ନୂଆ ନେତା ସୃଷ୍ଟି କରିବାରେ ବିଫଳ ରାଜ୍ୟ ବିଜେପି; ଦାଗୀ, ଜନବିରୋଧୀ ନେତାଙ୍କୁ କୋଳେଇ ନେଉଛି

The Sakala Picture
Published On

ଭୁବନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍‌‌ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। ଗତ କିଛିଦିନର ରାଜ୍ୟ ବିଜେପିର ମିଶ୍ରଣ ପର୍ବକୁ ନେଇ ବିଜେଡିର ଅଭିଯୋଗ ପରେ ଏହାକୁ ନେଇ ଧାରଣରେ ବେଶ୍‌‌ ଚର୍ଚ୍ଚା ଆଲୋଚନା ଜୋର୍‌‌ ଧରିଛି। ପ୍ରଦୀପ ପାଣିଗ୍ରାହୀ, […]

ଭୁବନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍‌‌ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। ଗତ କିଛିଦିନର ରାଜ୍ୟ ବିଜେପିର ମିଶ୍ରଣ ପର୍ବକୁ ନେଇ ବିଜେଡିର ଅଭିଯୋଗ ପରେ ଏହାକୁ ନେଇ ଧାରଣରେ ବେଶ୍‌‌ ଚର୍ଚ୍ଚା ଆଲୋଚନା ଜୋର୍‌‌ ଧରିଛି। ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଚିଟ୍‌‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥାଇ ଜେଲ୍‌‌ ଯାଇଥିବା ମୟୂରଭଞ୍ଜର ଜଣେ ପୂର୍ବତନ ସାଂସଦ ଖୁବଶୀଘ୍ର ବିଜେପିରେ ମିଶିବା ନେଇ ସମୟ ଧାର୍ଯ୍ୟ ହୋଇଛି। ଉପରୋକ୍ତ ନେତାଙ୍କ ବ୍ୟତୀତ ଏକାଧିକ ଦାଗୀ ନେତା ରାଜ୍ୟ ବିଜେପିର ସମ୍ପର୍କରେ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ରାଜନୀତିରେ ଦଳବଦଳ ନୂଆ କଥା ନୁହେଁ; ମାତ୍ର ରାଜ୍ୟ ବିଜେପି ଯେପରି ପରଘର ତିଅଣ ସୁଆଦିଆ ନୀତିରେ ଦାଗୀ ନେତାଙ୍କୁ କୋଳେଇନେବାକୁ ବ୍ୟାକୁଳ ହେଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେପିର ଏପରି ବ୍ୟାକୁଳତାକୁ ନେଇ ରାଜନୈତିକ ମହଲରେ ଦୁଇଟି ଯୁକ୍ତି ଉପସ୍ଥାପନ କରାଯାଇଛି। ସେମାନଙ୍କ ଅନୁଯାୟୀ, ଦୀର୍ଘ ବର୍ଷ ଧରି ନୂଆ ନେତା ସୃଷ୍ଟି କରିବାରେ ଅସମର୍ଥତା ଏବଂ ପ୍ରାର୍ଥୀ ସଙ୍କଟ ପରିସ୍ଥିତି ରାଜ୍ୟ ବିଜେପିକୁ ଯେକୌଣସି ସ୍ତରକୁ ଯିବାକୁ ବାଧ୍ୟ କରିଛି। ଯାହାଫଳରେ ସେମାନେ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ନେତାଙ୍କୁ ଦଳରେ ସାମିଲ କରିବାକୁ ବାଧ୍ୟ ହୋଇଛନ୍ତି। ଦୀର୍ଘବର୍ଷ ଧରି ରାଜ୍ୟ ବିଜେପି ଦୁର୍ବଳ ସଂଗଠନ ପାଇଁ ସନ୍ତୁଳି ହେଉଥିବା ବେଳେ ଗୋଷ୍ଠୀକନ୍ଦଳ ଏବଂ ନେତୃତ୍ୱ ସଙ୍କଟ ରାଜ୍ୟ ବିଜେପିକୁ ରସାତଳଗାମୀ କରିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଅନ୍ୟପକ୍ଷରେ ଦଳର ଛାମୁଆ ନେତାଙ୍କ ମଧ୍ୟରେ ମତଭେଦ ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ଯୁବଗୋଷ୍ଠୀ ରାଜ୍ୟ ବିଜେପି ୟୁନିଟ୍‌‌ ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ଯେକୌଣସି ଦଳର ଉତ୍ଥାନରେ ଯୁବଗୋଷ୍ଠୀଙ୍କ ଭୂମିକା ସର୍ବାଗ୍ରେ ଥିବାବେଳେ ରାଜ୍ୟ ବିଜେପି ପ୍ରତି ଯୁବବର୍ଗଙ୍କ ବଢ଼଼ୁଥିବା ନାପସନ୍ଦ ଦଳକୁ ଚିନ୍ତାରେ ପକାଇଛି। ସେହିପରି ରାଜ୍ୟରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ନାଁକୁ ମାତ୍ର ଥିବାବେଳେ ନୂଆ ନେତା ସୃଷ୍ଟି କରିବାରେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଦଳର ସଂଗଠନ ଏବେ ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟ ଦଳର ନେତାଙ୍କୁ ଦଳରେ ମିଶାଇବାକୁ ରାଜ୍ୟ ବିଜେପି ବାଧ୍ୟ ହେଉଛି ବୋଲି ରାଜନୈତିକ ମହଲ ମତ ରଖିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଅପରପକ୍ଷେ ବିଜେପିର ଏତାଦୃଶ କାର୍ଯ୍ୟକଳାକୁ ନେଇ କର୍ମୀ ମହଲ ମଧ୍ୟ ରାଜ୍ୟ ନେତୃତ୍ୱ ଉପରେ ଖପ୍ପା ହେଲେଣି। ଯେଉଁ ପ୍ରଶାନ୍ତ ଦଗଦ୍ଦେବ କର୍ମୀଙ୍କୁ ଗାଡ଼ି ମଡ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ ତାଙ୍କୁ ଦଳରେ ମିଶାଇ ରାଜ୍ୟ ବିଜେପି ନେତୃତ୍ୱ କର୍ମୀଙ୍କ ଉଦ୍ଦେଶ୍ୟରେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି। ପ୍ରଶାନ୍ତଙ୍କ ଆତଙ୍କୀ କାର୍ଯ୍ୟକଳାପ ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ସେ ଜେଲ୍‌‌ ମଧ୍ୟ ଯାଇଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟ ବିଜେପି ସାରା ରାଜ୍ୟରେ ସତ୍ୟାଗ୍ରହ କରିଥିବା ବେଳେ ପ୍ରଶାନ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏପରିସ୍ଥଳେ କେଉଁ ବାଧ୍ୟବାଧକତା ପାଇଁ ଆଜି ରାଜ୍ୟର ଶୀର୍ଷ ନେତୃତ୍ୱ ତାଙ୍କୁ ଦଳରେ ମିଶାଇଲେ ବୋଲି ବିଜେପିର କର୍ମୀମାନେ ପ୍ରଶ୍ନ ପଚାରିଲେଣି।

ସେହିପରି ହଜାର ହଜାର ଯୁବକଯୁବତୀଙ୍କୁ ଠକିଥିବା ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ଚିଟ୍‌‌ଫଣ୍ଡ ଲୁଟେରାଙ୍କୁ ଦଳରେ ସାମିଲ କରିବା ପାଇଁ ରାଜ୍ୟ ବିଜେପିର ବ୍ୟାକୁଳତାକୁ ନେଇ କର୍ମୀ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ସଂଗଠନ ଦେଖୁଥିବା ନେତାଙ୍କୁ ହତାଦର କରି ଆମଦାନୀ ନେତାଙ୍କ ହାତରେ ସ୍ଥାନୀୟ ସଂଗଠନ ଟେକିଦେବା ଉଦ୍ୟମ ରାଜ୍ୟ ବିଜେପି ପାଇଁ ବୁମେରାଂ ହେବା ସହ ଦଳକୁ ବେଶ୍‌‌ କ୍ଷତି ପହଞ୍ଚାଇବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ପରଘର ତିଅଣରେ ଘର ବେଶି ଦିନ ଚଳିବା କଷ୍ଟକର ବୋଲି ଏହି ନେତା ଜଣଙ୍କ କ୍ଷୋଭୋକ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର