‘ଶ୍ରୀ’ ମାହାତ୍ମ୍ୟ

The Sakala Picture
Published On

‘ଶ୍ରୀ’ ଏକ ଶୁଭସୂଚକ ପବିତ୍ର ଶବ୍ଦ, ଯାହା ଧନ, ସମ୍ପତ୍ତି, ସୁସ୍ଥତା, ସୌଷ୍ଠବ, ପରିପୂର୍ଣ୍ଣତା, ସୌଭାଗ୍ୟ ଇତ୍ୟାଦିର ସଂକେତ ବହନ କରେ। ଧନ, ଜନ, ଗୋପ, ଲକ୍ଷ୍ମୀ ଓ ସମୃଦ୍ଧିର ପ୍ରତୀକ ଲକ୍ଷ୍ମୀଠାକୁରାଣୀଙ୍କର ଏହା ଅନ୍ୟ ଏକ ନାମ। ଅମରକୋଷରେ ମହାଲକ୍ଷ୍ମୀଙ୍କ ଅନେକ ନାମ ଉଲ୍ଲେଖ ରହିଛି – ‘ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷିରାବ୍ଧିତନୟା ରମା’। ଫଳ ଶବ୍ଦ ‘ଶ୍ରୀ’ସଂଯୁକ୍ତ ହେଲେ ‘ଶ୍ରୀଫଳ’ (ନଡ଼ିଆ) ଭାବରେ ସାଧାରଣ ପୂଜାବିଧିଠାରୁ ନୈବେଦ୍ୟ […]

‘ଶ୍ରୀ’ ଏକ ଶୁଭସୂଚକ ପବିତ୍ର ଶବ୍ଦ, ଯାହା ଧନ, ସମ୍ପତ୍ତି, ସୁସ୍ଥତା, ସୌଷ୍ଠବ, ପରିପୂର୍ଣ୍ଣତା, ସୌଭାଗ୍ୟ ଇତ୍ୟାଦିର ସଂକେତ ବହନ କରେ। ଧନ, ଜନ, ଗୋପ, ଲକ୍ଷ୍ମୀ ଓ ସମୃଦ୍ଧିର ପ୍ରତୀକ ଲକ୍ଷ୍ମୀଠାକୁରାଣୀଙ୍କର ଏହା ଅନ୍ୟ ଏକ ନାମ। ଅମରକୋଷରେ ମହାଲକ୍ଷ୍ମୀଙ୍କ ଅନେକ ନାମ ଉଲ୍ଲେଖ ରହିଛି – ‘ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷିରାବ୍ଧିତନୟା ରମା’। ଫଳ ଶବ୍ଦ ‘ଶ୍ରୀ’ସଂଯୁକ୍ତ ହେଲେ ‘ଶ୍ରୀଫଳ’ (ନଡ଼ିଆ) ଭାବରେ ସାଧାରଣ ପୂଜାବିଧିଠାରୁ ନୈବେଦ୍ୟ ଓ ସକଳ ମାଙ୍ଗଳିକ କର୍ମର ଶୁଭାରମ୍ଭ ଯାଏ ଅପରିହାର୍ଯ୍ୟ ହୋଇଥାଏ। ‘ଶ୍ରୀ ମଙ୍ଗଳାତ୍‌‌ ପ୍ରଭବତି’। ମଙ୍ଗଳକାମ ଦ୍ୱାରା ଶ୍ରୀବୃଦ୍ଧି ହୁଏ। ଦେବାଦେବୀଙ୍କ ନାମ ସହିତ ‘ଶ୍ରୀ’ ସଂଯୁକ୍ତ ହୋଇଥାଏ। ଶ୍ରୀଜଗନ୍ନାଥ, ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଦେବୀ, ଶ୍ରୀରାଧା ଇତ୍ୟାଦି। ଅନେକ ପବିତ୍ର ସ୍ଥାନ ସହିତ ମଧ୍ୟ ‘ଶ୍ରୀ’ ଯୋଡ଼ାଯାଇଥାଏ। ଯେପରି ଶ୍ରୀକ୍ଷେତ୍ର, ଶ୍ରୀବିରଜା ଭୂମି, ଶ୍ରୀଚୈତନ୍ୟ ଧାମ, ଶ୍ରୀପଦପରାଇ, ଶ୍ରୀଲଙ୍କା ଇତ୍ୟାଦି। (ଶ୍ରୀଭୂମି ସହିତଂ ଦେବଂ ଗଙ୍ଗାବ୍ଚମନ ସମ୍ବୃତମ୍‌‌)। ଈଶ୍ୱରଙ୍କର ଅଙ୍ଗପ୍ରତ୍ୟଙ୍ଗରେ ‘ଶ୍ରୀ’ ଶବ୍ଦ ଯୋଗ ହୋଇଥାଏ। ଯେମିତି ଶ୍ରୀମୁଖ, ଶ୍ରୀପଦ, ଶ୍ରୀଭୁଜ। ସମ୍ମାନୀୟ ବ୍ୟକ୍ତିଙ୍କୁ ସମ୍ୱୋଧନ ପାଇଁ ‘ଶ୍ରୀ’ ବ୍ୟବହୃତ ହୁଏ। ଯେପରି ପିତାଶ୍ରୀ, ମାତାଶ୍ରୀ, ଭ୍ରାତାଶ୍ରୀ ଇତ୍ୟାଦି। ଅନେକ ଉପାଧି ‘ଶ୍ରୀ’ ଶବ୍ଦ ସହିତ ସଂଯୁକ୍ତ, ଯାହାର ଦୃଷ୍ଟାନ୍ତ ପଦ୍ମଶ୍ରୀ, ଶ୍ରୀଚକ୍ର, ଶ୍ରୀଶ୍ରୀ ବିରାଧିବୀରବର। ‘ଶ୍ରୀ’ ଉତ୍କର୍ଷର ପ୍ରତୀକ। ଶ୍ରେଷ୍ଠ ପଦାର୍ଥ କିମ୍ୱା ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ‘ଶ୍ରୀ’ ପ୍ରଦାନ କରାଯାଇଥାଏ। କାବ୍ୟଶ୍ରୀ, କଳାଶ୍ରୀ, ଗାୟକଶ୍ରୀ, କବିଶ୍ରୀ ଇତ୍ୟାଦି ଏହାର ଉଦାହରଣ। ଗୁରୁ ବା ଗୁରୁମା’ଙ୍କ ନାମ ସହିତ ସାଧାରତଃ ‘ଶ୍ରୀ’ ସଂଲଗ୍ନ କରାଯାଇଥାଏ। ଯଥା :- ଶ୍ରୀଅରବିନ୍ଦ, ଶ୍ରୀମା, ଶ୍ରୀସାରଦାଦେବୀ, ଶ୍ରୀଶ୍ରୀଠାକୁର ଇତ୍ୟାଦି। ଲୌକିକ ବଚନିକାରେ ବି ‘ଶ୍ରୀ’ ଶବ୍ଦ ପ୍ରାୟତଃ ବ୍ୟବହୃତ ହୋଇଥାଏ। ସେଥିପାଇଁ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକକୁ ‘ଶିରୀ ତୁଟିଯିବା’ ଏବଂ ଈର୍ଷା ପ୍ରଣୋଦିତକୁ ‘ଶିରୀ ନଦେଖିବା’ ବୋଲି ବର୍ଣ୍ଣନା କରାଯାଇଥାଏ। ‘ଶ୍ରୀ’ ଜୀବନର ସଂକେତ। ତେଣୁ ବଞ୍ଚିଥିବା ମଣିଷର ନାମ ପୂର୍ବରୁ ‘ଶ୍ରୀ/ଶ୍ରୀମତୀ’ ଲେଖାଯାଏ। ମୃତ୍ୟୁ ପରେ ଏହି ଶବ୍ଦ ସ୍ଥାନରେ ‘ସ୍ୱର୍ଗତ/ସ୍ୱର୍ଗତା’ ଲେଖାହୁଏ ଅଥବା ଈଶ୍ୱର ଚିହ୍ନ ଦିଆଯାଏ। କାରଣ ମୃତପ୍ରାଣୀ ଶ୍ରୀହୀନ। ସେଥିପାଇଁ ଯୁଗଯୁଗ ଧରି ‘ଶ୍ରୀ’ କିମ୍ୱା ତତ୍ତୁଲ୍ୟ ଶବ୍ଦ ଯଥା ଶ୍ରୀଲ, ଶ୍ରୀଯୁକ୍ତ, ଶ୍ରୀମଦ୍‌‌, ଶ୍ରୀମାନ୍‌‌, ଶ୍ରୀମତୀ, ସୁଶ୍ରୀ, ଶ୍ରୀଶ୍ରୀ, ସର୍ବଶ୍ରୀ ଆମ ସଂସ୍କୃତିର ଅଂଶବିଶେଷ ହୋଇ ରହିଆସିଅଛି। ଦୈନଦିନ ଜୀବନରେ ମଧ୍ୟ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳେ। ଏପରିକି ଆଗକାଳରେ ଜାତକ କିମ୍ୱା ପତ୍ରଟିଏ ଲେଖିବା ‘ଶ୍ରୀ, ଶ୍ରୀ, ଶୁଭମସ୍ତୁ’ ରୁ ହିଁ ଆରମ୍ଭ ହେଉଥିଲା। ନାମ ସହିତ ‘ଶ୍ରୀ’ ଯୋଗ ହେଲେ ତାହା ଏକ ମର୍ଯ୍ୟାଦାର ପରିଚୟ ହୁଏ। ଏହି ଶବ୍ଦଟି ପ୍ରତି ଅହେତୁକ ଆକର୍ଷଣ ପାଇଁ କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନମବାଚକ ବିଶେଷ୍ୟ ସହ ଏକାଧିକ ‘ଶ୍ରୀ’ ଲେଖାଯାଉଥିଲା। ମାତ୍ର ପରିତାପର ବିଷୟ ଉଚ୍ଚସ୍ତରରୁ ନିମ୍ନସ୍ତର ଯାଏଁ ପ୍ରାୟ ସବୁଠାରେ ଏହି ଶବ୍ଦଟିକୁ ଛାଡ଼ିଦେବା ଏକ ଫେଶନ୍‌‌ ହୋଇଗଲାଣି। ଫଳରେ ‘ଶ୍ରୀ’ ଓ ତତ୍‌‌ ସମ ଶବ୍ଦଗୁଡ଼ିକ ଲୋପ ପାଇବାକୁ ବସିଲାଣି। ଏହା ‘ଶିରୀ ତୁଟିଯିବା’ର ଲକ୍ଷଣ ନୁହେଁ ତ?

ଶ୍ରୀଅଲେଖ ଚନ୍ଦ୍ର ମିଶ୍ର
ଭୁବନେଶ୍ୱର, ମୋ:୯୪୩୮୬୭୩୮୯୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର