୫ଜିର ବିସ୍ତାର ଓ ସାଇବର ନିରାପତ୍ତା, ଚୀନ୍‌‌ର ବିଷଦୃଷ୍ଟି ପ୍ରତି ସାବଧାନ!

The Sakala Picture
Published On

ଦିଲ୍ଲୀ, ମୁମ୍ବଇ, କଲକାତା ଓ ବେଙ୍ଗାଲୁରୁ ସମେତ ଦେଶର କେତେକ ବଛା ବଛା ନଗରୀରେ ୨୦୨୨ରେ ୫ଜି ଟେଲିକମ୍‌‌ ସେବା ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ସହରକୁ ସମ୍ପ୍ରସାରିତ ହେଉଛି। ଚଳିତ ବର୍ଷ ଓଡ଼ିଶାର କେତେକ ସହରରେ ଏହି ସେବା ମିଳିବ। ୨୦୨୪ ସୁଦ୍ଧା ଦେଶରେ ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୫ କୋଟି ହେବ ବୋଲି ଆଶା କରାଯାଉଛି। ଏବେ ଦେଶରେ ୧୦୨ କୋଟି ମୋବାଇଲ୍‌‌ ବ୍ୟବହାରକାରୀ ଅଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ୧୫ କୋଟି […]

ଦିଲ୍ଲୀ, ମୁମ୍ବଇ, କଲକାତା ଓ ବେଙ୍ଗାଲୁରୁ ସମେତ ଦେଶର କେତେକ ବଛା ବଛା ନଗରୀରେ ୨୦୨୨ରେ ୫ଜି ଟେଲିକମ୍‌‌ ସେବା ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ସହରକୁ ସମ୍ପ୍ରସାରିତ ହେଉଛି। ଚଳିତ ବର୍ଷ ଓଡ଼ିଶାର କେତେକ ସହରରେ ଏହି ସେବା ମିଳିବ। ୨୦୨୪ ସୁଦ୍ଧା ଦେଶରେ ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୫ କୋଟି ହେବ ବୋଲି ଆଶା କରାଯାଉଛି। ଏବେ ଦେଶରେ ୧୦୨ କୋଟି ମୋବାଇଲ୍‌‌ ବ୍ୟବହାରକାରୀ ଅଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ୧୫ କୋଟି ୫ଜି ସେବା ଉପଭୋକ୍ତାଙ୍କ ସଂଖ୍ୟା ବେଶ୍‌‌ ଛୋଟ।

ତେବେ ମୋବାଇଲ୍‌‌ରେ ଏହି ୫ଜିର ଆବଶ୍ୟକତା କ’ଣ? ପଞ୍ଚମ ପିଢ଼ି ବା ୫ଜିର ମୋବାଇଲ୍‌‌ ନେଟ୍‌‌ୱାର୍କ ଏବେ ବିଶ୍ୱରେ ଓୟାରଲେସ୍‌‌ କମ୍ୟୁନିକେସନର ସର୍ବୋତ୍ତମ ମାନକ ବା ଷ୍ଟାଣ୍ଡାର୍ଡ। ଏହାର ଡାଟା ସଂପ୍ରେଷଣ ଓ ଆହାରଣ କରିବାର ବେଗ୍‌‌ ସର୍ବାଧିକ। ୫ଜି ଟେକ୍‌‌ନୋଲେଜି ସେକେଣ୍ଡ ପିଛା ହାରାହାରି ୧୦୦ ମେଗାବାଇଟ୍ସ ଯୋଗାଇବା ସହିତ ୨୦ ଗିଗାବାଇଟ୍ସରେ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି। ବିଳମ୍ବତା ହ୍ରାସ ଓ ବେଗବୃଦ୍ଧି ପ୍ରତ୍ୟେକ ନୂଆ ପିଢ଼ି ମୋବାଇଲ୍‌‌ ଟେକ୍‌‌ନୋଲୋଜିର ବିଶେଷତ୍ୱ। ତେଣୁ ୫ଜି ଏବେ ଏକ ମାନକ ସ୍ଥିତିରେ ରହିଥିଲେ ମଧ୍ୟ ଚୀନ୍‌‌ ଓ ରୁଷିଆର ଟେଲିକମ୍‌‌ କମ୍ପାନୀମାନେ ୬ଜି ବା ଷଷ୍ଠପିଢ଼ିର ୱେୟାରଲେସ୍‌‌ ଦୂର ସଞ୍ଚାର ପ୍ରଯୁକ୍ତି ବିଦ୍ୟା ଉପରେ କାମ ଆରମ୍ଭ କରିଦେଲେଣି। ଡିଜିଟାଇଜେସନ ଓ ଅର୍ଥନୀତିକ ଅଭିବୃଦ୍ଧି ବଢ଼଼ାଇବାରେ ୫ଜିର ଏକ ବଡ଼ ଭୂମିକା ରହିଛି। ଏହା ମୋବାଇଲ୍‌‌ ଡାଟା ସଞ୍ଚାରକୁ ଅଧିକ ଦ୍ରୁତତର, ଭରସାଯୋଗ୍ୟ ଓ ନିରାପଦ କରିପାରିବ।

୫ଜିର ଦ୍ରୁତବେଗ ଆମର ଇଣ୍ଟରନେଟ୍‌‌ ବିପ୍ଳବ ନିଶ୍ଚୟ ନୂଆସ୍ତରକୁ ଆଣିଛି। ଏହା ଦ୍ୱାରା ମୋବାଇଲ୍‌‌ ସେବାରେ ଉନ୍ନତି ଘଟିଛି। ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଶିକ୍ଷା ପ୍ରଯୁକ୍ତି (ଏଡୁଟେକ୍‌‌), ଅଟୋମେସନ, ରୋବୋଟିକ୍ସ ସିଷ୍ଟମ, ଟେଲିମେଡିସିନ୍‌‌, ପ୍ରିସିସନ୍‌‌ ଏଗ୍ରିକଲଚର (ଆଧୁନିକ କୃଷି) ଓ କୃତ୍ରିମ ବୁଦ୍ଧିମତ୍ତାର ବିସ୍ତୃତ ପ୍ରୟୋଗ ଆଦି ଉପରେ ପଡ଼ିବ। ଏହା ମଧ୍ୟ ଆମ ‘ଆଇଓଟି’ ବା ପ୍ରତ୍ୟେକ ବ୍ୟବହାର୍ଯ୍ୟ ପ୍ରକ୍ରିୟାରେ ଡିଜିଟାଲ ଜ୍ଞାନକୌଶଳର ବ୍ୟବହାରକୁ ବାସ୍ତବ ରୂପ ଦେବ। ସ୍ମାର୍ଟ ଫ୍ୟାକ୍‌‌ଟ୍ରି, ସ୍ୱୟଞ୍ଚାଳିତ କାରଖାନା ପରିଚାଳନା ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡ଼ିବ। ସଂକ୍ଷେପରେ କହିଲେ ଏହି ଟେକ୍‌‌ନୋଲୋଜିର ଅପାର ସୁଯୋଗ ଏବଂ ସମ୍ଭାବନା ରହିଛି। ୨୦୩୫ ସୁଦ୍ଧା ଏହା ୧୩.୨ ଟ୍ରିଲିୟନ ଡଲାରର ବୈଶ୍ୱିକ ଅର୍ଥନୀତିକ ଉତ୍ପାଦନ ସୃଷ୍ଟି କରିବା ସହିତ ୨୨.୩ ନିୟୁତ ଅଧିକ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ଆକଳନ କରାଯାଇଛି। ଏଥିରେ ଭାରତ ଯେ ବହୁଳ ଭାବେ ଉପକୃତ ହେବ, ତାହା ସୁନିଶ୍ଚିତ।

୫ଜି ଟେକ୍‌‌ନୋଲୋଜିରେ ଭାରତର ସ୍ଥିତି ଏ ପର୍ଯ୍ୟନ୍ତ ସେତେ ଉନ୍ନତ ହୋଇପାରିନାହିଁ। ଏହା ମୁଖ୍ୟତଃ ବିଦେଶୀ ଟେକ୍‌‌ନୋଲୋଜି ଓ ଯନ୍ତ୍ରପାତି ଉପରେ ନିର୍ଭରଶୀଳ। ଏହି ଟେକ୍‌‌ନୋଲୋଜିରେ ଚୀନ୍‌‌ ଓ ରୁଷିଆ ଭଳି ଏକଚ୍ଛତ୍ରବାଦୀ ଦେଶର କମ୍ପାନୀଗୁଡ଼ିକ ଯଥେଷ୍ଟ ଆଗରେ। ବିଶେଷକରି ଚୀନ୍‌‌ କମ୍ପାନୀମାନେ ଶସ୍ତାରେ ୫ଜି ଟେକ୍‌‌ନୋଲୋଜି ଯୋଗାଇ ବିଶ୍ୱର ଅଧିକାଂଶ ମୋବାଇଲ୍‌‌ ନେଟ୍‌‌ୱାର୍କକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି କହିଲେ ଚଳେ। ଆଗରୁ ଭାରତ ମଧ୍ୟ ୩ ଓ ୪ଜି ପ୍ରବର୍ତ୍ତନ ସମୟରେ ଚୀନ୍‌‌ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରୁଥିଲା।

ସାଇବର ନିରାପତ୍ତା ହାନି ୫ଜିର ଏକ ବଡ଼ ଦୁର୍ବଳତା। ଏଥିରୁ ଡାଟା ଓ ବ୍ୟକ୍ତିଗତ ତଥ୍ୟ ଚୋରି କରିବାରେ ଚୀନ୍‌‌ କମ୍ପାନୀମାନେ ଓସ୍ତାଦ। ଯେହେତୁ ସେମାନେ ଏହି ଟେକ୍‌‌ନୋଲୋଜିର ଅପବ୍ୟବହାର ପାଇଁ ବେଶ୍‌‌ ବଦନାମ। ତେଣୁ ଏହାର ଦୁରୁପଯୋଗ କରିବାର ଆଶଙ୍କା ଅଧିକ। ଚୀନ୍‌‌ ଆମର ଏକ ପାରମ୍ପରିକ ଶତ୍ରୁ ରାଷ୍ଟ୍ର। ତେଣୁ ନିଜର ଟେକ୍‌‌ ପାୱାର ବଳରେ ଚୀନ୍‌‌ ଆମର ଡିଜିଟାଲ୍‌‌ ଭବିଷ୍ୟତ ଓ ଅର୍ଥନୀତିକ ପ୍ରଦର୍ଶନକୁ କ୍ଷତିଗ୍ରସ୍ତ କରିପାରେ। ଦୁଇଟି ଚୀନ୍‌‌ ଟେଲିକମ୍‌‌ କମ୍ପାନୀ ହୁଆୱି ଓ ଜେଡ୍‌‌ଟିଇ ଗୁଇନ୍ଦାଗିରି ଓ ଡାଟା ଚୋରି କରିବା ଜଣାପଡ଼ିବା ପରେ ଆମେରିକା ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଏହି ଦୁଇ ସଂସ୍ଥାଙ୍କୁ ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ନିଷିଦ୍ଧ କରିଛନ୍ତି। ଅନେକ ଦେଶ ଚୀନ୍‌‌ କମ୍ପାନୀଙ୍କଠାରୁ ୫ଜି ଉପକରଣ ଓ ଯନ୍ତ୍ରପାତି କିଣିବା ବନ୍ଦ କରି ଦେଇଛନ୍ତି। ସେହିପରି ଭାରତରେ ମଧ୍ୟ ୫ଜି ଟେଲିକମ୍‌‌ ନିଲାମରେ ଚୀନ୍‌‌ କମ୍ପାନୀମାନଙ୍କୁ ଅଂଶଗ୍ରହଣ କରାଇ ନଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଚୀନ୍‌‌ ପ୍ରତିଶୋଧ ପରାୟଣ ହୋଇ ବ୍ୟବସାୟ ଓ ବାଣିଜ୍ୟକୁ ଅସ୍ତ୍ରକରି ଅନେକ ଦେଶଙ୍କୁ ଧମକାଉଛି। ଏହା ସହିତ ସାଇବର ଦୁନିଆକୁ ନିଜ ଟେକ୍‌‌ନୋଲୋଜି ଓ ଗୁଇନ୍ଦାଗିରି ମାଧ୍ୟମରେ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି।

ଏବେ ପ୍ରଶ୍ନ ଉଠୁଛି ୫ଜି ଓ ପରବର୍ତ୍ତୀ ପିଢ଼ିର ମୋବାଇଲ୍‌‌ ସେବାକୁ କିପରି ସାମ୍ରାଜ୍ୟବାଦୀ ଚୀନ୍‌‌ ନିୟନ୍ତ୍ରଣରୁ ସୁରକ୍ଷିତ କରାଯାଇପାରିବ। ଜି-୨୦ରେ ଭାରତ ଏହି ପ୍ରସ୍ତାବ ରଖି ଗଣତାନ୍ତ୍ରିକ ସମୃଦ୍ଧି ରାଷ୍ଟ୍ରମାନଙ୍କ ଦ୍ୱାରା ଏକ ମିଳିତ ଉପାୟ ବାହାର କରିବାକୁ ଉଦ୍ୟମ କରୁଛି। ଆମେରିକା ଓ ଅନ୍ୟାନ୍ୟ ଉନ୍ନତ ଓ ଶିଳ୍ପ ସମୃଦ୍ଧ ରାଷ୍ଟ୍ରମାନେ ଚାହିଁଲେ ବିକଳ୍ପ ଟେକ୍‌‌ନୋଲୋଜି ପ୍ରସ୍ତୁତ କରି ଚୀନ୍‌‌ ଓ ରୁଷିଆର ସଫଳ ମୁକାବିଲା କରିପାରିବେ। ସେହିଭଳି ବ୍ରିଟେନ୍‌‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌‌ ଜନସନ୍‌‌ଙ୍କ ଜି୧୦ ଫର୍ମୁଲା ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱ ବହନ କରେ। ସେ ୧୦ଟି ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ରଙ୍କୁ ନେଇ ଏକ ମେଣ୍ଟ ଗଠନ ପୂର୍ବକ ୫ଜି ଓ ଅନ୍ୟାନ୍ୟ ଟେକ୍‌‌ନୋଲୋଜିର ବିକାଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ‘କ୍ୱାଡ୍‌‌’ ମେଣ୍ଟ ମାଧ୍ୟମରେ ସାଇବର ନିରାପତ୍ତା ଏବଂ ବିକଳ୍ପ ଟେକ୍‌‌ନୋଲୋଜି ବିକାଶ ପାଇଁ କାମ କରିପାରିବେ। ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ମିଳିତ ଭାବେ ଉପାୟ ବାହାର କରି ୫ଜି ଟେକ୍‌‌ନୋଲୋଜି କ୍ଷେତ୍ରରେ ଚୀନ୍‌‌ର ପ୍ରଭୁତ୍ୱ ଓ ଗୁରୁତ୍ୱ ହ୍ରାସ କରିବା।

ଭାରତ ୫ଜିର ପ୍ରବର୍ତ୍ତନ ପାଇଁ ଯେଉଁ ଟେଣ୍ଡର କରିଥିଲା, ସେଥିରୁ ବିବାଦୀୟ ଚୀନ୍‌‌ କମ୍ପାନୀମାନଙ୍କୁ ଦୂରେଇ ରଖିଛି। ହେଲେ ପରୋକ୍ଷ ଭାବେ ଚୀନ୍‌‌ ସାରା ବିଶ୍ୱର ୫ଜି ଟେକ୍‌‌ନୋଲୋଜିକୁ ନିଜ ନିୟନ୍ତ୍ରଣରେ ରଖିଛି। ଚୀନ୍‌‌ରେ ପ୍ରସ୍ତୁତ ମୋବାଇଲ୍‌‌ ମାଧ୍ୟମରେ ଚୀନ୍‌‌ କମ୍ପାନୀମାନେ ତ ଆମ ଦେଶର ଡାଟା ବହୁ ବର୍ଷ ଧରି ଚୋରାଇ ନେଇ ସାରିଲେଣି। ତଥାପି ଆମକୁ ଆଗକୁ ଅଧିକ ସତର୍କ ହେବାକୁ ପଡ଼ିବ ଏବଂ ଭୂ-ରାଜନୀତିକ ଦ୍ୱନ୍ଦ୍ୱକୁ ଦୃଷ୍ଟିରେ ରଖି ଆମ ୫ଜି ଟେକ୍‌‌ନୋଲୋଜି ଓ ସାଇବର ନିରାପତ୍ତାକୁ ନିରନ୍ଧ୍ର ଏବଂ ନିରାପଦ କରିବାକୁ ପଡ଼ିବ। କାରଣ ୫ଜି ଭଳି ସର୍ବୋତ୍ତମ ସଞ୍ଚାର ବ୍ୟବସ୍ଥା ଯେ କୌଣସି ଦେଶର ଅତ୍ୟାଧୁନିକ ଭିତ୍ତିଭୂମି କ୍ଷେତ୍ର, ପ୍ରତିରକ୍ଷା ଓ ସଞ୍ଚାର ବ୍ୟବସ୍ଥା ତଥା ଜାତୀୟ ଅର୍ଥନୈତିକ ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ଏହାର ପ୍ରୟୋଗ ଅତ୍ୟନ୍ତ ସାବଧାନତାର ସହିତ ଓ ସୁରକ୍ଷିତ ଭାବେ କରିବାକୁ ପଡ଼ିବ। ନ ହେଲେ ଚୀନ୍‌‌ ଭଳି ଭାତରର ଶତ୍ରୁ ରାଷ୍ଟ୍ର ଏହି ପ୍ରଯୁକ୍ତିବିଦ୍ୟାରେ ଆଗୁଆ ରହିଥିବାରୁ ଭାରତର ଜାତୀୟ ସୁରକ୍ଷା ପ୍ରତି ଏକ ସଂକଟ ସୃଷ୍ଟି କରିପାରେ। ଏହା ଭାରତ ପାଇଁ ସବୁଠୁ ବଡ଼ ଆହ୍ୱାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର