ପରଶମଣି

The Sakala Picture
Published On

ଆମେ ଥାଉ ବେଲପାହାଡ଼ରେ। ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପୁଅ ପଢ଼ୁଥାଏ ପ୍ରଥମ ଶ୍ରେଣୀରେ। କଲୋନୀ ଭିତରେ ପିଲାମାନେ ଚାରିଟା ବେଳେ ସାଙ୍ଗ ହୋଇ ଖେଳନ୍ତି। ସେଦିନ ସଞ୍ଜ ଦେବା ପୂର୍ବରୁ ପୁଅକୁ ଯାଇ ଡାକିଲା ବେଳକୁ ଦେଖିଲି, ଅନ୍ୟ କଲୋନୀରେ ରହୁଥିବା ତା’ର ସହପାଠୀଟିଏ ଆସିଥାଏ ଖେଳିବା ପାଇଁ। ତା’ ସହିତ କଥା ହେଉ ହେଉ ଗୋଟିଏ କଥା ମତେ ଚକିତ କଲା। ସେ କହିଲା, ଆମ ଶ୍ରେଣୀ ଆରମ୍ଭରେ ଆଗ ୟା’କୁ (ମୋ ପୁଅକୁ) […]

ଆମେ ଥାଉ ବେଲପାହାଡ଼ରେ। ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପୁଅ ପଢ଼ୁଥାଏ ପ୍ରଥମ ଶ୍ରେଣୀରେ। କଲୋନୀ ଭିତରେ ପିଲାମାନେ ଚାରିଟା ବେଳେ ସାଙ୍ଗ ହୋଇ ଖେଳନ୍ତି। ସେଦିନ ସଞ୍ଜ ଦେବା ପୂର୍ବରୁ ପୁଅକୁ ଯାଇ ଡାକିଲା ବେଳକୁ ଦେଖିଲି, ଅନ୍ୟ କଲୋନୀରେ ରହୁଥିବା ତା’ର ସହପାଠୀଟିଏ ଆସିଥାଏ ଖେଳିବା ପାଇଁ। ତା’ ସହିତ କଥା ହେଉ ହେଉ ଗୋଟିଏ କଥା ମତେ ଚକିତ କଲା। ସେ କହିଲା, ଆମ ଶ୍ରେଣୀ ଆରମ୍ଭରେ ଆଗ ୟା’କୁ (ମୋ ପୁଅକୁ) ଶ୍ରେଣୀ ଶିକ୍ଷୟତ୍ରୀ ଗୋଟିଏ ଚଟକଣି ଦେଲା ପରେ ଯାଇ ପାଠ ପଢ଼଼ା ଆରମ୍ଭ ହୁଏ। ଏକଥା ଶୁଣି ମୋ ମାତୃତ୍ୱ ମତେ ଧିକ୍କାର କଲା। ସବୁଦିନ ପିଲାଙ୍କୁ ଆଣିଲା ପରେ ସ୍କୁଲର ସବୁକଥା ପଚାରି ବୁଝିବା ଥିଲା ମୋର ଗୋଟିଏ ନିତ୍ୟକର୍ମ। ତେବେ ପୁଅ ମତେ ଏତେ ବଡ଼ କଥାଟିଏ ଲୁଚାଇଛି କିପରି! ମନ କଥା ମନରେ ରଖି ପୁଅର ହାତ ଧରି ଫେରିଲି। ବାରମ୍ୱାର ଆଖିରେ ଲୁହ ଜକେଇ ଆସୁଥାଏ। ତାହା ଲୁଚେଇ ସନ୍ଧ୍ୟା ଦେଲି। ପୁଅ ସହିତ ମିଶି ପ୍ରାର୍ଥନା କଲି। ତା’ ପରେ ଖୁବ୍‌‌ ସ୍ନେହଭରେ ପଚାରିଲି, ‘କ’ଣ ହୋଇଛି’ ବୋଲି। ବେଶ୍‌‌ ନିରୀହ ଭାବେ ପୁଅ ମୋର କହିଲା, ‘ମାଆ, ଏଇ ଯୋଉ ପାଠଗୁଡ଼ା ଆମ ଶ୍ରେଣୀରେ ପଢ଼଼ା ହେଉଛି, ତା’କୁ ତମେ ମତେ ଆଗରୁ ପଢ଼େଇ ଦେଇଛ। ସେଦିନ ଶ୍ରେଣୀରେ ଆମ ମିସ୍‌‌ ପଢ଼େଇଲା ବେଳେ ଗୋଟିଏ ପ୍ରଶ୍ନ ପଚାରିଲେ। ମୁଁ ଜାଣିଥିଲି, ତେଣୁ ଉତ୍ତର ଦେଇଦେଲି। ଅନ୍ୟମାନେ ହାତ ଟେକିଛନ୍ତି, ତୁ କାଇଁ ନ ପଚାରିବା ପୂର୍ବରୁ ଉତ୍ତର ଦେଇ ଦେଲୁ କହି ମିସ୍‌‌ ମତେ ମାରିଲେ। ମତେ ବହୁତ୍‌‌ ଖରାପ ଲାଗିଲା। ତା’ ପରଠାରୁ ସେ ଆଉ ଯାହା ପଚାରିଲେ ମୁଁ ତାଙ୍କୁ କିଛି କହୁନି।’ ‘ହେଲେ ବାବା ଏ କଥା ତୁ ମତେ ଆଗରୁ କହିନୁ କାହିଁକି?’ ବିକଳ ହୋଇ ମୁଁ ପଚାରିଲି। ‘ମା’ ତୁମେ ସବୁବେଳେ କୁହ ଯେ ବଡ଼ମାନଙ୍କର ଭୁଲ ଦେଖନ୍ତି ନାହିଁ। ମୁଁ ଭାବିଲି ମୁଁ ଯଦି ମିସ୍‌‌ଙ୍କ କଥା କହିବି ତୁମେ ମତେ ରାଗିବ…।’ ନିଷ୍କପଟ ହୋଇ ପୁଅ କହିଲା। ଭାବିଲି ଯାଇ ଶିକ୍ଷୟିତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବି। ୟା’ଙ୍କ ସହିତ ଯେତେବେଳେ କଥା ହେଲି ଇଏ କହିଲେ, ‘ଏଇ ଗୋଟେ କଥା ନେଇ ତୁ ଅଭିଯୋଗ କରିବାକୁ ଯିବୁ! ମତେ କାଇଁ ଠିକ୍‌‌ ଲାଗୁନି।’ କିନ୍ତୁ ମୁଁ ଜାଣିଥିଲି କଥାଟି ଯେତିକି ଛୋଟ ମନେ ହେଉଛି ସେତେ ଛୋଟ ନୁହେଁ। ପୁଅର କୋମଳ ମନରେ ତାହା ଯେ ଗଭୀର ଛାପ ଛାଡ଼ିଯିବ, ଏଥିରେ ସନ୍ଦେହ ନାହିଁ। ମୁଁ ସ୍କୁଲ ପ୍ରିନ୍ସିପାଲଙ୍କୁ ଫୋନ କରି ଟିକେ ସମୟ ମାଗିଲି। ଆଉ ପରଦିନ ସକାଳେ ପୁଅ ସ୍କୁଲ ଗଲା ପରେ ଘର କାମ ସାରି ନିଜେ ପ୍ରସ୍ତୁତ ହେଲି। ୟା’ଙ୍କୁ କହିଲି, ‘ଟିକେ ମୋ ସାଙ୍ଗରେ ଯିବ।’ ଇଏ କହିଲେ, ‘ତୁ ଝଗଡ଼ା କରିବାକୁ ଯାଉଚୁ, ମୁଁ ଯିବିନି।’ ମୁଁ କହିଲି, ‘ତୁମକୁ ଲାଗୁଚି ମୁଁ ସେଠି ଯାଇ ଝଗଡ଼ା କରିବି ବୋଲି?’ ମନରେ ଅଭିମାନ ଆସିଲା। ଆଉ କିଛି ନ କହି ମୁଁ ଚପଲ ପିନ୍ଧି ବାହାରିଲି। ଇଏ କହିଲେ, ‘ମୁଁ ତୋ ସାଙ୍ଗରେ ଯିବି, କିନ୍ତୁ କିଛି କହିବି ନାହିଁ।’

ସ୍କୁଲରେ ପ୍ରିନ୍ସିପାଲ ଆମକୁ ଅପେକ୍ଷା କରିଥିଲେ। ଆମକୁ ବସାଇ ସେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଡକାଇଲେ। ତାଙ୍କୁ ଖୁବ ସମ୍ମାନର ସହିତ ପଚାରିଲି, ‘ପୁଅ କିଛି ଦୁଷ୍ଟାମି କରୁଛି କି? ମୁଁ ଶୁଣିଲି ପ୍ରତ୍ୟେକ ଦିନ ତାକୁ ଦଣ୍ଡ ମିଲୁଛି ବୋଲି।’ ସେ ଉତ୍ତର ଦେଲେ, ‘କୌଣସି ଦିନ ସେ ପାଠ କରି ଆଣୁନାହିଁ। ଅଧାଦିନ ଖାତା ବି ଆଣି ଆସୁନି।’ ମୁଁ ପ୍ରତ୍ୟୁତ୍ତରରେ କହିଲି, ‘ମାଡାମ୍‌‌! ମୁଁ ନିଜେ ଯେହେତୁ ତା’କୁ ପଢ଼଼ାଏ ଓ ସେ ତା’ର ସ୍କୁଲ ବ୍ୟାଗ୍‌‌ ସଜାଡ଼ି ସାରିଲା ପରେ ମୁଁ ପୁଣିଥରେ ତା’କୁ ଦେଖେ, ତେଣୁ ଏପରି ଭୁଲ୍‌‌ ହେବ ନାହିଁ। କିଛି ଗୋଟେ ଅଭିମାନ କରି ବୋଧେ ସେ ଦେଖାଉ ନାହିଁ। ମୋର ଛୋଟ ଅନୁରୋଧଟି ରଖିବେ, ଆପଣ ନିଜେ ତା’ ବ୍ୟାଗ୍‌‌ରୁ ଖାତା କାଢ଼ି ଦେଖିବେ ଓ ଯଦି ସବୁ ଠିକ୍‌‌ ଥିବ ତେବେ ତା’କୁ ଗୋଟେ ‘ଧନ୍ୟବାଦ୍‌‌’ ଜଣାଇ ଦେବେ। ଆଉ ମୁଁ ସ୍କୁଲକୁ ଆସିଥିଲି ବୋଲି ତାକୁ ଦୟାକରି କହିବେ ନାହିଁ।’ କହିବା ବାହୁଲ୍ୟ, ପରବର୍ତ୍ତୀ ସମୟରେ ମୋ ପୁଅ ଉକ୍ତ ଶିକ୍ଷୟିତ୍ରୀଙ୍କର ପ୍ରିୟ ଛାତ୍ର ହୋଇ ପାରିଥିଲା।

ସତ କହିବାକୁ ଗଲେ ଆମ ଜୀବନରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କଅଁଳ ବୟସରେ ପିତାମାତାଙ୍କ ପରେ ଶିକ୍ଷକଙ୍କ ପ୍ରଭାବରେ ଆମ ମନ ଖୁବ୍‌‌ ପ୍ରଭାବିତ ହୁଏ। ସେଇଥିପାଇଁ ତ କୁହାଯାଏ ଘର ହେଉଛି ପ୍ରଥମ ବିଦ୍ୟାଳୟ ଓ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର। ପିଲାଏ ବାପାମା’ଙ୍କ କଥାକୁ ଅଣଦେଖା କରିପାରନ୍ତି, ମାତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କଥା ତାଙ୍କ ପାଇଁ ସାଜେ ବେଦର ଗାର। ତେଣୁ ପିତାମାତା ପିଲାଙ୍କ ଅଭିଯୋଗ ନେଇ ଶିକ୍ଷକଙ୍କ ଦ୍ୱାରସ୍ଥ ହୁଅନ୍ତି। ଆଉ ଶିକ୍ଷକଙ୍କ ସ୍ନେହଭରା ପିଠି ଥାପୁଡ଼ା ଓ ନାଲି ଆଖି ଦେଖାଇ କାନ ମୋଡ଼ା, ଉଭୟ ଛାତ୍ର ପାଇଁ ସାବ୍ୟସ୍ତ ହୋଇଥାଏ ପଥ ପ୍ରଦର୍ଶକ। ଶିକ୍ଷକଙ୍କ ହାତରେ ହିଁ ଛାତ୍ରର ଭାଗ୍ୟ ଡୋର। ସେଥିପାଇଁ ଶିକ୍ଷକଙ୍କୁ ସ୍ୱୟମ ଈଶ୍ୱରଙ୍କ ଆସନ ଦିଆଯାଇଛି। ପୂର୍ବେ ଶିକ୍ଷକମାନେ ଥିଲେ ସେହିଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱଧାରୀ। ତାଙ୍କୁ ଦେଖିଲେ ବାପା ମା’ ଏତେ ଭକ୍ତିରେ ପ୍ରଣାମ କରୁଥିଲେ ଯେ ଆମେ ସେ ସଂସ୍କାରକୁ ବାଦ୍‌‌ ଦେବା ଅସମ୍ଭବ ଥିଲା। ସେମାନେ ପରଶମଣି ପରି ସବୁ ପ୍ରକାର୍‌‌ ପଦାର୍ଥକୁ ଛୁଇଁ ସୁନାରେ ପରିଣତ କରିବାର ଚମତ୍କାରିତା ଦେଖାଇ ପାରନ୍ତି।

ଆପଣଟିକେ ଅତୀତକୁ ମନେ ପକାଇଲେ ଜାଣିପାରିବେ, ଆପଣଙ୍କୁ ଭଲ ଲାଗୁଥିବା ଓ ଆପଣ ବେଶି ନମ୍ବର ରଖୁଥିବା ବିଷୟଟି ପଛରେ ଯେପରି ଜଣେ ଶ୍ରଦ୍ଧାଶୀଳ ଶିକ୍ଷକଙ୍କ ହାତ ରହିଚି, ଠିକ୍‌‌ ତା’ର ବିପରୀତ ଦିଗରେ ଯେଉଁ ବିଷୟକୁ ଦେଖିଲେ ବିରକ୍ତି ଲାଗେ, ଯେଉଁ ବିଷୟଟି ପଢ଼଼ିବା ପାଇଁ ଯାଇ ଆପଣ ଗଳଦ୍‌‌ଘର୍ମ ହୁଅନ୍ତି, ତା’ ପଛରେ ମଧ୍ୟ ଜଣେ ବଦରାଗୀ ଓ ଅଧୈର୍ଯ୍ୟ ଶିକ୍ଷକଙ୍କ ଭୂମିକା ରହିଚି। କୋମଳ ହୃଦୟର ବଡ଼ ତାଲାଟିକୁ ଖୋଲିବା ପାଇଁ କଟୁ କଥା ଓ ଶାରୀରିକ ନିର୍ଯାତନାର ହାତୁଡ଼ି ନୁହେଁ ବରଂ ଧୈର୍ଯ୍ୟ ଓ ଶରଧାର ଛୋଟ ଚାବିକାଠିଟିଏ ଲୋଡ଼ା। ଆଜି କିନ୍ତୁ ଶିକ୍ଷକ ବିଚରା ଏତେଗୁଡ଼ିଏ ଚାପ ତଳେ ଚାପି ହୋଇ ଯାଉଛନ୍ତି ଯେ ତାଙ୍କ ଜୀବନ ହୋଇ ପଡୁଚି ରସହୀନ। ରସହୀନ ଜୀବନଟିଏ ଅନ୍ୟ ଜୀବନରେ ରସ ଭରିବ – ଏହା ଆଶା କରିବା ଦିନରେ ତାରା ଦେଖିବା ସହିତ ସମାନ୍‌‌। ଏବେ ପୁଣି ଶିକ୍ଷକଙ୍କୁ ପିଲାଏ ମୂଲ୍ୟାୟନ କରୁଛନ୍ତି। ଅଭିଭାବକମାନେ ଶିକ୍ଷକଙ୍କୁ ତାଙ୍କ ଦରମା ଦିଆ କର୍ମଚାରୀ ବୋଲି ମାନି ନେଇଛନ୍ତି। କଥା କଥାକେ ଶିକ୍ଷକମାନେ ହେଉଛନ୍ତି ଦୁର୍ବ୍ୟବହାରର ଶିକାର। ତେଣୁ ଫଳ ଯାହା ହେବା କଥା! ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଥିବା ସମ୍ପର୍କ ହେଉଛି ପାଣିଚିଆ। ଯାହା ପ୍ରତ୍ୟକ୍ଷ ଭାବେ ପିଲାର ଜୀବନ କୁ ହିଁ କରୁଛି ପ୍ରଭାବିତ। ଅବଶ୍ୟ ଆଜିର ପିଲାଏ ଶିକ୍ଷକଙ୍କ ଅପେକ୍ଷା ଗୁଗୁଲକୁ ନିଜ ଗୁରୁ କରିବା ପାଇଁ ହେଉଛନ୍ତି ତତ୍ପର, ଯାହା ଅନେକ ସମୟରେ ପିଲାଙ୍କୁ ବାଟ ଦେଖାଇବା ପରିବର୍ତ୍ତେ କରୁଛି ବାଟବଣା। ହେଲେ ଜୀବନରେ ଶିକ୍ଷକଙ୍କ ପ୍ରଭାବକୁ ଅସ୍ୱୀକାର କରିବା କେତେ ଅସମ୍ଭବ ସତେ!

ମୁଁ ସେତେବେଳେ ପଢ଼ୁଥାଏ ସପ୍ତମ ଶ୍ରେଣୀରେ। ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ। ଆମର ପ୍ରଧାନ ଶିକ୍ଷକ ଥାଆନ୍ତି, ଋଷିପ୍ରତିମ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ମିଶ୍ର। ସାର୍‌‌ଙ୍କ ବ୍ୟକ୍ତିତ୍ୱ ଏପରି ଯେ ଯେ କେହି ବି ପ୍ରଭାବିତ ହୋଇ ଯିବାଟା ସହଜ। ଆଜି ବି ଅଳ୍ପ କେତେଜଣ ମହତ୍ତର ଚେତନାର ବ୍ୟକ୍ତିତ୍ୱଙ୍କ ବିଷୟରେ ଚିନ୍ତା କଲେ ପୂଜ୍ୟ ସାର୍‌‌ଙ୍କ ଗୁରୁଗମ୍ଭୀର ବ୍ୟକ୍ତିତ୍ୱଟି ମନ ଓ ପ୍ରାଣକୁ ଆଚ୍ଛନ୍ନ କରେ। ସାର୍‌‌ କହୁଥିଲେ ଯାହା କରୁଥିଲେ ତାହା। ସାର୍‌‌, ସ୍କୁଲ ହତା ମଧ୍ୟରେ ଥିବା ପର୍ଯ୍ୟନ୍ତ ସ୍କୁଲ ପରିବେଶ ଏତେ ଶୃଙ୍ଖଳିତ ଥାଏ ଯେ କେହି ବି ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ। ସେ କେବେ ମତେ ପଢ଼େଇ ନାହାନ୍ତି। ମୁଁ ସ୍କୁଲରେ ନାମ ଲେଖାଇବାର ଦୁଇବର୍ଷ ପରେ ସେ ଅବସର ନେଲେ। ତେବେ ସେହି ଦୁଇବର୍ଷରେ ପ୍ରତିଦିନ ସାର୍‌‌ଙ୍କୁ ଦେଖୁଥିଲି ହାଇସ୍କୁଲର ବିରାଟ ପ୍ରାର୍ଥନା ସଭାରେ। ପଣସ ଗଛମାନଙ୍କ ଛାଇରେ ଆମେ ଛାତ୍ରଛାତ୍ରୀ ଧାଡ଼ିବାନ୍ଧି ଠିଆ ହୋଇ ପ୍ରାର୍ଥନା କରୁଥିବୁ। ଆଉ ସାର୍‌‌ ଠିଆ ହୋଇଥିବେ ଆମ ସମ୍ମୁଖରେ। ପ୍ରାର୍ଥନା ସରିଲେ ସେ କହିବେ ସେ ଦିନର ଅନୁଚିନ୍ତା। ଆଉ ତା’ ଉପରେ ସାମାନ୍ୟ ବ୍ୟାଖ୍ୟା। ସାର୍‌‌ଙ୍କ ଅନେକଗୁଡ଼ିଏ ଅନୁଚିନ୍ତା ମଧ୍ୟରୁ ଗୋଟିଏ ଆଜି ବି ମୋର ମନେ ଅଛି ଏବଂ ତାହା ଆଜି ବି ମୁଁ ଅକ୍ଷରେ ଅକ୍ଷରେ ପାଳନ କରେ। ସାର୍‌‌ କହିଥିଲେ, ‘ଯେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛ, କେବଳ ନିଜ ପାଇଁ ନ ମାଗି କହିବ ପ୍ରଭୁ ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କ ଭିତରେ ତୁମେ ବି ତ ରହିଛ। ଆଜି ବି ଈଶ୍ୱରଙ୍କ ସମ୍ମୁଖକୁ ଯାଇ ହାତ ଯୋଡ଼ି ଦେଲେ ସାର୍‌‌ଙ୍କର ସେହି କଥା ମନେ ପଡ଼େ। ମୁଁ କେବଳ ନିଜ ପାଇଁ ମାଗି ପାରେ ନାହିଁ। ତେବେ ଆମକୁ ମନେରଖିବାକୁ ହେବ ଯେ ଆମ ପିଲାଙ୍କ ପାଇଁ ଶିକ୍ଷକଟିଏ ସାକ୍ଷାତ୍‌‌ ଈଶ୍ୱରଙ୍କ ରୂପ ହୋଇଥିଲା ବେଳେ ଶିକ୍ଷକଙ୍କୁ ବି ମନେରଖିବାକୁ ହେବ ଯେ ମଣିଷ ତିଆରି କାରଖାନାରେ ସେମାନେ ହେଉଛନ୍ତି ମୁଖ୍ୟ କାରିଗର। ଭଲ ବା ଖରାପ, ସେମାନେ ଯାହା ତିଆରିବେ ତାହାରି ଉପରେ ହିଁ ନିର୍ଭର କରିବ ତାଙ୍କ ସୁନାମ, ଦୁର୍ନାମ ଓ ସମାଜରେ ଜୀବନର ମାନ।

ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର