ବ୍ରଜରାଜନଗର ଲଢ଼େଇ : ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ୩୧ରେ ପଡ଼ିବ ବାଇ-ଇଲେକ୍ସନ ଭୋଟ୍

The Sakala Picture
Published On

ଭୁବନେଶ୍ୱର/ବ୍ରଜରାଜନଗର : ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଅକସ୍ମାତ ସରଗରମ ହୋଇ ଉଠିଛି ବ୍ରଜରାଜନଗର ରାଜନୀତି। ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଯୋଗୁଁ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା କ୍ଷେତ୍ର ନିମନ୍ତେ ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଏହି ସ୍ଥିତିରେ ବିଭିନ୍ନ ରାଜନୈତିକ ଦଳର ଟିକେଟ ଆଶାୟୀମାନେ ରାଜଧାନୀରେ ଡେରା ପକାଇଥିବାବେଳେ ଦଳୀୟ ନେତାମାନେ ପରିସ୍ଥିତି ଅନୁଧ୍ୟାନ ପାଇଁ ବ୍ରଜରାଜନଗରରେ ପହଞ୍ଚିଛନ୍ତି।ଦୀର୍ଘକାଳ ଧରି ବିଜେଡି ପାଇଁ ଅପହଞ୍ଚ ଥିଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ର। ସିପିଏମ୍‍ ଓ […]

ଭୁବନେଶ୍ୱର/ବ୍ରଜରାଜନଗର : ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଅକସ୍ମାତ ସରଗରମ ହୋଇ ଉଠିଛି ବ୍ରଜରାଜନଗର ରାଜନୀତି। ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଯୋଗୁଁ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା କ୍ଷେତ୍ର ନିମନ୍ତେ ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଏହି ସ୍ଥିତିରେ ବିଭିନ୍ନ ରାଜନୈତିକ ଦଳର ଟିକେଟ ଆଶାୟୀମାନେ ରାଜଧାନୀରେ ଡେରା ପକାଇଥିବାବେଳେ ଦଳୀୟ ନେତାମାନେ ପରିସ୍ଥିତି ଅନୁଧ୍ୟାନ ପାଇଁ ବ୍ରଜରାଜନଗରରେ ପହଞ୍ଚିଛନ୍ତି।ଦୀର୍ଘକାଳ ଧରି ବିଜେଡି ପାଇଁ ଅପହଞ୍ଚ ଥିଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ର। ସିପିଏମ୍‍ ଓ କଂଗ୍ରେସ ଦୀର୍ଘକାଳ ଧରି ଏହି ନିର୍ବାଚନ କ୍ଷେତ୍ରକୁ କବ୍‍ଜା କରି ରଖିଥିଲେ। ବାମପନ୍ଥୀ ନେତା ପ୍ରସନ୍ନ କୁମାର ପଣ୍ଡା ୧୯୮୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ଓ ଏହାପରେ କଂଗ୍ରେସର ଅନୁପ ସାଏ ଏହି ଅଞ୍ଚଳରୁ କ୍ରମାଗତ ଭାବରେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡ଼ି ପ୍ରଥମଥର ପାଇଁ କିଶୋର ମହାନ୍ତିଙ୍କ ଜରିଆରେ ବ୍ରଜରାଜନଗରରେ ପାଇଥିଲା ସଫଳତା। ୧୨ ହଜାରରୁ ଅଧିକ ଭୋଟରେ ସେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏହି ସ୍ଥିତିରେ ବ୍ରଜରାଜନଗର ନିର୍ବାଚନ କ୍ଷେତ୍ରକୁ ପ୍ରଥମ ଥର ପାଇଁ ଦଖଲ କରିଥିବା ବିଜେଡି କୌଣସି ପରିସ୍ଥିତିରେ ଏହି ଆସନକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଗତ ଦଶନ୍ଧି ଓ ଚଳିତ ଦଶନ୍ଧିରେ ଅନୁଷ୍ଠିତ ସବୁ ଉପନିର୍ବାଚନରେ ଅପରାଜେୟ ସାବ୍ୟସ୍ତ ହୋଇଥିବା ବିଜେଡି ବ୍ରଜରାଜନଗରରେ ସହଜ ବିଜୟ ପାଇଁ ଏକ ଦୃଢ଼ ଓ ତ୍ରିସ୍ତରୀୟ ଯୋଜନା ପ୍ରସ୍ତୁତ କରିଛି। ଉପନିର୍ବାଚନ ସଫଳତା ଇତିହାସ ବିଜେଡି ସପକ୍ଷରେ ରହିଛି ଏବଂ ବ୍ରଜରାଜନଗର ଏହାକୁ ପୁନରାବୃତ୍ତି କରିବ ବୋଲି ଦଳୀୟ ନେତା ଆଶା ବାନ୍ଧିଛନ୍ତି। ଅତୀତରେ ବିଜେପୁରରେ ପରଲୋକଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ, ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ, ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ, ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ କ୍ଷେତ୍ରରେ ବିଜେଡି ଯେଉଁ ଫର୍ମୁଲା ଆପଣେଇଥିଲା ସମ୍ଭବତଃ ବ୍ରଜରାଜନଗରରେ ଅନୁରୂପ ସୂତ୍ର ଦଳ ଆପଣେଇପାରେ ଏବଂ କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ତେବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଏ କ୍ଷେତ୍ରରେ ଚୂଡ଼ାନ୍ତ ହୋଇଥିବାରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜୟ ନିମନ୍ତେ ଦଳ ପକ୍ଷରୁ ବ୍ରଜରାଜନଗରରେ ସମରାଭ୍ୟାସ ଆରମ୍ଭ ହୋଇଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବ୍ରଜରାଜନଗରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ରଜରାଜନଗରର ପ୍ରାର୍ଥିତ୍ୱ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଦଳୀୟ ନେତାମାନେ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କର ପ୍ରାର୍ଥିତ୍ୱ ଦାବି ଦଳ ନିକଟରେ ରଖିଛନ୍ତି। ଦଳ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ଉଲ୍ଲେଖ କରି ସେ ନିର୍ବାଚନ ଲଢ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀ ମଧ୍ୟ ବ୍ରଜରାଜନଗରରୁ ପ୍ରାର୍ଥର୍ୀ ହେବାକୁ ଆଶାୟୀ ବୋଲି ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି। ସେ ମଧ୍ୟ ନିଜର ପ୍ରାର୍ଥିତ୍ୱ ଦାବି ଦଳ ନିକଟରେ ରଖିଥିବା କୁହାଯାଉଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଆଉ କିଛି ନେତା ମଧ୍ୟ ବ୍ରଜରାଜନଗରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହବ୍ୟକ୍ତ କରିଥିବା ଜଣାପଡ଼ିଛି।
କଂଗ୍ରେସ ପକ୍ଷରୁ ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। ପିସିସି ସଭାପତି ନିର୍ବାଚନକୁ ନେଇ ଦଳୀୟ ନେତା, ବିଧାୟକମାନେ ଏବେ ବ୍ୟସ୍ତ ଅଛନ୍ତି। ଆସନ୍ତା ୫ ତାରିଖରେ ଦଳୀୟ ବିଧାୟକମାନେ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ସମ୍ଭବତଃ ଏହା ପରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ମନେ କରାଯାଉଛି। ଦଳର ବରିଷ୍ଠ ନେତା କିଶୋର ପଟେଲ ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

୨୦୧୪ ବିଧାନସଭା ନିର୍ବାଚନରେ କିଶୋର ପଟେଲ ଏଠାରୁ ପ୍ରାର୍ଥୀ ହୋଇଥିଲେ ଓ ପ୍ରାୟ ୩୮ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ ଦେଇଥିଲା। ଯାହାର ପରିଣତିସ୍ୱରୂପ କଂଗ୍ରେସର ଭୋଟବ୍ୟାଙ୍କ ଏଠାରେ ବିଭାଜିତ ହୋଇ ବିଜେପି ଓ ବିଜେଡି ଆଡ଼କୁ ଯାଇଥିଲା। ଏବେ ସେହି ଭୋଟକୁ ଫେରାଇ ଆଣି କଂଗ୍ରେସ ପୁଣି ଯେ ଏଠାରେ ନିଜକୁ ସୁଦୃଢ଼ କରିପାରିବ ଓ ଦଳୀୟ ପ୍ରାର୍ଥୀ ୨୦୧୪ ଅନୁରୂପ ଭୋଟ ପାଇବେ ତାହାକୁ ନେଇ ଏବେ ବି ଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗର ଲଢ଼େଇ ଲାଗି କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର