ଘରୋଇ ହିଂସା: ଏକ ମାନସିକ ବିକୃତି

The Sakala Picture
Published On

ଘରୋଇ ହିଂସା ପାଇଁ ‘ଫ୍ୟାମିଲି କୋର୍ଟ’ ବ୍ୟବସ୍ଥା କରାଯାଇଛି। ତେବେ ସେଠାକୁ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦଗୁଡ଼ିକ ଆସିବାର ଦେଖାଯାଉଛି। କିନ୍ତୁ ପ୍ରକୃତରେ କ’ଣ ଘରୋଇ ହିଂସା କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୀମିତ? ଘର ଭିତରେ ଅନ୍ୟ ସଦସ୍ୟଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କ’ଣ ଘରୋଇ ହିଂସା କୁହାଯିବ ନାହିଁ? ସତରେ କ’ଣ ଆଇନ ଘର ସଜାଡ଼ି ପାରେ? ଏହି ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ କେତୋଟି ସମସ୍ୟା ଉପସ୍ଥାପନା […]

ଘରୋଇ ହିଂସା ପାଇଁ ‘ଫ୍ୟାମିଲି କୋର୍ଟ’ ବ୍ୟବସ୍ଥା କରାଯାଇଛି। ତେବେ ସେଠାକୁ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦଗୁଡ଼ିକ ଆସିବାର ଦେଖାଯାଉଛି। କିନ୍ତୁ ପ୍ରକୃତରେ କ’ଣ ଘରୋଇ ହିଂସା କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୀମିତ? ଘର ଭିତରେ ଅନ୍ୟ ସଦସ୍ୟଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କ’ଣ ଘରୋଇ ହିଂସା କୁହାଯିବ ନାହିଁ? ସତରେ କ’ଣ ଆଇନ ଘର ସଜାଡ଼ି ପାରେ? ଏହି ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ କେତୋଟି ସମସ୍ୟା ଉପସ୍ଥାପନା କରିବି।

କଲୋନୀର ଗୋଟିଏ ଘରୁ ପ୍ରାୟ ସମୟରେ ପାଟିତୁଣ୍ଡ ଶୁଭେ। ଘର ଭିତରେ ନାରୀଟିକୁ ଯେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି – ଏହା ଭାବି କଲୋନୀ ବାସିନ୍ଦାମାନେ ବିଚଳିତ ହୋଇ ପୁଲିସ୍‌‌କୁ ଖବର ଦେଲେ। ସିସିଟିଭି ଯାଞ୍ଚ ପରେ ପ୍ରକୃତ କଥାଟି ଆସିଲା ପଦାକୁ। ସ୍ତ୍ରୀ ଉପରେ ନୁହେଁ, ବରଂ ପୁରୁଷ ଉପରେ ହେଉଥିଲା ଅକଥନୀୟ ଅତ୍ୟାଚାର। କାର୍ଯ୍ୟାଳୟରୁ ଆସିଲା ପରେ ଘରର ଯାବତୀୟ କାମ କରାଇବାଠାରୁ ନେଇ କଥାକଥାରେ ସ୍ତ୍ରୀ ଲୋକଟି ସ୍ୱାମୀକୁ ଶାରୀରିକ ନିର୍ଯାତନା ଦେଉଥିଲା। ଏ ସମ୍ପର୍କରେ କାହିଁକି ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି ବୋଲି ପୁରୁଷଙ୍କୁ ପଚରା ଯିବାରୁ ସେ କହିଲେ – ‘ପୁରୁଷ ହୋଇ ସ୍ତ୍ରୀଠାରୁ ମାଡ଼ ଖାଉଚି ବୋଲି କହିଲେ, କିଏ ମୋ କଥା ବିଶ୍ୱାସ କରି ଥାଆନ୍ତା! ଏଠି ନାରୀ ଆଖିରେ ଲୁହ ଦେଖିଲେ ଲୋକେ ଧାଇଁ ଆସନ୍ତି। କିନ୍ତୁ ପୁରୁଷ ଆଖିରୁ ଲୁହ ଝରିଲେ ତା’କୁ ମିଳେ ମାଇଚିଆର ଆଖ୍ୟା। ମୁଁ ନିର୍ଯାତନା ପାଉଛି ବୋଲି କହିଥିଲେ ଓଲାଟା ମୁଁ ପାଲଟିଯାଇ ଥା’ନ୍ତି ପରିହାସର ପାତ୍ର।’

ଆସିବା ଦ୍ୱିତୀୟ ସମସ୍ୟାକୁ। ବଧୂ ନିର୍ଯାତନା ଶବ୍ଦଟି ସହ ଆମେ କେଉଁକାଳରୁ ପରିଚିତ। ଶାଶୂ ଓ ନଣନ୍ଦଙ୍କଠାରୁ ନୂଆବୋହୂଟିଏ ଗଞ୍ଜଣା ସହିବା, ଯାଉଣୁ ଆସୁଣୁ ବିଧାଏ ଖୁନ୍ଦାଏ ଖାଇବା ସତେ ଯେମିତି ଅନେକ ସ୍ଥାନରେ ଅଲିଖିତ ନିୟମ ରହିଚି ବୋଲି ସାଧାରଣ ଲୋକେ ଧରି ନିଅନ୍ତି। ସୀମା ଟପି ଯେତେବେଳେ ତାହା ବଧୂ ହତ୍ୟା ବା ଆତ୍ମହତ୍ୟା ପରି ଅଘଟଣରେ ପରିଣତ ହୁଏ ସେତେବେଳେ ପୁଲିସ ପହଁଚି ଶାଶୂକୁ ହାତକଡ଼ି ନଣନ୍ଦକୁ ବେଡ଼ି ପକାଇ ଥାନାକୁ ନିଏ। ଦେଖିବା ଏହାର ଅପରପାର୍ଶ୍ବକୁ। ଏହି ‘ଶାଶୂ ହାତକଡ଼ି ନଣନ୍ଦ ବେଡ଼ି’ କୁ ଢାଲ କରି କିଛି ବୋହୂ, ଶାଶୂ ଘରେ ଶାଶୂ ନିର୍ଯାତନା ଆରମ୍ଭ କରି ଦେଇଛନ୍ତି। ପ୍ରୌଢ଼ାବସ୍ଥାର ନାଚାର ପଣିଆ, ଘରର ସମ୍ମାନ ହାନିର ଭୟ, ପୁଅବୋହୂଙ୍କ ଜୀବନରେ ଅଶାନ୍ତି ସୃଷ୍ଟି ନ କରିବାର ମାନସିକତା ଯୋଗୁଁ ଶାଶୂମାନେ ବୋହୂମାନଙ୍କର ଏହି ନିର୍ଯାତନା ବିରୁଦ୍ଧରେ ସହଜରେ ମୁହଁ ଖୋଲି ପାରନ୍ତି ନାହିଁ। ଶାଶୂମାନଙ୍କୁ ସବୁ ନିର୍ଯାତନା ପାଟି ଚିପି ସହି ଯିବାକୁ ପଡ଼େ।

ଏବେ ତୃତୀୟ ସମସ୍ୟା। ପିଲାମାନଙ୍କୁ ଶାସନ କରି ଶୃଙ୍ଖଳିତ କରିବା ଆଳରେ ଅନେକ ସମୟରେ ପିତାମାତା ମାତ୍ରାଧିକ କଠୋର ହୁଅନ୍ତି। ପିଲାଙ୍କୁ ଶାରୀରିକ ନିର୍ଯାତନା ଦେବା, ଉପାସରେ ରଖିବା, ଅନ୍ଧାର କୋଠାରିରେ ରଖି ବନ୍ଦ କରି ଦେବା, ଘରୁ ବାହାର କରି କବାଟ ଦେଇଦେବା ଆଦି ଅନେକ ପ୍ରକାରର ନିର୍ଯାତନା ଦେଇ ଅଭିଭାବକମାନେ ପିଲାଙ୍କୁ ବାଟକୁ ଆଣିବେ ବୋଲି ଭାବନ୍ତି। କିନ୍ତୁ ଫଳ ହୁଏ ବିପରୀତ। ବୟସ କମ୍‌‌ ଥିବାରୁ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପାଟି ଫିଟେଇ ପାରି ନଥିବା ଶିଶୁଟି ମନ ମଧ୍ୟରେ ପିତା ମାତାଙ୍କୁ ଘୃଣା କରେ। ବଡ଼ ହେଉ ହେଉ ସେ ହୋଇ ଉଠେ ପ୍ରତିହିଂସା ପରାୟଣ। ପିତା ମାତାଙ୍କଠାରୁ ସବୁକଥା ଲୁଚାଇବା, ଯଥାସମ୍ଭବ ଦୂରତ୍ୱ ରକ୍ଷା କରିବା, ହେୟଜ୍ଞାନ କରିବାକୁ ସେ ଲଜ୍ଜା ବୋଧକରେ ନାହିଁ। କିଛି ଅଭିଭାବକ ତ ଭାବନ୍ତି ଯେ ପିଲା ହେଉଛି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଏବଂ ପିଲାକୁ ନିର୍ମମ ନିର୍ଯାତନା ଦେବା ସେମାନଙ୍କର ଏକଚାଟିଆ ଅଧିକାର। ପିଲାକୁ ଅତ୍ୟଧିକ ସ୍ନେହ ଯେପରି ଦୁଷ୍ଟ କରାଏ, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ସେପରି ପିଲାକୁ ନଷ୍ଟ କରାଏ। ସେଥିପାଇଁ କୁହାଯାଏ ସନ୍ତାନଟିଏ ଜନ୍ମ କରିବା ଯେତିକି ସହଜ, ତା’କୁ ଉପଯୁକ୍ତ ଲାଳନପାଳନ କରି ମଣିଷଟିଏ କରି ଗଢ଼ି ତୋଳିବା ସେତିକି କଠିନ। ପିତାମାତାଙ୍କୁ ମନେ ରଖିବାକୁ ହେବ ଯେ, ସନ୍ତାନ ହେଉଛି ଈଶ୍ୱରଙ୍କ ଦାନ। ପିତାମାତାଙ୍କୁ ସମ୍ମାନ ଜଣାଇବା ଓ ଭକ୍ତି କରିବା ଯେପରି ପିଲାଙ୍କ କର୍ତ୍ତବ୍ୟ, ପିଲାଙ୍କୁ ମଧ୍ୟ ଉତ୍ତମ ପରିବେଶ, ଶ୍ରଦ୍ଧାପୂର୍ଣ୍ଣ ବାତାବରଣ ଓ ଶୃଙ୍ଖଳିତ ଆଚରଣ ଦ୍ୱାରା ପ୍ରଭାବିତ କରିବା ପିତାମାତାଙ୍କ ଦାୟିତ୍ୱ।

ଏବେ ଆସିବା ଚତୁର୍ଥ ସମସ୍ୟାକୁ। ଆଜି ବି ଅନେକ ପରିବାରରେ ପୁଅ ଓ ଝିଅଙ୍କ ମଧ୍ୟରେ ପାର୍ଥକ୍ୟ କରାଯାଏ। ଅର୍ଥର ଅଭାବ ଦେଖାଗଲେ, ଅପାଠୁଆ ପୁଅଟି ପାଇଁ ମେଧାବୀ ଝିଅଟି ପାଠ ଛାଡ଼େ, ପୁଷ୍ଟିକର ଖାଦ୍ୟ, ଅଳସୁଆ ଭାଇଟିକୁ ଦେଇ ନିଜେ ବାସି ଓ ଅଖାଦ୍ୟରେ ପେଟ ଭରି ଘରର ଯାବତୀୟ କାମ କରିବାକୁ ବାଧ୍ୟ ହୁଏ। ଗୋଟିଏ ବାପାମାଙ୍କର ସନ୍ତାନ ହୋଇ ଥିଲେ ବି ପୁଅ ଝିଅ ଭିତରେ ଏତେ ପକ୍ଷପାତିତା ଝିଅଟିକୁ ମାନସିକ ଭାବେ ଦୁର୍ବଳ କରିଦିଏ।

ପଞ୍ଚମ ସମସ୍ୟାଟି ଏପରି। ସାତ ବର୍ଷର ନାବାଳିକାଟି ନିଜ ବାପାଙ୍କ ସାନ ଭାଇ ଦ୍ୱାରା ହେଉଥିଲା ଯୌନ ଶୋଷିତ। ମୁହଁ ଖୋଲି କହିବାର ସାହସ ଛୋଟ ଝିଅଟି ଜୁଟାଇ ପାରୁ ନ ଥିଲା। କିନ୍ତୁ ଦିନେ ଝିଅର ମା’ ଏ ବିଷୟରେ ଜାଣି ପ୍ରତିବାଦ କରି ଥାନାକୁ ଯିବେ ବୋଲି କହିବାରୁ ଘରର ସମ୍ମାନରେ ଆଞ୍ଚ ଆସିବା ଓ ଝିଅ ବଦନାମ ହେବାର ଭୟ ଦେଖାଇ ତାଙ୍କ ମୁହଁକୁ ବନ୍ଦ କରାଗଲା।

ଉପରୋକ୍ତ ପାଞ୍ଚୋଟି ଯାକ ସମସ୍ୟା ଘରୋଇ ହିଂସାର ଭିନ୍ନ ଭିନ୍ନ ଦିଗକୁ ସୂଚୀତ କରୁଛି। ଘର ଭିତରେ ଘରର କୌଣସି ସଦସ୍ୟଙ୍କ ଦ୍ୱାରା ଅନ୍ୟସଦସ୍ୟଙ୍କ ଉପରେ ହେଉଥିବା ମାନସିକ ଓ ଶାରୀରିକ ନିର୍ଯାତନାକୁ ଆମେ ‘ଘରୋଇ ହିଂସା’ର ଆଖ୍ୟା ଦେଇଛେ। ବାହ୍ୟ ଜଗତରେ ଥିବା ଅସୁରକ୍ଷିତ ଭାବନାର ଭୟରେ ମଣିଷ ଘରର ସୁରକ୍ଷିତ ବଳୟକୁ ଅପଣାର କରେ। କିନ୍ତୁ ଘର ଭିତରେ ଯଦି ତା’ ମନ ଆତଙ୍କିତ ହୁଏ, ସେ ଯିବ କୁଆଡ଼େ? ପୁଣି ଏଇ ସମସ୍ୟାଗୁଡ଼ିକ ତା’ ମନ ଓ ମସ୍ତିସ୍କ ଉପରେ ଯେଉଁ ନକାରାତ୍ମକ ପ୍ରଭାବ ପକାଏ, ତାହା ଜୀବନ ତମାମ ତା’କୁ କରେ ହନ୍ତସନ୍ତ।

ଯଦି ସାମାନ୍ୟ ନିରୀକ୍ଷଣ କରି ଦେଖିବେ ଆପଣ ଜାଣିପାରିବେ ଯେ ସମସ୍ୟାଟି ନିର୍ଯାତିତ ହେଉଥିବା ମଣିଷ ନିକଟରେ ନୁହେଁ, ବରଂ ନିର୍ଯାତନା ଦେଉଥିବା ମଣିଷର। ନିର୍ଯାତନା ଦେଉଥିବା ମଣିଷଟି ପ୍ରକୃତରେ ମାନସିକ ବିକୃତିର ଶିକାର। ନିଜ ଦୁର୍ବଳ ଚେତନାକୁ ଢାଙ୍କିବା ପାଇଁ ସେ ନିଜ ଅହଙ୍କାରକୁ ଢାଲ ହିସାବରେ ବ୍ୟବହାର କରେ। ଆଉ ବିପକ୍ଷଟି ଯଦି ସାମାନ୍ୟ ଦୁର୍ବଳ, ତେବେ ତାହା ତା’କୁ ଆହୁରି ପୈଶାଚିକ ଆନନ୍ଦ ପ୍ରଦାନ କରେ। ଏପରି ନିର୍ଯାତନା ଦେଇ ସେ ନିଜର ପ୍ରଭୁତ୍ୱ ଜାହିର କରିବ ବୋଲି ଭାବେ।

ଏଇଠି ଘରର ପ୍ରତିଟି ସଦସ୍ୟଙ୍କୁ ମନେ ରଖିବାକୁ ହେବ ଯେ ଘର ହେଉଛି ସେହି ସ୍ଥାନ, ଯାହା ଦେଖିଲା ମାତ୍ରେ ଆପଣଙ୍କୁ ଆଲିଙ୍ଗନ କରେ, ଆଦରର ସହ ଭିତରକୁ ପାଛୋଟି ନିଏ। ସେଇଥିପାଇଁ ତ କୁହା ଯାଇଛି, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ପ୍ରତ୍ୟେକଙ୍କୁ ଯଥୋଚିତ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଜଣାଇବା, ଘରର ବାତାବରଣକୁ ଯଥାସମ୍ଭବ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ। ଘରର ଗୁରୁଜନମାନଙ୍କର ଦାୟିତ୍ୱ ହେଉଛି ନିଜ ଆଚରଣ ଓ ଉଚ୍ଚାରଣ ଦ୍ୱାରା ପିଲାଙ୍କୁ ଶିକ୍ଷା ଦେବା। ଯେଉଁମାନଙ୍କୁ ଘର ଭିତରେ ନିଜ ଭାବନା ମୁକ୍ତ ଭାବେ ବ୍ୟକ୍ତ କରିବାର ସୁଯୋଗ ମିଳେ ନାହିଁ, ସେମାନେ ବାହାରକୁ ଆସି ବିଶୃଙ୍ଖଳିତ ଆଚରଣ କରନ୍ତି। ଘରର ସମସ୍ତ ସାବାଳକ ସଦସ୍ୟ ଏଥିପ୍ରତି ସଜାଗ ରହିଲେ, ବିଶେଷ ଭାବରେ ପିତାମାତା ଏଥିପାଇଁ ସତର୍କତାର ସହିତ ଲକ୍ଷ୍ୟ ରଖିଲେ, ଘର ପାଲଟିବ ସ୍ୱର୍ଗ। ଅନ୍ୟଥା ଘର ଓ ନର୍କ ମଧ୍ୟରେ ପାର୍ଥକ୍ୟ ରହିବ ନାହିଁ।

ଛନ୍ଦା ମିଶ୍ର
[email protected]

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର