ହୃଦାନନ୍ଦ: ଏକ ଅଲିଭା ଦୀପଶିଖା

The Sakala Picture
Published On

ଭୌତିକ ଓ ବୌଦ୍ଧିକ ଦିଗରେ ଦେଶ, ଜାତି ଓ ମାନବ ସମାଜର ମଙ୍ଗଳ ଚିନ୍ତା କରୁଥିବା ଲୋକ ଜୀବନକୁ ଏକ କ୍ଷଣସ୍ଥାୟୀ ବତୀ ବୋଲି ଭାବନ୍ତି ନାହିଁ। ତାଙ୍କ ଦୃଷ୍ଟିରେ ଜୀବନ ଏକ ଅପରୂପ ଆଲୋକବର୍ତ୍ତିକା, ଯାହାକୁ ଜଳିବାକୁ ଦିଆଯାଏ, ଉଜ୍ୱଳତମ ହେବାଯାଏ ଏବଂ ଶେଷରେ ଭବିଷ୍ୟତ ପିଢ଼ିର ଲୋକଙ୍କୁ ହସ୍ତାନ୍ତର କରାଯାଏ। ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକ ଥିଲେ ଏହିପରି ଜଣେ ମହାନ ବ୍ୟକ୍ତି, ଯିଏ ନିଜ ଜୀବନକୁ ଓଡ଼ିଆ ଜାତି ଓ ଓଡ଼ିଶାର ପ୍ରଗତି ପାଇଁ […]

ଭୌତିକ ଓ ବୌଦ୍ଧିକ ଦିଗରେ ଦେଶ, ଜାତି ଓ ମାନବ ସମାଜର ମଙ୍ଗଳ ଚିନ୍ତା କରୁଥିବା ଲୋକ ଜୀବନକୁ ଏକ କ୍ଷଣସ୍ଥାୟୀ ବତୀ ବୋଲି ଭାବନ୍ତି ନାହିଁ। ତାଙ୍କ ଦୃଷ୍ଟିରେ ଜୀବନ ଏକ ଅପରୂପ ଆଲୋକବର୍ତ୍ତିକା, ଯାହାକୁ ଜଳିବାକୁ ଦିଆଯାଏ, ଉଜ୍ୱଳତମ ହେବାଯାଏ ଏବଂ ଶେଷରେ ଭବିଷ୍ୟତ ପିଢ଼ିର ଲୋକଙ୍କୁ ହସ୍ତାନ୍ତର କରାଯାଏ। ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକ ଥିଲେ ଏହିପରି ଜଣେ ମହାନ ବ୍ୟକ୍ତି, ଯିଏ ନିଜ ଜୀବନକୁ ଓଡ଼ିଆ ଜାତି ଓ ଓଡ଼ିଶାର ପ୍ରଗତି ପାଇଁ ସମର୍ପି ଦେଇଥିଲେ। ପ୍ରବାସୀ ଓଡ଼ିଆଙ୍କ ସ୍ୱାଭିମାନ ରକ୍ଷା ଓ ନିରାପତ୍ତା ବୃଦ୍ଧି ପାଇଁ କଲିକତାରେ ଛାତ୍ରାବସ୍ଥାରୁ ଆନ୍ଦୋଳନ କରିବାଠାରୁ ଆରମ୍ଭ କରି ୧୯୯୦ ନିର୍ବାଚନରେ ମହାର୍ଘ ଗୌରବ ଟିକା ପିନ୍ଧି ବିଜୟ ଶୋଭାଯାତ୍ରାରେ ଯିବା ପରିବର୍ତ୍ତେ ଅନ୍ତିମ ଯାତ୍ରାରେ ଯିବା ପର୍ଯ୍ୟନ୍ତ ସେ ସଦାସର୍ବଦା ଓଡ଼ିଆ ଜାତିର ଅଗ୍ରଗତିର ଚିନ୍ତା ଓ ଉଦ୍ୟମରେ ନିଜକୁ ଉତ୍ସର୍ଗ କରିଦେଇଥିଲେ।

କଲିକତାରେ ପ୍ରବାସୀ ଓଡ଼ିଆଙ୍କର ଏକ ବଳିଷ୍ଠ ସଂଗଠନ ‘ପ୍ରବାସୀ ଓଡ଼ିଆ ସମାଜ’ ଗଢ଼ି ତା’ର ସମ୍ପାଦକ ଭାବେ ଅବହେଳିତ ଓଡ଼ିଆ ମଜଦୁର, ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନ ବଜାରରେ ଖଟିଖିଆ ଶ୍ରମିକ ଓ ଛୋଟ ବ୍ୟବସାୟୀ, ପୂଜାରୀମାନଙ୍କର ମର୍ଯ୍ୟାଦା ରକ୍ଷା ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଚାଲିଥିଲେ। ୧୯୪୬-୪୭ ମସିହାରେ ହିନ୍ଦୁ-ମୁସଲମାନ ଦଙ୍ଗା ବେଳେ ଓଡ଼ିଆମାନଙ୍କ ଜୀବନ ସୁରକ୍ଷା ପାଇଁ ଯେଉଁ ସବୁ ସାହସିକ କାର୍ଯ୍ୟ କରିଥିଲେ, ତାହା ତତ୍କାଳିକ କଲିକତା ନିବାସୀ ଛାତ୍ରମାନଙ୍କୁ ମୁଗ୍ଧ କରିଦେଇଥିଲା। କଲିକତାରେ ଛାତ୍ର ଓ ଶିକ୍ଷିତ ଓଡ଼ିଆଙ୍କ ସହାୟତାରେ ଓଡ଼ିଶାର ସଙ୍ଗୀତ, କଳା, ସାହିତ୍ୟ ଓ ସଂସ୍କୃତିକୁ ବଙ୍ଗବାସୀଙ୍କ ମଧ୍ୟରେ ଆଦୃତ କରିବା ପାଇଁ ସେ ନିରନ୍ତର ପ୍ରୟାସ କରିଚାଲିଥିଲେ। ଏହା ତାଙ୍କୁ ଓଡ଼ିଆଙ୍କ ମଧ୍ୟରେ ସୁପରିଚିତ ଓ ପ୍ରଶଂସିତ କରିଥିଲା। ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ତତ୍କାଳୀନ କଂଗ୍ରେସର ତୁଙ୍ଗ ନେତା ବିଧାନ ଚନ୍ଦ୍ର ରାୟ ଓ ଅତୁଲ ଘୋଷଙ୍କ ସଂସ୍ପର୍ଶରେ ଆସି ନିଜର ସାଂଗଠନିକ ଶକ୍ତି, ରାଜନୈତିକ ଦୃଷ୍ଟିକୋଣ ଓ ମାନବିକବୋଧକୁ ସମ୍ପ୍ରସାରିତ କରିପାରିଥିଲେ। ଓଡ଼ିଶାର ନେତା ବିଶ୍ୱନାଥ ଦାଶ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କର ବଙ୍ଗୀୟ ନେତାମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବାରେ ସେ ମାଧ୍ୟମ ରୂପେ କାର୍ଯ୍ୟ କରୁଥିଲେ ଏବଂ ତାହା ତାଙ୍କୁ ତତ୍କାଳୀନ ଓଡ଼ିଶାର ରାଜନେତାଙ୍କ ନିକଟରେ ଜଣେ ଦକ୍ଷ ଓ ଉତ୍ସର୍ଗୀକୃତ ଯୁବନେତା ରୂପେ ପରିଚିତ କରାଇଥିଲା।

କଲିକତାରେ ପ୍ରବାସୀ ଜୀବନ କଟାଉଥିବା ବେଳେ ଛାତ୍ରାବସ୍ଥାରେ ସେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ଅଭିଯାନରେ ନିଜକୁ ସମର୍ପି ଦେଇଥିଲେ। ନୀଳମଣି ରାଉତରାୟ, ବିଶ୍ୱନାଥ ଦାସ, ଆକୁଳି ମିଶ୍ର, ପାତିରାମ ପରିଜା ଆଦି ବହୁ ପ୍ରବାସୀ ଓଡ଼ିଆଙ୍କ ଭିତରେ ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ବାସ୍ନା ବାରି ହୋଇଯାଉଥିଲା ସେଠାକାର ଓଡ଼ିଆ ମହଲରେ। ବଙ୍ଗଭୂମିରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟାରେ ସେ ଅଗଣିତ ଓଡ଼ିଆ ପାଠକଙ୍କ ହାତକୁ ତୋଳି ଦେଇଥିଲେ ଓଡ଼ିଆ ପତ୍ରିକା ଜଗତର ଅନବଦ୍ୟ ସୃଷ୍ଟି ‘ଆସନ୍ତାକାଲି’କୁ। ଏହା ଥିଲା ତାଙ୍କ ସାରସ୍ୱତ ପ୍ରଜ୍ଞାର ମାନସ ସନ୍ତାନ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହାତରେ ସେଇ ସୁଖପାଠ୍ୟ ଓଡ଼ିଆ ପତ୍ରିକାଟିକୁ ଭେଟି ଦେଇଥିଲେ, ଯେଉଁ ସମୟରେ କଲିକତା ବଜାରରେ ଓଡ଼ିଆ ଭାଷାର ପତ୍ରିକାଟିଏ ଆଖିଆଗକୁ ଆସୁ ନ ଥିଲା। ବୃହତ୍ତର ଉତ୍କଳ ସମାଜ / ପ୍ରବାସୀ ଓଡ଼ିଆ ସମ୍ମିଳନୀ ଅଭ୍ୟର୍ଥନା କମିଟି ସମ୍ପାଦକ ଭାବେ ସେ ବହୁ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରିଥିଲେ। ସୁଦୂର କଲିକତାର ପ୍ରବାସୀ ଓଡ଼ିଆଙ୍କ ପରିଚୟର ସ୍ୱାତନ୍ତ୍ର୍ୟ ରଖିବାକୁ ଯାଇ ସେ ‘ଉତ୍କଳ ସମାଜ’କୁ ଆମନ୍ତ୍ରଣ କରିଥିଲେ ବହୁ ପ୍ରଖ୍ୟାତ ବ୍ୟକ୍ତି ଜଗଜ୍ଜୀବନ ରାମ / ୟୁରୀ ଗାଗାରିନ୍‌‌ (ପୃଥିବୀର ପ୍ରଥମ ଋଷୀୟ ମହାକାଶଚାରୀ) ପ୍ରଭୃତିଙ୍କୁ।

ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ସମ୍ବାଦ ପରିବେଷଣ / ସମ୍ପାଦନା କ୍ଷେତ୍ରରେ ତାଙ୍କର ପଟୁତା ଥିଲା ସର୍ବଜନବିଦିତ। ଦୈନିକ ‘କଳିଙ୍ଗ’ର କଲିକତା ମହାନଗରୀର ରିପୋର୍ଟର ଭାବେ ସେ ନିଯୁକ୍ତି ପାଇଥିଲେ। ଇତିହାସ ପ୍ରତି ମମତା ତାଙ୍କୁ ଧାମନଗରର ଗୋହିରାଟିକିରିଠାରେ ଗୋଟିଏ କଲେଜ ପ୍ରତିଷ୍ଠା ପାଇଁ ପ୍ରେରଣା ଦେଇଥିଲା। ଯେ କୌଣସି ବିଷୟରେ ତାଙ୍କର ଗଭୀର ଅନୁଶୀଳନ ତାଙ୍କୁ ଜଣେ ସଫଳ ସଂଗଠକ ଓ ଉଚ୍ଚକୋଟୀର ବିଧାୟକ ରୂପେ ସମଗ୍ର ଓଡ଼ିଶାରେ ପରିଚିତ କରାଇଥିଲା।

ପ୍ରବାସରେ ଥିବା ଏଭଳି ଏକ ବିଚକ୍ଷଣ ପ୍ରତିଭାର ସନ୍ଧାନ ପାଇଥିଲେ ସ୍ୱର୍ଗତ ବିଜୟାନନ୍ଦ (ବିଜୁ ପଟ୍ଟନାୟକ) ପଟ୍ଟନାୟକ। ଏହିଠାରେ ହିଁ ଘଟିଥିଲା ମଣି-କାଞ୍ଚନର ସଂସର୍ଗ। ହୃଦାନନ୍ଦଙ୍କ ଯାଦୁକାରୀ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ବିଜୁବାବୁ ତାଙ୍କୁ ନିମନ୍ତ୍ରିତ କରିଆଣିଥିଲେ ତାଙ୍କର ସ୍ୱପ୍ନର ଶିଳ୍ପନଗରୀ ଚୌଦ୍ୱାରକୁ। ସେଠାରେ ସେ ଓଡ଼ିଶା ଟେକ୍ସଟାଇଲ (ଓଟିଏମ୍‌‌)ର ଲୋକସମ୍ପର୍କ ଅଧିକାରୀ ଭାବେ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ସେହିଠାରୁ ହିଁ ଉଭୟଙ୍କ ମଧ୍ୟରେ ଯୋଡ଼ି ହୋଇଯାଇଥିଲା ସମ୍ପର୍କର ମହାସେତୁ। ହେଲେ ବିଧିର ବିଧାନ ବିଚିତ୍ର। ଯେଉଁ ସମୟରେ ହୃଦାନନ୍ଦବାବୁ ମନ୍ତ୍ରୀ ପଦରେ ଆସୀନ ହୋଇଥା’ନ୍ତେ, ସେତିକିବେଳେ ଜୀବନ ନାଟକର ଯବନିକା ଟାଣି ଦେଇ ଧାମନଗରର ମଞ୍ଚରୁ ତଥା ଓଡ଼ିଶାର ରାଜନୈତିକ ଆକାଶରୁ ଉଦ୍ଭାନ ହୋଇଯାଇଥିଲା ଏହି ମହାନ୍‌‌ ତେଜସ୍ୱ ନକ୍ଷତ୍ରଟି।

ହୃଦାନନ୍ଦ ବାବୁ ମନେ ପଡ଼ନ୍ତି ସେତିକିବେଳେ, ଯେତେବେଳେ ପ୍ରସବ ଯନ୍ତ୍ରଣାଠୁ ବଳି ଅବ୍ୟକ୍ତ ଯନ୍ତ୍ରଣାରେ ଉବୁଟୁବୁ ହେଉଥିବା ବୈତରଣୀ- କୋଚଳା ମଧ୍ୟାଞ୍ଚଳ, ଧାମନଗରବାସୀଙ୍କୁ ଗ୍ରାସକରେ ବଢ଼଼ି ଆଉ ମରୁଡ଼ି। ବୈତରଣୀ, କୋଚିଳା, କାଣୀ, ରେବ, କପାଳୀ ଆଦିରେ ବନ୍ୟାର ତାଣ୍ଡବଲୀଳା ଯେତେବେଳେ ମଥା ଟେକେ, ସେତେବେଳେ ଆଖି ଆଗରେ ଭାସିଯାଏ ଲଞ୍ଚଡେକ୍‌‌ରେ ଠିଆ ହୋଇ କମିଶନର / ଜିଲ୍ଲାପାଳ / ମନ୍ତ୍ରୀଙ୍କୁ ବନ୍ୟାଞ୍ଚଳ ବୁଲାଇ ଦାବି ଉପସ୍ଥାପନ କରୁଥିବା ସେଇ ସାଢ଼େ ପାଞ୍ଚଫୁଟିଆ ଲୌହ ମଣିଷଟିର ଚେହେରା। ଅଧିକାରୀଙ୍କ ତ୍ରୁଟିବିଚ୍ୟୁତି ଦେଖିଲେ କେବେ ସେ ଦୁର୍ବାସା ପାଲଟି ଯାଆନ୍ତି, ହେଲେ ଅଧିକାରୀଙ୍କୁ ଆପଣାଇବାରେ ସେ ପଛାଇ ଯାଆନ୍ତିନି।

‘ହୃଦାନନ୍ଦ ବାବୁ’ ସ୍ନେହ, ଶ୍ରଦ୍ଧା ତଥା ଅତୁଟ ଭରସାର ଏପରି ଏକ ଅନନ୍ୟ ଶବ୍ଦର ଉଚ୍ଚାରଣ, ଯାହାକୁ ଏ ଯାଏ ବି ଚିର ଅବହେଳିତ ଧାମନଗରର ଆବାଳବୃଦ୍ଧବନିତା ପାଶୋରି ପାରିନାହାନ୍ତି। କୀର୍ତ୍ତିମାନର କୀର୍ତ୍ତି ଅମର ହୋଇଯାଏ। ଏହାର ଯଥାର୍ଥ ପ୍ରତିଫଳନ ଘଟିଛି ତାଙ୍କର ଜୀବଦ୍ଦଶାରେ। ଭଜଗୋବିନ୍ଦ ଜେନା, ଭଦ୍ରକ, ମୋ: ୯୪୩୭୨୯୭୩୩୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର