ଅସ୍ଥିର ବିଶ୍ବ ଓ ଭାରତ

The Sakala Picture
Published On

ସମ୍ପ୍ରତି ବିଶ୍ବର ଅସ୍ଥିରତା ସମ୍ପର୍କରେ ବିଭିନ୍ନ ସ୍ତରରେ ଚର୍ଚ୍ଚା ହେଉଛି। ବାସ୍ତବରେ ଏହି ଅସ୍ଥିରତା ବିଶ୍ବ ମାନବ ସମାଜର ଅନେକ କ୍ଷେତ୍ରକୁ ପ୍ରଭାବିତ କରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ବିଶ୍ୱସ୍ତରୀୟ ଅସ୍ଥିରତା ଆମେ କେଉଁ ପରିସ୍ଥିତିକୁ କହିବା? ଏହାର ଉଦାହରଣ ସ୍ୱରୂପ ଆମେ ରୁଷ୍- ୟୁକ୍ରେନ ଯୁଦ୍ଧ ତଥା ଇସ୍ରାଏଲ ହମାସ ଯୁଦ୍ଧ କୁ ନେବା। ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠୁଛି, ଆଜିର ଅସ୍ଥିର ବିଶ୍ୱ ଭାରତ ଓ ଭାରତୀୟ ଅର୍ଥନୀତି ଉପରେ କିପରି […]

ସମ୍ପ୍ରତି ବିଶ୍ବର ଅସ୍ଥିରତା ସମ୍ପର୍କରେ ବିଭିନ୍ନ ସ୍ତରରେ ଚର୍ଚ୍ଚା ହେଉଛି। ବାସ୍ତବରେ ଏହି ଅସ୍ଥିରତା ବିଶ୍ବ ମାନବ ସମାଜର ଅନେକ କ୍ଷେତ୍ରକୁ ପ୍ରଭାବିତ କରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ବିଶ୍ୱସ୍ତରୀୟ ଅସ୍ଥିରତା ଆମେ କେଉଁ ପରିସ୍ଥିତିକୁ କହିବା? ଏହାର ଉଦାହରଣ ସ୍ୱରୂପ ଆମେ ରୁଷ୍- ୟୁକ୍ରେନ ଯୁଦ୍ଧ ତଥା ଇସ୍ରାଏଲ ହମାସ ଯୁଦ୍ଧ କୁ ନେବା। ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠୁଛି, ଆଜିର ଅସ୍ଥିର ବିଶ୍ୱ ଭାରତ ଓ ଭାରତୀୟ ଅର୍ଥନୀତି ଉପରେ କିପରି ପ୍ରଭାବ ପକାଉଛି ? ରୁଷଠାରୁ ଆରମ୍ଭ କରି ଆମେରିକା ଦ୍ୱାରା ପରିଚାଳିତ “ନାଟୋ” ମେଣ୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ଇଉରୋପୀୟ ରାଷ୍ଟ୍ର ଗତ କିଛି ସମୟ ଧରି ସାମରିକ, ରାଜନୈତିକ ତଥା ଅର୍ଥନୈତିକ ଅନିଶ୍ଚିତତାର ବାତାବରଣ ଭିତରେ ଗତି କରୁଥିବା ଆମେ ଦେଖିଆସୁଛୁ। ନିକଟ ଭବିଷ୍ୟତରେ ଏହି ବିବାଦୀୟ ପରିସ୍ଥିତିର ସମାପ୍ତି ମଧ୍ୟ ଆଶା କରିବା ବୃଥା। ବିଶେଷକରି ରୁଷ୍-ୟୁକ୍ରେନ ଦୀର୍ଘ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତ ଏକ ସମତୁଲ କୂଟନୀତି ଆପଣେଇ ବିଶ୍ୱ ଅସ୍ଥିରତା ଜନିତ ଅନ୍ୟତମ ମୁଖ୍ୟ ଆହ୍ୱାନକୁ ମୁକାବିଲା କରିପାରିଲେ ବିଶ୍ୱ ଦରବାରରେ ଆମ ଦେଶର ଛବି ଆହୁରି ଦୃଢ଼ ହୋଇପାରିବ।

୨୪ ଫେବୃଆରୀ, ୨୦୨୨ରେ ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହାପଛର କାରଣ ଥିଲା ଯେ ୟୁକ୍ରେନ ଆମେରିକାର ନିକଟତର ହେଉଥିଲା ଏବଂ ନାଟୋ ମେଣ୍ଟରେ ଯୋଗଦେବାକୁ ଯୋଜନା କରୁଥିଲା। ଏହାଦ୍ୱାରା ରୁଷ୍ର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ରୁଷ ରାଷ୍ଟ୍ରପତି ପୁଟିନ୍ ଆଶଙ୍କା କରୁଥିଲେ। ଅନ୍ୟପକ୍ଷରେ ରୁଷ୍ର ଅତ୍ୟାଧୁନିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରର ମୁକାବିଲା କରିବା ପାଇଁ ୟୁକ୍ରେନ୍କୁ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ସାମରିକ ତଥା ଆର୍ଥିକ ସହାୟତା ଓ ସମର୍ଥନ ଯୋଗାଇ ଦେଇଥିଲେ। ଏହି ବିଦେଶୀ ସହାୟତା ହିଁ ରୁଷ-ୟୁକ୍ରେନ ଯୁଦ୍ଧ କୁ ଆହୁରି ତୀବ୍ର କଲା ଏବଂ ସାରା ବିଶ୍ୱକୁ ପ୍ରଭାବିତ କଲା। ଏହି ବିଶ୍ୱସ୍ତରୀୟ ଅଶାନ୍ତି ଓ ଅସ୍ଥିରତା ନ’ ଥମୁଣୁ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ତିନିପଟୁ ଆକ୍ରମଣ ପରେ ଇସ୍ରାଏଲ ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ବାଧ୍ୟ ହେଲା। ଏଥର ମଧ୍ୟ ହମାସ୍ ବିରୋଧରେ ଇସ୍ରାଏଲ୍କୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଦୃଢ଼ ସମର୍ଥନ ବିଶ୍ୱ ଅସ୍ଥିରତାକୁ ଆହୁରି ଉତ୍କଟ କଲା।

ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଥମ ପ୍ରଭାବ ୟୁକ୍ରେନର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମେଡିକାଲ କଲେଜ୍ରେ ପଢ଼଼ୁଥିବା ଶତାଧିକ ଭାରତୀୟ ଛାତ୍ରମାନଙ୍କ ଉପରେ ପଡ଼ିଥିଲା। ଯୁଦ୍ଧ ଆରମ୍ଭ ହେବା ପରେ ପରେ ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଥିଲା। ସେଠାରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ‘ଅପରେସନ୍ ଗଙ୍ଗା’ ଆରମ୍ଭ କରିଥିଲେ। ସ୍ୱତନ୍ତ୍ର ବିମାନ ଯୋଗେ ସବୁ ଭାରତୀୟ ନାଗରିକଙ୍କୁ ଭାରତ ଅଣାଗଲା। ଏହା ଫଳରେ ଆମର ଯୁବ ଡାକ୍ତରୀ ଛାତ୍ରମାନେ ସେମାନଙ୍କ କ୍ୟାରିୟର ପାଇଁ ଏକ କଠିନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସର ଉଦ୍ୟମ ଯୋଗୁଁ ଉଜବେକିସ୍ତାନର ସମରକନ୍ଦ ଷ୍ଟେଟ ମେଡିକାଲ ୟୁନିଭରସିଟି କର୍ତ୍ତୃପକ୍ଷ ୟୁକ୍ରେନ୍ରେ ପଢ଼଼ୁଥିବା ୧୦୦୦ ରୁ ଅଧିକ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପଢ଼଼ିବା ପାଇଁ ବନ୍ଦୋବସ୍ତ କରିଦେଇଥିଲେ। ଭାରତକୁ ଅଣାଯାଇଥିବା ଅନ୍ୟ ଛାତ୍ରମାନେ ସେମାନଙ୍କ ବାକି ପାଠପଢ଼଼ା ସମାପ୍ତ କରିବା ପାଇଁ ପୁଣି ୟୁକ୍ରେନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ଭାରତ ଏକ ନୈତିକ ଆଭିମୁଖ୍ୟ ଗ୍ରହଣ କରିଛି, ଯାହା ଯୁଦ୍ଧରେ ଲିପ୍ତ ଦୁଇଦେଶଙ୍କୁ ପାରସ୍ପରିକ ବୁଝାମଣା ମାଧ୍ୟମରେ ଯୁଦ୍ଧ ବନ୍ଦ କରି ବିବାଦର ଅବସାନ ଘଟାଇବାକୁ ପଦକ୍ଷେପ ନେବେ। ଏହାଦ୍ୱାରା ସେ ଅଞ୍ଚଳରେ ଶାନ୍ତି ବାହାଲ ହେବା ସହିତ ଭାରତ ସମେତ ସମୁଦାୟ ବିଶ୍ୱର ମଙ୍ଗଳସାଧିତ ହୋଇପାରିବ। ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ଚାପ ସତ୍ତ୍ବେ୍ ଭାରତର ପ୍ରଧାନମନ୍ତ୍ରୀ ରୁଷକୁ ସିଧା ସଳଖ ନିନ୍ଦା କରିନାହାନ୍ତି, ବରଂ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କରିଛନ୍ତି। ଅବଶ୍ୟ ରାଷ୍ଟ୍ରପତି ପୁତିନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ, ସାଂପ୍ରତିକ ସମୟ ଯୁଦ୍ଧ ପାଇଁ ଅନୁକୂଳ ନୁହେଁ ବୋଲି କହିଥିଲେ। ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀ ଦେଶମାନେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପରେ ପ୍ରତିଶୋଧ ଓ ପ୍ରତିକ୍ରିୟା ସ୍ୱରୂପ ରୁଷ ସେହିସବୁ ଦେଶଗୁଡ଼ିକୁ ଗ୍ୟାସ ଓ ତୈଳ ଯୋଗାଣ ବନ୍ଦ କରିଦେଇଛି। ଆମେରିକା ଓ ତାହାର ମିତ୍ରରାଷ୍ଟ୍ରମାନଙ୍କ ଏପରି ଅର୍ଥନୈତିକ ପ୍ରତିବନ୍ଧକ ପ୍ରଭାବରୁ ନିଜ ଦେଶର ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ରୁଷ ରିହାତି ଦରରେ ଅଶୋଧିତ ତୈଳ ବିକ୍ରି କରିବା ଆରମ୍ଭ କରିଛି। ପାଶ୍ଚାତ୍ୟ ବିଶ୍ୱର ବାରଣ ସତ୍ତ୍ବେ ଭାରତ ରୁଷ୍ଠାରୁ ରିହାତି ଦରରେ ତେଲ କିଣୁଛି। ଏହାଦ୍ୱାରା ରୁଷ ସହିତ ଭାରତ ଅର୍ଥନୈତିକ ଓ କୂଟନୈତିକ ସମ୍ପର୍କ ବଜାୟ ରଖି ପାରିଛି। ଜାତିସଂଘ ରେ ରୁଷ ବିରୋଧରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଭୋଟ ଦେଇ ଭାରତ ତା’ର କୂଟନୈତିକ ପରିପକ୍ୱତାର ପ୍ରମାଣ ମଧ୍ୟ ଦେଇଛି। ମୋଟ ଉପରେ କହିବାକୁ ଗଲେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭାରତ ଓ ରୁଷକୁ ଅଧିକ ନିକଟତର କରିପାରିଛି ବୋଲି କୁଟନୈତିକ ସମୀକ୍ଷକମାନେ କହୁଛନ୍ତି।

ଏହା କିନ୍ତୁ ଅସ୍ୱୀକାର କରିହେବ ନାହିଁ ଯେ ରୁଷ- ୟୁକ୍ରେନ ଯୁଦ୍ଧର ପ୍ରଭାବ ଭାରତ ସମେତ ସାରା ବିଶ୍ୱରେ ବିଭିନ୍ନ ସ୍ତରରେ ଅନୁଭୂତ ହୋଇଛି। ଏହି ଯୁଦ୍ଧର ସବୁଠାରୁ ଦୁଃଖଦ ପରିଣାମ ହେଉଛି ଏବେ ବିଶ୍ୱ ଖାଦ୍ୟ ବଜାର ଗୁରୁତର ପ୍ରଭାବିତ ହୋଇଛି। ଉଭୟ ରୁଷ ଏବଂ ୟୁକ୍ରେନ ଦୁଇ ପ୍ରମୁଖ ଗହମ ରପ୍ତାନୀକାରୀ ରାଷ୍ଟ୍ର ହୋଇଥିବା ବେଳେ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଗହମର ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହେଲା। ଏହି ଖାଦ୍ୟଶସ୍ୟ ନିଅଣ୍ଟ ଆଶଙ୍କା ମୁଦ୍ରାସ୍ଫୀତିର ଆଶଙ୍କାକୁ ସୃଷ୍ଟି କଲା। କାରଣ ଆଗାମୀ ଦିନରେ ଗହମ ନ ମିଳିବା ଭୟରେ କ୍ରେତାମାନେ ଅଧିକରୁ ଅଧିକ ଗହମ ମହଜୁଦ କରିବାରେ ଲାଗିଲେ, ଯାହା ଗହମର ମୂଲ୍ୟକୁ ଉଚ୍ଚା କରିଦେଲା ଏବଂ ଲୋକେ ମଧ୍ୟ ଅଧିକ ଅର୍ଥ ଦେଇ ଗହମ କିଣିବାକୁ ବାଧ୍ୟ ହେଲେ। ୨୦୧୭-୨୧ରେ ଗହମର ହାରାହାରି ମୂଲ୍ୟ ଯାହା ଥଲା, ୨୦୨୨ ଫେବୃଆରୀ ୨୪ ବେଳକୁ ସେଥିରେ ୪୯% ବୃଦ୍ଧି ଘଟିସାରିଥିଲା। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବା ପରେ ସେଥିରେ ଆଉ ୩୦% ବୃଦ୍ଧି ଘଟିଲା।

ଭାରତରେ ସାଧାରଣ ଉପଭୋକ୍ତାମାନେ ଉଚ୍ଚା ଦରରେ ପେଟ୍ରୋଲ, ଡିଜେଲ, ପେଟ୍ରୋଲିୟମ ଜାତ ସାମଗ୍ରୀ ଓ ରନ୍ଧନ ଗ୍ୟାସ କିଣିବାକୁ ବାଧ୍ୟ ହେଲେ। ପରବର୍ତ୍ତୀ ସମୟରେ ଉଚ୍ଚା ଇନ୍ଧନ ମୂଲ୍ୟ ଯୋଗୁଁ ସାମଗ୍ରୀ ପରିବହନ ଓ ସେବା ଖର୍ଚ୍ଚ ମଧ୍ୟ ବଢ଼଼ିଲା। ଏହାର ପ୍ରଭାବରେ ଭାରତୀୟମାନେ ଖାଦ୍ୟ ସାମଗ୍ରୀ ଏବଂ ପନିପରିବା ସହିତ ଉପଭୋକ୍ତା ସାମଗ୍ରୀ ଏବଂ ସେବା ପାଇଁ ଅଧିକ ମୂଲ୍ୟ ଦେବାକୁ ବାଧ୍ୟ ହେଲେ। ଫଳରେ ମୁଦ୍ରାସ୍ଫୀତି ବଢ଼଼ିଚାଲିଲା। ଖାଦ୍ୟ ଶସ୍ୟର ମୂଲ୍ୟ ମଧ୍ୟ ସବୁଆଡ଼େ ବଢ଼଼ିବାରେ ଲାଗିଲା। ଅତ୍ୟାବଶ୍ୟକ ସାମଗ୍ରୀର ଏହି ମୂଲ୍ୟ ବୃଦ୍ଧି ଭାରତୀୟ ଜନସଂଖ୍ୟାର ଗରିବ ବର୍ଗଙ୍କ ଜୀବନ ଧାରଣ ଓ ଦୈନନ୍ଦିନ ଚଳଣିରେ ସମସ୍ୟା ସୃଷ୍ଟି କରିଛି। ମାର୍ଚ୍ଚ ୨୦୨୨ ରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ଧାର୍ଯ୍ୟ ହାର ୫% ରୁ ୬.୯୫%କୁ ବୃଦ୍ଧି ପାଇଥିଲା। ୨୦୨୦ ତୁଳନାରେ ଏହା ବହୁତ ଅଧିକ। ତେଣୁ ହୁଏତ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ମୁଦ୍ରାସ୍ଫୀତି ଲକ୍ଷ୍ୟ ସୀମାକୁ ୫.୩ ରୁ ୫.୭କୁ ବୃଦ୍ଧି କରିବାକୁ ପଡ଼ିପାରେ।

ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି। ମଧ୍ୟ ପ୍ରାଚ୍ୟର ଲୋହିତ ସାଗର ଏବେ ସାମୁଦ୍ରିକ ବାଣିଜ୍ୟ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। କାରଣ ଉଚ୍ଚ ପ୍ରଶିକ୍ଷିତ, ୟେମେନ ଭିତ୍ତିକ, ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଏକ ଦଳ “ହାଉଥି” ମାନେ ଏବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଇସ୍ରାଏଲ୍ର ବନ୍ଧୁ ରାଷ୍ଟ୍ରର ଜାହାଜଗୁଡ଼ିକୁ ଆକ୍ରମଣ କରୁଛି। ଏବେ ଯେଉଁଭଳି ଭାବରେ ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହେଉଛି ତାହାଦ୍ୱାରା ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ ଆହୁରି ଗୁରୁତର ପ୍ରଭାବିତ ହୋଇପାରେ। ଭାରତ ଆସୁଥିବା କେତେକ ପଣ୍ୟବାହି ଜାହାଜ ମଧ୍ୟ ନିକଟରେ ଏହିଭଳି ଆକ୍ରମଣର ଶିକାର ହୋଇଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏଭଳି ଜଳଦସ୍ୟୁମାନଙ୍କ ଦ୍ୱାରା ଅପହୃତ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତକୁ ନିଜର ଦକ୍ଷ ନୌସେନା ଅଧିକାରୀ ନିୟୋଜିତ କରିବାକୁ ପଡିଥିଲା। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେରିକା ଓ ଭାରତ ସମେତ ଅନେକ ଦେଶ ଲୋହିତ ସାଗର ଅଞ୍ଚଳରେ ସମ୍ମିଳିତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିକଟରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି।

ସେପଟେ ଯଦି ଆଗୁଆ ଆରବ ଦେଶଗୁଡ଼ିକ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ପ୍ରତ୍ୟକ୍ଷ ଯୋଗଦାନ କରନ୍ତି ତେବେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ତୈଳ ମୂଲ୍ୟ ବୃଦ୍ଧି ପାଇବା ନିଶ୍ଚିତ। ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ଏହାର ଗୁରୁତୁର ପ୍ରଭାବ ପଡ଼ିବ, କାରଣ ଭାରତ ଅଶୋଧିତ ତୈଳର ସର୍ବବୃହତ୍ ଆମଦାନୀକାରୀ। ଯଦିଓ ଭାରତରେ ଆମର ଜାତୀୟ ଅର୍ଥନୈତିକ ସ୍ଥିରତା ଅଛି, ଅଶୋଧିତ ତୈଳ ଯୋଗାଣରେ ବ୍ୟାଘାତ ଓ ମୂଲ୍ୟବୃଦ୍ଧି ଯୋଗୁଁ ଆମର ବହିର୍ବାଣିଜ୍ୟ ଅସୁରକ୍ଷିତ ମନେ ହେଉଛି। ଯଦି ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ ତେବେ ବିଶ୍ୱବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ଏହାର ପ୍ରଭାବରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ହେବ, ଯାହା ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ। ଯେହେତୁ ଭାରତ ଆମେରିକୀୟ ଡଲାର ମାଧ୍ୟମରେ ତୈଳ ଆମଦାନୀ ଦେୟ ପୈଠ କରୁଛି ତେଣୁ ଅଧିକ ତୈଳ ଖର୍ଚ୍ଚ ସହିତ ମୋଟ ଆମଦାନୀ ଖର୍ଚ୍ଚ ବୃଦ୍ଧି ହେବ, ଡଲାରର ଚାହିଦା ବଢ଼଼ିବ ଓ ଟଙ୍କା ମୂଲ୍ୟ କମିବ। ତେଣୁ ପ୍ରତ୍ୟେକ ରାଷ୍ଟ୍ରର ହିତରେ ଏହି ଯୁଦ୍ଧର ଭୂମିକା କେବଳ ନକାରାତ୍ମକ।

ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଏବେ ବିଶ୍ୱଶକ୍ତି ଭାବରେ ଭାରତର ଗୁରୁତ୍ୱକୁ ଉଭୟ ରୁଷ ଓ ଆମେରିକା ସ୍ୱୀକାର କରୁଛନ୍ତି। କୋଭିଡ୍ -୧୯ ମହାମାରୀ ସମେତ ବିଭିନ୍ନ ସଙ୍କଟ ସମୟରେ ଦୃଢ଼ ନେତୃତ୍ୱ ଆଜି ଭାରତକୁ ଏକ ବହୁମୁଖୀ ବିଶ୍ୱଶକ୍ତି ରୂପେ ପରିଚୟ ଦେଇଛି। ଭାରତ ଜି -୨୦ ଶିଖର ସମ୍ମିଳନୀ ର ସଫଳ ଆୟୋଜନ କରିବା ପରେ ଅନ୍ୟ ଦେଶମାନେ ଭାରତର ନିକଟତର ହେଉଛନ୍ତି। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା ପିପୁଲସ୍ ଡେଲି ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ଟାଇମ୍ସରେ ଜାନୁଆରୀ ୨୦୨୪ ର ପ୍ରଥମ ସପ୍ତାହରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ ବହୁ-ଧ୍ରୁବୀୟ ବିଶ୍ୱରେ ଭାରତ ଏକ ଉଦୀୟମାନ ଶକ୍ତି ଭାବେ ଉଭା ହୋଇ ସାରିଛି। ଆଜି ବିଶ୍ୱରେ ଭାରତ ଏକ ପ୍ରମୁଖ ଶକ୍ତି। ଆଭ୍ୟନ୍ତରୀଣ ତଥା ବାହ୍ୟ ରଣନୀତିରେ ଦ୍ରୁତ ପରିବର୍ତ୍ତନ ଯୋଗୁଁ ଆମ ଦେଶ ଏବେ ବିଶ୍ୱ ପ୍ରତିପକ୍ଷଙ୍କ ସାମ୍ନାରେ ଏକ ଆହ୍ୱାନ ସୃଷ୍ଟି କରିଛି। ଏବେ ଭାରତ ପୂର୍ବାପେକ୍ଷା ରୂପାନ୍ତରିତ, ଶକ୍ତିଶାଳୀ ଏବଂ ଅଧିକ ଦୃଢ଼ ଭାବରେ ପ୍ରତୀୟମାନ ହେଉଛି। ଭାରତ-ଚୀନ୍ ସମ୍ପର୍କ ବିଶେଷଜ୍ଞ ୱାଙ୍ଗ ଜିଆଡୋଙ୍ଗଙ୍କ ମତରେ ଭାରତ ବିଶ୍ୱରେ ଏବେ ଏକ ନୂଆ ଭୂ-ରାଜନୈତିକ ସମୀକରଣ ସୃଷ୍ଟି କରିଛି, ଯାହାକୁ ସମୁଦାୟ ବିଶ୍ୱ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛନ୍ତି।

ପ୍ରଫେସର ସୁଧାକର ପଣ୍ଡା
ଭୁବନେଶ୍ବର, ମୋ: ୯୪୩୮୩୯୬୯୮୬

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର