ସ୍ୱାମୀ ସାଜିଲା ସଇତାନ: ୪ ମାସର ଶିଶୁ ଆଗରେ ମାଆକୁ ତାୱାରେ ପିଟି ପିଟି ମାରିଦେଲା ବାପା
ଭୁବନେଶ୍ୱର: ତାୱାରେ ପିଟି ପତ୍ନୀଙ୍କୁ ହତ୍ୟା । ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ ୨ ବର୍ଷ ତଳେ ଆରମ୍ଭ କରିଥିଲେ ଦାମ୍ପତ୍ୟ ଜୀବନ। ୪ ମାସ ପୂର୍ବେ କୋଳକୁ ଆସିଥିଲା ଶିଶୁପୁତ୍ର। ଶିଶୁଟି ଯେଉଁ ଘରେ ହସିଖେଳି ବଢ଼଼ୁଥିଲା, ସେହି ଘରେ ଘଟିଗଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ମାତ୍ର ୪ ମାସର ଶିଶୁପୁତ୍ର ଆଗରେ ପତ୍ନୀଙ୍କୁ ତାୱାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ। ପ୍ରେମ ବିବାହର ମାତ୍ର ଦୁଇ ବର୍ଷ ପରେ ଭାଙ୍ଗି ଯାଇଛି ସୁନାର ସଂସାର। ନୂଆପଲ୍ଲୀ ବ୍ରିଟ୍ କଲୋନୀରେ ଏଭଳି ହତ୍ୟାକାଣ୍ଡ ଘଟିଛି। ମୃତା ମହିଳା ହେଲେ ବନସ୍ମିତା ସ୍ୱାଇଁ। ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭିଆଇଥିବା ସ୍ୱାମୀ ସର୍ବେଶ୍ୱର ପ୍ରଧାନକୁ ଉଠାଇ ଆଣିଛି ନୂଆପଲ୍ଲୀ ଥାନା ପୁଲିସ। ସେ ମାନସିକ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।
ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିକଣା ଅଞ୍ଚଳର ବନସ୍ମିତା ୨ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ସର୍ବେଶ୍ୱରକୁ ବିବାହ କରିଥିଲେ। ବିବାହ ପରେ ଉଭୟ ନୂଆପଲ୍ଲୀ ବ୍ରିଟ୍ କଲୋନୀ ସ୍ଥିତ ସର୍ବେଶ୍ୱରଙ୍କ ଘରେ ରହୁଥିଲେ। ସର୍ବେଶ୍ୱର ମାନସିକ ରୋଗରେ ପୀଡ଼ିତ ଥିବାବେଳେ ଦୀର୍ଘଦିନ ଧରି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ନିୟମିତ ଔଷଧ ସେବନ କରୁଥିଲେ। ବୁଧବାର ଅପରାହ୍ଣରେ ସର୍ବେଶ୍ୱର ଡାକ୍ତରଙ୍କ ପରାମର୍ଶ ପାଇଁ ଯିବାର ଥିଲା। କିନ୍ତୁ କୌଣସି କାରଣରୁ ସେ ଯାଇ ପାରି ନଥିଲେ।
ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳକୁ କୌଣସି କଥାକୁ ନେଇ ବନସ୍ମିତା ଓ ସର୍ବେଶ୍ୱର ମଧ୍ୟରେ କଳହ ହୋଇଥିଲା। ସର୍ବେଶ୍ୱର ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ମାଡ଼ ମାରିଥିଲେ। ଠିକ୍ ସେତିକିବେଳେ ସର୍ବେଶ୍ୱରର ଭଉଣୀ ଆସି ଏହାକୁ ବିରୋଧ କରିଥିଲେ। କିନ୍ତୁ ସର୍ବେଶ୍ୱର ତାଙ୍କୁ ରୁମରୁ ବାହାର କରି କବାଟ ଦେଇ ଦେଇଥିଲା। ଏହାପରେ ପୁଣିଥରେ ପତ୍ନୀଙ୍କୁ ମାଡ଼ ମାରିଥିଲା। ବନସ୍ମିତା ଖଟରେ ବସିଥିବା ବେଳେ ସର୍ବେଶ୍ୱର ତାଙ୍କ ମୁହଁକୁ ତାୱାରେ ପିଟି ଚାଲିଥିଲା। ବାରମ୍ବାର ଆକ୍ରମଣ ଫଳରେ ଶେଷରେ ବନସ୍ମିତାଙ୍କର ମୃତ୍ୟୁ ଘଟିଥିଲା। ଦୁନିଆ ବିଷୟରେ କିଛି ଜାଣି ନଥିବା ୪ ମାସର ଶିଶୁପୁତ୍ର ଏସବୁର ମୁକ ସାକ୍ଷୀ ପାଲଟିଥିଲା। ଚିତ୍କାର ଶୁଣି ଉପର ମହଲାରେ ଥିବା ପରିବାର ଲୋକ ତଳକୁ ଧାଇଁ ଆସିଥିଲେ। ହେଲେ ସେତେବେଳକୁ ସବୁକିଛି ସରି ଯାଇଥିଲା। ବନସ୍ମିତା ରକ୍ତାକ୍ତ ଅବସ୍ଥାରେ ଖଟରେ ମୁହଁ ମାଡ଼ି ପଡ଼ିଥିବା ବେଳେ ସର୍ବେଶ୍ୱର ସେହି ରୁମ୍ ଭିତରେ ଥିଲେ। ଆଉ ବେଡସିଟ୍, ତକିଆ ଓ ଖଟ ବାଡ଼ ରକ୍ତରେ ଭିଜି ଯାଇଥିଲା।
ପରିବାର ଲୋକଙ୍କ ଠାରୁ ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ପୁଲିସ ସର୍ବେଶ୍ୱରକୁ ଥାନାକୁ ଉଠାଇ ନେଇଥିଲା। ହେଲେ ସେ ଥାନାରେ ଅସୁସ୍ଥ ଅନୁଭବ କରିଥିଲା। ସେ ମାନସିକ ରୋଗୀ ଓ ନିୟମିତ ଔଷଧ ସେବନ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସର୍ବେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ତାକୁ ସେଠାକୁ ସ୍ଥାନାନ୍ତର କରିଥିଲା। ବନସ୍ମିତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।






