ମନୋରଞ୍ଜନ
ଓଡ଼ିଶା
ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ଦିନ – ‘ଗୁରୁ ଦିବସ’
ଆଜି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ଗୁରୁ ହେଉଛନ୍ତି ସାକ୍ଷାତ୍ ପରମ୍ବ୍ରହ୍ମ। ଗୁରୁ ହେଉଛନ୍ତି ମଣିଷ ତିଆରି କାରଖାନାର ବିନ୍ଧାଣି। କେତେବେଳେ ଗୁରୁଙ୍କ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ଯୋଗୁ ଜଣେ […]
ଆଜି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ଗୁରୁ ହେଉଛନ୍ତି ସାକ୍ଷାତ୍ ପରମ୍ବ୍ରହ୍ମ। ଗୁରୁ ହେଉଛନ୍ତି ମଣିଷ ତିଆରି କାରଖାନାର ବିନ୍ଧାଣି। କେତେବେଳେ ଗୁରୁଙ୍କ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ଯୋଗୁ ଜଣେ ଛାତ୍ର ଜୀବନରେ ଆଗକୁ ବଢ଼ିଥାଏ। ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ। ଗୁରୁଙ୍କ ଜ୍ଞାନ ଓ କର୍ମ ଆଗରେ ଆଜି ନତମସ୍ତକ ସମସ୍ତେ । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ ।
ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ । କଞ୍ଚାମାଟିର ପିତୁଳାକୁ ଉଜ୍ବଳ ତାରକା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠପଢ଼ାଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଅବଦାନ ଲୋଡ଼ାଥାଏ । ତେଣୁ ଭାଗବତରେ ଅଛି ‘‘ଗୁରୁ ନ ଥାଇ ତୁ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ।’’ ଗୁରୁଙ୍କ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ହିଁ ଶିଷ୍ୟମାନଙ୍କର ଜୀବନର ପାଥେୟ। ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି। ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଗୁରୁଙ୍କ ପ୍ରତି ଥିବା ଶିଷ୍ୟର ଭକ୍ତି ଭାବକୁ। ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ।
ସେଇଥିପାଇଁ ରାମାୟଣ, ମହାଭାରତ, ବେଦ, ଉପନିଷଦ, ଗୀତା ଓ ଭାଗବତରେ ଗୁରୁକୁଳ ଆଶ୍ରମର ମହନୀୟତା ବିଶେଷ କରି ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ଓ ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା। ବିନା ଗୁରୁରେ ଜୀବନରେ ଗତି, ମୁକ୍ତି, ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ। ଯେଉଁ ସମାଜରେ ଗୁରୁଙ୍କୁ ଉଚ୍ଚ ଆସନ ମିଳିଛି, ସେ ସମାଜ ସେତେ ସମୃଦ୍ଧ। କାରଣ ବିକଶିତ ମାନବ ସମ୍ବଳ ତିଆରିରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେଲେ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ ହୋଇ ଆସୁଛି। ରାଧାକ୍ରିଷ୍ଣନ୍ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ତା’ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ ଉପନିଷଦକୁ ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ।





