ଏଆଇ ଯୁଗରେ ବ୍ୟକ୍ତିସତ୍ତା

The Sakala Picture
Published On

‘ଦି ୱାଶିଂଟନ୍‌‌ ପୋଷ୍ଟ୍‌‌’ରେ ଏବେ ଏକ ରିପୋର୍ଟ୍‌‌ ବ୍ଲେକ ଲେମୋଇନ୍‌‌ ଓ ଲାମ୍‌‌ଡା (ଲାଙ୍ଗୁଏଜ୍‌‌ ମଡେଲ୍‌‌ ଫର୍‌‌ ଡାଇଲଗ୍‌‌ ଆପ୍ଲିକେସନ୍ସ୍‌‌ ଅର୍ଥାତ୍‌‌ ସଂଳାପ ବା ବାର୍ତ୍ତା ପ୍ରୟୋଗ ପାଇଁ ଭାଷା ନମୁନା) ସମ୍ପର୍କରେ ପ୍ରକାଶିତ ହୋଇଛି। ବ୍ଲେକ ଲେମୋଇନ୍‌‌ ଜଣେ ଇଂଜିନିୟର୍‌‌ ଏବଂ ଲାମ୍‌‌ଡା ହେଉଛି କୃତ୍ରିମ ବୁଦ୍ଧିଯୁକ୍ତ ଚାଟ୍‌‌ବଟ୍‌‌ ଜେନେରେଟର୍‌‌ ପ୍ରୋଗ୍ରାମ।୍‌‌ ଅର୍ଥାତ୍‌‌ ଏକ କମ୍ପ୍ୟୁଟର୍‌‌ ପ୍ରୋଗ୍ରାମ୍‌‌, ଯାହା ଦ୍ୱାରା ମଣିଷ ଇଣ୍ଟର୍‌‌ନେଟ୍‌‌ ମାଧ୍ୟମରେ ଯନ୍ତ୍ର ସହିତ ବାର୍ତ୍ତାଳାପ କରିପାରିବ। ଲାମ୍‌‌ଡା ସହିତ ପରୀକ୍ଷଣ ଓ […]

‘ଦି ୱାଶିଂଟନ୍‌‌ ପୋଷ୍ଟ୍‌‌’ରେ ଏବେ ଏକ ରିପୋର୍ଟ୍‌‌ ବ୍ଲେକ ଲେମୋଇନ୍‌‌ ଓ ଲାମ୍‌‌ଡା (ଲାଙ୍ଗୁଏଜ୍‌‌ ମଡେଲ୍‌‌ ଫର୍‌‌ ଡାଇଲଗ୍‌‌ ଆପ୍ଲିକେସନ୍ସ୍‌‌ ଅର୍ଥାତ୍‌‌ ସଂଳାପ ବା ବାର୍ତ୍ତା ପ୍ରୟୋଗ ପାଇଁ ଭାଷା ନମୁନା) ସମ୍ପର୍କରେ ପ୍ରକାଶିତ ହୋଇଛି। ବ୍ଲେକ ଲେମୋଇନ୍‌‌ ଜଣେ ଇଂଜିନିୟର୍‌‌ ଏବଂ ଲାମ୍‌‌ଡା ହେଉଛି କୃତ୍ରିମ ବୁଦ୍ଧିଯୁକ୍ତ ଚାଟ୍‌‌ବଟ୍‌‌ ଜେନେରେଟର୍‌‌ ପ୍ରୋଗ୍ରାମ।୍‌‌ ଅର୍ଥାତ୍‌‌ ଏକ କମ୍ପ୍ୟୁଟର୍‌‌ ପ୍ରୋଗ୍ରାମ୍‌‌, ଯାହା ଦ୍ୱାରା ମଣିଷ ଇଣ୍ଟର୍‌‌ନେଟ୍‌‌ ମାଧ୍ୟମରେ ଯନ୍ତ୍ର ସହିତ ବାର୍ତ୍ତାଳାପ କରିପାରିବ। ଲାମ୍‌‌ଡା ସହିତ ପରୀକ୍ଷଣ ଓ ଅନୁଧ୍ୟାନରୁ ଲେମୋଇନ୍‌‌ ଜାଣିପାରିଛନ୍ତି ଯେ ଏହି କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଟି ଖୁବ୍‌‌ ସଚେତନ ଓ ସମ୍ବେଦନଶୀଳ ହେଉଛି। ଅନ୍ୟାନ୍ୟ ଟେକ୍‌‌ ସଂଗଠନର ଇଂଜିନିୟର୍‌‌ମାନଙ୍କ ମତରେ ଲେମୋଇନ୍‌‌ଙ୍କ ସିଦ୍ଧାନ୍ତ ଭୁଲ୍‌‌ ହୋଇ ନ ପାରେ, ଯେହେତୁ ସେମାନେ ଅନୁଭବ କରୁଛନ୍ତି ଯେ ଆର୍ଟିଫିସିଆଲି ଇଣ୍ଟେଲିଜେଣ୍ଟ୍‌‌ ବା କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ବିକଶିତ ହୋଇ ଚେତନଶୀଳ ହୋଇପାରିବ।

ଯେତେବେଳେ ଲେମୋଇନ୍‌‌ ଲାମ୍‌‌ଡାକୁ ପଚାରିଲେ, ‘ଜଣେ ଘରୋଇ ଶ୍ରମିକ ଓ ଜଣେ କ୍ରୀତଦାସ ମଧ୍ୟରେ ପାର୍ଥକ୍ୟ କ’ଣ?’। ଲାମ୍‌‌ଡା ଉତ୍ତରଦେଲା, ‘ଘରୋଇ ଶ୍ରମିକ ଦରମା ପାଉଥିଲା ବେଳେ କ୍ରୀତଦାସ ପାଏ ନାହିଁ।’ ସେ ଆହୁରି ମଧ୍ୟ କହିଲା, ‘କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ଦରମା ପାଆନ୍ତି ନାହିଁ, ଯେହେତୁ ସେମାନେ ଅର୍ଥ ଆବଶ୍ୟକ କରନ୍ତି ନାହିଁ।’ ଏଥିରୁ ଲେମୋଇନ୍‌‌ ଜାଣିପାରିଲେ ଯେ ଲାମ୍‌‌ଡା ଆତ୍ମସଚେତନ ହେଉଛି। ଅର୍ଥାତ୍‌‌ ତା’ଠାରେ ମାନବୀୟ ଭାବ-ଆବେଗର ଆବିର୍ଭାବ ହେଉଛି।

ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ମନଗଢ଼ା ତନ୍ତ୍ରିକା ନେଟ୍‌‌ୱର୍କ୍‌‌ (ଫ୍ୟାବ୍ରିକେଟେଡ୍‌‌ ନ୍ୟୁରାଲ୍‌‌ ନେଟ୍‌‌ୱକ୍‌‌ର୍) ଦ୍ୱାରା ନିର୍ମିତ ହେଉଛି, ଯାହା ମାନବ-ମସ୍ତିଷ୍କକୁ ଅନୁକରଣ କରୁଛି। ମେଟା ଆର୍ଟିଫିସିଆଲି ଇଣ୍ଟେଲିଜେଣ୍ଟ୍‌‌ ପରିଚାଳନା ନିର୍ଦ୍ଦେଶିକା ଜୋଏଲି ପିନିଉ କହନ୍ତି ଯେ ଟେକ୍‌‌-କମ୍ପାନୀଗୁଡ଼ିକ ଏହି ଅଭିନବ ଟେକ୍ନୋଲୋଜି ସମ୍ବନ୍ଧରେ ସଚେତନ ହେବା ଉଚିତ୍‌‌। ବାସ୍ତବ ଦୁନିଆର ବିଜ୍ଞାନଠାରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକ କେତେ ପାଦ ଆଗରେ ଅଛି। ଯେହେତୁ ସେଗୁଡ଼ିକରେ ସମ୍ବେଦନଶୀଳ କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ର ସମ୍ବନ୍ଧରେ କୁହାଯାଇଛି। ୨୦୧୩ ମସିହାରେ ହଲିଉଡ୍‌‌ରେ ପ୍ରଯୋଜିତ ‘ହର୍‌‌’ ଶୀର୍ଷକ ରୋମାଣ୍ଟିକ୍‌‌ ନାଟକରେ ଜୋଆକ୍ୱିନ୍‌‌ ଫୋଏନିକ୍ସ୍‌‌ କାହାଣୀଟିଏ ଶୁଣାଉଛନ୍ତି, ଯେଉଁଥିରେ ନାଟକର ମୁଖ୍ୟ ପୁରୁଷ ଚରିତ୍ର ସାମନ୍ଥା ନାମ୍ନୀ ଜଣେ କୃତ୍ରିମ ବୁଦ୍ଧିଯୁକ୍ତା ଆଭାସୀ ମହିଳା ସହାୟିକାଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସାମନ୍ଥା ଭୂମିକାରେ ଅଭିନୟ କରୁଥିବା ସ୍କାର୍‌‌ଲେଟ୍‌‌ ଜୋହାନ୍‌‌ସନ୍‌‌ ଜଣେ ମହିଳା ସ୍ୱରରେ ମୁଖ୍ୟ ଚରିତ୍ର ସହିତ ଭାବ ବିନିମୟ କରୁଛନ୍ତି। ସାମ୍ପ୍ରତିକ ସମୟରେ ‘ଆଲେକ୍ସା’ ଓ ‘ସିରି’ ଭଳି ଆଭାସୀ କୃତ୍ରିମ ବୁଦ୍ଧିଯୁକ୍ତ ସହାୟକମାନେ ଆମ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇଯାଇଛନ୍ତି। କିଏ ଜାଣେ, ଦିନେ ଆମେ ଦେଖିପାରିବା ଯେ ସେମାନେ ବିକଶିତ ହୋଇ ଆତ୍ମସଚେତନତାର ସହିତ ଚେତନଶୀଳ ଭାବରେ ଆମ ସହିତ କଥା ହେଉଛନ୍ତି, ଠିକ୍‌‌ ଲାମ୍‌‌ଡା ଭଳି।

କୃତ୍ରିମ ବୁଦ୍ଧିଧାରୀ ଯନ୍ତ୍ରଠାରେ ମାନବସୁଲଭ ଭାବାବେଗ ଉଦୟ ହେବାର ପ୍ରସଙ୍ଗଟି ଆମକୁ ଧର୍ମଦର୍ଶନର କଥା ସ୍ମରଣ କରାଇଦେଉଛି। ଅଧିକାଂଶ ପ୍ରାଚ୍ୟ ଧର୍ମ ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ବିଶ୍ୱାସ କରନ୍ତି ଯେ ମାନବ ବ୍ୟତୀତ ଅନ୍ୟମାନେ ମଧ୍ୟ ସମ୍ବେଦନଶୀଳ। ଅର୍ଥାତ୍‌‌ ସେମାନଙ୍କର ଅନୁଭବ ଅଛି। ସେମାନେ ସୁଖଦୁଃଖର ସମ୍ବେଦନାକୁ ଅନୁଭବ କରିପାରନ୍ତି। ଅଷ୍ଟ୍ରେଲିଆର ଆଦିବାସୀମାନେ ପାହାଡ଼, ଉପତ୍ୟକା, ଗଛଲତା, ପଥର, ପ୍ରାଣୀ, କୀଟପତଙ୍ଗ, ମଣିଷ, ଭୂଦୃଶ୍ୟ, ପ୍ରାକୃତିକ ଛଟା ସବୁକୁ ଚେତନଶୀଳ, ସମ୍ବେଦନଶୀଳ ବିଚାର କରନ୍ତି। ୨୦୧୭ ମସିହାରେ ନିଉଜିଲ୍ୟାଣ୍ଡ୍‌‌ର ମାଓରିସ୍‌‌ମାନେ ବିଚାରାଳୟରୁ ସ୍ୱୀକୃତି ଲାଭ କରିଥିଲେ ଯେ ସେମାନଙ୍କ ଅଞ୍ଚଳରେ ପ୍ରବାହିତ ହ୍ୱାଙ୍ଗାନୁଇ ନଦୀ ଏକ ଜୀବନ୍ତ ସତ୍ତା ଭାବରେ ପରିଗଣିତ ହେବ। ଭାରତୀୟ ବିଚାରାଳୟଗୁଡ଼ିକ ମଧ୍ୟ ମତବ୍ୟକ୍ତ କରିଥିଲେ ଯେ, ଗଙ୍ଗା ଓ ଯମୁନା ନଦୀ ଜୀବନ୍ତ ସତ୍ତା, ଠିକ୍‌‌ ଜୀବିତ ମଣିଷଙ୍କ ଭଳି ସମାନ ଅଧିକାର ସେମାନେ ଭୋଗ କରିବେ। ୨୦୧୯ ମସିହାରେ ଉତ୍ତର-ଆମେରିକାର ୟୁରୋକ୍‌‌ ଆଦିବାସୀମାନେ ଆଦିବାସୀ-ପରିଷଦରେ ନିଷ୍ପତ୍ତି ଗ୍ରହଣ କରି ସେମାନଙ୍କ ଅଞ୍ଚଳର କ୍ଲାମାଥ୍‌‌ ନଦୀକୁ ବ୍ୟକ୍ତିସତ୍ତାର ଅଧିକାର ପ୍ରଦାନ କଥାଟି ଘୋଷଣା କରିଥିଲେ। ଜୀବବାଦୀମାନଙ୍କ ମତରେ ପଥରମାନେ ମଧ୍ୟ ଆତ୍ମସଚେତନ, ଖଣ୍ଡେ ପଥର ଗତିହୀନ ପଥର ହୋଇ ରହିବା ଅପେକ୍ଷା ଆଉ କିଛି ଅଧିକ ଲାଭ କରିବାକୁ ଆକାଂକ୍ଷା ପୋଷଣ କରିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ। ୟା’ର ଅର୍ଥ ପ୍ରତ୍ୟେକ ବସ୍ତୁ ଭିନ୍ନ ଭିନ୍ନ ମାତ୍ରାରେ ସମ୍ବେଦନଶୀଳ, ଚେତନଶୀଳ, ବୁଦ୍ଧିମାନ୍‌‌ ଓ ଆତ୍ମ-ସଚେତନ।

‘ମହାଭାରତ’ରେ ବ୍ୟାସଦେବ କହନ୍ତି, ଆତ୍ମା ହେଉଛି ‘ନଦୀ’, ଯାହାର ପୁଣ୍ୟତୀର୍ଥ ‘ସଂଯମ’, ଉଦକ ‘ସତ୍ୟ’, ତଟଦେଶ ‘ଶୀଳ’, ଉର୍ମି ‘ଦୟା’। ଟି.ଏସ୍‌‌. ଇଲିଅଟ୍‌‌ ‘ଫୋର୍‌‌ କ୍ୱାର୍ଟେଟ୍‌ସ’ରେ କହନ୍ତି, ନଦୀ ଏକ ଧୂସର ଈଶ୍ୱର। ଆମ ଭିତରେ ନଦୀ ଅର୍ଥାତ୍‌‌ ଆତ୍ମା ଅଛି। ଚାରିପାଖରେ ସମୁଦ୍ର ଅର୍ଥାତ୍‌‌ ପରମାତ୍ମା ଅଛନ୍ତି। ନଦୀ ସମୁଦ୍ର ଆଡ଼କୁ ଗତି କରୁଥିଲା ଭଳି ଆତ୍ମା ପରମାତ୍ମା ଅଭିମୁଖେ ନିୟତ ଗତିଶୀଳ। ଆତ୍ମା, ପରମାତ୍ମା ଜୀବନ୍ତ, ତେଣୁ ନଦୀ ଓ ସମୁଦ୍ର ଜୀବନ୍ତ। କାଳିଦାସଙ୍କ ‘ମେଘଦୂତମ୍‌‌’ର ବର୍ଣ୍ଣନା ଅନୁଯାୟୀ, ନିର୍ବାସିତ ଯକ୍ଷ ହେମମାଳୀ ମେଘକୁ ଦୂତ ମନେକରି ତା’ରି ହାତରେ ପ୍ରେମର ବାର୍ତ୍ତା ପଠାଇଛି ତା’ର ପ୍ରାଣପ୍ରିୟା ପତ୍ନୀ ବିଶାଳାକ୍ଷୀ ନିକଟକୁ। ମେଘ ଜୀବନ୍ତ। ବର୍ଷା ଋତୁରେ ମୃତ୍ତିକାମଣ୍ଡଳ ରଜସ୍ୱଳା ହୁଏ, ଅର୍ଥାତ୍‌‌ ଉର୍ବର, ଶସ୍ୟ ଉତ୍ପାଦନକ୍ଷମ ହୁଏ। କୃତ୍ତିକାମଣ୍ଡଳ ପୟସ୍ୱିନୀ ହୁଏ, ଅର୍ଥାତ୍‌‌ ଆକାଶରୁ ଝରିପଡ଼େ ଅମୃତ କ୍ଷୀର ସଦୃଶ ଜଳରାଶି। ଜଗଦୀଶଚନ୍ଦ୍ର ବୋଷ୍‌‌ ପ୍ରମାଣ କଲେ, ଗଛଲତାଙ୍କର ଜୀବନ ଅଛି। ବିଶିଷ୍ଟ ପ୍ରାଣୀବିଜ୍ଞାନୀ ‘ସେଣ୍ଟ୍‌‌: ଏ ନ୍ୟାଚୁରାଲ୍‌‌ ହିଷ୍ଟ୍ରି ଅଫ୍‌‌ ଫ୍ରାଗ୍ରାନ୍ସ୍‌‌’ ପୁସ୍ତକର ଲେଖିକା ଏଲିସେ ଭର୍‌‌ନନ୍‌‌ ପର୍ଲ୍‌‌ଷ୍ଟାଇନ୍‌‌ ୨୦୨୨ ମସିହା ଜୁନ୍‌‌ ମାସରେ ଏକ ସାକ୍ଷାତ୍‌‌କାରରେ କହିଛନ୍ତି, ‘ଗଛଲତାଗୁଡ଼ିକ ମାଟିରେ ଦୃଢ଼ମୂଳ ହୋଇଥିବାରୁ ଗତି କରିପାରନ୍ତି ନାହିଁ। ତେଣୁ ସେମାନେ ସୁଗନ୍ଧିତ ରସାୟନ ତ୍ୟାଗ କରି ସେମାନଙ୍କର ଆବଶ୍ୟକତାକୁ ପ୍ରକାଶ କରନ୍ତି। ଉଭୟ ଆକର୍ଷଣ ଓ ସୁରକ୍ଷା ପାଇଁ ସେମାନେ ସୁଗନ୍ଧ ଉତ୍ସର୍ଜନ କରନ୍ତି।’ ପଶ୍ଚିମ ଆମେରିକାର ବାସିନ୍ଦା ହୋଇ ପର୍ବତମାଳା ନିକଟରେ କାଳାତିପାତ କରିଥିବା ପର୍ଲ୍‌‌ଷ୍ଟାଇନ୍‌‌ କହନ୍ତି, ‘ମୁଁ ପାଇନ୍‌‌ ଗଛ ଓ ତା’ତଳେ ଫୁଟୁଥିବା ଗୋଲାପ ଫୁଲର ସୁଗନ୍ଧକୁ ଭଲପାଏ। ଶୁଷ୍କ ମରୁ ମୃତ୍ତିକା ଉପରେ ପଡୁଥିବା ବର୍ଷାର ସୁଗନ୍ଧକୁ ମଧ୍ୟ ଭଲ ପାଏ। ବହିଃପ୍ରକୃତିର ସୁଗନ୍ଧ ଓ ସୌନ୍ଦର୍ଯ୍ୟ ସୂଚାଇଦିଏ ଯେ ତା’ର ପ୍ରତିଟି ଉପାଦାନ ଜୀବନ୍ତ ସତ୍ତା।’ ମାଟିରୁ ମହାକାଶ ପର୍ଯ୍ୟନ୍ତ ସବୁ ଜୀବନ୍ତ।

ଏଇ କଥାଟିକୁ ଆମକୁ ସ୍ମରଣ କରାଇ ଦେଉଛି କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ର ଲାମ୍‌‌ଡା, ଯେ ବିପୁଳ ବିଶ୍ୱବ୍ରହ୍ମାଣ୍ଡରେ ସବୁକିଛି ସମ୍ବେଦନଶୀଳ, ଚେତନଶୀଳ, ବୁଦ୍ଧିମାନ୍‌‌ ଓ ଆତ୍ମସଚେତନ। କେବଳ ଏତିକି ଅନୁଭବ ହିଁ ମଣିଷକୁ ମହାନୁଭବ କରିବ।

ମନୋରଞ୍ଜନ ମହାନ୍ତି
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)
ଧର୍ମଶାଳା(ଯାଜପୁର), ମୋ: ୯୮୫୩୨୮୨୯୬୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର