ଅର୍ଥରୁ ଅନର୍ଥ

The Sakala Picture
Published On

ଆମେମାନେ ହାଇସ୍କୁଲ ଶ୍ରେଣୀରେ ବାବାଜୀ ମିଶ୍ରଙ୍କ ‘ବେକାର’ ଗଳ୍ପ ଅଧ୍ୟୟନ କରିଥିଲୁ। ସେଥିରେ ଥିବା ଏଇ ଉକ୍ତିଟି ଆଜିଯାଏ ମନେ ଅଛି। ତାହା ହେଉଛି – ‘ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ, ପଇସା କ୍ୟା ନକରେ କାମ?’ ଜୀବନରେ ଅର୍ଥ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ବର୍ଣ୍ଣନା କରିବାକୁ ଯାଇ ଏଇ ଶ୍ଳେଷପୂର୍ଣ୍ଣ କଥାଟି ଅବତାରଣା କରିଥିଲେ ଗାଳ୍ପିକ। ପଇସା ନଥିଲାବେଳେ ଯେଉଁ ଲୋକଟି ‘ପରଶୁ’ ବୋଲି ଡକା ହେଉଥାଏ, ପଇସା ପାଖରେ ହେଲେ ସେ […]

ଆମେମାନେ ହାଇସ୍କୁଲ ଶ୍ରେଣୀରେ ବାବାଜୀ ମିଶ୍ରଙ୍କ ‘ବେକାର’ ଗଳ୍ପ ଅଧ୍ୟୟନ କରିଥିଲୁ। ସେଥିରେ ଥିବା ଏଇ ଉକ୍ତିଟି ଆଜିଯାଏ ମନେ ଅଛି। ତାହା ହେଉଛି – ‘ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ, ପଇସା କ୍ୟା ନକରେ କାମ?’ ଜୀବନରେ ଅର୍ଥ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ବର୍ଣ୍ଣନା କରିବାକୁ ଯାଇ ଏଇ ଶ୍ଳେଷପୂର୍ଣ୍ଣ କଥାଟି ଅବତାରଣା କରିଥିଲେ ଗାଳ୍ପିକ। ପଇସା ନଥିଲାବେଳେ ଯେଉଁ ଲୋକଟି ‘ପରଶୁ’ ବୋଲି ଡକା ହେଉଥାଏ, ପଇସା ପାଖରେ ହେଲେ ସେ ପାଲଟିଯାନ୍ତି ପର୍ଶୁରାମ ବାବୁ।

ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ। ଏହିଭଳି ଶତସହସ୍ର ଉଦାହରଣ ବି ଆପଣଙ୍କ ସାମ୍ନାରେ ଥିବ। ଆର୍ଥିକ ଅନଟନ ହେଲେ ପରିସ୍ଥିତି କିପରି ବଦଳିଯାଏ ତା’ର ମଧ୍ୟ ଏକ ଚିତ୍ର ସେଇ ଗଳ୍ପରେ ପ୍ରତିଫଳିତ ହୋଇଛି ଗୋଟିଏ ଶ୍ଳେଷାତ୍ମକ ଶ୍ଳୋକ ମାଧ୍ୟମରେ। ସେଥିରେ କୁହାଯାଇଛି – ଆର୍ଥିକ ଦାରିଦ୍ର୍ୟ ଘୋଟିଲେ ପୁଅକୁ ମାଆ ମଧ୍ୟ ନିନ୍ଦା କରନ୍ତି, ପିତା କେବେ ସରାଗରେ ଦିପଦ କଥା ହେବାକୁ ଚାହାନ୍ତି ନାହିଁ, ଭାଇ ବି ମୁହଁକୁ ଅନାଏ ନାହିଁ, ଆଜ୍ଞାକାରୀ ଭୃତ୍ୟ ମଧ୍ୟ ସବୁ କଥାରେ ଅରାଜି ହୁଏ, କୁନ୍ଥୁ କୁନ୍ଥୁ ହୁଏ, ପୁଅ କଥା ମାନେନି, ଏପରିକି ସ୍ତ୍ରୀ ସୋହାଗ ପାଲଟେ ସାତ ସପନ। କାଳେ ଦେଖାହେଲେ ପଇସା ମାଗିଦେବ କି ଏଇ ଆଶଙ୍କାରେ ବନ୍ଧୁ ବି ଦୂରରୁ ବାଟ କାଟେ। ଯଦି ଏପରି ପରିସ୍ଥିତିରୁ ମୁକ୍ତି ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ରୋଜଗାର କରିବାକୁ ପଡ଼ିବ ଅର୍ଥ। କାରଣ ସମଗ୍ର ପୃଥିବୀ ହିଁ ଅର୍ଥରେ ବଶ!

ଅର୍ଥହୀନ ମଣିଷ ଦରିଦ୍ର ଭାବରେ ଗଣ୍ୟ ହୁଏ ଏବଂ ଅନ୍ୟର ଦୟାର ପାତ୍ର ହୁଏ। ସେଥିପାଇଁ ପ୍ରାଚୀନ କାଳରେ ଶିବଙ୍କ ନିକଟରେ ଯେଉଁ ପ୍ରାର୍ଥନା ମାନ କରାଯାଉଥିଲା, ତନ୍ମଧ୍ୟରେ ଗୋଟିଏ ବିଶେଷ ପଂକ୍ତି ଥିଲା – ‘ଦାରିଦ୍ର୍ୟ ଦୁଃଖ ଦହନାୟ – ନମଃ ଶିବାୟ’। ଯେତେବେଳେ ମଣିଷ ତା’ର ମୌଳିକ ଆବଶ୍ୟକତା ପୂରଣ କରିପାରେ ନାହିଁ, ସେତେବେଳର ଅବସ୍ଥାକୁ ଗୋଟିଏ ଶବ୍ଦରେ କୁହାଯାଇପାରିବ ‘ଦାରିଦ୍ର୍ୟ’। ଦାରିଦ୍ର୍ୟରୁ ନିଜକୁ ମୁକୁଳେଇବା ପାଇଁ ମଣିଷ ବାହାରେ ଅର୍ଥର ସନ୍ଧାନରେ। ସେଥିପାଇଁ କାହିଁ କେତେ ବାଟ ପଡ଼ିଛି। ନିଜର ଶିକ୍ଷା, ଯୋଗ୍ୟତା ଓ କୌଶଳଗତ ଉପଲବ୍‌‌ଧି, ସାମାଜିକ ସ୍ଥିତି ଅନୁସାରେ ସେ ନିଜ ପାଇଁ କିଛି କାମ ଖୋଜେ। ହେଲେ କେଉଁ କାମ ଅଧିକ ଲାଭପ୍ରଦ, ତାହା ମଧ୍ୟ ଆମର ପୂର୍ବପୁରୁଷମାନେ ଲକ୍ଷ୍ୟ କରି କରି କହିଦେଇଥିଲେ –

ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦର୍ଦ୍ଧଂ କୃଷିକର୍ମଣୀ / ତଦର୍ଦ୍ଧଂ ରାଜସେବାୟା, ଭିକ୍ଷାଂ ନୈବଚ ନୈବଚ। ଅର୍ଥାତ୍‌‌ ସବୁଠୁ ବେଶି ରୋଜଗାର ବେପାର ବଣିଜରେ। ଆଉ ତା’ର ଅଧାଅଧି ଚାଷବାସରୁ। ସେଥିରୁ ଆହୁରି ଅଧା ହେଉଛି ରାଜକୀୟ ସେବାରେ। ମାତ୍ର ଭିକ୍ଷା ମାଗିବା ସବୁଠୁ ନିକୃଷ୍ଟ। ଏହି ଅବସ୍ଥା ଆଜିକାଲି କେତେ ସତ ସେକଥା ଆପଣମାନେ ନିଜେ ଚିନ୍ତା କରିପାରନ୍ତି। ଏକ କୃଷିଭିତ୍ତିକ ସଭ୍ୟତା ଥିଲା ବେଳେ ଏପରି ଶ୍ରେଣୀକରଣ କରାଯାଇଥିଲା। ସେବା କେବଳ ରାଜକୀୟ ନ ହୋଇ ବହୁବିଧ ହୋଇପାରିବ, ସେକଥା ସେତେବେଳେ ଚିନ୍ତା କରାଯାଇ ନଥିଲା। ଆଉ ଯିଏ କୌଶଳରେ ଭିକ୍ଷା କରିପାରିଲା ସେ ଆଜି ସମାଜର ବହୁ ଉଚ୍ଚରେ!

ଏପରି କେହି ସାଧାରଣ ବ୍ୟକ୍ତ ନାହାନ୍ତି ଯିଏ କି ସମାଜରେ ଅର୍ଥର ଆବଶ୍ୟକତା ନାହିଁ ବୋଲି କହିବେ। ଅର୍ଥ ଅଧିକ ରୋଜଗାର କଲେ ଗୋଟିଏ ଅଦ୍ଭୁତ ଅବସ୍ଥା ମଣିଷକୁ ଆକ୍ରାନ୍ତ କରେ। ତାହା ହେଲା ଲୋଭ। ଏଇ ଲୋଭ ଅନେକ ସମୟରେ ବିଦକୁ ଡାକେ। କେବଳ ସେତିକି ନୁହେଁ, ଯେତେବେଳେ ଜଣକର ଆୟ ବଢ଼଼ି ବଢ଼଼ି ଯାଏ, ତା’ର ଆବଶ୍ୟକତା ସମାନୁପାତିକଠାରୁ ଅଧିକ ବେଗରେ ବଢ଼େ। ତେଣୁ ଦୁନିଆ ଟା ଯାକର ସମ୍ପତ୍ତି ଉପରେ ଆଖି ପକାଏ। ସବୁକୁ ଆହରଣ କରିବାରେ ପ୍ରବୃତ୍ତ ହୁଏ୧ ହେଲେ ଦୁନିଆ ଛାଡ଼ିବା ବେଳେ ସେଥିରୁ କାଣିଚାଏ ବି ନେଇଯାଇ ପାରେନା।
ଜୀବନର ଲକ୍ଷ୍ୟ ଚତୁଃବର୍ଗ ଫଳ ପ୍ରାପ୍ତି ବୋଲି ପ୍ରାଚୀନ କାଳରେ ଭାରତବର୍ଷର ମନୀଷୀମାନେ କହିଥିଲେ। ସେଥିରେ ଥିଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ। ଏହି ଚାରିଟି ଭିତରୁ ଅର୍ଥ ଓ କାମ ପରସ୍ପର ପରିପୂରକ। ଗୋଟିଏ ବିକଶିତ ହୋଇ ଅନ୍ୟଟିକୁ ଟାଣେ। ହେଲେ ଜୀବନ ଅନୈତିକ ହେଲେ ଧର୍ମ ଓ ମୋକ୍ଷ ଦୂରେଇ ଯାଆନ୍ତି। ମାତ୍ର ମଣିଷ ଜୀବନକୁ ମାର୍ମିକ ଭାବରେ ପରିପୂର୍ଣ୍ଣ କରିବାକୁ ଏଇ ଦୁଇଟିର ଯୋଗଦାନ ଅଧିକ। ସେ ଦୁଇଟିର ଅନୁପସ୍ଥିତିରେ ଜୀବନ ବାହାରକୁ ସଫଳ ଜଣାଯାଉଥିଲେ ବି ଭିତରେ ଭାରି ନିରସ ଲାଗେ। ସବୁଥାଇ କିଛି ନଥିବାର ଯନ୍ତ୍ରଣାର ଅନ୍ତର୍ଦାହ ଭୋଗ କରିବାକୁ ହୁଏ।

ଅର୍ଥ ଅନର୍ଥର କାରଣ ବୋଲି ଆମେ ଅନେକ ସମୟରେ ପଢ଼଼ୁ। ଏହା କେତେ ସତ, ଆପଣ ନିଜେ ମନେ ମନେ ଭାବନ୍ତୁୁ। ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା – ଅର୍ଥର ଆତିଶଯ୍ୟ କୁଆଡ଼େ ମଣିଷ ପଣିଆକୁ ପାଣିଚିଆ କରିଦିଏ। ଯଦି ଏହା ସତ, ତା’ ହେଲେ ତ ଭାରି ଅଡ଼ୁଆ କଥା। ପଇସା ବଢ଼଼ିବା ସଙ୍ଗେ ସଙ୍ଗେ ମଣିଷର ଅହଙ୍କାର ବଢ଼େ, ଔଦ୍ଧତ୍ୟ ସୀମା ଟପେ, ବନ୍ଧୁତା କରିବାକୁ ମଣିଷ ଆଉ ବ୍ୟାକୁଳ ହୁଏନା। ନିଜକୁ ସ୍ୱତନ୍ତ୍ର ଭାବରେ ଉପସ୍ଥାପନ କରିବାକୁ ବ୍ୟଗ୍ର ହୁଏ। ପାରିବାରିକ ବନ୍ଧନ ଶିଥିଳ ହୋଇଯାଏ। ବାହ୍ୟ ଆଡ଼ମ୍ବର ଔଜ୍ଜ୍ୱଲ୍ୟ ଓ ବିଜ୍ଞାପନର ବିପଣୀ ଭତରେ ସମୟ କଟିଯାଏ। ଭ୍ରମ ଦୂର ହେଲା ବେଳକୁ ସେ ପାଲଟି ଯାଇଥାଏ ନିହାତି ଏକୁଟିଆ।

ଏବେ ମୂଳ ପ୍ରସଙ୍ଗକୁ ଫେରିବା। ପଇସା କ’ଣ କରିପାରେ ତାହା ଆମେ ନିଜ ଆଖି ଆଗରେ ସବୁଦିନ ଦେଖୁଛନ୍ତି। ଭଲ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପରିଧାନ, ପରିବେଶ ସବୁଠି ପଇସାର ଆବଶ୍ୟକତା। ମାତ୍ର ଆପଣଙ୍କ ପାଖରେ ଯେତେ ଟଙ୍କା ଥିଲେ ବି ଆପଣ କ’ଣ ଶୈଶବର ସରଳତାକୁ ଫେରି ପାଇ ପାରିବେ? ପଇସା ଖର୍ଚ୍ଚ କରି ଆପଣ ଚମତ୍କାର ବିଛଣା କିଣି ପାରିବେ; ମାତ୍ର ଆପଣଙ୍କୁ ଭଲ ନିଦ ହେବ ବୋଲି ଗ୍ୟାରେଣ୍ଟି ଅଛି କି? ଆପଣ କହିବେ ନିଜ ଔଷଧ ପାଇଁ ଆଉ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼ିଲେ ପରବାୟ କ’ଣ? କିଛିଦିନ ଗଲେ ସେ ଔଷଧ କାମ ଦେବ ନାହିଁ। ସେତେବେଳେ କ’ଣ କରିବେ? ଅର୍ଥ ଦେଇ ଆପଣ ଚାକିରିଆ ରଖିପାରିବେ; ମାତ୍ର ତା’ର ଆନୁଗତ୍ୟ ନୁହେଁ। ଅର୍ଥ ପ୍ରଦାନ କରି ଆପଣ ଡାକ୍ତରଙ୍କୁ ନିଯୁକ୍ତି କରିପାରିବେ; ମାତ୍ର ସେ ସିନା ଉପଚାର କରିବେ। କିନ୍ତୁ ଉପଶମ ପାଇଁ କେଉଁ ଅଜଣା ଆକାଶର ଇସାରାକୁ ଅପେକ୍ଷା କରିବାକୁ ହେବ। ଆପଣଙ୍କ ଆଗରେ ଅନେକ ଉଦାହରଣ ଏମିତି, ଯେଉଁଠି ଅର୍ଥରେ ସମସ୍ତ ବଶ ନୁହନ୍ତି। ପ୍ରକୃତିକୁ କ’ଣ ଅର୍ଥ ଦେଇ ବଶ କରାଯାଇପାରିବ ନା ଅର୍ଥ ବିନିମୟରେ ମୃତ୍ୟୁକୁ ଜିତାଯାଇପାରିବ? ଗତ କୋଭିଡ୍‌‌ ମହାମାରୀ ବେଳେ ପ୍ରମାଣିତ ହୋଇଗଲା ଯେ ରାଶି ରାଶି ଅର୍ଥ ବିନିମୟରେ ଜୀବନ ବଞ୍ଚାଇ ହୁଏନି।

ମନେ ପଡ଼ିଯାଉଛି ମନୋଜ ଦାସଙ୍କ ଜୀବନର ଏକ କାହାଣୀ, ଯାହାକି ତାଙ୍କର ଅଗ୍ରଜ ଐତିହାସିକ ମନ୍ମଥ ନାଥ ଦାସଙ୍କ ଦ୍ୱାରା ବର୍ଣ୍ଣିତ ରସାଳ ଢଙ୍ଗରେ। ମନୋଜ ବାବୁଙ୍କୁ ବୟସ କିଛି ମାସ ହୋଇଥାଏ। ତାଙ୍କର ନାମ ପ୍ରକରଣ ଉତ୍ସବରେ ଥାଏ କିଛି ଭିଡ଼। ଟିକି ଛୁଆଟିକୁ ଶୁଆଇ ଦିଆଯାଇଥାଏ ଗୋଟିଏ ଥାଳି ଉପରେ ଲୁଗାଟିଏ ରଖି। ତାଙ୍କର ପିତା ଉପସ୍ଥିତ ବ୍ରାହ୍ମଣଙ୍କୁ ପ୍ରଶ୍ନ କଲେ ଶିଶୁୁତ୍ରର ହସ୍ତରେଖା ଦେଖି ତା’ର ଭବିଷ୍ୟତ କହିବା ପାଇଁ। ତା’କୁ ଦେଖି ହସିଦେଲେ ବ୍ରାହ୍ମଣ ମହାଶୟ ଓ କହିଲେ, ଭାବୁଛନ୍ତି କି ଏହି ଶିଶୁପୁତ୍ର ଖୋଲା ହାତରେ ସବୁ ଖର୍ଚ୍ଚ କରି ନିଃସ୍ୱ ନିର୍ଦ୍ଧନ ପାଲଟିଯିବ? ମୋର ଧାରଣା ତା’ ପାଇଁ ଅର୍ଥ ହେବ ତୁଚ୍ଛ, ସେ ପରମାର୍ଥ ବାଣ୍ଟିବ। ମନୋଜ ଦାସଙ୍କୁ ତ ଆପଣ ଜାଣନ୍ତି! ଅର୍ଥ ସହିତ ପରମାର୍ଥ ମିଶିଲେ ଜୀବନ ପାଲଟି ଯାଏ ମହାନ। ସେମିତି ଜୀବନଟିଏ ସମସ୍ତଙ୍କର କାମନା ହୁଅନ୍ତା ସିନା! ନିରଞ୍ଜନ ସାହୁ ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର