ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ଶେଷ କେବେ?

The Sakala Picture
Published On

ରୁଷିଆ-ୟୁକ୍ରେନ୍‌‌ ଯୁଦ୍ଧ ୫୦୦ ଦିନ ଅତିକ୍ରାନ୍ତ ହେଲାଣି। ଏଥିରେ କାହାରି ବିଜୟର ସମ୍ଭାବନା ତଥାପି ଦେଖାଯାଉନାହିଁ। ତେବେ ଉନ୍ନତ ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ଯୋଗୁଁ ଏହି ଲଢ଼େଇରେ ରୁଷିଆ ଅଗ୍ରଣୀ ରହିଛି ଏବଂ ସ୍ୱାଭାବିକ ଭାବେ ଦୁର୍ବଳ ୟୁକ୍ରେନ୍‌‌ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଡ଼ମ୍ବନା ହେଲା ଏହି ଯୁଦ୍ଧ ଗୋଟିଏ ପଟେ ରୁଷିଆ ଏବଂ ଅନ୍ୟପଟେ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ପରୋକ୍ଷରେ ଚାଲିଛି। ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଓ ଅର୍ଥରେ ୟୁକ୍ରେନ୍‌‌ ଲଢ଼ୁଛି। ଆଣବିକ […]

ରୁଷିଆ-ୟୁକ୍ରେନ୍‌‌ ଯୁଦ୍ଧ ୫୦୦ ଦିନ ଅତିକ୍ରାନ୍ତ ହେଲାଣି। ଏଥିରେ କାହାରି ବିଜୟର ସମ୍ଭାବନା ତଥାପି ଦେଖାଯାଉନାହିଁ। ତେବେ ଉନ୍ନତ ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ଯୋଗୁଁ ଏହି ଲଢ଼େଇରେ ରୁଷିଆ ଅଗ୍ରଣୀ ରହିଛି ଏବଂ ସ୍ୱାଭାବିକ ଭାବେ ଦୁର୍ବଳ ୟୁକ୍ରେନ୍‌‌ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଡ଼ମ୍ବନା ହେଲା ଏହି ଯୁଦ୍ଧ ଗୋଟିଏ ପଟେ ରୁଷିଆ ଏବଂ ଅନ୍ୟପଟେ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ପରୋକ୍ଷରେ ଚାଲିଛି। ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଓ ଅର୍ଥରେ ୟୁକ୍ରେନ୍‌‌ ଲଢ଼ୁଛି। ଆଣବିକ ବୋମାର ଅଧିକାରୀ ହୋଇ ମଧ୍ୟ ରୁଷିଆ ଏହି ଲଢ଼େଇରେ ୟୁକ୍ରେନ୍‌‌ ବିରୋଧରେ ତାହା ପ୍ରୟୋଗ କରିବା ଅବସ୍ଥାରେ ନାହିଁ। ତେଣୁ ପାରମ୍ପରିକ ଯୁଦ୍ଧ ଜାରି ରଖି ନିଜର ଓ ବିଶ୍ୱର ଅର୍ଥନୀତିକୁ ବିଗାଡ଼ିବାକୁ ମସ୍କୋ ପ୍ରଶାସନ ସତେଯେପରି ବଦ୍ଧ ପରିକର ହୋଇଛି। ଦୁଇ ଯୁଦ୍ଧରତ ଦେଶର ନେତା କାୟମନୋବାକ୍ୟରେ ଏକାଠି ହୋଇ ନିଷ୍ପତ୍ତି ନେଲେ ଗୋଟିଏ ମିନିଟ୍‌‌ରେ ଯୁଦ୍ଧର ଅବସାନ ଘଟିବ। ନିଜର ପତିଆରା କ୍ଷୁଣ୍ଣ ହେବା ଭୟରେ ରୁଷ ରାଷ୍ଟ୍ରପତି ପୁଟିନ୍‌‌ ଏଥିପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଅପରପକ୍ଷରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବୁଦ୍ଧି ଓ ସମର୍ଥନରେ ପରିଚାଳିତ ୟୁକ୍ରେନ୍‌‌ ରାଷ୍ଟ୍ରପତି ନିଜଆଡ଼ୁ ଯୁଦ୍ଧବିରତି ଘୋଷଣା କରିବା ଅବସ୍ଥାରେ ନଥିବା ମନେ ହେଉଛି।

ଏହି ଲମ୍ବା ଲଢ଼େଇର ବିଷମ ପରିଣତି ହେଲା ସମଗ୍ର ବିଶ୍ୱର ଯୋଗାଣ ବ୍ୟବସ୍ଥା ଭୁଶୁଡ଼ିବା। ୟୁକ୍ରେନ ଓ ରୁଷିଆ ଉଭୟ ବିଶ୍ୱର ପ୍ରମୁଖ ଖାଦ୍ୟ, ତୈଳ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ରପ୍ତାନିକାରୀ ଦେଶ। ଯୁଦ୍ଧ ଯୋଗୁଁ କୃଷ୍ଣସାଗର ସମେତ ରୁଷ ଓ ୟୁକ୍ରେନ୍‌‌ର ସବୁ ପ୍ରମୁଖ ବନ୍ଦର ଏକପ୍ରକାର ଅଚଳ ଅବସ୍ଥାରେ ରହିଛି। ୟୁରୋପକୁ ଗ୍ୟାସ୍‌‌ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ରୁଷିଆ ଓ ୟୁକ୍ରେନ୍‌‌ରୁ ଖାଦ୍ୟ ଶସ୍ୟ ୟୁରୋପ, ଆମେରିକା, ଆଫ୍ରିକା ଓ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳକୁ ଯାଇପାରୁ ନାହିଁ। ସମଗ୍ର ୟୁରୋପରେ ଏବେ ଅଟା ଓ ଚାଉଳ ସଂକଟ ଦେଖାଦେଇଛି। ଆମେରିକା ଏବଂ କାନାଡ଼ାରେ ଶୀତ ଋତୁ ଆଗକୁ ଆସୁଥିବାରୁ ଖାଦ୍ୟଶସ୍ୟ ଓ ଇନ୍ଧନ ସମସ୍ୟା ଜଟିଳ ହୋଇପାରେ। ସଂକ୍ଷେପରେ କହିଲେ ବିଶ୍ୱର ଉନ୍ନତ ଓ ବିକାଶଶୀଳ ଦେଶ ଏହି ଯୁଦ୍ଧ ଯୋଗୁଁ ବିଶେଷ ଅସୁବିଧାରେ ଅଛନ୍ତି।

ଭାରତ କଥା ଦେଖାଯାଉ। ଭାରତ ବିଶ୍ୱ ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଯେଉଁ ଚାଉଳ ଓ ଗହମ ରପ୍ତାନି କରୁଥିଲା, ଏବେ ତାହା ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଛି। ଏହାର କାରଣ ହେଲା ଦେଶରେ ଏବେ ଅଣ ବାସୁମତୀ ଚାଉଳ ଓ ଗହମର ମୂଲ୍ୟ ଆକାଶ ଛୁଆଁ ହୋଇଛି। ରପ୍ତାନିକାରୀମାନେ ଅଧିକ ଲାଭ ଆଶାରେ ଏହାକୁ ବିଦେଶକୁ ପଠାଉଥିବାରୁ ଦେଶରେ ଅଭାବ ଅନୁଭୂତ ହେଉଛି। ସେହିଭଳି ଭାରତ ରୁଷରୁ ଟଙ୍କା-ରୁବଲ୍‌‌ ବିନିମୟ ବ୍ୟବସ୍ଥାରେ ଶସ୍ତାରେ ପ୍ରଚୁର ତୈଳ କିଣୁଥିବା ବେଳେ ଆଉ ଅଧିକ ଟଙ୍କାଭିତ୍ତିକ କାରବାର ପାଇଁ ରୁଷିଆ ସରକାର ମନା କଲେଣି। ସେଠା ସରକାରଙ୍କ ପାଖରେ ଯେଉଁ ରୁପି (ଟଙ୍କା) ଗଚ୍ଛିତ ଅଛି, ତାହାକୁ ରୁଷିଆ କାମରେ ଲଗାଇପାରୁ ନାହିଁ। ଦ୍ୱିତୀୟରେ ରୁଷିଆ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ବଢ଼଼ୁଛି ଏବଂ ସେଠାରୁ ଆମଦାନି ଅଧିକ ଓ ରପ୍ତାନି କମ୍‌‌ ହେଉଛି। ଏହା ଫଳରେ ଭାରତର ବୈଦେଶିକ ବାଣିଜ୍ୟ ପ୍ରଭାବିତ ହେଉଛି।

ତେଣୁ ଭାରତ ସମେତ ବିଶ୍ୱର ସବୁ ବିକାଶଶୀଳ ଦେଶ ୟୁକ୍ରେନ୍‌‌-ରୁଷିଆ ଲଢ଼େଇର ଶୀଘ୍ର ସ୍ଥାୟୀ ଅବସାନ ଚାହୁଁଛନ୍ତି। ଦୁଇଦିନ ତଳେ ସାଉଦି ଆରବର ଜେଡ୍ଡାଠାରେ ଏହି ଲଢ଼େଇର ଅବସାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ବୈଠକ ବସିଥିଲା। ରୁଷିଆର ବିରୋଧ ସତ୍ତ୍ବେ ଭାରତ ନିଜର ଭବିଷ୍ୟତ ଓ ସ୍ୱାର୍ଥ ଦୃଷ୍ଟିରୁ ଏଥିରେ ଯୋଗ ଦେଇଥିଲା। ଏଥିରେ ଆମେରିକା, ଚୀନ୍‌‌ ଓ ଭାରତ ସମେତ ବିଶ୍ୱର ୪୦ ଦେଶର ନିରାପତ୍ତା ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଜାତିସଂଘର ନିୟମାବଳୀ ଓ ଆନ୍ତର୍ଜାତିକ ଆଇନର ବ୍ୟବସ୍ଥା ଅନୁସାରେ ଏହି ଯୁଦ୍ଧର ତୁରନ୍ତ ଅବସାନ ଘଟାଇବାକୁ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଭାରତ ଏ କ୍ଷେତ୍ରରେ ପାରୁପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିବ ବୋଲି ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ୍‌‌ ଡୋଭାଲ୍‌‌ କହିଥିଲେ।

ଅବଶ୍ୟ ଏବେ ୟୁକ୍ରେନ୍‌‌ ଏକ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଉଦ୍ୟମ ଚାଳାଇଛି ଏବଂ ଅନେକ ପ୍ରଭାବଶାଳୀ ଦେଶଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛି। ତେବେ ୟୁକ୍ରେନ୍‌‌ ପକ୍ଷରୁ ଏଥିପାଇଁ ରୁଷିଆକୁ ନିମନ୍ତ୍ରଣ କରାଯାଇ ନଥିବାରୁ ମସ୍କୋ କର୍ତ୍ତୃପକ୍ଷ କ୍ଷୁବ୍ଧ। ୟୁକ୍ରେନ୍‌‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌‌ସ୍କି ଯୁଦ୍ଧର ଅବସାନ ପାଇଁ ଏକ ୧୦ ସୂତ୍ରୀ ଚିଠା ପ୍ରସ୍ତୁତ କରିଛନ୍ତି। ଜେଡ୍ଡା ସମ୍ମିଳନୀରେ ତା’ଉପରେ ଆଲୋଚନା ହୋଇଥିଲା ଏବଂ ସବୁ ଦେଶ ଏହି ସୂତ୍ର ସହିତ ଏକମତ ହୋଇଛନ୍ତି। ତେବେ ବଡ଼କଥା ହେଉଛି ରୁଷିଆକୁ ଏହି ପ୍ରସ୍ତାବ ଉପରେ ସମ୍ମତ କରାଇବ କିଏ ଓ ସେ କିପରି ଶାନ୍ତି ବୈଠକରେ ଯୋଗ ଦେବ। ଭାରତ ଯଦିଓ ଉଭୟ ରୁଷିଆ ଓ ୟୁକ୍ରେନ୍‌‌ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ନିୟମିତ କଥାବାର୍ତ୍ତା କରୁଛି ଓ ଯୋଗସୂତ୍ରରେ ରହିଛି ସେଥିପାଇଁ ରୁଷିଆକୁ ଆଲୋଚନା ନିମନ୍ତେ ରାଜି କରାଇବା ଦାୟିତ୍ୱ ଭାରତ ଉପରେ ପଡ଼ିପାରେ।

ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଘନେଇ ଆସୁଛି। ଆଉ ଅଧିକ କାଳ ଏହି ଯୁଦ୍ଧ ଚାଲିଲେ ସମଗ୍ର ବିଶ୍ୱର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଦୁଇ ବିବଦମାନ ପକ୍ଷ ସହିତ କଥାବାର୍ତ୍ତା କରିବାକୁ ଭାରତ କୁଣ୍ଠିତ ହୋଇ ନପାରେ ଏବଂ ଡୋଭାଲ୍‌‌ଙ୍କ ମନ୍ତବ୍ୟରୁ ଏହାର ସୂଚନା ମିଳୁଛି। ତେବେ ଜାତିସଂଘର ନୀତି ନିୟମ ଓ ବିଶ୍ୱ ବ୍ୟବସ୍ଥା ଅନୁସାରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଭାରତର ଏବେ ଅତିରିକ୍ତ ଦାୟିତ୍ୱ ହେଲା ଏହା ଜି-୨୦ର ଅଧ୍ୟକ୍ଷ ପଦରେ ଅଛି। ଏହି ସମୟରେ ଭାରତ ବିଶ୍ୱର ସବୁ ବିକାଶଶୀଳ ଓ ଅଳ୍ପ ବିକଶିତ ରାଷ୍ଟ୍ରଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛି। ତେଣୁ ସବୁ ପକ୍ଷଙ୍କ ପାଇଁ ଗ୍ରହଣଯୋଗ୍ୟ ପ୍ରସ୍ତାବ ସହ ସବୁ ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମକୁ ସମସ୍ତେ ସମ୍ମାନ ଦେଲେ ଯୁଦ୍ଧର ଅବସାନ ଘଟିବ ଓ ସ୍ଥାୟୀ ଶାନ୍ତି ସମ୍ଭବ ହେବ। ଭାରତକୁ ଏହି କାମରେ ଆମେରିକା, ଚୀନ୍‌‌ ଓ ୟୁରୋପୀୟ ସଂଘ ସହାୟତା ନ ଦେଲେ ଯୁଦ୍ଧର ଅବସାନ ସମ୍ଭବ ନୁହେଁ। ତଥାପି ଶାନ୍ତି କଥାବାର୍ତ୍ତା ଜାରି ଓ କୂଟନୀତି ପ୍ରୟୋଗ ଦ୍ୱାରା ରୁଷ-ୟୁକ୍ରେନ୍‌‌ ଯୁଦ୍ଧର ଅବସାନ ଯେ ଶୀଘ୍ର ହୋଇପାରିବ, ତାହାର ଆଶାର କିରଣ ଦେଖାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର