇ ସଙ୍ଗଠିତ ଅପରାଧ ଓ ଭିଡ଼ ହିଂସା ଭିଆଉଛନ୍ତି। ଆକ୍ରମଣର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ସମ୍ବେଦନଶୀଳ। ପରିସ୍ଥିତି ଏମିତି ହେଲାଣି, ପୁଲିସର ଅସହାୟତାକୁ ଲୋକେ ଉପହାସ କରୁଛନ୍ତି। ଆଇନଶୃଙ୍ଖଳା ପ୍ରତି ଲୋକଙ୍କର ଭୟ ନାହିଁ। ପୁଲିସ କେବଳ ଉଚ୍ଚସ୍ତରୀୟ ବୈଠକ, ରୋଲକଲ୍‌, ବ୍ରିଫିଂ ପରେଡ଼ କରି ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ଯୋଜନା ଚଳାଇଛି। ମାତ୍ର ରାଜ୍ୟର ଅବସ୍ଥା ଦିନକୁ ଦିନ ରସାତଳକୁ ଯାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର