ମଣିଷପଣିଆର କଷଟି

The Sakala Picture
Published On

ସୁପ୍ରସିଦ୍ଧ ଦାର୍ଶନିକ ଆରିଷ୍ଟୋଟଲ ମନୁଷ୍ୟର ସଂଜ୍ଞା ଦେଇ କହିଛନ୍ତି, ‘ଏମାନେ ହେଉଛନ୍ତି ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ। ଅନେକ ଅନୁଧ୍ୟାନ ଓ ଅନୁଶୀଳନ ପରେ ସେ ଏକଥା କହିଛନ୍ତି। ମନୁଷ୍ୟ ବିଶ୍ୱର ଶ୍ରେଷ୍ଠତମ ଜୀବ। ଏଇଥିପାଇଁ ଶ୍ରେଷ୍ଠ, ଯେହେତୁ ତା’ ନିକଟରେ ବିଚାରବୁଦ୍ଧିସମ୍ପନ୍ନ ଗୁଣ ରହିଛି। ସେ ଯାହା କରେ ବୁଝିବିଚାରି କରେ। ଏଗୁଣ ତା’ର ଅନ୍ତର୍ନିହିତ। ପ୍ରତ୍ୟେକ କ୍ଷେତ୍ରରେ ଯେକୌଣସି ପରିସ୍ଥିତିରେ ତା’ର ଏଗୁଣ ପ୍ରତିକ୍ରିୟାଶୀଳ ହୁଏ। ପ୍ରତ୍ୟେକ ସିଦ୍ଧାନ୍ତ ମୂଳରେ ଏହି ଗୁଣ କାମ କରେ। ବିଚାରବୁଦ୍ଧି […]

ସୁପ୍ରସିଦ୍ଧ ଦାର୍ଶନିକ ଆରିଷ୍ଟୋଟଲ ମନୁଷ୍ୟର ସଂଜ୍ଞା ଦେଇ କହିଛନ୍ତି, ‘ଏମାନେ ହେଉଛନ୍ତି ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ। ଅନେକ ଅନୁଧ୍ୟାନ ଓ ଅନୁଶୀଳନ ପରେ ସେ ଏକଥା କହିଛନ୍ତି। ମନୁଷ୍ୟ ବିଶ୍ୱର ଶ୍ରେଷ୍ଠତମ ଜୀବ। ଏଇଥିପାଇଁ ଶ୍ରେଷ୍ଠ, ଯେହେତୁ ତା’ ନିକଟରେ ବିଚାରବୁଦ୍ଧିସମ୍ପନ୍ନ ଗୁଣ ରହିଛି। ସେ ଯାହା କରେ ବୁଝିବିଚାରି କରେ। ଏଗୁଣ ତା’ର ଅନ୍ତର୍ନିହିତ। ପ୍ରତ୍ୟେକ କ୍ଷେତ୍ରରେ ଯେକୌଣସି ପରିସ୍ଥିତିରେ ତା’ର ଏଗୁଣ ପ୍ରତିକ୍ରିୟାଶୀଳ ହୁଏ। ପ୍ରତ୍ୟେକ ସିଦ୍ଧାନ୍ତ ମୂଳରେ ଏହି ଗୁଣ କାମ କରେ। ବିଚାରବୁଦ୍ଧି ଗୁଣରୁ ତର୍କକ୍ଷମ ହେବା, କାରଣୀକତା ସମ୍ୱନ୍ଧରେ ଅବଗତ ହେବା, ବୈଜ୍ଞାନିକ ଅନୁସନ୍ଧାନର ବଶବର୍ତ୍ତୀ ହେବା ପ୍ରଭୃତି ଅନ୍ୟାନ୍ୟ ମାନବୀୟ ଗୁଣ ନିସୃତ ହୁଏ। ଏହା ଏପରି ଏକ ଗୁଣ, ଯାହା ଭଲମନ୍ଦ, ଉଚିତ୍‌‌ଅନୁଚିତ୍‌‌, ଘଟଣାପ୍ରବାହରୁ ଭବିଷ୍ୟତ କାର୍ଯ୍ୟ ଇତ୍ୟାଦିର ସୂଚନା ପ୍ରଦାନ କରେ। କେବଳ ସେତିକି ନୁହେଁ, ଏହା ସହିତ ସୃଜନଶୀଳତା, ସୁନ୍ଦରତାର ଭାବନା, ନୈତିକତାର ଓ ମାନବିକତାର ଚେତନା ମଧ୍ୟ ଜାଗ୍ରତ ହୁଏ। ଏହି ଗୁଣ ଯୋଗୁଁ ସେ ନିଜକୁ ଅନ୍ୟାନ୍ୟ ପ୍ରାଣୀଠାରୁ ପୃଥକ କରେ ଓ ନିଜର ଶ୍ରେଷ୍ଠତାକୁ ସ୍ଥାପନ କରେ।

ଭାରତୀୟ ଦର୍ଶନରେ ପାଖାପାଖି ସମାନ ଅର୍ଥରେ ଏହାକୁ ବୁଦ୍ଧିବିବେକ, ଅନ୍ତର୍ନିହିତ ଚେତନା ଓ ଅନ୍ତର୍ଦୃଷ୍ଟି ଭାବେ ଉଲ୍ଲେଖ କରାଯାଇଛି। ପ୍ରାଚ୍ୟ ହେଉ କି ପାଶ୍ଚାତ୍ୟ, ସମସ୍ତ କ୍ଷେତ୍ରରେ ମନୁଷ୍ୟର ବୌଦ୍ଧିକତାର ପ୍ରୟୋଗ ସାଧାରଣ ବିଷୟ। ତେବେ ସମସ୍ତେ ସମାନଭାବେ ବିଚାରବୁଦ୍ଧିସମ୍ପନ୍ନ ଓ ସମସ୍ତେ ସମାନଭାବେ ବୁଦ୍ଧିବିବେକର ପ୍ରୟୋଗ କରନ୍ତି ବୋଲି କହିବା ଭୁଲ। ଏଥିରେ ପ୍ରଭେଦ ରହିଛି।

ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ଏ ଗୁଣ ପ୍ରଖର ଥିଲା। ତେଣୁ ସେ ବିବେକ+ଆନନ୍ଦ ହୋଇଗଲେ। ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଚେତନା ଯେତେ ଅଧିକ ଜାଗ୍ରତ ହୋଇଥାଏ ସେମାନେ ସେତେ ବିଚାରବୁଦ୍ଧି ସମ୍ପନ୍ନ ହୋଇଥା’ନ୍ତି। ଅଭ୍ୟାସ ବଳରେ ଏହି ଚେତନାକୁ ଅଧିକ ଜାଗ୍ରତ ଓ ପ୍ରଖର କରାଯାଇ ପାରେ। ଯୋଗୀମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଦିଏ। ନିର୍ବୋଧମାନଙ୍କ କ୍ଷେତ୍ରରେ ଏହା ନିମ୍ନ ସ୍ତରରେ ଥାଏ। ଯୋଗୀମାନେ ବିଭିନ୍ନ ପ୍ରକାର ଘଟଣା ପ୍ରବାହକୁ ଗଭୀରଭାବେ ଅନୁଧ୍ୟାନ କରି କାର୍ଯ୍ୟ-କାରଣ ନିୟମର ଅନୁସରଣରେ ଭବିଷ୍ୟତରେ କ’ଣ ହେବାକୁ ଯାଉଛି, ତାହାର ପୂର୍ବ ସୂଚନା ଦେଇପାରନ୍ତି। ତେଣୁ ଏ ଦକ୍ଷତା କୌଣସି ଐଶ୍ୱରିକ ଆଶୀର୍ବାଦ ଯୋଗୁଁ ନୁହେଁ, ବରଂ ନିଜସ୍ୱ ବିଚାରବୁଦ୍ଧିର ପ୍ରୟୋଗରେ ଓ ଅଭ୍ୟାସ ବଳରେ ପ୍ରାପ୍ତ ହୋଇଥାଏ।

କମ୍ପୁଟର୍‌‌ ହ୍ୟାଙ୍ଗ ହେବା ଭଳି ବେଳେବେଳେ ମନୁଷ୍ୟର ବିଚାରବୁଦ୍ଧି ସମ୍ପନ୍ନତାକୁ ମଧ୍ୟ ହ୍ୟାଙ୍ଗ ବା ଝୁଲାଇ ଦିଅଯାଇପାରେ। ଏପରି କ୍ଷେତ୍ରରେ ମନୁଷ୍ୟର ଏହି ଗୁଣ ଆଉ କାମ କରେ ନାହିଁ। ଭୁଲ ହେଲେବି ଅନ୍ୟର ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୁଏ। ସେ ହିତାହିତ ଜ୍ଞାନ ହରାଇ ବସେ। ଏପ୍ରକାର ଅବସ୍ଥା ଅତ୍ୟଧିକ ଉତ୍ତେଜନା ଓ ଉତ୍କଣ୍ଠା ସମୟରେ ଦେଖାଦିଏ। ଏହିପରି କ୍ଷେତ୍ରରେ ସେ ଭୁଲକରି ବସେ। ସେହିପରି ଅତ୍ୟଧିକ ଉତ୍କଣ୍ଠା ଯୋଗୁଁ କେତେକେ ଅସାମାଜିକ କାର୍ଯ୍ୟ କରିବାର ମଧ୍ୟ ଦେଖାଯାଏ। ତେଣୁ ମନୁଷ୍ୟର ବିଚାରବୁଦ୍ଧିସମ୍ପନ୍ନତା ଗୁଣ ସର୍ବଦା କ୍ରିୟାଶୀଳ ଥାଏ ବୋଲି କହିହେବ ନାହିଁ। ଯେତେବେଳେ ଏହି ମୌଳିକ ଗୁଣ ସୁପ୍ତ ଅବସ୍ଥାକୁ ଚାଲିଯାଏ, ସେତେବେଳେ ସେ ପଶୁ ତୁଲ୍ୟ ବ୍ୟବହାର ପ୍ରଦର୍ଶନ କରେ।

ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ କୁସଂସ୍କାର ବେଳେବେଳେ ମନୁଷ୍ୟର ଏ ମହନୀୟ ଗୁଣକୁ ପ୍ରତିକ୍ରିୟାଶୂନ୍ୟ କରିପକାଏ। ଏଗୁଡ଼ିକ ଠିକ୍‌‌ କି ଭୁଲ, ଉଚିତ୍‌‌ କି ଅନୁଚିତ୍‌‌, ସମାଜ ପାଇଁ ଲାଭଦାୟକ କି କ୍ଷତିକାରକ ଇତ୍ୟାଦିର ବିଚାର କରେ ନାହିଁ। ଯେଉଁମାନଙ୍କ ନିକଟରେ ବିଚାରବୁଦ୍ଧି ସମ୍ପନ୍ନତା ଗୁଣ ସକ୍ରିୟ ଥାଏ ସେମାନେ ଏଗୁଡ଼ିକୁ ବିରୋଧ କରିଥା’ନ୍ତି ଓ ଦୂରୀକରଣ ପାଇଁ ଚେଷ୍ଟା କରିଥା’ନ୍ତି। ଭାରତୀୟ ସମାଜରେ ଧର୍ମ ଅନୁମୋଦିତ ଜାତିବାଦୀ ସାମାଜିକ ବ୍ୟବସ୍ଥା ମଧ୍ୟ ଏ କ୍ଷେତ୍ରରେ କମ୍‌‌ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ସଂସ୍କୃତି ଓ ପରମ୍ପରା ଆଳରେ ମନୁଷ୍ୟର ବିଚାରବୁଦ୍ଧି ଗୋଟିଏ କୋଠରିରେ ବନ୍ଦ ହୋଇଯାଏ। ଯେଉଁମାନେ ନିଜସ୍ୱ ବିଚାରବୁଦ୍ଧିର ପ୍ରୟୋଗରେ ନୂତନ ଦିଗଦର୍ଶନ ଦିଅନ୍ତି ସେମାନଙ୍କୁ ଧର୍ମଦ୍ରୋହୀ ଆଖ୍ୟା ଦିଆଯାଏ। ଜାତିବାଦ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖାଦିଏ। ଏହା ଯେ ଏକ ଭ୍ରାନ୍ତ ବ୍ୟବସ୍ଥା ଏବଂ ଏହାକୁ ଉଠାଇବା କଥା ଯେଉଁମାନେ କହନ୍ତି ସେମାନେ ସମାଜଦ୍ରୋହୀ ଭାବେ ବିବେଚିତ ହୁଅନ୍ତି।

ସାମାଜିକ ବିକାଶ ପାଇଁ ଆରିଷ୍ଟୋଟଲ ମନୁଷ୍ୟର ମୌଳିକତା ସମ୍ୱନ୍ଧୀୟ ଦେଇଥିବା ଉକ୍ତିର ଉପଲବ୍ଧି ଅତ୍ୟନ୍ତ ଜରୁରୀ। ମୁକ୍ତ ଚିନ୍ତନ ତା’ର ଅଧିକାର।

ଅଧ୍ୟାପକ ଗୋପବନ୍ଧୁ
ବାରିପଦା, ମୋ: ୭୦୦୮୯୭୬୧୮୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର