‘ସମ୍ବାଦ’ ବ୍ୟାଙ୍କ ଋଣ ଠକେଇ ପେଡ଼ିରେ ଅନେକ କାହାଣୀ, ‘କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’

The Sakala Picture
Published On

ଭୁବନେଶ୍ବର: ଆଇନ ସମସ୍ତଙ୍କ ପାଇଁ ସମାନ। ସାଧାରଣ ଲୋକଙ୍କଠାରୁ ଗଣମାଧ୍ୟମ କର୍ତ୍ତୃପକ୍ଷ କେହି ଏଥିରୁ ବାଦ ପଡ଼ିନାହାନ୍ତି। ମାତ୍ର ନିଜ ସଂସ୍ଥାର କର୍ମଚାରୀଙ୍କ ନାମରେ ଦୀର୍ଘ ବର୍ଷ ହେଲା ଋଣ ନେବା ଘଟଣା ପଦାକୁ ଆସିବା ପରେ ଏବେ ସରକାରଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ ତାଙ୍କ ଅନୁଗତ। କେବଳ ସେତିକି ନୁହେଁ ଏହି ଖବର ପ୍ରକାଶ ପାଇଁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’କୁ ମଧ୍ୟ ତାଙ୍କ ପରିଚାଳିତ ଗଣମାଧ୍ୟମ ନିଶାଣ କରିଛି। […]

ଭୁବନେଶ୍ବର: ଆଇନ ସମସ୍ତଙ୍କ ପାଇଁ ସମାନ। ସାଧାରଣ ଲୋକଙ୍କଠାରୁ ଗଣମାଧ୍ୟମ କର୍ତ୍ତୃପକ୍ଷ କେହି ଏଥିରୁ ବାଦ ପଡ଼ିନାହାନ୍ତି। ମାତ୍ର ନିଜ ସଂସ୍ଥାର କର୍ମଚାରୀଙ୍କ ନାମରେ ଦୀର୍ଘ ବର୍ଷ ହେଲା ଋଣ ନେବା ଘଟଣା ପଦାକୁ ଆସିବା ପରେ ଏବେ ସରକାରଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ ତାଙ୍କ ଅନୁଗତ। କେବଳ ସେତିକି ନୁହେଁ ଏହି ଖବର ପ୍ରକାଶ ପାଇଁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’କୁ ମଧ୍ୟ ତାଙ୍କ ପରିଚାଳିତ ଗଣମାଧ୍ୟମ ନିଶାଣ କରିଛି। ‘ସକାଳ’ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ‘ସମ୍ବାଦ’ରେ ଚଢ଼ଉ କରାଯାଇଥିବା ଉଲ୍ଲେଖ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଇଛି। ସୌମ୍ୟରଞ୍ଜନ ଓ ତାଙ୍କ ସଂସ୍ଥା ଦ୍ୱାରା ପୀଡ଼ିତମାନଙ୍କର ସଂଖ୍ୟା ଦିନକୁ ଦିନ ଲମ୍ବିବା ପରେ ତାଙ୍କ ମୁଖା ଖୋଲି ଯାଇଛି। ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ପ୍ରାୟୋଜିତ ‘ଜନ ମତ’ ସଂଗ୍ରହ କରାଯାଉଛି। ଭଡ଼ାଟିଆଙ୍କୁ ପ୍ଲାକାର୍ଡ଼ ଧରି ଠିଆ କରାଯିବାକୁ ଉଦ୍ୟମ ହୋଇଛି। ସହାନୁଭୂତି ହାସଲ ପାଇଁ ଲାଗି
ପଡ଼ିଛନ୍ତି ଯୋଗାଡ଼ିଆ।

‘କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ମନ୍ତ୍ରୀ ପଦ ନ ପାଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କେବଳ ସରକାରଙ୍କୁ ସମାଲୋଚନା କରିନାହାନ୍ତି, ଲହୁ ଲୁହ ଦେଇ ସମ୍ବାଦକୁ ଛିଡ଼ା କରିଥିବା କର୍ମଚାରୀମାନେ ବି ତାଙ୍କଦ୍ୱାରା ବ୍ଲାକମେଲିଂର ଶିକାର ହୋଇଛନ୍ତି। ଜଣେ ଅଧେ ନୁହେଁ ଶହ ଶହ କର୍ମଚାରୀଙ୍କ ଅସହାୟତାର ସେ ଭରପୂର ଫାଇଦା ଉଠାଇଛନ୍ତି। ଚାକିରି ଯିବା ଧମକ ଦେଇ କର୍ମଚାରୀଙ୍କ ଜରିଆରେ ଋଣ ନେଇଛନ୍ତି। କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଦେଓ। ଏହା ସହିତ ସେ ଇଓଡ଼ବ୍ଲ୍ୟୁରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।

ପୂର୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ୨୦୦୬ ମସିହା ବେଳକୁ ସେ ଯାଜପୁର ଜିଲ୍ଲା ପ୍ରତିନିଧି ଥିବା ସମୟରେ ଖୋଦ୍‌‌ ସୌମ୍ୟରଞ୍ଜନ ତାଙ୍କୁ ଫୋନ୍‌‌ କରି କଟକ ଲିଙ୍କ୍‌‌ ରୋଡ ସ୍ଥିତ ସମ୍ବାଦ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ସେଠାରେ ଏଚ୍‌‌ଆର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଦେଖା କରିବ ଆଉ ଯେ ଯେଉଁ କାଗଜପତ୍ର ଦେବେ ସେଥିରେ ଦସ୍ତଖତ କରିବ। ସମ୍ପାଦକଙ୍କ ଆଦେଶ ଅନୁସାରେ ମୁଁ କଟକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମୋ ଦରମା ପ୍ରମାଣପତ୍ରରେ ୨୨୦୦୦ ଟଙ୍କାରୁ ଅଧିକ ଦରମା ଲେଖାଥିବା ଦେଖିଲି। ଯେତେବେଳେ କି ମୋ ଦରମା ମାତ୍ର ୩୬୫୦ ଟଙ୍କା ଥିଲା। ତେବେ ପ୍ରକୃତପକ୍ଷେ ଏହି ପ୍ରମାଣପତ୍ର ଜାଲ ଥିଲା ବୋଲି ମୁଁ ପରେ ଜାଣିବାକୁ ପାଇଲି। ମୋ ଦସ୍ତଖତ ନେଇ ବ୍ୟାଙ୍କରୁ ଋଣ କଲେ; କିନ୍ତୁ ମାସକୁ ମାସ ମୋ ଦରମାରୁ ୮୦୦ ଟଙ୍କା କାଟିବା ଆରମ୍ଭ ହେଲା। ମୋ ଭଳି ଶହ ଶହ କର୍ମଚାରୀଙ୍କ ନାମରେ ଋଣ କରି ଆଣୁଥିବା ଟଙ୍କାରୁ ଟଙ୍କାଟିଏ ବି ସମ୍ବାଦରେ ବିନିଯୋଗ ହୋଇନଥିଲା; ବରଂ ଅୟସ କରିବା ଓ ଜମି କିଣାରେ ତାହା ବିନିଯୋଗ ହୋଇଥିଲା।

ଶ୍ରୀ ଦେଓ କହିଛନ୍ତି, ଗୋଟିଏ ଋଣ ସେମାନେ ପରିଶୋଧ ପରେ ଆଉ ଏକ ଋଣ କରିବା ପାଇଁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ମୋତେ ବିଭାଗୀୟ ମୁଖ୍ୟ ଭାବେ ରାଉରକେଲା ବଦଳି କରାଯାଇଥିଲା। ସେଠାରେ ମୋ ସହକର୍ମୀଙ୍କ ନାମରେ ଜାଲିଆତି କରି ଋଣ ପାଇଁ ଉଦ୍ୟମ କରାଗଲା। ମୁଁ ଏହାର ବିରୋଧ କରିବାରୁ ମୋତେ ପୁଣି ଅନୁଗୁଳ ବଦଳି କରାଗଲା। ମୁଁ ଯେତେବେଳେ ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ପାଇଁ ଗଲି ସେତେବେଳେ ତୁମ ନାମରେ ଋଣ ରହିଛି ଏବଂ ତୁମକୁ ଦେବାଳିଆ ଘୋଷିତ କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣାଇ ଦେଇ ଋଣ ଦେବାକୁ ସଫା ସଫା ମନା କରିଦେଲେ। ଏହାର ପ୍ରତିବାଦ କରିବାରୁ ସୌମ୍ୟ ବାବୁଙ୍କ ନିର୍ଦ୍ଦେଶରେ ମୋତେ ମାନସିକ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା। ଅନୁଗୁଳ ଯିବା ପରେ ବି ମୋତେ ମାନସିକ ନିର୍ଯାତନା ଦିଆଯିବାରୁ ବାଧ୍ୟ ହୋଇ ମୁଁ ସମ୍ବାଦରୁ ଇସ୍ତଫା ଦେଇଥିଲି। ଅଳ୍ପ କିଛି ଦରମା ଉପରେ ନିର୍ଭରଶୀଳ ମୋ ଭଳି ଶହ ଶହ କର୍ମଚାରୀଙ୍କ ଟଙ୍କାରେ ସୌମ୍ୟ ବାବୁ କୋଟିପତି ହୋଇଛନ୍ତି। ଯାହାର ସ୍ୱାଭିମାନ ବୋଲି କିଛି ନାହିଁ ସେ ଆଜି ସ୍ୱାଭିମାନର ଡିଣ୍ଡିମ ପିଟୁଛି। ଯିଏ ଦିନ ରାତି ପରିଶ୍ରମ କରି ତାଙ୍କ ସଂସ୍ଥାକୁ ଆଗକୁ ବଢ଼଼ଉଛି ତାକୁ ଶୋଷଣ କରୁଥିବା ଲୋକ କିପରି ସ୍ୱାଭିମାନୀ ହୋଇପାରିବ? ମନ୍ତ୍ରୀ ପଦ ନ ପାଇ ଆଜି ସୌମ୍ୟ ବାବୁ ସରକାରଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଛନ୍ତି। ଯାହା ଦୟାରେ ଟିକଟ ନେଇ ନିର୍ବାଚନ ଜିତିଲେ, ତାଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଥିବା ଲୋକ କେବେ ସ୍ୱାଭିମାନୀ ହୋଇନପାରେ। ସୌମ୍ୟ ବାବୁ ଯେଉଁ ଅପକର୍ମ କରିଛନ୍ତି ତାହାର ପରିଣାମ ଏବେ ସେ ଭୋଗ କରୁଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି।

୩୦ ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି
୩୦ ବର୍ଷ ତଳେ ମତେ ସମ୍ବାଦ ଧୋକା ଦେଇଛି। କେବଳ ମତେ ନୁହେଁ ୩୦ ବର୍ଷ ଧରି ଏହି ସଂସ୍ଥା କେତେ ଲୋକଙ୍କୁ ଧୋକା ଦେଇଛି ତାହା ଇଓଡବ୍ଲୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ୩୦ ବର୍ଷ ତଳେ ମୋତେ ସାମ୍ବାଦିକ କରିବାକୁ କହି ୧୫ ହଜାର ଟଙ୍କା ନେଇଥିଲେ। ସେତେବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମୁଁ ଜଗତସିଂହପୁର ମୁଖପାତ୍ର ଥିଲି। ଏହି ଆଧାରରେ ମୋର ତାଙ୍କ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା। ତାଙ୍କ କହିବା ଅନୁଯାୟୀ ମୁଁ ୧୫ ହଜାର ଟଙ୍କା ପୈଠ କରିଥିଲି। ହେଲେ ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ମତେ ଅବହେଳା କରିବା ଯୋଗୁଁ ମୁଁ ଟଙ୍କା ମାଗିଥିଲି। ଏହାପରେ ସେ ଏକ ଚେକ୍‌‌ ଦେଇଥିଲେ। ଏହି ଚେକ୍‌‌ ଡିପୋଜିଟ୍‌‌ ପରେ ଉକ୍ତ ଆକାଉଣ୍ଟରେ ଟଙ୍କା ନ ଥିବା ଜଣାପଡ଼ିଥିଲା। ଏହା ପରେ ମୁଁ କୋର୍ଟ ନୋଟିସ୍‌‌ କରିଥିଲି। ପରେ ସେ ଅନ୍ୟ ଭାୟା ମିଡିଆରେ ୧୫ ହଜାର ଟଙ୍କା ଫେରସ୍ତ କରିଥିଲେ। ମୁଁ ଏଭଳି ଠକାମୀର ଶିକାର ହୋଇଥିବାରୁ ଅନେକ ଲୋକ ଠକେଇର ଶିକାର ହୋଇଥିବା ଆଶଙ୍କା ରହିଛି। ତେଣୁ ଏହାକୁ ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିବା ଉଚିତ୍‌‌।
– ଅରୁଣ ଆଚାର୍ଯ୍ୟ, ଜଗତ୍‌‌ସିଂହପୁର

ଏଭଳି ବହୁ ଅଭିଯୋଗ ହୋଇଛି
ଏହି ପ୍ରସଙ୍ଗ ଆଜି ନୁଆ ନୁହେଁ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଯେଉଁମାନେ ଚାକିରୀ କରନ୍ତି, ସେମାନଙ୍କ ନାଁରେ ଋଣ ଉଠାଯାଉଥିବା ଅଭିଯୋଗ ବହୁ ଆଗରୁ ରହି ଆସିଛି। ଏହି ପ୍ରସଙ୍ଗରେ ପୂର୍ବରୁ ବହୁ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ଯେଉଁ ସଂସ୍ଥାରେ ଜଣେ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ତାଙ୍କ ନାଁରେ ଋଣ ଉଠାଣ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପରସ୍ପର ସହଯୋଗରେ ଏହି କାର୍ଯ୍ୟ ହେଉଥିବା ନେଇ ଯେତେ କହିଲେ ମଧ୍ୟ ଏହା ଗ୍ରହଣଯୋଗ୍ୟ ନୁହେଁ। ଏହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ତାହା ଇଓଡବ୍ଲୁ ବିଚାର କରିବ।
କେଦାର ମିଶ୍ର, ବରିଷ୍ଠ ସାମ୍ବାଦିକ

ସୌମ୍ୟ ବାବୁ ନିଜର ସ୍ୱାର୍ଥ କାର୍ଯ୍ୟ କରୁଥିଲେ
କୌଣସି କର୍ପୋରେଟ ବା ପ୍ରାଇଭେଟ ସଂସ୍ଥା କର୍ମଚାରୀଙ୍କୁ ନ ଜଣାଇ ତାଙ୍କ ନାମରେ ଋଣ ନେବା ଏକ ଗୁରୁତର ଅପରାଧ। ଏହି ବିଷୟରେ କର୍ମଚାରୀ ଜାଣିବା ସହ ତାଙ୍କ ଅନୁମତି ନେବା ଆବଶ୍ୟକ। ବିନା ଅନୁମତିରେ ଋଣଦାତାଙ୍କୁ ପ୍ରଭାବିତ କରି କର୍ମଚାରୀଙ୍କ ନାମରେ ଋଣ ନେବା ଏକ ଗର୍ହିତ ଅପରାଧ। ଯଦି ଏଭଳି ହୁଏ, ତେବେ ଋଣ କିପରି ମିଳୁଛି ତାହା ତଦନ୍ତ ସାପେକ୍ଷ। ସାଧାରଣ ଲୋକ ଋଣ ପାଇବା ପାଇଁ ହେଲେ ଅନେକ ମାନଦଣ୍ଡ ପୂରଣ କରିବା ସହିତ ବହୁ ଚୁକ୍ତି ହୋଇଥାଏ। ତେଣୁ ଯେଉଁ ସଂସ୍ଥା ଋଣ ଦେଉଛି, କିଏ ଋଣ ନେଲା ଓ କାହିଁକି ଋଣ ନେଲା ତାହା ସ୍ପଷ୍ଟ ହେବା ଆବଶ୍ୟକତା ରହିଛି। ଯଦି ଏହା ହୋଇ ନାହିଁ, ତେବେ ଋଣ ଗ୍ରହୀତା ଓ ଋଣଦାତା ଉଭୟ ଦାୟୀ। ଏହି ଘଟଣାରୁ ଜଣାପଡ଼ିଲା ଯେ ସୌମ୍ୟ ବାବୁ ନିଜର ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିଲେ। ଏହି ତଦନ୍ତଙ୍କୁ ପ୍ରଭାବିତ ନ କରି ଯଦି ସେ ନିର୍ମଳ ତେବେ ତଦନ୍ତକୁ ସ୍ୱାଗତ ଓ ସହଯୋଗ କରିବା ଆବଶ୍ୟକ। ବର୍ତ୍ତମାନ ଦେଖା ଦେଉଛି ସୌମ୍ୟ ବାବୁ ଓ ତାଙ୍କ ସହ ଥିବା କିଛି ବ୍ୟକ୍ତି ନିଜ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି। ତେଣୁ ସୌମ୍ୟବାବୁଙ୍କ ପାଇଁ ବାହାରିବା ପୂର୍ବରୁ ସାମ୍ବାଦିକମାନେ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ।
ପ୍ରଶାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର