ଅସତ୍ୟର ଆଧୁନିକ ରୂପ

The Sakala Picture
Published On

ପୂର୍ବରୁ ଗୁଜବ, ଟାହି ଟାପରା, ଫୁସୁଲାଫୁସୁଲି କଥାସବୁ ଗାଧୁଆ ତୁଠରୁ ଏ କାନ ସେ କାନ ହୋଇ ସାରାରାଜ୍ୟରେ ବ୍ୟାପୀ ଯାଉଥିଲା। ଏହିକ୍ରମରେ ଖରାପ କଥାର ଗତିଶୀଳତା ଅଧିକ ହୋଇଯାଏ। ଲୋକେ କହନ୍ତି ଗୁଜବର ପକ୍ଷ ଅଛି। ସେ ବହୁତ କ୍ଷିପ୍ର ଗତିରେ ଉଡ଼ିପାରେ। ଉଡ଼ିଉଡ଼ି କାନପାଖରେ ପହଞ୍ଚି ପୁଣି ମୁହଁ ବାଟେ ନିଷ୍କାସିତ ହୁଏ। ବେଳେବେଳେ ମୁହଁ ବାଟେ ବଡ଼ ଆକାରର ଏମିତି ବି ଅଗ୍ନିପକ୍ଷୀ ହୋଇ ବାହାରିଯାଏ, ଯିଏ ସାରା ଦୁନିଆରେ ନିଆଁ ଲଗେଇ […]

ପୂର୍ବରୁ ଗୁଜବ, ଟାହି ଟାପରା, ଫୁସୁଲାଫୁସୁଲି କଥାସବୁ ଗାଧୁଆ ତୁଠରୁ ଏ କାନ ସେ କାନ ହୋଇ ସାରାରାଜ୍ୟରେ ବ୍ୟାପୀ ଯାଉଥିଲା। ଏହିକ୍ରମରେ ଖରାପ କଥାର ଗତିଶୀଳତା ଅଧିକ ହୋଇଯାଏ। ଲୋକେ କହନ୍ତି ଗୁଜବର ପକ୍ଷ ଅଛି। ସେ ବହୁତ କ୍ଷିପ୍ର ଗତିରେ ଉଡ଼ିପାରେ। ଉଡ଼ିଉଡ଼ି କାନପାଖରେ ପହଞ୍ଚି ପୁଣି ମୁହଁ ବାଟେ ନିଷ୍କାସିତ ହୁଏ। ବେଳେବେଳେ ମୁହଁ ବାଟେ ବଡ଼ ଆକାରର ଏମିତି ବି ଅଗ୍ନିପକ୍ଷୀ ହୋଇ ବାହାରିଯାଏ, ଯିଏ ସାରା ଦୁନିଆରେ ନିଆଁ ଲଗେଇ ଦିଏ। କାନକୁହା କଥା ସାଧାରଣ କଥାଠାରୁ ବେଶୀ ଭୟଙ୍କର। ଫୁଟୁରୁ ଫୁଟୁରୁ ହେଉଥିବା ଲୋକଟା ବଡ଼ପାଟିରେ କଥା ହେଉଥିବା ଲୋକଠାରୁ ଯେ କେତେ ଭୟଙ୍କର ତାହାର ବିଭିନ୍ନ ଉଦାହରଣ ଆମେ ଇତିହାସ ଓ ପୁରାଣରୁ ଜାଣିଛନ୍ତି।

ଗୁଜବର କ୍ଷିପ୍ରତା ଗ୍ରାମାଞ୍ଚଳରେ ଅଧିକ ବୋଲି କୁହାଯାଏ। କିନ୍ତୁ ଏବେ ସହରରେ ମଧ୍ୟ ଏହାର ଗତିର ତୀବ୍ରତା ଦେଖିବାକୁ ମିଳୁଛି। ଏବେ ଗାଧୁଆ ତୁଠ ନାହିଁ। ତା’ ସ୍ଥାନ ନେଇଛି ପ୍ରଯୁକ୍ତି ବିଦ୍ୟା। ପ୍ରଥମେ କଥାଟି ଗୋଟିଏ ଛୋଟ ପକ୍ଷୀ ଶାବକ ପରି ହୋଇଥାଏ। ପରେ ମୋବାଇଲ୍‌‌ ଫୋନ୍‌‌ରୁ ଆଉ ଏକ ମୋବାଇଲ୍‌‌ ଫୋନ୍‌‌କୁ ସଂକ୍ରମିତ ହୋଇ ଏହା ଝଡ଼ର ଇଗଲ ପାଲଟିଯାଉଛି।

ଜନୈକ ଭଦ୍ର ବ୍ୟକ୍ତିଙ୍କର ଜଣେ ସୁନ୍ଦର ଶିକ୍ଷିତ କନ୍ୟା ଥିଲା। ପାଠ ଶାଠ ଓ ଅନ୍ୟ ସବୁଥିରେ ନିପୁଣା ଝିଅଟି ବିବାହଯୋଗ୍ୟା ହେଲା। ସେହି ଗ୍ରାମର ଜଣେ ଅସାମାଜିକ ଯୁବକ ସେ ଝିଅକୁ ବାଟରେ ଘାଟରେ ବିଭିନ୍ନ ଟିପ୍ପଣୀ ଦେବା ଆରମ୍ଭ କରିଦେଲା। ଏକଥା ଝିଅଟି ସହ୍ୟ କରିନେଉଥିଲା। ଝିଅଟି ତା’କୁ ଭଲପାଏ ଓ ତା’ ସହ ପଳାଇଥିଲା ବୋଲି ଯୁବକଟି ଦିନେ ପ୍ରଚାର କରାଇଦେଲା ତା’ର ଅସାମାଜିକ ସାଥୀମାନଙ୍କ ଦ୍ୱାରା। ସମୟକ୍ରମେ କଥାଟି ଅନେକ କାନ ହୋଇ ସାରା ଗ୍ରାମ ଓ ସହରକୁ ବ୍ୟାପୀ ଗଲା। ସମସ୍ତେ ମିଛସତ ଯୋଡ଼ାଯୋଡ଼ି ହୋଇ କଥାହେଲେ। ଯିଏ କେବେ ଝିଅକୁ ଦେଖି ନଥିଲେ ସେମାନେ ବି ଦୁଇଜଣ ବାରମ୍ୱାର ମିଶୁଥିବାର ମିଛ ଗଳ୍ପ କହି କଥାର ଆନନ୍ଦ ନେଲେ। ଏକଥାରେ ଝିଅର ବାପା ଓ ପରିବାର ବହୁ ମାନସିକ ଯନ୍ତ୍ରଣା ପାଇଲେ। ଏମିତି ଏକ ପରିସ୍ଥିତିରେ ଝିଅଟି ସେହି ପୁଅ ସହ ବାହାହେବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଅଚାନକ ଏକ ମିଛ ବାର୍ତ୍ତା ଝିଅର ଜୀବନରେ ଝଡ଼ ଆଣିଲା। ଏପରି ଅନେକ ଘଟଣା ଏହିଭଳି କଥା ଦ୍ୱାରା ବ୍ୟାପୀ ଅନେକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦିଏ।

ସେଦିନର ଗାଁ ତୁଠର ସେହି କଥାର ମାଧ୍ୟମ ଏବେ ଲୋକଙ୍କ ମୁଖରୁ ଆଖି ଓ ଅଙ୍ଗୁଳିକୁ ଉନ୍ନୀତ ହୋଇଛି। ସାମାଜିକ ଗଣମାଧ୍ୟମ ଏବେ ଏହି ତୁଠ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ହଠାତ ହେଉଥିବା ଧର୍ମ ଓ ଜାତିଭିତ୍ତିକ ଦଙ୍ଗା କେବଳ ସାମାଜିକ ଗଣମାଧ୍ୟମ ଦ୍ୱାରା ବ୍ୟାପୀ ଯାଏ। ବିଶେଷ କରି ହ୍ୱାଟ୍ସଆପ ଓ ଫେସବୁକର ପ୍ରଭାବରେ ଅଯଥା କଥାର ପ୍ରସାର କ୍ଷିପ୍ର ଗତିରେ ଯାଇ ଲୋକଙ୍କୁ ଉସ୍‌‌କାଇବାରେ ଯଥେଷ୍ଟ ସହାୟକ ହେଉଛି। ବିଭିନ୍ନ ଅନ୍ଧବିଶ୍ୱାସ, ମିଛଧର୍ମବିଶ୍ୱାସ ବହୁଳ ଭାବରେ ପ୍ରଚାର କରିବାର ଭୂମିକା ନେଇଛି ଏହି ସାମାଜିକ ଗଣମାଧ୍ୟମ।

କଥାରେ ଅଛି ମାଙ୍କଡ଼ ହାତରେ ଶାଳଗ୍ରାମ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ଅବସ୍ଥା ସେହିପରି। କୌଣସି ଲୋକଙ୍କୁ ବଦନାମ କରିବା ବା କୌଣସି ସଂସ୍ଥାକୁ ରାତାରାତି ନିମ୍ନଗାମୀ କରାଇବାରେ ସାମାଜିକ ଗଣମାଧ୍ୟମ ଏବେ ପଟୁତା ଅର୍ଜନ କରିଚାଲିଛି। ଏହାଦ୍ୱାରା କେତେ ଲୋକ ଛାତ୍ରଛାତ୍ରୀ ମାନସିକ ସ୍ତରରେ ଅଶାନ୍ତ ଓ ଚାପଗ୍ରସ୍ତ ହେଉଛନ୍ତି, ତାହା କେହି ଭାବୁ ନାହାନ୍ତି। ଘୃଣାର ଖବରକୁ ବିସ୍ତାର ଭାବରେ ବର୍ଣ୍ଣନା କରି ଆମେ ମଧ୍ୟ ସେଥିରେ ପ୍ରପୀଡ଼ିତ ହୋଇପଡ଼ିଛନ୍ତି।

କାହାକୁ ସମାଜସେବୀ, କାହାକୁ ମହାଜ୍ଞାନୀ ଭାବରେ ଚିତ୍ରଣ କରି ସାମାଜିକ ପ୍ରଦୂଷଣକୁ ଏହି ଗଣମାଧ୍ୟମ ମଞ୍ଚ ବିସ୍ତାର କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମିଛର ପ୍ରସାର ଦ୍ୱାରା ରାଜନୀତି କରି କିପରି ଦେଶର ଜନତାଙ୍କୁ ବିଚଳିତ କରାଯାଇପାରେ ତାହା ଆମେ ଦେଖୁଛୁୁ ଓ ଜାଣିଛୁ। ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଭାରତ ବିରୋଧୀ ତତ୍ତ୍ୱକୁ ପ୍ରସାର କରାଯାଇ ପାକିସ୍ତାନ ଭାରତରେ ଉଗ୍ରବାଦର ବିସ୍ତାର କରୁଥିବା ଅଛପା ନୁହେଁ। କାଶ୍ମୀରରେ କିପରି ସୁରକ୍ଷା ବାହିନୀ ଓ ପୁଲିସ୍‌‌ ଉପରକୁ ଲୋକେ ପଥର ଫୋଫାଡ଼ୁଛନ୍ତି ତାହା ଆମେ ସାମାଜିକ ଗଣମାଧ୍ୟମ ଜରିଆରେ ହିଁ ପ୍ରଥମେ ଜାଣିପାରିଲେ। ଅପରପକ୍ଷରେ ପଞ୍ଜାବରେ ସ୍ୱତନ୍ତ୍ରତାବାଦୀମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଅପପ୍ରଚାର କରି ପୁଲିସ ଉପରେ ଆକ୍ରମଣ କରି ବିରାଟ ଶୋଭାଯାତ୍ରା କରିଥିଲେ।

ସତ କହିବାକୁ ଗଲେ ଏଭଳି ଗୁଜବ, ମିଥ୍ୟା, ବିଭ୍ରାନ୍ତିକର ଓ ଉଦ୍ଦେଶ୍ୟମୂଳକ ଖବର ପ୍ରଚାର କରି ଅନେକ ଆନନ୍ଦ ଉପଭୋଗ କରୁଥିବାବେଳେ ଅନେକେ ଏହାଦ୍ୱାରା ମାନସିକ ଯନ୍ତ୍ରଣା ପାଇଥା’ନ୍ତି। କିଛିଲୋକ ବ୍ୟକ୍ତିଗତ ଭାବରେ ଆଘାତ ପାଇ ଆତ୍ମହତ୍ୟା ମଧ୍ୟ କରୁଥିବା ଦେଖାଯାଏ। ସାମାଜିକ ଗଣମାଧ୍ୟମ ଏପରି ଏକ ମାଧ୍ୟମ ବା ମଞ୍ଚ, ଯେଉଁଠାରେ ଘଟଣାର ବା ଖବରର ସତ୍ୟତା ନିରୂପିତ ହୋଇ ନଥିଲେ ମଧ୍ୟ ତାହାକୁ ସହଜରେ ସମସ୍ତେ ବିଶ୍ୱାସ କରିଯାଆନ୍ତି। ପୂର୍ବରୁ ଏହାକୁ ନେଇ ଢଗଟିଏ କୁହାଯାଏ – ‘ଏଠି କୁଆ ଉଡ଼ିଗଲେ ଛୁଆ ଉଡ଼ିଯାଏ ପର୍ଯ୍ୟନ୍ତ କଥା ଯାଏ।’ କଥାରେ କହନ୍ତି ‘ମିଛର ସହସ୍ର ଗୋଡ଼, କିନ୍ତୁ ସତ ଗୋଟିଏ ଛୋଟା।’ ଏସବୁ ଏ ପ୍ରଯୁକ୍ତି ଯୁଗରେ ବି ଚାଲିଛି।

ସବୁ ଯୁଗରେ ଗୁଜବର ଭୂମିକା ସାଧାରଣ ଜୀବନକୁ ଇତସ୍ତତ କରିଛି। ରାମାୟଣରେ ରାମ ଓ ସୀତାଙ୍କୁ ନେଇ ଧୋବା ଦମ୍ପତିଙ୍କର କଥା କଟାକଟି ଓ ନିନ୍ଦା, ଅପବାଦ ଆଦି ଛଦ୍ମବେଶୀ ରାଜା ଶ୍ରୀରାମଚନ୍ଦ୍ରଙ୍କ କାନରେ ପଡ଼ିଲା। ଶ୍ରୀରାମଚନ୍ଦ୍ରଙ୍କୁ ତାଙ୍କ ପ୍ରଜାଙ୍କ ବଚନ ପ୍ରବଳ ଦୁଃଖ ଦେଲା। ଶ୍ରୀରାମଚନ୍ଦ୍ର ଏହା ଉପରେ ବିଚାର ବିମର୍ଶ କରି ନିଜର ବ୍ୟକ୍ତିଗତ ଜୀବନର ସୁଖକୁ ଜଳାଞ୍ଜଳି ଦେଇଥିଲେ। ମାତା ସୀତାଙ୍କୁ ଏହାପରେ ସେ ନିର୍ବାସିତା କରିଥିଲେ, ଯାହାକୁ ମାତା ହସି ହସି ବରଣ କରିନେଇଥିଲେ। ଏହା ରାମାୟଣ ଯୁଗରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସାମାଜିକ ସ୍ତରରେ ପରିବ୍ୟାପ୍ତ।

ଏହି ଗୁଜବ ପକ୍ଷୀ ସବୁବେଳେ ପ୍ରଶୟ ଖୋଜେ ଏବଂ ତା’ର ସୌଭାଗ୍ୟ ଯେ, ତା’କୁ ପ୍ରଶ୍ରୟ ଦେବା ପାଇଁ ଅନେକେ ଚାହିଁ ବସିଥା’ନ୍ତି। ଗୁଜବକୁ ଯଦି ପ୍ରଶ୍ରୟ ନ ମିଲେ ତେବେ ତାହା ଦୁର୍ଘଟଣାର ରୂପ ନେବ ନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ସମ୍ୱେଦନଶୀଳ ସମ୍ୱାଦକୁ ପ୍ରୋତ୍ସାହନ ଦିଆନଯାଇ ଏହାର ଉତ୍ସକୁ ଯଦି ଧରାଯାଏ, ତେବେ ଅସାମାଜିକ ତତ୍ତ୍ୱଙ୍କୁ ଏସବୁ କରିବାର ସୁଯୋଗ ମିଳିବ ନାହିଁ। ଏକ ସୁସ୍ଥ ସମାଜ ଓ ଏକ ସ୍ୱଚ୍ଛ ପରିବେଶ ପାଇଁ ନକାରାତ୍ମକ କଥାର ପ୍ରଚାର କରି ଧନଜୀବନ ନଷ୍ଟ କରିବାର ଅଧିକାର କାହାର ନାହିଁ। ଏକଥାକୁ ଆମକୁ ସ୍ୱୀକାର କରିବାକୁ ହେବ।

ଗୁଜବ ଏହି ଶିକ୍ଷିତ ସମାଜ ପାଇଁ ଏକ ଅଭିଶାପ। ଏହା ସ୍ୱୀକାର କରି ଆମକୁ ଆଗକୁ ବଢ଼଼ିବା ଆବଶ୍ୟକ। କିନ୍ତୁ ସବୁଠାରୁ ବଡ଼ ଦୁଃଖ ଯେ ଏହି ଶତାବ୍ଦୀରେ ମଧ୍ୟ ଆମେ ଗୁଜବର ଦୁନିଆରେ ବଞ୍ଚିଛନ୍ତି। ସକାଳ ଭଲଥିଲା ବେଳେ ଗୁଜବର ପ୍ରଭାବରେ ସନ୍ଧ୍ୟା ପ୍ରତ୍ୟେକଙ୍କ ମନକୁ ବିଦୀର୍ଣ୍ଣ କରିଦେଉଛି। ଗୁଜବର ପ୍ରଭାବରେ ଅନେକ ମାନସିକତା ଭାଙ୍ଗିରୁଜି ସୃଷ୍ଟିର ସୁନ୍ଦର ସଂରଚନାକୁ ପ୍ରଭାବିତ କରିଚାଲିଛି।

ପ୍ରଦୀପ୍ତ କୁମାର ମିଶ୍ର
ଯାଜପୁର, ମୋ: ୯୬୫୮୬୧୪୭୨୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର