‘ହାତରେ ଆଉ ମାତ୍ର ଛଅଶହ ବର୍ଷ’

The Sakala Picture
Published On

ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଏମିତି ଘଟିଥିଲା। ସେଦିନ ମିଆଁମାରର ଚୌକରେ ଆଉ ଅଧିକ ଦଶମିକ ଦୁଇ ଡିଗ୍ରୀ ଥିବାରୁ ତାହା ଥିଲା ଏସିଆର ସର୍ବୋଚ୍ଚ ଉତ୍ତପ୍ତ ସହର। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ […]

ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଏମିତି ଘଟିଥିଲା। ସେଦିନ ମିଆଁମାରର ଚୌକରେ ଆଉ ଅଧିକ ଦଶମିକ ଦୁଇ ଡିଗ୍ରୀ ଥିବାରୁ ତାହା ଥିଲା ଏସିଆର ସର୍ବୋଚ୍ଚ ଉତ୍ତପ୍ତ ସହର। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ନାନଦୟାଲରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଥିଲା, ଯାହା ଭାରତର ଉତ୍ତପ୍ତ ସହର ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିଲା। ଦ୍ୱିତୀୟରେ ରହିଥିଲା ଭୁବନେଶ୍ୱର।

ଏହି ପରିସ୍ଥିତି ଆମ ସ୍ୱାଭାବିକ ଦୈନନ୍ଦିନ ଜୀବନକୁ ମଧ୍ୟାହ୍ନ ସମୟରେ ପ୍ରାୟତଃ ଅଚଳ କରିଦେଲା। ଘରୁ ବାହାରିଲେ ସମ୍ଭାବ୍ୟ ଅଂଶୁଘାତର ଶିକାର ହେବା ଭୟ ସମସ୍ତଙ୍କୁ ଘାରିଥିଲା। ବିଶେଷକରି ଶ୍ରମିକମାନଙ୍କ ପାଇଁ ଏହା ଅଧିକ ମାରାତ୍ମକ ହେବା ଆଶଙ୍କା ଥିଲା। ଏମିତି ଭୟ କେବଳ ମାତ୍ର ଗୋଟିଏ ଦିନରେ ସମାପ୍ତ ହେବା ଆଶା ନ ଥିବାରୁ ଶ୍ରମ ଓ କର୍ମଚାରୀ- ରାଜ୍ୟ ବୀମା-ବିଭାଗ ତରଫରୁ ଏପ୍ରିଲରୁ ୧୫ ଜୁନ୍‌‌ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ପୂର୍ବାହ୍ନ ଏଗାରଠାରୁ ଅପରାହ୍ନ ସାଢ଼େ ତିନିଟା ପର୍ଯ୍ୟନ୍ତ କ୍ରର୍ମକ୍ଷେତ୍ରରୁ ନିବୃତ୍ତ ରହି ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ। କିନ୍ତୁ ତାପମାତ୍ରା ଏମିତି ଭୟଙ୍କର ରୂପ ନେବ ବୋଲି ପୂର୍ବେ କେହି କଳ୍ପନା କରୁନଥିଲେ। ବର୍ତ୍ତମାନ କେବଳ ଶୀତଳ ପାନୀୟ ଜଳ, ଓଆର୍‌‌ଏସ୍‌‌ ପ୍ୟାକେଟ୍‌‌ ବ୍ୟାପକ ଭାବେ ଉପଲବ୍ଧ ହେବା ସହ ଅଂଶୁଘାତ ଜନିତ ଜରୁରୀ ଚିକିତ୍ସା ସକାଶେ ଆମ୍ବୁଲାନ ସବୁସମୟ ପାଇଁ ପ୍ରସ୍ତୁତ ରହିବା ଅତ୍ୟାବଶ୍ୟକ ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଆମର ଏହି ଦୟନୀୟ ଅବସ୍ଥାକୁ ଲକ୍ଷ୍ୟ କରି ଜଣେ କବିଙ୍କ କଲମରୁ ଯେଉଁ କେତୋଟି ବାକ୍ୟ ବାହାରିଥିଲା, ତାହା ମନେ ପଡ଼େ –

‘ଗରମକୁ ଆଉ ସହି ହେଉ ନାହିଁ ଝାଳ ବୁହେ ଗମ ଗମ, ତତଲା ତାୱାରେ ସିଝୁଛି ପୃଥିବୀ ଧଳା ଦିଶେ କଳା ଚମ! / ପ୍ରକୃତିକୁ ଅବିରାମ, କଣ୍ଟ ଦେଇ ଦେଇ ମଣିଷ ଭୋଗୁଛି ଦୁଷ୍ଟାମୀର ପରିଣାମ!!’

ଉଲ୍ଲିଖିତ ଉତ୍ତପ୍ତର କାରଣ ସ୍ଥଳଭାଗ ବିଷୟରେ ଅବଶ୍ୟ ସୂଚାଏ। ତେବେ ପୃଥିବୀପୃଷ୍ଠରେ ସ୍ଥଳ ଓ ଜଳ ଭାଗର ଅନୁପାତ ହେଉଛି ପ୍ରାୟ ୨୯: ୭୧। ଅର୍ଥାତ ଜଳଭାଗ ଦୁଇଗୁଣରୁ ଅଧିକ। ଏହି ପରିପ୍ରେକ୍ଷୀରେ ଜଳଭାଗ, ମୁଖ୍ୟତଃ ସମୁଦ୍ର ପ୍ରତି ଦୃଷ୍ଟି ଦେବା ସମୀଚୀନ। ୨୦୧୭ରେ ଓଖି ନାମକ ବାତ୍ୟା କେରଳ ଓ ତାମିଲନାଡୁରେ ବ୍ୟାପକ ତାଣ୍ଡବ ଲୀଳା ରଚିଥିଲା। ଲକ୍ଷ୍ୟ କରାଯାଇଛି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ମତ୍ସ୍ୟଜୀବୀମାନେ କମ୍‌‌ ପରିମାଣରେ ସାମୁଦ୍ରିକ ମାଛ ଧରିପାରୁଛନ୍ତି। କେରଳରେ ବହୁସଂଖ୍ୟକ ନଦୀ ଥିବାରୁ ନଦୀର ମାଛମାନ ସମୁଦ୍ରକୁ ଚାଲି ଯାଇଥା’ନ୍ତି। ତଥାପି ପୂର୍ବାପେକ୍ଷା ଏହା କମି ଚାଲିଛି ଉଲ୍ଲେଖନୀୟ ଭାବେ। ଏହା ଏକ ଉଦ୍‌‌ବେଗର ବିଷୟ।

ପରିବେଶବିତ୍‌‌ଙ୍କ ଅନୁସାରେ ଏହାପଛର ମୁଖ୍ୟକାରଣ ହେଉଛି ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ସମୁଦ୍ର ଜଳ ଉତ୍ତପ୍ତ ହେଉଛି। ଫଳରେ ବଡ଼ ଜୁଆର ସୃଷ୍ଟି ହୋଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ସେଠାରେ ବସବାସ କରୁଥିବା ମତ୍ସ୍ୟଜୀବୀମାନଙ୍କ ଘର ଦ୍ୱାର କେବଳ ଭସାଇ ଦେଉନାହିଁ; ଏପରିକି ଉପକୂଳର କିଛି ଅଂଶ ସମୁଦ୍ର ଗ୍ରାସ କରିଦେଉଛି। ତେଣୁ ବାସଚ୍ୟୁତ ନୋଳିଆମାନଙ୍କ ପରିବାର ଶରଣାର୍ଥୀ ଶିବିରରେ ମୁଣ୍ଡ ଗୁଞ୍ଜି ଅଦ୍ୟାବଧି କାଳ କାଟୁଛନ୍ତି। ଏମିତି ଦୟନୀୟ ସ୍ଥିତି ଥିରୁବନନ୍ତପୁରମ, କୋଲାମ ଓ ଆଲପୁଦ୍ଧା ଜିଲ୍ଲାରେ ଦେଖିବାକୁ ମିଳେ। ଏହି ଦୁର୍ଗତି ପାଇଁ କ୍ଷତିଗ୍ରସ୍ତ ଲୋକେ ଇଣ୍ଡିଆନ୍‌‌ ନ୍ୟାସନାଲ ସେଣ୍ଟର ଫର ଓସେନ ଇନ୍‌‌ଫରମେସନ ସର୍ଭିସେସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଆଗତୁରା ସତର୍କବାଣୀ ଶୁଣାଇ ନ ଥିବାରୁ ଦୋଷାରୋପ କରିଛନ୍ତି। ତେବେ ଏହି ସଂସ୍ଥାମାନ ଏମିତି ଅଭିଯୋଗକୁ ଅସ୍ୱୀକାର କରି ଲୋକଙ୍କ ବେପରୁଆ ମନୋବୃତ୍ତିକୁ ଦାୟୀ କରିଛନ୍ତି। ପାଣିପାଗର ଅସ୍ୱାଭାବିକତାକୁ ସେମାନେ ଗୁରୁତ୍ୱ ନ ଦେଇ ପାରମ୍ପରିକ ଧାରଣାକୁ ଧ୍ରୁବ ସତ୍ୟ ବୋଲି ଭାବୁଛନ୍ତି। ପ୍ରସଙ୍ଗକ୍ରମେ ପ୍ରସିଦ୍ଧ ସାହିତ୍ୟିକ ଜେପି ଦାସଙ୍କ ‘ପାଣିପାଗବାଲା’ ଶୀର୍ଷକ ଏକ ବ୍ୟଙ୍ଗାତ୍ମକ କବିତାର କିଛି ଧାଡ଼ି ମନେ ପଡ଼େ –

‘କହିଲା ସେ ହେବ ପ୍ରବଳ ଖରା, ବରଷିଲା ମେଘ ମୂଷଳ ଧାରା / କହିଲା ସେ ହେବ ଗରମ ଭାରି, ହାଡ଼ଭଙ୍ଗା ଶୀତ ଆସିଲା ମାଡ଼ି / ଦେହରେ ଗଲାଣି ଏଠାର ପାଣି, ଯାହା ସେ କହିଲା ଗଲା ଉଜାଣି / ଜାଣିବ ଏଥର ବୁଡ଼ିବ ଭେଳା, ତେଣୁ ସେ ଛ’ମାସ ଛୁଟିରେ ଗଲା।

ଅବଶ୍ୟ କବିତାଟି ବହୁପୂର୍ବେ ରଚିତ। ବର୍ତ୍ତମାନ ଏହି ସମ୍ବନ୍ଧିତ ଯନ୍ତ୍ରପାତିମାନ ଉନ୍ନତ ହେଲାଣି। ତଥାପି ପାଣିପାଗକୁ ଠିକ୍‌‌ ଭାବେ ପୂର୍ବାନୁମାନ କରିବା କାଠିକର ପାଠ ହୋଇ ରହିଛି। ଏହାର ଗତିବିଧି ଦୁର୍ବୋଧ୍ୟ। ଏମିତି କି କ୍ଷଣି କ୍ଷଣିକେ ଆନ ହେଉଛି।

ଏହା ସର୍ବତ୍ର ସ୍ୱୀକୃତ ହେଲାଣି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏମିତି ପାଣିପାଗରେ ବିଭ୍ରାଟ ଦେଖାଦେଉଛି। ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ପରିବେଶବିତ୍‌‌ମାନେ ଅନୁଧ୍ୟାନ କରିଛନ୍ତି। ୱାଶିଂଟନସ୍ଥିତ ନ୍ୟାସନାଲ ଓସିଓନିକ୍‌‌ ଆଣ୍ଡ ଆଟମାସ୍‌‌ଫେରିକ ଆଡ୍‌‌ମିନିଷ୍ଟ୍ରେସନ ଦ୍ୱାରା ଜଳବାୟୁ ପରିବର୍ତ୍ତନ ବିଷୟରେ ଗୋଟିଏ ନିବନ୍ଧ ପ୍ରକାଶିତ ହୋଇଛି। ୨୦୨୩ ମସିହାରେ ସବୁଜଗୃହ ବାଷ୍ପ ପ୍ରଭାବର ସ୍ତର ସର୍ବାଧିକ ହୋଇଛି, ଯାହାକି ୪.୩ ବିଲିଅନ୍‌‌ ବର୍ଷ ପୂର୍ବେ ଧରାପୃଷ୍ଠରେ ଘଟିଥିବା ଗମ୍ଭୀର ପରିସ୍ଥିତି ସହ ସମାନ। ବିଗତ ବାରବର୍ଷ ଧରି ପ୍ରତିବର୍ଷ ଏକ ନିୟୁତ ଟନ୍‌‌ ବାୟୁମଣ୍ଡଳରେ ଦୁଇ ଭାଗ ଅଙ୍ଗାରକାମ୍ଳ ବାଷ୍ପ (କାର୍ବନ ଡାଇଅକ୍‌‌ସାଇଡ୍‌‌) ବଢ଼଼ି ଚାଲିଛି। ଭୂତାତ୍ତ୍ୱିକ ଇତିହାସରୁ ଜଣାଯାଏ ଯେ ୫.୩ ରୁ ୨.୬ ନିୟୁତ ବର୍ଷ ତଳର ଅବଧିକୁ ପ୍ଲାଇଓସିନ ଭାବେ ନାମିତ କରାଯାଇଛି। ଏହି ସମୟରେ ଉଷ୍ମ ପୃଥିବୀ ଶୀତଳ ହେଲା ଏବଂ ଅନୁକୂଳ ପରିବର୍ତ୍ତିତ ପରିବେଶରେ ଧରାପୃଷ୍ଠରେ ସବୁଜ ଘାସ ଓ କ୍ରାନ୍ତିମଣ୍ଡଳୀୟ ତୃଣଭୂମିର ବିସ୍ତୀର୍ଣ୍ଣ ପ୍ରାନ୍ତର ସୃଷ୍ଟି ହେଲା। ଏଇ ସମୟରୁ ଅଦ୍ୟାବଧି ବିତିଥିବା ସୁଦୀର୍ଘ ଅତୀତରେ ଆଜି ପରି ସର୍ବୋଚ୍ଚ ଉତ୍ତପ୍ତ ପୃଥିବୀ କେବେ ଦେଖା ଦେଇ ନଥିଲା। ତତ୍କାଳୀନ ଜଳବାୟୁର ପରିବର୍ତ୍ତନ ପୃଥିବୀର କକ୍ଷ ଓ ଅଭିନମନ (ଅର୍ବିଟ ଆଣ୍ଡ ଟିଲ୍‌‌ଟ) ବଦଳିବାରୁ ସମ୍ଭବ ହେଲା, ଯାହା କି ପ୍ରାକୃତିକ। କିନ୍ତୁ ସାମ୍ପ୍ରତିକ ଜଳବାୟୁରେ ଯେଉଁ ପ୍ରତିକୂଳ ଘଟଣାମାନ ଦେଖାଦେଇଛି, ତାହା ଆମର କାର୍ଯ୍ୟକଳାପ କାରଣରୁ।

ଶିଳ୍ପ ବିପ୍ଳବ ପୂର୍ବରୁ ଅଙ୍ଗାରକାମ୍ଳର ସ୍ତର ବାୟୁମଣ୍ଡଳରେ ଯାହା ଥିଲା, ତଦପେକ୍ଷା ବର୍ତ୍ତମାନ ଶତକଡ଼ା ୫୦ ଭାଗ ଅଧିକ। ଏହି ସବୁଜ ଗୃହ ବାଷ୍ପ ମାନବ ସମାଜରେ ସ୍ୱାସ୍ଥ୍ୟକୁ ଘୋର ବିପନ୍ନ କରୁଛି। ପ୍ରକାଶ ଥାଉ କି କାର୍ବନ ଡାଇଅକ୍‌‌ସାଇଡ୍‌‌ ସମେତ ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପ ମଧ୍ୟରେ ଅନ୍ତର୍ଭୁକ୍ତ ମିଥେନ, ନାଇଟ୍ରସ ଅକ୍‌‌ସାଇଡ୍‌‌ ଇତ୍ୟାଦି। ଏଗୁଡ଼ିକର କ୍ରମବର୍ଦ୍ଧିଷ୍ଣୁ ପ୍ରାବଲ୍ୟକୁ ନ କମାଇଲେ ଆମେ ଅସ୍ୱାସ୍ଥ୍ୟକର ବାୟୁ ଏବଂ ଉତ୍ତପ୍ତ ବିଶ୍ୱର ଅନ୍ୟାନ୍ୟ କୁପ୍ରଭାବରୁ ନିସ୍ତାର ପାଇବା ନାହିଁ। ଶ୍ୱାସକ୍ରିୟାରେ ଜଟିଳତା ସହ ଆନୁଷଙ୍ଗିକ ଦୋଷମାନ ଆମକୁ ରୁଗ୍‌‌ଣ କରି ଆମ ଆୟୁ ହ୍ରାସ କରିଦେବ।

ଭୌତିକ ବିଜ୍ଞାନ ଓ ବିଶ୍ୱତତ୍ତ୍ୱବିତ୍‌‌ ଷ୍ଟିଫେନ ହକିଙ୍ଗ ବିଶ୍ୱରେ ବଡ଼ ଧରଣର ପ୍ରଳୟ ଘଟି ଜୀବଜଗତ ଧ୍ୱଂସ ହେବା ସମ୍ବନ୍ଧରେ ଚାରୋଟି କାରଣ ଦର୍ଶାଇଥିଲେ। ତାହା ହେଉଛି ଜନସଂଖ୍ୟା ବୃଦ୍ଧି, ଆଣବିକ ଯୁଦ୍ଧ, କୃତ୍ରିମ ଉପାୟରେ ଅନୁବଂଶିକ ପରିବର୍ତ୍ତନ ଦ୍ୱାରା ନୂତନ ଜୀବ ସୃଷ୍ଟି(ଯଥା କରୋନା ଭୂତାଣୁ) ଓ ପରିବେଶ। ଏଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ କାରଣ ସଂଘଟିତ ହେଲେ ମାନବ ସମାଜ ଲୋପ ପାଇଯିବ ଆଗାମୀ ଛଅଶହ ବର୍ଷ ମଧ୍ୟରେ। ସେ ଏମିତି ସତର୍କବାଣୀ ଶୁଣାଇବା ପଛରେ କାରଣ ହେଉଛି ଆମର ସାମ୍ପ୍ରତିକ ମନୋଭାବ ଓ କାର୍ଯ୍ୟକଳାପ। ଆମ ଗୋଡ଼ ତଳକୁ ତଳ ଖସିଯିବାରେ ଲାଗିଛି। ଅବଶ୍ୟ ବହୁବର୍ଷ ପୂର୍ବେ ପଦାର୍ଥବିଜ୍ଞାନର ଜନକ ନିଉଟନ୍‌‌ ତତ୍କାଳୀନ ଶାସକମାନଙ୍କ ରାଜତ୍ୱକୁ ଆଖିରେ ରଖି ଏହି ପ୍ରଳୟ କାଳ ୨୦୬୦ ବୋଲି ଅନୁମାନ କରିଥିଲେ। ସେ ଯାହା ହେଉ ହକିଙ୍ଗ ଆଉ ଛଅଶହ ବର୍ଷର କଣ୍ଟ ଦେଇ ମୃତ୍ୟୁ ପୂର୍ବରୁ ଆମକୁ ଆହ୍ୱାନ ଦେଇଛନ୍ତି ଯେ ଏଇ ଅବଧିରେ ଆମେ ପୃଥିବୀ ବାହାରେ କୌଣସି ଏକ ଖଗୋଳୀୟ ପିଣ୍ଡରେ ବାସସ୍ଥାନ ନିର୍ମାଣ କରି ରହିବା ନିହାତି ଆବଶ୍ୟକ। ନଚେତ ମଣିଷ ଏଠାରେ ଅତୀତରେ ରହିଥିବା ସମ୍ପର୍କରେ ଚିହ୍ନ ବର୍ଣ୍ଣ ହଜିଯିବ।

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩

16 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର