ରକ୍ତଦାନ ମହାପୁଣ୍ୟ: ନଷ୍ଟହେବା ପରେ ବି ଜୀବନ ବଞ୍ଚାଉଛି ରକ୍ତ

The Sakala Picture
Published On

ରକ୍ତ ଦେଇ କାହାର ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। କିନ୍ତୁ ଆଜି ବି ରକ୍ତ ପାଇଁ ଜଣେ ମଣିଷ ଅନ୍ୟ ଜଣେ ବଦାନ୍ୟ ମଣିଷ ଉପରେ ନିର୍ଭର କରୁଛି। କାହାର ସହାୟତା ଆଉ କାହା ପାଇଁ ନୂଆ ଜୀବନ। ସେଥିପାଇଁ କୁହାଯାଏ ଲୁହ ଓ ଲହୁ ମୂଲ୍ୟ ପରିଶୋଧ କରି ହୁଏ ନାହିଁ। ପୂର୍ବରୁ କେବଳ ସରକାରୀ ବ୍ୟବସ୍ଥା ମାଧ୍ୟମରେ ରକ୍ତର ଆଦାନ ପ୍ରଦାନ ହେଉଥିଲା। କିନ୍ତୁ ସମୟ ସହିତ […]

ରକ୍ତ ଦେଇ କାହାର ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। କିନ୍ତୁ ଆଜି ବି ରକ୍ତ ପାଇଁ ଜଣେ ମଣିଷ ଅନ୍ୟ ଜଣେ ବଦାନ୍ୟ ମଣିଷ ଉପରେ ନିର୍ଭର କରୁଛି। କାହାର ସହାୟତା ଆଉ କାହା ପାଇଁ ନୂଆ ଜୀବନ। ସେଥିପାଇଁ କୁହାଯାଏ ଲୁହ ଓ ଲହୁ ମୂଲ୍ୟ ପରିଶୋଧ କରି ହୁଏ ନାହିଁ। ପୂର୍ବରୁ କେବଳ ସରକାରୀ ବ୍ୟବସ୍ଥା ମାଧ୍ୟମରେ ରକ୍ତର ଆଦାନ ପ୍ରଦାନ ହେଉଥିଲା। କିନ୍ତୁ ସମୟ ସହିତ ତାଳ ଦେଇ ଘରୋଇ ବ୍ୟବସ୍ଥା ଜରିଆରେ ଏହାର ଉପଲବ୍ଧତା ସୁନିଶ୍ଚିତ କରାଯାଇଛି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ରୋଗୀ, ଥାଲାସେମିଆ ରୋଗୀଙ୍କ ପାଇଁ ସରକାର ମାଗଣା ରକ୍ତ ବ୍ୟବସ୍ଥା କରିଛନ୍ତି। ସେହିପରି ରକ୍ତ ପାଇବା ପାଇଁ ଆଉ ଆଗ ଭଳି କଟକଣାର ସମ୍ମୁଖୀନ ହେବାକୁ କେହି ବାଧ୍ୟ ନୁହେଁ। ରକ୍ତ ବଦଳରେ ରକ୍ତ ନିୟମ କୋହଳ କରାଯାଇଛି। ନିୟମିତ ରକ୍ତ ନେଉଥିବା ରୋଗୀଙ୍କ ଉପରୁ ସରକାର ଆର୍ଥିକ ଚାପ ହ୍ରାସ କରିଛନ୍ତି। ଏହା ସତ୍ତ୍ବେ ସମସ୍ୟା ରହିଛି। ଆଜି ବି ରକ୍ତ ପାଇଁ ବାରମ୍ବାର ଧାଇଁବାକୁ ପଡୁଛି, ଅନୁରୋଧ କରିବାକୁ ପଡୁଛି ଆଉ ଅର୍ଥ ଦେବାକୁ ମଧ୍ୟ ପଡୁଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

୭ ହଜାର ୟୁନିଟ୍‌‌ରେ ଚିହ୍ନଟ ହେଉଛି ପ୍ରାଣଘାତୀ ଭୂତାଣୁ
ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶକରି ତାଙ୍କ ଜୀବନ ରକ୍ଷା କରୁ ନାହିଁ; ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଉ ଥିବା ବେଳେ ଏହାର ସିଂହଭାଗ ରକ୍ତ ସିଧାସଳଖ ବ୍ୟବହାର ହେଉଛି। ତେବେ ବଳକା ରକ୍ତ, ପ୍ଲାଜ୍‌‌ମା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି। ପୂର୍ବରୁ ଏହାକୁ ନଷ୍ଟ କରିଦିଆଯାଉଥିଲା, କିନ୍ତୁ କୋଭିଡ୍‌‌ ମହାମାରୀ ପରେ ପରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରକ୍ତ ଭଣ୍ଡାର ପକ୍ଷରୁ ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକ୍ରି ଅର୍ଥ ସମ୍ପୃକ୍ତ ରକ୍ତ ଭଣ୍ଡାରର ବିକାଶ ପାଇଁ ବ୍ୟୟ କରାଯାଉଛି। ଏଥିରୁ ମିଳୁଥିବା ଅର୍ଥ ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀଙ୍କ କଲ୍ୟାଣ ଦିଗରେ ବ୍ୟୟ କରାଯାଉଛି।

ରକ୍ତଦାତାଙ୍କ ଠାରୁ ସଂଗୃହୀତ ରକ୍ତଗୁଡ଼ିକୁ ବ୍ୟବହାର ଅନୁସାରେ ଭିନ୍ନଭିନ୍ନ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ। ତେବେ ୩୫ ଦିନ ପରେ ରକ୍ତ ଆଉ ବ୍ୟବହାରଯୋଗ୍ୟ ହୋଇ ନ ଥାଏ। ରାଜ୍ୟରେ ସଂଗ୍ରହ କରାଯାଉ ଥିବା ସମୁଦାୟ ୟୁନିଟ୍‌‌ରୁ ପ୍ରାୟ ୧ ପ୍ରତିଶତର ଜୀବନକାଳ ଶେଷ ହୋଇଯାଇଥାଏ। ରକ୍ତ ସଂଗ୍ରହ ପରେ ସେଥିରେ ଏଚ୍‌‌ଆଇଭି, ହେପାଟାଇଟିସ୍‌‌ ବି ଓ ସି, ଏଚ୍‌‌ଟିଏଲ୍‌‌ଭି, ୱେଷ୍ଟ ନାଇଲ୍‌‌ ଭାଇରସ୍‌‌ ଆଦି ଯାଞ୍ଚ କରାଯାଇଥାଏ। ସଂଗୃହୀତ ରକ୍ତରେ ଏହି ରୋଗ ଜୀବାଣୁ ଚିହ୍ନଟ ହେଲେ ତାହା କୌଣସି ରୋଗୀଙ୍କୁ ଦିଆଯାଇ ପାରିବ ନାହିଁ। ପୂର୍ବରୁ ଏହାକୁ ବୈଜ୍ଞାନିକ ପଦ୍ଧତ୍ତିରେ ନଷ୍ଟ କରିଦିଆଯାଉ ଥିଲା। ତେବେ ସମ୍ପ୍ରତି ଏଥିରୁ ଫାର୍ମା କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବାହାର କରି ସେଥିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରୁଛନ୍ତି।

ମାଗଣାରେ ମିଳୁଛି ଲ୍ୟୁକୋ ଫିଲ୍ଟର
ଥାଲାସେମିଆ ରୋଗୀଙ୍କ ଉପରେ ଆର୍ଥିକ ଚାପ ହଟିଛି। ୟୁଜର୍ସ ଫି ଆଦାୟ ବନ୍ଦ ବିନାମୂଲ୍ୟରେ ଓ ବିନା ବଦଳରେ ମିଳୁଛି ରକ୍ତ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଗତ ଦୁଇ ବର୍ଷ ହେଲା ସମସ୍ତ ଥାଲାସେମିଆ ରୋଗୀଙ୍କୁ ପ୍ରତି ମାସ ଗୋଟିଏ ଲେଖାଏଁ ଲ୍ୟୁକୋ ଫିଲ୍ଟର ମାଗଣାରେ ଦେଉଛନ୍ତି।ଏଥିପାଇଁ ଏକ ହଜାରରୁ ୧୨ଶହ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ଥାଲାସେମିଆ ରୋଗୀଙ୍କୁ ଲ୍ୟୁକୋ ଫିଲ୍ଟର ମିଳୁଛି। ଏହା ଦ୍ୱାରା ରାଜ୍ୟର ପ୍ରାୟ ୧୮ ହଜାର ଥାଲାସେମିଆ ରୋଗୀ ଉପକୃତ ହେଉଛନ୍ତି।

ରୋଗୀ ଯେଉଁ ରକ୍ତ ନେଉଛନ୍ତି ତାହା ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଆବଶ୍ୟକ। ନଚେତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ରକ୍ତରେ ଥିବା ବିଷାକ୍ତ ତତ୍ତ୍ୱ ସେମାନଙ୍କ ଶରୀରରେ ପ୍ରବେଶ କରିବା ସମ୍ଭାବନା ଥାଏ। ତେଣୁ ପ୍ରତି ଥର ରକ୍ତ ନେବା ପାଇଁ ଲ୍ୟୁକୋ ଫିଲ୍ଟରର ଆବଶ୍ୟକତା ରହିଛି। ସମସ୍ତ ଥାଲାସେମିଆ ରୋଗୀ ରକ୍ତ ନେବା ପାଇଁ ଅବା ଚିକିତ୍ସା ପାଇଁ ଆସିଲେ ଗସ୍ତ ଖର୍ଚ୍ଚ ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ମାଗଣାରେ ରକ୍ତ ଯୋଗାଇ ଦିଆଯିବା ସହ ପୂର୍ବରୁ ପ୍ରଚଳିତ ୨୦୦/୩୦୦ ଟଙ୍କାର ୟୁଜର୍ସ ଫି’ ଆଦାୟ ବନ୍ଦ କରାଯାଇଛି।

ବର୍ଷକୁ ସଂଗ୍ରହ ହେଉଛି ୧୩ ଲକ୍ଷ ୟୁନିଟ୍‌‌
ପୂର୍ବାପେକ୍ଷା ପ୍ରତି ବର୍ଷ ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ବଢିବାରେ ଚାଲିଛି। ରାଜ୍ୟରେ ଥିବା ସମୁଦାୟ ୫୬ଟି ରକ୍ତ ଭଣ୍ଡାରରେ ବାର୍ଷିକ ପ୍ରାୟ ୫ ଲକ୍ଷରୁ ଅଧିକ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥାଏ। ସେହିପରି ବିଭିନ୍ନ ସଂସ୍ଥା, ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରୁ ପ୍ରାୟ ୫ ଲକ୍ଷ ୟୁନିଟ୍‌‌ ରକ୍ତ ମିଳିଯାଉଛି। ୨୦୨୧ରେ ୪୯୪୨ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ୨୬୦୫୮୧ ଆଉଟ୍‌‌ଡୋର କ୍ୟାମ୍ପ୍‌‌ ଜରିଆରେ ସମୁଦାୟ ୪୮୬୪୮୧ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଥିଲା। ଗତବର୍ଷ ଶିବିରରୁ ସଂଗୃହିତ ରକ୍ତ ପରିମାଣ ୫ ଲକ୍ଷରୁ ଅଧିକ ହେବ। ସେହିପରି ଘରୋଇ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରୋଗୀଙ୍କୁ ଦିଆ ଯାଉଥିବା ରକ୍ତ ବଦଳରେ ଅନ୍ୟ ଜଣଙ୍କ ରକ୍ତ ସଂଗ୍ରହ ହୋଇଥାଏ। ଏହି ସଂଖ୍ୟା ବର୍ଷକୁ ପ୍ରାୟ ୩ ଲକ୍ଷ ୟୁନିଟ୍‌‌ ହେବ।

ପ୍ରୋତ୍ସାହିତ କରୁଛି ୧୪ ଭ୍ୟାନ୍‌‌
ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ପ୍ରଚଳନ କରିଛନ୍ତି। ରାଜ୍ୟରେ ସମୁଦାୟ ୧୪ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ଥିବା ବେଳେ ଗତ ମାର୍ଚ୍ଚ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ର ଲୋକାର୍ପଣ କରିଛନ୍ତି। ଜୀବନ ରକ୍ଷାକୁ ଗୁରୁତ୍ୱଦେଇ ରକ୍ତ ଭଣ୍ଡାରରେ ଅଭାବ ଦୂରକରିବା ଏବଂ ରକ୍ତଦାନ ଭଳି ମହତ କାର୍ଯ୍ୟପ୍ରତି ଲୋକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଭ୍ୟାନ୍‌‌ର ପ୍ରଚଳନ କରାଯାଉଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଏହି ଭ୍ୟାନ୍‌‌ ପହଞ୍ଚି ରକ୍ତ ସଂଗ୍ରହ କରୁଛି। ୨୦୧୯ ବେଳକୁ ରାଜ୍ୟରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ଥିଲା। ଏହି ଗାଡ଼ିର ପ୍ରଚଳନ ଫଳରେ ରକ୍ତଦାନ ପରିମାଣ ବଢ଼଼଼଼ିଥିବା ଦେଖାଯାଇଛି। ୨୦୨୦ରେ ୮୯,୯୧୭ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୦୨୨ରେ ଏସବୁ ଭ୍ୟାନ୍‌‌ ଜରିଆରେ ୧,୨୬,୭୪୭ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥିଲା। ଏହି ଭ୍ୟାନ୍‌‌ରେ ରକ୍ତଦାତା ଶଯ୍ୟା, ରେଫ୍ରିଜିରେଟର୍‌‌, ରକ୍ତ ସଂଗ୍ରହ ମୋନିଟର୍‌‌, ରକ୍ତ ବ୍ୟାଗ୍‌‌ ସିଲର୍‌‌, ଜେନେରେଟର୍‌‌ ଆଦି ରହିଥାଏ। ୫ଟି ନୂଆ ଭ୍ୟାନ୍‌‌ କିଣିବା ପାଇଁ ପ୍ରତି ୟୁନିଟ୍‌‌ ୫୪ ଲକ୍ଷ ୨ହଜାର ୮ଶହ ଟଙ୍କା ହିସାବରେ ସମୁଦାୟ ୨କୋଟି ୭୦ ଲକ୍ଷ ୧୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର