ଆଜି ପ୍ରେମ ସପ୍ତାହର ଅନ୍ତିମ ଦିନ ଭାଲେଣ୍ଟାଇନ୍ସ ଡେ’: ପ୍ରେମ ପାଇଁ ଦିନଟିଏ

The Sakala Picture
Published On

ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀ ଯୁଗଳଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ଦିନଟିଏ। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ରହିଥାଏ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼। ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ-ରୁଷା, ମାନ-ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ବିନା ଫଗୁଣରେ ଦେହ ସାରା ଖେଳିଯାଏ ଏକ ନିଆରା ଶିହରଣ। ପ୍ରକୃତିର ସିନା ୬ ଋତୁ […]

ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀ ଯୁଗଳଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ଦିନଟିଏ। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ରହିଥାଏ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼। ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ-ରୁଷା, ମାନ-ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ବିନା ଫଗୁଣରେ ଦେହ ସାରା ଖେଳିଯାଏ ଏକ ନିଆରା ଶିହରଣ। ପ୍ରକୃତିର ସିନା ୬ ଋତୁ ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ।

ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ସାତ ଜନ୍ମର ସାଥୀ ପାଲଟିବାକୁ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ । ପ୍ରତିଶ୍ରୁତିର ସାକ୍ଷୀ ପାଲଟିବ ଭାଲେଣ୍ଟାଇନ୍ସ ଡେ’ । ଏହିଦିନ ଯେତେ ପାଖେଇ ଆସେ ପ୍ରେମୀଟିଏ ମନେ ପକାଉଥାଏ ତା’ର ମନର ମଣିଷକୁ। କିଏ କୁହେ ପ୍ରେମ ଅଢ଼େଇ ଅକ୍ଷର ତ, ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ। ପ୍ରେମ ବିଶ୍ବାସ, ପ୍ରେମ ବନ୍ଧନ, ପ୍ରେମ ହୃଦୟର ଅଦେଖା ବସା। ପ୍ରେମର ପହିଲି ଛୁଆଁରେ ଆମୋଦିତ ହୋଇଯାଏ ଅମାନିଆ ମନ। ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖି ତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ। ଇତିହାସ ହେଉ କି କିମ୍ବଦନ୍ତୀ। ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର-ଗୌରୀ ହୁଅନ୍ତୁ କି ହୀର-ରାଞ୍ଝା, ଲୈଲା-ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା। ପ୍ରେମ ହେଉଛି ବିରାମ ଶୂନ୍ୟ କବିତା। ଯାହା କେବେ ସରେନି ବରଂ ପୂରଣ କରିଚାଲେ ହୃଦୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢ଼ି । ନିଜର ମନର ମଣିଷ ଆଗରେ ହୃଦୟର କଥା କହି ଭାଲେଣ୍ଟାଇନ୍ସ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଯୁବପିଢ଼ି କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ।

ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। ଖ୍ରୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମ୍‌ରେ କ୍ଲାଉଡିୟସ୍‌ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ୍‌ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥିଲେ। ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟ ବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଜାରି କରିଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡ଼ିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାଦ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ନିର୍ବାପିତ ହୋଇଗଲା ପ୍ରେମର ପ୍ରକୃତ ପୂଜାରୀଙ୍କ ଜୀବନ ଦୀପ । ହେଲେ ପ୍ରେମର ବାଣୀ ଚାରିଆଡ଼େ ବିସ୍ତାରିତ ହୋଇଗଲା। କୁହାଯାଏ, ତାଙ୍କୁ ସ୍ମରଣ ପାଇଁ ଆରମ୍ଭ ହେଲା ପ୍ରେମର ପର୍ବ ଭାଲେଣ୍ଟାଇନ୍ସ ଡେ’ । ଯାହା ଆଜି ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର