ଗାନ୍ଧିଜୀଙ୍କ ପୂର୍ଣ୍ଣ ସ୍ୱରାଜ ଓ ଆମ ସ୍ୱପ୍ନର ଭାରତ

The Sakala Picture
Published On

‘ଯେପରି ଗର୍ଭବତୀ ନାରୀଟିଏ ତା’ ପେଟରେ ବଢ଼ୁଥିବା ଶିଶୁ ପାଇଁ ନିଜର ଯତ୍ନ ନିଏ, ସେହିଭଳି ମୋ ଗର୍ଭରେ ସ୍ୱରାଜ ଥିବାରୁ ମୋତେ ନିଜର ଯତ୍ନ ନେବାକୁ ପଡୁଛି’- ଏ ବକ୍ତବ୍ୟ ହେଉଛି ୧୯୩୨ ମସିହାରେ ମହାତ୍ମା ଗାନ୍ଧୀଙ୍କର। ତାଙ୍କ ନାତୁଣୀ ମନୁବେନ୍‌‌ ଗାନ୍ଧୀ ପରବର୍ତ୍ତୀ ସମୟରେ ‘ବାପୁ ମୋ ମା’ ନାମରେ ଏକ ପୁସ୍ତକ ଲେଖିଥିଲେ। ମନୁବେନ୍‌‌ଙ୍କ ବହି ପ୍ରମାଣିତ କରେ ଗାନ୍ଧୀ କିଭଳି କେବଳ ଜାତିର ଜନକ ନୁହନ୍ତି ଜଣେ ଭଲ ମା’ ଭଳି […]

‘ଯେପରି ଗର୍ଭବତୀ ନାରୀଟିଏ ତା’ ପେଟରେ ବଢ଼ୁଥିବା ଶିଶୁ ପାଇଁ ନିଜର ଯତ୍ନ ନିଏ, ସେହିଭଳି ମୋ ଗର୍ଭରେ ସ୍ୱରାଜ ଥିବାରୁ ମୋତେ ନିଜର ଯତ୍ନ ନେବାକୁ ପଡୁଛି’- ଏ ବକ୍ତବ୍ୟ ହେଉଛି ୧୯୩୨ ମସିହାରେ ମହାତ୍ମା ଗାନ୍ଧୀଙ୍କର। ତାଙ୍କ ନାତୁଣୀ ମନୁବେନ୍‌‌ ଗାନ୍ଧୀ ପରବର୍ତ୍ତୀ ସମୟରେ ‘ବାପୁ ମୋ ମା’ ନାମରେ ଏକ ପୁସ୍ତକ ଲେଖିଥିଲେ। ମନୁବେନ୍‌‌ଙ୍କ ବହି ପ୍ରମାଣିତ କରେ ଗାନ୍ଧୀ କିଭଳି କେବଳ ଜାତିର ଜନକ ନୁହନ୍ତି ଜଣେ ଭଲ ମା’ ଭଳି ଦାୟିତ୍ୱ ନିର୍ବାହ କରୁଥିଲେ। ଏଠାରେ ଉଲ୍ଲେଖନୀୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଭିତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌‌ ଆଇଏନ୍‌‌ଏ ରେଡିଓରୁ ପ୍ରଥମେ ଗାନ୍ଧିଜୀଙ୍କୁ ସମ୍ବୋଧନ କରିଥିଲେ ‘ଜାତିର ଜନକ’ ଭାବେ। ନିକଟରେ ଅନୁଷ୍ଠିତ ଜି-୨୦ ବୈଠକର ଶୀର୍ଷନେତାମାନେ ଦିଲ୍ଲୀରେ ଗାନ୍ଧିଜୀଙ୍କ ସମାଧି ପୀଠକୁ ଖାଲି ପାଦରେ ଯାଇ ତାଙ୍କ ଅମ୍ଳାନ ବିଚାର ପ୍ରତି ଶ୍ରଦ୍ଧା ନିବେଦନ କରିବା ଘଟଣା ଏବେ ସମସ୍ତଙ୍କ ମନରେ ତାଜା ହୋଇ ରହିଛି। ଦେଶ ଭିତରେ ଓ ବାହାରେ ଗାନ୍ଧିଜୀ ହେଉଛନ୍ତି ଆମର ପରିଚୟ। ତାଙ୍କ ଜନ୍ମଦିନ ଅକ୍ଟୋବର ୨କୁ ଜାତିସଂଘର ନିଷ୍ପତ୍ତିକ୍ରମେ ସମଗ୍ର ବିଶ୍ୱ ‘ଅନ୍ତର୍ଜାତିକ ଅହିଂସା ଦିବସ’ ଭାବେ ପାଳନ କରିବା ଏବଂ ଭାରତରୁ ସେ ଯେଉଁ ବ୍ରିଟିଶ ଶାସନର ଅବସାନ ଘଟାଇଥିଲେ ସେହି ବ୍ରିଟିଶ ଜାତି ସେମାନଙ୍କ ସଂସଦ ଭବନ ସମ୍ମୁଖରେ ଗାନ୍ଧିଜୀଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କ ବିଚାର ନିକଟରେ ମଥାନତ କରିବା ନିଶ୍ଚିତ ଭାବେ ପ୍ରତିଟି ସ୍ୱାଭିମାନୀ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

ସ୍ୱରାଜ ଶିଶୁର ସମୃଦ୍ଧି ପାଇଁ ଗାନ୍ଧିଜୀଙ୍କର ଥିଲା ଅନେକ ପରିକଳ୍ପନା। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପୂର୍ବରୁ କଂଗ୍ରେସ ମଞ୍ଚରେ ଦାଦାଭାଇ ନରୋଜୀ ବାରମ୍ବାର ‘ସ୍ୱାଧୀନତା’ ପରିବର୍ତ୍ତେ ‘ସ୍ୱରାଜ’ ଶବ୍ଦର ବ୍ୟବହାର କରୁଥିଲେ। ଲୋକମାନ୍ୟ ବାଲ୍‌‌ ଗଙ୍ଗାଧର ତିଲକ ‘ସ୍ୱରାଜ’ ଶବ୍ଦକୁ ଲୋକପ୍ରିୟ କରାଇଲେ। ସେ ଘୋଷଣା କଲେ, ‘ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର, ମୁଁ ତାହା ନିଶ୍ଚୟ ହାସଲ କରିବି।’ ତିଲକଙ୍କର ଏହି ବାଣୀକୁ ଅନେକ ଶପଥ ଭାବେ ଗ୍ରହଣ କଲେ। ତିଲକଙ୍କର ଦେହାନ୍ତ ପରେ ଗାନ୍ଧୀ ସ୍ୱରାଜ ସଂଗ୍ରାମକୁ ନୂଆ ଦିଗ ଦେବା ପାଇଁ ତିଲକ ସ୍ୱରାଜ ପାଣ୍ଠି ଗଢ଼ିଲେ। ଦେଶସାରା ଲୋକେ ସେମାନଙ୍କ ଝାଳବୁହା ରୋଜଗାରରୁ ଏହି ପାଣ୍ଠି ପାଇଁ ଦାନ କଲେ।

ଅସହଯୋଗ ଆନ୍ଦୋଳନ ସମୟରେ ଅନେକ ପ୍ରଶ୍ନ କଲେ, ସ୍ୱରାଜ କ’ଣ ଓ ଏହା ହାସଲ କରାଗଲେ କ’ଣ ହେବ? ଗାନ୍ଧିଜୀ ସେତେବେଳେ ଏ ପ୍ରସଙ୍ଗରେ ସ୍ପଷ୍ଟ କରି କହିଲେ, ‘ସ୍ୱରାଜ ଏକ ପବିତ୍ର ବୈଦିକ ଶବ୍ଦ। ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା। ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ। ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ ହେଉଛି ସ୍ୱରାଜର ଅନ୍ୟ ନାମ। କେବଳ ବାଧା ବନ୍ଧନ କିମ୍ବା ବିଦେଶୀ ଶାସନରୁ ମୁକ୍ତିକୁ ସ୍ୱରାଜ କୁହାଯିବା ସମୀଚୀନ ନୁହେଁ। ଅଳ୍ପ କେତେକ ଲୋକଙ୍କ କ୍ଷମତାପ୍ରାପ୍ତି ବି ସ୍ୱରାଜ ନୁହେଁ। ବିଦେଶୀ ଶାସନର ଅପସାରଣ ପାଇଁ ସ୍ୱାଧୀନତା ହିଁ ଦରକାର। କିନ୍ତୁ ଭାରତରୁ ଇଂରେଜମାନେ ଚାଲିଗଲେ ଯେ ଆମେ ସ୍ୱାଧୀନ ହୋଇଗଲୁ ତାହା ଭାବିବା ଭୁଲ୍‌‌। ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଯେତେବେଳେ ପ୍ରତ୍ୟେକ ସ୍ୱାବଲମ୍ବୀ ଗ୍ରାମବାସୀ ବୁଝିବେ ଯେ ସେମାନେ ହେଉଛନ୍ତି ନିଜ ଭାଗ୍ୟ ନିୟନ୍ତା ଓ ଠିକଣା ପ୍ରତିନିଧି ବାଛି ନିଜେ ନିଜକୁ ଶାସନ କରିବା କ୍ଷେତ୍ରରେ ଯୋଗ୍ୟ, ସେତେବେଳେ ଯାଇ ସ୍ୱାଧୀନତା ଆସିବ। ଆଉ ଏଭଳି ସ୍ୱାଧୀନତାରେ ପ୍ରତ୍ୟେକ ଲୋକ ଅନୁଭବ କରିବେ, ‘ଆମ ଗାଁରେ ଆମେ ସରକାର, ଦିଲ୍ଲୀରେ ଆମ ସରକାର’। ସେ କହୁଥିଲେ ଯେ ସ୍ୱାଧୀନ ଭାରତର ସରକାର ହେବ ଜନସାଧାରଣଙ୍କ ମାଲିକାନାର ଏକ ଟ୍ରଷ୍ଟ ବୋର୍ଡ।

ସ୍ୱାଧୀନତା ସଂଗ୍ରାମ ସମୟରେ ସ୍ୱରାଜର ସଂଜ୍ଞା ନିରୂପଣ କରାଯାଇ କୁହାଯାଇଥିଲା ଯେ ସ୍ୱରାଜରେ ସାଧାରଣ ଲୋକଙ୍କ ହାତରେ ଶାସନର ଡୋରି ରହିବ ଏବଂ ସାର୍ବଭୌମତ୍ୱ, ପ୍ରତିରକ୍ଷା, ଆଇନ, ଆର୍ôଥକ ବ୍ୟବସ୍ଥା, ଆମଦାନୀ ଓ ରପ୍ତାନୀ ଆଦି ଉପରେ ରାଷ୍ଟ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଖାଦ୍ୟ, ବସ୍ତ୍ର ଓ ବାସଗୃହର ସମସ୍ୟା ନଥିବ। ନିଜ ଇଚ୍ଛା ବିରୁଦ୍ଧରେ ଜଣେ ହେଲେ ବି କେହି ଫୁଙ୍ଗୁଳା କିମ୍ବା ଭୋକିଲା ରହିବେ ନାହିଁ। ସ୍ୱାଧୀନ ଭାରତର ଲୋକେ ଏଭଳି ସୁରୁଚି ସମ୍ପନ୍ନ ହେବେ ଏବଂ ଏଠାକାର ଆଇନ୍‌‌ ଶୃଙ୍ଖଳା ବ୍ୟବସ୍ଥା ଏତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରିଆସିପାରିବ। ସ୍ୱରାଜ ହେବ ସର୍ବଧର୍ମ ସମନ୍ୱୟର ମଞ୍ଚ, ଏଠାରେ ଅସ୍ଫୃଶ୍ୟତା ବୋଲି କିଛି ରହିବ ନାହିଁ। ପ୍ରତ୍ୟେକ ଗାଁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହେବ। ଧନୀ ଦରିଦ୍ର୍ୟକୁ ଶୋଷଣ କରୁନଥିବ। ସ୍ୱାଧୀନ ଦେଶରେ ନିଶା ସମ୍ପୂର୍ଣ୍ଣ ଭାବେ ନିବାରିତ ହେବ। ନାରୀ ଓ ପୁରୁଷ ମଧ୍ୟରେ ସମାନ ଅଧିକାର ରହିବ। ପ୍ରତ୍ୟେକ ଲୋକଙ୍କ ପାଇଁ କାମ ଥିବ। ଦେଶର ସର୍ବୋଚ୍ଚ କର୍ତ୍ତା ଓ ସର୍ବନିମ୍ନ କର୍ମଚାରୀଙ୍କ ରୋଜଗାରରେ ଆକାଶ ପାତାଳ ଫରକ ରହିବ ନାହିଁ। ସବୁ ନାଗରିକ ଆଇନ୍‌‌ ମାନି ଚଳିବେ। ପୁଣି ଗାନ୍ଧିଜୀ କହିଲେ ଯେ ଦେଶର ୭ ଲକ୍ଷ ଗାଁ ହେବ ୭ ଲକ୍ଷ ରିପ୍ଲବିକ୍‌‌। ଭାରତର ଆତ୍ମା ଗାଁରେ ରହିଛି, ସହରର ଚାକଚକ୍ୟରେ ନୁହେଁ। ସ୍ୱରାଜରେ ଗାଁଗୁଡ଼ିକ ଏଭଳି ସ୍ୱାବଲମ୍ବୀ ହେବେ ଯେ ସେମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ନିଜ ଗାଁରେ ନିଜେ ଉତ୍ପାଦନ କରିବା ସହ ପଡ଼ୋଶୀ ଗାଁକୁ ଆବଶ୍ୟକ ସ୍ଥଳେ ସହାୟତା ଦେବେ। ମାଲି ମକଦ୍ଦମାରେ ନ ମାତି ମନୋମାଳିନ୍ୟ ଓ ବାଦବିବାଦ ଗାଁ ସ୍ତରରେ ହିଁ ତୁଟିବ। ଯଦି ସ୍ୱାଧୀନ ଭାରତରେ ଲୋକେ ଖାଇବାକୁ ନ ପାଇ ହା ଅନ୍ନ ଚିତ୍କାର କରିବେ, ଚିକିତ୍ସା ନ ପାଇ ମରିବେ, ପାଠ ପଢ଼଼ିବାର ସୁଯୋଗ ପାଇବେ ନାହିଁ, ପ୍ରତି ସବଳ ହାତକୁ କାମ ମିଳିବ ନାହିଁ, ଲୋକମାନଙ୍କ ଧନ ଜୀବନ ବିପନ୍ନ ହେବ, ମହିଳାମାନେ ସ୍ନେହ ସମ୍ମାନ ପାଇବା ପରିବର୍ତ୍ତେ ନିର୍ଯାତିତା ହେବେ, ତା’ ହେଲେ ସାଧାରଣ ଲୋକଙ୍କ ପାଇଁ ସ୍ୱାଧୀନତାର ଅର୍ଥ ମୂଲ୍ୟହୀନ ହେବ।

ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବେ ୧୯୪୭ ମସିହାରୁ ଆମେ ପାଳନ କରିଆସୁଛୁ। କିନ୍ତୁ ଏହାର ୧୭ ବର୍ଷ ପୂର୍ବରୁ ଜାନୁଆରୀ ୨୬କୁ ‘ପୂର୍ଣ୍ଣ ସ୍ୱରାଜ’ ଦିବସ ଭାବେ ୧୯୩୦ ମସିହାରେ ପ୍ରାକ୍‌‌ ସ୍ୱାଧୀନତା କାଳରେ ପାଳନ କରାଯାଉଥିଲା। ଲାହୋର କଂଗ୍ରେସ ଅଧିବେଶନର ନିଷ୍ପତ୍ତି ଅନୁଯାୟୀ ଲୋକେ ଦେଶର ବିଭିନ୍ନ ଅଞ୍ଚଳରେ ଜାନୁଆରୀ ୨୬ରେ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ‘ପୂର୍ଣ୍ଣ ସ୍ୱରାଜ’ର ଶପଥ ନେଉଥିଲେ। ଏଥିରେ ସେତେବେଳେ ଦେଶରେ ଚାଲୁଥିବା ସୈତାନୀ ଶାସନ ବ୍ୟବସ୍ଥାର ଅବସାନ ପାଇଁ ଶପଥ ନିଆଯାଉଥିଲା। ନିଜେ ଗାନ୍ଧିଜୀ ଦେଶବାସୀଙ୍କ ପାଇଁ ‘ପୂର୍ଣ୍ଣ ସ୍ୱରାଜ’ର ଶପଥପତ୍ର ତିଆରି କରିଥିଲେ। ଇତିହାସର ଏହି ଗୌରବାବହ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସ୍ୱାଧୀନତା ପରେ ଆମ ଦେଶର ସମ୍ବିଧାନକୁ ୧୯୫୦ ମସିହାର ଜାନୁଆରୀ ୨୬ ତାରିଖରେ ଲାଗୁ କରାଗଲା। ତା’ପରଠାରୁ ଅଗଷ୍ଟ ୧୫ ଭଳି ଜାନୁଆରୀ ୨୬କୁ ଆମେ ଜାତୀୟ ଦିବସ ଭାବେ ପାଳନ କରିଆସୁଛୁ।

ସ୍ୱରାଜକୁ ଯେଉଁମାନେ ପରିପୁଷ୍ଟ କରିବେ ସେମାନେ ଅନ୍ତତଃପକ୍ଷେ ୭ଟି ସାମାଜିକ ପାପଠାରୁ ଦୂରେଇ ରହିବେ ବୋଲି ଗାନ୍ଧିଜୀ ଚେତାଇ ଦେଇଥିଲେ। ଏହି ପାପଗୁଡ଼ିକ ହେଲା- ‘ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା’। ସ୍ୱରାଜକୁ ବଳିଷ୍ଠ କରିବା ପାଇଁ ରଚନାତ୍ମକ କାର୍ଯ୍ୟକ୍ରମର ସାର୍ବଜନୀନ ପ୍ରୟୋଗର ଆବଶ୍ୟକତା ଉପରେ ସେ ବାରମ୍ବାର ଗୁରୁତ୍ୱାରୋପ କରୁଥିଲେ। ଏହି ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ନିଶା ନିବାରଣ, ଖଦି ଓ ଗ୍ରାମୋଦ୍ୟୋଗ, ସାମ୍ପ୍ରଦାୟିକ ସଦ୍‌‌ଭାବ, ଅସ୍ଫୃଶ୍ୟତା ନିବାରଣ, ଗ୍ରାମ ସଫେଇ, ମୌଳିକ ଓ ପ୍ରୌଢ଼ ଶିକ୍ଷା ତଥା ନିରକ୍ଷରତା ଦୂରୀକରଣ, ଆଦିବାସୀ ଓ ହରିଜନଙ୍କ ସେବା, କୁଷ୍ଠ ରୋଗୀଙ୍କ ସେବା, ନାରୀ ଜାତିର ଉତ୍‌‌ଥାନ, କୃଷି ଓ କୃଷକର ବିକାଶ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ବିଜ୍ଞାନ, ଆର୍ଥ଄କ ସମତା, ସମସ୍ତ ଛାତ୍ରଙ୍କ କଲ୍ୟାଣ, ଶ୍ରମିକମାନଙ୍କର ଉନ୍ନତି ଏବଂ ପ୍ରାଦେଶିକ ଭାଷାର ସମୃଦ୍ଧି ସହିତ ରାଷ୍ଟ୍ର ଭାଷାର ପ୍ରଚାର ପ୍ରସାର ଅନ୍ୟତମ। ଆମ ସମସ୍ତଙ୍କ ପାଇଁ ଗାନ୍ଧିଜୀ ଏକାଦଶ ବ୍ରତର ଉପଦେଶ ଦେବା ସହିତ ତାହାର ଅନୁପାଳନ ଉପରେ ଗୁରୁତ୍ୱ ଦେଉଥିଲେ। ଏହି ଏକାଦଶ ବ୍ରତ ହେଲା- ‘ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀର ଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ, ସର୍ବଧର୍ମ ସମାନତ୍ୱ, ସ୍ୱଦେଶୀ, ସ୍ପର୍ଶଭାବନା।

୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ବିଭାଜନ ସହିତ ଆମେ ଯେଉଁ ସ୍ୱାଧୀନତା ପାଇଛେ ତାହା ଆମ କଳ୍ପିତ ସ୍ୱରାଜର ଏକ ଛୋଟିଆ ଅଂଶ ମାତ୍ର ବୋଲି ଉଲ୍ଲେଖ କରି ଗାନ୍ଧିଜୀ ଜୋର୍‌‌ ଦେଇ ବାରମ୍ବାର କହୁଥିଲେ ଯେ ଇଂରେଜଙ୍କ ବଦଳରେ ଭାରତୀୟଙ୍କ ହାତରେ କେବଳ ଶାସନର ଡୋରି ରହିଗଲେ ସାଧାରଣ ଲୋକଙ୍କର ବିଶେଷକିଛି ପରିବର୍ତ୍ତନ ହେବ ନାହିଁ। ଆର୍ଥ଄କ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ସ୍ୱାଧୀନତା ବିନା ଏହି ରାଜନୈତିକ ସ୍ୱାଧୀନତା ଅର୍ଥହୀନ ହୋଇପଡ଼ିବ। ତେଣୁ ରାଜନୈତିକ ସ୍ୱାଧୀନତା ପ୍ରାପ୍ତି ପରେ ପୁଣି ସଂକଳ୍ପବଦ୍ଧ ହୋଇ ପୂର୍ଣ୍ଣ ସ୍ୱରାଜ ହାସଲ ପାଇଁ ଲୋକେ ସେମାନଙ୍କ ସଂଗ୍ରାମ ଓ ସାଧନା ଜାରି ରଖନ୍ତୁ। ଗୋଟିଏ ରାଷ୍ଟ୍ରର ବିକାଶର ପ୍ରଥମ ପାହାଚ ହେଉଛି ବ୍ୟକ୍ତି। ବ୍ୟକ୍ତି ଜୀବନର ଆର୍ଥକ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ବିକାଶର ସାମୂହିକ ପରିପ୍ରକାଶ ଘଟିଲେ ସମାଜରେ ଯେଉଁ ଉତ୍ତାଳ ତରଙ୍ଗ ସୃଷ୍ଟି ହେବ, ସେଥିରେ ରାଷ୍ଟ୍ରର ସ୍ୱରୂପ ବଦଳିଯିବ ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ଅହିଂସା ଅସ୍ତ୍ରର ସଫଳ ପ୍ରୟୋଗ କରି ଦେଶବାସୀ ଯେଉଁ ସ୍ୱାଧୀନତା ହାସଲ କରିଛନ୍ତି ତାହା ବିଶ୍ୱରେ ଆଦର୍ଶ ସ୍ଥାନୀୟ ହୋଇପାରିବ।
ସତ୍ୟାଗ୍ରହ ହେଉଛି ଏମିତି ଏକ ସକାରାତ୍ମକ ଅସ୍ତ୍ର ଯେଉଁଥିରେ ହିଂସା, ଦ୍ୱେଷ, ଘୃଣା, ଭୟ ଓ ପକ୍ଷପାତିତାର ସ୍ଥାନ ନଥାଏ। ସତ୍ୟାଗ୍ରହ ଯୁଦ୍ଧରେ କେହି ବିଜିତ କିମ୍ବା ପରାଜିତ ନଥା’ନ୍ତି। ଯିଏ ଏହି ଅସ୍ତ୍ର ପ୍ରୟୋଗ କରେ ଏବଂ ଯାହା ଉପରେ ଏହାର ପ୍ରୟୋଗ କରାଯାଏ ସେଥିରେ ଉଭୟଙ୍କର କଲ୍ୟାଣ ହିଁ କଲ୍ୟାଣ ହୁଏ। ସତ୍ୟାଗ୍ରହ ଅହିଂସା ଭୀରୁ ଓ କାପୁରୁଷଙ୍କ ଅସ୍ତ୍ର ନୁହେଁ। ସତ୍ୟର ଧାତୁ ଓ ଅହିଂସାର ସାଣଦିଆ ଅସ୍ତ୍ର ହେଉଛି ସତ୍ୟାଗ୍ରହ। ସତ୍ୟ ଓ ଅହିଂସାର ବାଣୀ ତାଙ୍କର ସୃଷ୍ଟି ନୁହେଁ ଓ ଏହା ପର୍ବତ ଭଳି କେଉଁ ଅନାଦି ଅନନ୍ତ କାଳରୁ ଚଳି ଆସିଥିବା ଶୁଦ୍ଧ ବିଚାର ବୋଲି ସେ କହିଥିଲେ।
ବ୍ୟବସ୍ଥା ସଭାରେ ଗୃହୀତ ସିଦ୍ଧାନ୍ତ ଆମକୁ ସାମ୍ବିଧାନିକ ସ୍ୱରାଜ ଦେଇପାରେ, କିନ୍ତୁ ଆମ ଦେଶ ଆଗରେ ଥିବା ଅଗଣିତ ସମସ୍ୟାର ଯଦି ଆମେ ସମାଧାନ କରିନପାରୁ ତା’ ହେଲେ ସ୍ୱରାଜ କେବଳ ଏକ କଳ୍ପନାର ବିଷୟବସ୍ତୁ ହୋଇ ରହିଯିବ ବୋଲି ଗାନ୍ଧିଜୀ ଚେତାବନୀ ଦେଇଥିଲେ। ଧନୀ ଦରିଦ୍ର ମଧ୍ୟରେ ତାରତମ୍ୟ ହ୍ରାସ ଲାଗି ଗାନ୍ଧିଜୀ ଟ୍ରଷ୍ଟିସିପ୍‌‌ ଉପରେ ଗୁରୁତ୍ୱ ଦେଉଥିଲେ। ସ୍ୱରାଜକୁ ସୁଦୃଢ଼ କରିବା କ୍ଷେତ୍ରରେ ସଂଶୟ ଉପୁଜିଲେ ଏହାର ପ୍ରତିକାର ଲାଗି ଗାନ୍ଧିଜୀ ଦେଇଯାଇଛନ୍ତି ଏକ ତାରକ ମନ୍ତ୍ର। ଏହି ତାରକ ମନ୍ତ୍ରରେ କୁହାଯାଇଛି, ‘ଆପଣ ଯେତେବେଳେ ସନ୍ଦେହରେ ପଡୁଛନ୍ତି ବା ନିଜ କଥା ଆପଣଙ୍କୁ ବେଶୀ ଘାରୁଛି ସେତେବେଳେ ଆପଣ କେବେ ଦେଖିଥିବା ଦରିଦ୍ରତମ ଓ ଦୁର୍ବଳତମ ଲୋକର ଚେହେରାକୁ ମନେ ପକାଇ ନିଜକୁ ପଚାରନ୍ତୁ ଯେ ଆପଣ ଯାହା କରିବାକୁ ଯାଉଛନ୍ତି ତାହା ସେହି ଲୋକଟିର କିଛି ଉପକାର କରିବ କି? ଆପଣଙ୍କ କାର୍ଯ୍ୟଦ୍ୱାରା ତାହାର କିଛି ଲାଭ ହେବ କି? ତା’ର ଜୀବନ ଓ ଭାଗ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କ କାମ ତା’କୁ କିଛି ବଳ ଦେଇପାରିବ କି? ଅର୍ଥାତ୍‌‌ ଆପଣଙ୍କ କାମ ଦେଶର ଅଗଣିତ ଭୋକିଲା ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଅଧଃପତିତ ଲୋକଙ୍କ ପାଇଁ ସ୍ୱରାଜ ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିବ କି? ସେତେବେଳେ ଆପଣ ଦେଖିବେ ଆପଣଙ୍କର ସନ୍ଦେହ ଓ ସ୍ୱାର୍ଥଭାବନା କୁଆଡ଼େ ଉଭେଇ ଗଲାଣି।’

ସ୍ୱାଧୀନତା ପ୍ରାପ୍ତିର ୫ମାସ ୧୬ଦିନରେ ଗାନ୍ଧୀଙ୍କୁ ହତ୍ୟା କରାଗଲା। ସେତେବେଳକୁ ତାଙ୍କ ବୟସ ହୋଇଥିଲା ୭୮ବର୍ଷ ୩ମାସ ୨୯ ଦିନ। ତାଙ୍କ କଳ୍ପିତ ସ୍ୱରାଜକୁ ସମୃଦ୍ଧ କରିବା ପାଇଁ ସେ ୨୩୩୯ ଦିନ କାରାଗାରରେ କଟାଇଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୨ଶହ ଦିନ ଉପବାସ କରିଛନ୍ତି। ସ୍ୱରାଜ ହାସଲ ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ କାରା ଓ ନିର୍ଯାତନା ବରଣ କରିଛନ୍ତି। ଇତିମଧ୍ୟରେ ସ୍ୱରାଜ ପ୍ରାପ୍ତିର ୭୬ବର୍ଷ ଅତିକ୍ରାନ୍ତ କରିଗଲାଣି। ଏବେ ସ୍ୱରାଜର ବାସ୍ତବ ସ୍ଥିତି ଘେନି ଦେଶପ୍ରେମୀମାନେ ଉଦ୍‌‌ବିଗ୍ନ। ଏ ପରିପ୍ରେକ୍ଷୀରେ କଷ୍ଟଲବ୍ଧ ସ୍ୱରାଜର ସୁରକ୍ଷା ତଥା ଏହାର ସମୃଦ୍ଧି ପାଇଁ ଇତିହାସର ମୋଡ଼ ବଦଳାଇବାକୁ ପୁଣି ଭାରତ ମାତା ଖୋଜୁଛନ୍ତି ସତ୍ୟ ଓ ଅହିଂସାର ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖିଥିବା ସକାରାତ୍ମକ ତଥା ସଙ୍କଳ୍ପବଦ୍ଧ ସଂଗ୍ରାମୀ ସାଧକମାନଙ୍କୁ। ଏଥିପାଇଁ ଗାନ୍ଧୀ କି ଗୋପବନ୍ଧୁ ଆଉ ଆସିବେ ନାହିଁ, ଏ ଗୁରୁ ଦାୟିତ୍ୱ ନିର୍ବାହ କରିବେ ବର୍ତ୍ତମାନ ପିଢ଼ିର ମାତୃଶକ୍ତି, ଯୁବ ଓ ଛାତ୍ର ସମାଜ ଏବଂ ଚାଷୀ, ଶ୍ରମିକ ତଥା ଦେଶପ୍ରେମୀମାନେ। ପ୍ରହଲାଦ କୁମାର ସିଂହ ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର