ଜହ୍ନ ରାଇଜର କଥା: ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରୁ ପୃଥିବୀ ପୃଷ୍ଠକୁ ପଠାଉଥିବା ତଥ୍ୟ …..

The Sakala Picture
Published On

ବିଶ୍ବ ମହାକାଶ ଗବେଷଣା ଇତିହାସରେ ଗତ ଅଗଷ୍ଟ ୨୩ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଯୋଡିଥିଲା ନୂଆ ଫର୍ଦ୍ଦ। ଜୁଲାଇ ୧୪ ରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରାଇ ଇସ୍ରୋ ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା। ଏହିକ୍ରମରେ ଅବତରଣ ପରେ ଚନ୍ଦ୍ରଯାନ ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରୁ ପର୍ଯ୍ୟାୟକ୍ରମେ […]

ବିଶ୍ବ ମହାକାଶ ଗବେଷଣା ଇତିହାସରେ ଗତ ଅଗଷ୍ଟ ୨୩ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଯୋଡିଥିଲା ନୂଆ ଫର୍ଦ୍ଦ। ଜୁଲାଇ ୧୪ ରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରାଇ ଇସ୍ରୋ ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା। ଏହିକ୍ରମରେ ଅବତରଣ ପରେ ଚନ୍ଦ୍ରଯାନ ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରୁ ପର୍ଯ୍ୟାୟକ୍ରମେ ପୃଥିବୀ ପୃଷ୍ଠକୁ ପଠାଉଥିବା ତଥ୍ୟ ଏବେ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଉଦ୍ଦୀପନା ଭରିଦେଇଛି। ଏବେ ପ୍ରଜ୍ଞାନ ଶୟନ ମୁଦ୍ରାକୁ ଚାଲିଯାଇଥିବାବେଳେ ପୁଣି ତା’ର ସକ୍ରିୟତାକୁ ନେଇ ଅପେକ୍ଷା ରହିଛି।

ଅଶୋକ ସ୍ତମ୍ଭ, ଇସ୍ରୋର ଚିହ୍ନ ରଖିଲା ପ୍ରଜ୍ଞାନ ( ଅଗଷ୍ଟ -୨୪)

ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଅବତରଣ କରିବାର କିଛି ଘଣ୍ଟା ମଧ୍ୟରେ ରୋଭର ପ୍ରଜ୍ଞାନ ବାହାରକୁ ଆସିବା ସହିତ ଏହାର ଅଭିଯାନ ଆରମ୍ଭ କରିଥିଲା। ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ଏକ ବିରାଟ ଧୂଳି ଆବରଣ ସୃଷ୍ଟି ହୋଇଥିଲା।ଚନ୍ଦ୍ରର ଅତ୍ୟନ୍ତ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା ଧୂଳି ଆବରଣ ଶୀଘ୍ର ଅପସାରିତ ହୋଇ ନଥିବାରୁ ବିକ୍ରମ ଅବତରଣ କରିବାର ସାଢ଼େ ତିନି ଘଣ୍ଟା ପରେ ରୋଭର ପ୍ରଜ୍ଞାନକୁ ଇସ୍ରୋ ବୈଜ୍ଞାନକମାନେ ବିକ୍ରମକୁ ବାହାରକୁ ଆଣିଥିଲେ। ଏହାପରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନ ଛାଡି ବିଚରଣ କରିବା ଆରମ୍ଭ କରିଥିଲା।ପ୍ରଜ୍ଞାନ ଯେତିକି ଆଗକୁ ବଢୁଥିଲା ଚନ୍ଦ୍ରପୃଷ୍ଠରେ ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନ ସେତିକି ଖୋଦିତ ହୋଇଚାଲିଥିଲା। ଏହାର ଫଟୋକୁ ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠକୁ ପଠାଇଥିଲା ବେଳେ ଅଗଷ୍ଟ ୨୪ରେ ଇସ୍ରୋ ପକ୍ଷରୁ ଏହାକୁ ସେୟାର କରାଯାଇଥିଲା।

ଇସ୍ରୋ ଜାରିକଲା ରୋଭର୍‌ର ପ୍ରଥମ ‘ମୁନ୍‌ୱାକ୍’ ଫଟୋ ( ଅଗଷ୍ଟ -୨୫)

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଦୁଇ ଦିନ ପରେ ଅଧିକ ସକ୍ରିୟ ହେବା ସହିତ ରୋଭର୍ ପ୍ରଜ୍ଞାନ ନିଜର ଅଭିଯାନ ଆରମ୍ଭ କରିଦେଇଥିଲା।ଲ୍ୟାଣ୍ଡରରୁ ବାହାରିବା ପରେ ପ୍ରଜ୍ଞାନ ପ୍ରସିଦ୍ଧ ପପ୍ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କ ନୃତ୍ୟ ଢଙ୍ଗରେ ‘ମୁନ୍‌ୱାକ୍ (ଚନ୍ଦ୍ରପୃଷ୍ଠରେ ଧିରେ ଧିରେ ଚାଲିବା) କରିଥିଲା। ଯାହାର ଫଟୋ ଅଗଷ୍ଟ ୨୫ ତାରିଖରେ ଇସ୍ରୋ ସେୟାର କରିଥିଲା। ଲ୍ୟାଣ୍ଡର ବିକ୍ରମ ଉଠାଇଥିବା ଏହି ଫଟୋ ସମେତ ଚନ୍ଦ୍ରପୃଷ୍ଠରେ ବିକ୍ରମର ଅବତରଣ କରିବାର ଭିଡିଓ ମଧ୍ୟ ଇସ୍ରୋ ଜାରି କରିଥିଲା।ଏହାବ୍ୟତୀତ ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଦ୍ବାରା ନିଆଯାଇଥିବା ପ୍ରଥମ ସେଲଫିକୁ ମଧ୍ୟ ଇସ୍ରୋ ‘ଏକ୍ସ’ରେ ସେୟାର କରିଥିଲା। ପ୍ରଜ୍ଞାନ ରୋଭର କଚ୍ଛପ ଗତିରେ ଚନ୍ଦ୍ରପୃଷ୍ଠରେ ବିଚରଣ କରୁଥିବାର ମୁହୂର୍ତ୍ତକୁ କଏଦ କରିଥିଲା ବିକ୍ରମ ଲାଣ୍ଡର।

‘ଶିବଶକ୍ତି’ ନାମରେ ଅବତରଣ ସ୍ଥଳର ନାମକରଣ ( ଅଗଷ୍ଟ -୨୬)

ଚନ୍ଦ୍ରଯାନ-୩ର ଅଦ୍ଭୁତପୂର୍ବ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ବଧାଇ ଜଣାଇଥିଲେ। ଆଜାଦି କା ଅମୃତକାଳରେ ଭାରତ ଏଭଳି ସଫଳତା ହାସଲ କରିବା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ହେବା ସହିତ ଏହା ଭାରତର ଗବେଷଣା, ନବ ଉନ୍ମେଷ ଏବଂ ଦକ୍ଷତାକୁ ପ୍ରମାଣିତ କରିଛି ବୋଲି ସେ କହିଥିଲେ। ଇସ୍ରୋ ମହିଳା ବୈଜ୍ଞାନିକଙ୍କ ଭୂମିକାକୁ ଭୁରି ପ୍ରଶଂସା କରି ସେ କହିଥିଲେ ଯେ, ମହିଳା ବୈଜ୍ଞାନିକମାନେ ଗବେଷଣା କ୍ଷେତ୍ରରେ ଯେଭଳି ପାରଦର୍ଶିତା ଦେଖାଇପାରିଛନ୍ତି ତାହା ପରବର୍ତ୍ତୀ ପିଢି ପାଇଁ ଉଦାହରଣ ହୋଇ ରହିବ। ଏଥିପାଇଁ ମୋଦୀ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥଳକୁ ‘ଶିବଶକ୍ତି’ ନାମରେ ନାମିତ କରାଯାଇଥିବା ଘୋଷଣା କରିଥିଲେ। ଶିବ ଅର୍ଥ ଶୁଭ ଓ ମଙ୍ଗଳ ଏବଂ ଶକ୍ତି ଅର୍ଥ ଦେଶର ନାରୀଶକ୍ତି ବୋଲି ମୋଦୀ କହିଥିଲେ।

ଚନ୍ଦ୍ରପୃଷ୍ଠରେ ଖାତ ଦେଖି ବଦଳାଇଲା ବାଟ ( ଅଗଷ୍ଟ- ୨୭ )

ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଏହାର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନର କାର୍ଯ୍ୟ କ୍ରମାଗତ ଭାବେ ସ୍ବାଭାବିକ ରହିଥିଲା। ବିକ୍ରମ ମଧ୍ୟରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବା ପରେ ଚନ୍ଦ୍ରପୃଷ୍ଠରେ ବିଚରଣ କରି ତଥ୍ୟ ସଂଗ୍ରହ ଜାରି ରଖିଥିଲା ବେଳେ ଅବତରଣର ୫ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରେ ରୋଭର ଏକ ବଡ଼ ଉପଲବ୍ଧି ହାସଲ କରିଥିଲା। ଏହି ଦିନ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ବେଳେ ପ୍ରଥମ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା।ବିଚରଣ ବେଳେ ପ୍ରଜ୍ଞାନ ସାମ୍ନାରେ ଅଚାନକ ଭାବେ ଏକ ୧୦୦ ମିମି ଗଭୀରତାର ଖାତ ପଡ଼ିଥିଲା। କିନ୍ତୁ ପ୍ରଜ୍ଞାନ ଏହାକୁ ଦେଖି ନିଜ ପଥ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥିଲା ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ପ୍ରାୟ ୩ ମିଟର ଆଗରେ ଏକ ଖାତ ରହିଥିବା କଥା ପ୍ରଜ୍ଞାନ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳାଯାଇଥିଲା। ଏହାପରେ ପ୍ରଜ୍ଞାନ ନିଜ ବାଟ ବଦଳାଇ ନୂଆ ଦିଗରେ ଯାଉଥିଲା ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ଇସ୍ରୋ ପକ୍ଷରୁ ପ୍ରଜ୍ଞାନ ଯାଉଥିବା ବାଟ ଓ ତା’ ସାମ୍ନାରେ ପଡ଼ିଥିବା ଖାତ ସମ୍ପର୍କିତ ଫଟୋ ମଧ୍ୟ ଜାରି କରାଯାଇଥିଲା। ତେବେ ପ୍ରଜ୍ଞାନର ଏହି କାର୍ଯ୍ୟ ଇସ୍ରୋ ବେଜ୍ଞାନିକମାନଙ୍କ ଆତ୍ମବିଶ୍ବାସକୁ ଆହୁରି ସଶକ୍ତ କରିଥିଲା।

ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡକଲା ପ୍ରଜ୍ଞାନ ( ଅଗଷ୍ଟ ୨୮ )

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବାର ୪ ଦିନ ପରେ ପ୍ରଥମଥର ପାଇଁ ରୋଭର ପ୍ରଜ୍ଞାନ ପୃଥିବୀ ପୃଷ୍ଠକୁ ଚନ୍ଦ୍ର ସମ୍ପର୍କିତ ରିପୋର୍ଟ ପଠାଇବା ସହିତ ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡ କରି ଇସ୍ରୋକୁ ପଠାଇଥିଲା। ଯାହାକି ବିଶ୍ବ ମହାକାଶ ଗବେଷଣା ଇତିହାସରେ ପ୍ରଥମ ଥିଲା। ଏହିକ୍ରମରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଆସିଥିବା ରିପୋର୍ଟକୁ ଇସ୍ରୋ ସେୟାର କରିବା ସହିତ ଏ ସମ୍ପର୍କିିତ ଏକ ଗ୍ରାଫ୍ ମଧ୍ୟ ଜାରି କରିଥିଲା। ‘ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ’ ନାମରେ ଏହି ଗ୍ରାଫ୍ ଜାରି କରାଯାଇଥିଲା ବେଳେ ଏଥିରେ ଚନ୍ଦ୍ରପୃଷ୍ଠର ଗଭୀରତାକୁ ନେଇ ତାପମାତ୍ରା କେତେ ରହିଛି ତାହା ଉଲ୍ଲେଖ କରାଯାଇଥିଲା। ପ୍ରଜ୍ଞାନରେ ସଂଯୁକ୍ତ ହୋଇଥିବା ସରଞ୍ଜାମ ଦ୍ବାରା ଚନ୍ଦ୍ରପୃଷ୍ଠର ଉପରିସ୍ଥ ଭାଗ ଠାରୁ ଆରମ୍ଭ କରି ଭିତରର କିଛି ଅଂଶ ଯାଏଁ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସରଞ୍ଜାମ ଚନ୍ଦ୍ରପୃଷ୍ଠର କିଛି ମାତ୍ରାର ଗଭୀରତାକୁ ଯାଇ ଏଥିରେ ଲାଗିଥିବା ସେନସର୍ ତାପମାତ୍ରା ରେକର୍ଡ କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଥିଲା। ଏହି ଅନୁସାରେ ଚନ୍ଦ୍ରପୃଷ୍ଠ ଏବଂ ଏହାର କିଛି ତଳକୁ ତାପମାତ୍ରା ୧୦ ରୁ ୬୦ ଡିଗ୍ରୀ ସେଲସିୟସ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ଚନ୍ଦ୍ରରେ ବିପୁଳ ଖଣିଜ ପଦାର୍ଥର ସନ୍ଧାନ ( ଅଗଷ୍ଟ ୨୯ )

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ୬ ଦିନ ପରେ ଚନ୍ଦ୍ରଯାନ-୩ ଇତିହାସ ସୃଷ୍ଟି କରିଥିଲା। ଉଭୟ ପ୍ରଜ୍ଞାନ ଏବଂ ବିକ୍ରମ ପରସ୍ପରର ଏବଂ ଚନ୍ଦ୍ରପୃଷ୍ଠର ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସହିତ ବୈଜ୍ଞାନିକ ପରୀକ୍ଷଣ ଜାରି ରଖିଥିଲା ବେଳେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ପରିବେଶକୁ ଆକଳନ କରି ଅନେକ ଶୁଭ ଖବର ଦେବାରେ ଲାଗିଥିଲା। ପୂର୍ବରୁ ଏହା ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡ କରି ଇସ୍ରୋକୁ ପଠାଇଥିଲା ବେଳେ ଅଗଷ୍ଟ ୨୯ ତାରିଖରେ ଚନ୍ଦ୍ରରେ ବିପୁଳ ଖଣିଜ ପଦାର୍ଥ ଥିବାର ମଧ୍ୟ ସନ୍ଧାନ କରିଥିଲା।ପ୍ରଜ୍ଞାନରେ ଲାଗିଥିବା ଲେଜର-ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ ସ୍ପେକ୍ଟ୍ରୋସ୍କୋପି (ଏଲ୍ଆଇବିଏସ୍) ଉପକରଣ ଚନ୍ଦ୍ରରେ ବୈଜ୍ଞାନିକ ପରୀକ୍ଷଣ କରି ଅମ୍ଳଜାନ, ସଲ୍ଫର, କ୍ୟାଲ୍ସିୟମ, ଆଇରନ୍, ଆଲୁମିନିୟମ, କ୍ରୋମିୟମ, ଟାଇଟନିୟମ, ମାଙ୍ଗାନିଜ, ସିଲିକନ ଥିବା ସ୍ପଷ୍ଟ କରିଥିଲା। ପ୍ରଜ୍ଞାନରେ ଲାଗିଥିବା ଆଲ୍ଫା ପ୍ରାକ୍ଟିସ ଏକ୍ସରେ ସ୍ପେକ୍ଟ୍ରୋସ୍କୋପ (ଏପିଏକ୍ସଏସ୍) ଚନ୍ଦ୍ରରେ ଗନ୍ଧକ ଥିବା ସ୍ପଷ୍ଟ କରିଥିଲା।

ପ୍ରଜ୍ଞାନ ପଠାଇଲା ବିକ୍ରମର ପ୍ରଥମ ଫଟୋ ( ଅଗଷ୍ଟ ୩୦)

ଚନ୍ଦ୍ର ଅଭିଯାନରେ ଅଗଷ୍ଟ ୩୦ ତାରିଖ ଥିଲା ଆଉ ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ଏହାର ଦୁଇଟି ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭରର କାର୍ଯ୍ୟଦକ୍ଷତା ସ୍ବାଭାବିକ ଏବଂ ଅତୁଟ ରହିଥିଲା ବେଳେ ଏହି ଦିନ ପ୍ରଥମ କରି ରୋଭର ପ୍ରଜ୍ଞାନ ଫଟୋ ଉଠାଇଥିଲା। ପ୍ରଜ୍ଞାନ ଏହାର ନାଭିଗେସନ୍ କ୍ୟାମେରାରୁ ପ୍ରଥମଥର ପାଇଁ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଥିଲା। ଯାହାକୁ ଇସ୍ରୋ ସେୟାର କରିଥିଲା।ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ପ୍ରଥମ କରି ଏହି ଫଟୋ ‘ ଇମେଜ୍ ଅଫ୍ ମିଶନ’ ଭାବେ ବିବେଚିତ ହୋଇଥିଲା। ଏହାପୂର୍ବରୁ ଚନ୍ଦ୍ରପୃଷ୍ଠର ଯେତେ ସବୁ ଫଟୋ ଆସିଥିଲା ସେଗୁଡିକୁ ବିକ୍ରମ ଲ୍ୟାଣ୍ଡର ହିଁ ଉତ୍ତୋଳନ କରିଥିଲା। କିନ୍ତୁ ଅଗଷ୍ଟ ୨୮ରେ ପ୍ରଜ୍ଞାନ ଏହି ଫଟୋ ପଠାଇବା ପରେ ଏହାର ନାଭିଗେସନ୍ କ୍ୟାମେରା ସୂଚାରୁରୂପେ କାର୍ଯ୍ୟ କରୁଛି ବୋଲି ନିଶ୍ଚିତ ହୋଇଥିଲା।

ଶୟନ ମୁଦ୍ରାରେ ପ୍ରଜ୍ଞାନ
ଚନ୍ଦ୍ରରେ ଅବତରଣ କରି ରେକର୍ଡ ସୃଷ୍ଟି କରିଥିବା ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ନିଜ ଅଭିଯାନ ଶେଷ କରିଛି। ଏହାକୁ ଚନ୍ଦ୍ରପୃଷ୍ଠର ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହେବା ସହିତ ରୋଭର ଶୟନ ମୁଦ୍ରାକୁ ଚାଲିଯାଇଛି। ଏଥିରେ ଲାଗିଥିବା ଉଭୟ ପେଲୋଡ ଏପିଏକ୍ସଏସ୍ ଏବଂ ଏଲ୍ଆଇବିଏସ୍ ବନ୍ଦ ହୋଇଯାଇଛି। ଏହି ପେଲୋଡର ତଥ୍ୟ ଲ୍ୟାଣ୍ଡର ‘ବିକ୍ରମ’ ମାଧ୍ୟମରେ ଇସ୍ରୋକୁ ମିଳୁଥିଲା। ପ୍ରଜ୍ଞାନର ବ୍ୟାଟେରୀରେ ଫୁଲ୍ ଚାର୍ଜ ଅଛି। ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟୋଦୟ ହେବ। ଏହି ସମୟରେ ପ୍ରଜ୍ଞାନ ନିଦ ଭାଙ୍ଗିବ ବୋଲି ଆଶା କରାଯାଉଛି। ସୂର୍ଯ୍ୟରଶ୍ମି ପଡ଼ିବା ଭଳି ସ୍ଥାନରେ ପ୍ରଜ୍ଞାନକୁ ରଖା ଯାଇଛି। ସୌର ପ୍ୟାନେଲ ଉପରେ ସୂର୍ଯ୍ୟକିରଣ ପଡିଲେ ଏହା ପୁଣି କାର୍ଯ୍ୟ ଆରମ୍ଭ କରିବ। ଏହାର ରିସିଭରକୁ ଚାଲୁ ରଖାଯାଇଛି। ପ୍ରଜ୍ଞାନ ନିଦ ଭାଙ୍ଗି ନୂଆ ଅଭିଯାନରେ ବାହାରିବ ବୋଲି ଆଶା କରାଯାଉଛି। ନଚେତ ଏହା ଚନ୍ଦ୍ରରେ ଭାରତର ଆମ୍ବାସାଡର ଭାବେ ସବୁଦିନ ପାଇଁ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର