ଭାରତୀୟ ସମାଜରେ ନାରୀ

The Sakala Picture
Published On

ଭାରତୀୟ ସଭ୍ୟତା ଓ ସଂସ୍କୃତି ସର୍ବଦା ନାରୀମାନଙ୍କୁ ଉଚ୍ଚାସନ ଦେଇଆସିଛି। ବୈଦିକ ଯୁଗରେ ମୁକ୍ତ ସମାଜରେ ନାରୀମାନଙ୍କୁ ସଦ୍ୟୋବଧି ଓ ବ୍ରହ୍ମବାଦିନୀର ଆଖ୍ୟା ଦିଆଯାଉଥିଲା। ହରିତାସ୍ମୃତି ମତାନୁସାରେ ସଦ୍ୟୋବଧି ନାରୀମାନେ ଗ୍ରାହସ୍ଥ୍ୟ ଧର୍ମ ପାଳନ କରୁଥିବା ବେଳେ ବ୍ରହ୍ମବାଦିନୀ ନାରୀମାନେ ଅବିବାହିତ ରହି ଧାର୍ମିକ ତଥା ଯଜ୍ଞ, ହୋମାଦି କାର୍ଯ୍ୟ ସମ୍ପାଦନା କରୁଥିଲେ। ଏ କ୍ଷେତ୍ରରେ ଲୋପାମୁଦ୍ରା, ଗାର୍ଗୀ ଓ ମୈତ୍ରେୟୀ ଆଦି ବ୍ରହ୍ମବାଦିନୀ ନାରୀମାନେ ଅଗ୍ରଗଣ୍ୟ। ବିଧବାମାନେ ପୁନର୍ବିବାହ, ନାରୀମାନଙ୍କୁ ଶସ୍ତ୍ରବିଦ୍ୟାର ଶିକ୍ଷା ଆଦି ଅନେକ […]

ଭାରତୀୟ ସଭ୍ୟତା ଓ ସଂସ୍କୃତି ସର୍ବଦା ନାରୀମାନଙ୍କୁ ଉଚ୍ଚାସନ ଦେଇଆସିଛି। ବୈଦିକ ଯୁଗରେ ମୁକ୍ତ ସମାଜରେ ନାରୀମାନଙ୍କୁ ସଦ୍ୟୋବଧି ଓ ବ୍ରହ୍ମବାଦିନୀର ଆଖ୍ୟା ଦିଆଯାଉଥିଲା। ହରିତାସ୍ମୃତି ମତାନୁସାରେ ସଦ୍ୟୋବଧି ନାରୀମାନେ ଗ୍ରାହସ୍ଥ୍ୟ ଧର୍ମ ପାଳନ କରୁଥିବା ବେଳେ ବ୍ରହ୍ମବାଦିନୀ ନାରୀମାନେ ଅବିବାହିତ ରହି ଧାର୍ମିକ ତଥା ଯଜ୍ଞ, ହୋମାଦି କାର୍ଯ୍ୟ ସମ୍ପାଦନା କରୁଥିଲେ। ଏ କ୍ଷେତ୍ରରେ ଲୋପାମୁଦ୍ରା, ଗାର୍ଗୀ ଓ ମୈତ୍ରେୟୀ ଆଦି ବ୍ରହ୍ମବାଦିନୀ ନାରୀମାନେ ଅଗ୍ରଗଣ୍ୟ। ବିଧବାମାନେ ପୁନର୍ବିବାହ, ନାରୀମାନଙ୍କୁ ଶସ୍ତ୍ରବିଦ୍ୟାର ଶିକ୍ଷା ଆଦି ଅନେକ କିଛି ସୁବିଧା ସୁଯୋଗ ଦେଇ ସେମାନଙ୍କର ମର୍ଯ୍ୟାଦାକୁ ବହୁଗୁଣିତ କରାଯାଉଥିଲା। ଋକ୍‌‌ବେଦାନୁଯାୟୀ ‘ଯତ୍ର ନାର୍ଯ୍ୟାସ୍ତୁ ପୂଜନ୍ତେ ତତ୍ର ରମନ୍ତେ ସର୍ବଦେବତା’। ଅର୍ଥାତ ଯେଉଁଠି ନାରୀମାନଙ୍କୁ ପୂଜା କରାଯାଏ, ସେଠି ଦେବତାମାନେ ବିଚରଣ କରନ୍ତି। ସର୍ବୋପରି ଭାରତୀୟ ନଦୀ ଯଥା ଗଙ୍ଗା, ଯମୁନା, ସରସ୍ୱତୀ, ନର୍ମଦା, କାବେରୀ, ଚିତ୍ରାବତୀ, ମନ୍ଦାକିନୀ ନାମରେ ନାମକରଣ କରାଯିବା ସହିତ ନଦୀମାନଙ୍କୁ ମା’ ଆଖ୍ୟା ଦିଆଯାଇଛି।

ନାରୀ ବିନା ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ସମ୍ଭବ ନୁହେଁ। ପ୍ରକୃତିର ଦୁଇଟି ସୃଷ୍ଟି ହେଉଛି ପୁରୁଷ ଓ ନାରୀ। ନାରୀ ବିନା ପୁରୁଷ ଅଧା। ଶୁଭକାର୍ଯ୍ୟ ଯଥା ଗୃହ ପ୍ରତିଷ୍ଠା, ଶ୍ରାଦ୍ଧ, ପୂଜାପର୍ବାଣୀ କାର୍ଯ୍ୟ ବିନା ସ୍ତ୍ରୀରେ ସମ୍ପାଦନ ହୋଇପାରି ନଥାଏ। ଏ ସମାଜ ନାରୀର ଭିନ୍ନ ଭିନ୍ନ ରୂପକୁ ନେଇ ଭିନ୍ନ ଭିନ୍ନ ନାମକରଣ କରିଥିବାର ଉଦାହରଣ ମଧ୍ୟ ଅଛି। ଯଥା ପୁରୁଷ ନାରୀର ଭରଣପୋଷଣ କରୁଥିବାରୁ ‘ଭାର୍ଯ୍ୟା‘, ପୁରୁଷ ସହ ରହୁଥିବାରୁ ‘ସହଧର୍ମିଣୀ‘, ପୁରୁଷ ସହ ମିଶି ଶୁଭ କାର୍ଯ୍ୟ ସମ୍ପାଦନା କରୁଥିବାରୁ ‘ଅର୍ଦ୍ଧାଙ୍ଗିନୀ’, ବହନ କରୁଥିବା ଯୋଗ୍ୟା କାରଣରୁ ‘ବଧୂ’,ପୁରୁଷର ସ୍ନେହକୁ ବହନ କରୁଥିବାରୁ ‘ବାମା’ ଏବଂ ପରିବାରର ସୂତ୍ରଧର ବା ସନ୍ତାନ ସନ୍ତତି ଜନ୍ମ ଦେଉଥିବାରୁ ‘ଜନ୍ମଦାତ୍ରୀ‘ ବୋଲି ମଧ୍ୟ କୁହାଯାଏ।

ନାରୀ ଅବଳା କି ଦୁର୍ବଳା ନୁହେଁ। ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଉ ଏକ ମହନୀୟତା ହେଉଛି, ଏକତ୍ର ପୁରୁଷ ଓ ନାରୀର କାର୍ଯ୍ୟ ସମ୍ପାଦିତ ସମୟରେ ଆଗରେ ନାରୀର ନାମ ଉଚ୍ଚାରଣ ହୁଏ। ଯଥା ଉମାମହେଶ୍ୱର, ରାଧେଶ୍ୟାମ, ସୀତାରାମ, ଲକ୍ଷ୍ମୀନାରାୟଣ, ଲକ୍ଷ୍ମୀନୃସିଂହ ଆଦି। ପୁରୁଷ ଓ ନାରୀଙ୍କ ମଧ୍ୟରେ ଭେଦଭାବ ନ ଆଣିବା ପାଇଁ ବେଦ, ଉପନିଷଦ ଆଦିରେ ବର୍ଣ୍ଣନା ଅଛି। ସେହିଭଳି ଭାରତୀୟ ସମ୍ୱିଧାନରେ ମଧ୍ୟ ନାରୀମାନଙ୍କୁ ଅନେକ କିଛି ସୁବିଧା ସୁଯୋଗ ବିଷୟରେ ଉଲ୍ଲେଖ ରହିଛି। ସମସ୍ତ ଭାରତୀୟ ମହିଳା ସମାନତା (ଧାରା ୧୪), ରାଜ୍ୟ ଦ୍ୱାରା କୌଣସି ଭେଦଭାବ ନ ରଖିବା (ଧାରା ୧୫), ସୁଯୋଗର ସମାନତା (ଧାରା ୧୬), ସମାନ କାମ ପାଇଁ ସମାନ ଦରମା ଆଦିର ହକ୍‌‌ଦାର। ଧାରା ୧୫ ମହିଳା ଏବଂ ଶିଶୁଙ୍କ ସପକ୍ଷରେ ରାଜ୍ୟ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁମତି ଦେଇଥାଏ। ଧାରା ୪୨ ଅନୁଯାୟୀ ମହିଳାଙ୍କ ସମ୍ମାନକୁ ଗୁରୁତ୍ୱ ଦିଆଯାଏ।

ପରିବର୍ତ୍ତନଶୀଳ ଜଗତରେ ଅନେକ ସଭ୍ୟତା, ଅନେକ ପରମ୍ପରା ଏବଂ ଅନେକ ସଂସ୍କୃତି ଜନ୍ମଲାଭ କରିଛି। ଏହି ପରିପ୍ରେକ୍ଷୀରେ କାଳକ୍ରମେ ନାରୀର ଗୌରବ କ୍ଷୁଣ୍ଣ ହେବାରେ ଲାଗିଛି। ଯେଉଁ ଭାରତ ବର୍ଷରେ ଏକଦା ନାରୀମାନଙ୍କୁ ପୂଜା କରାଯାଉଥିଲା, ଆଜି ସେମାନେ ଲୁଣ୍ଠନ, ବଳାତ୍କାର, ପାରିବାରିକ ହିଂସା, ଶାରୀରିକ ଓ ମାନସିକ ଯନ୍ତ୍ରଣା ଆଦିର ଶିକାର ହେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ନାରୀର ଉଚ୍ଚାରଣ, ଆଚରଣ, ଚାଲିଚଳନ, ଆଚାର ବ୍ୟବହାର, ବେଶଭୂଷାରେ ଅନେକ ପରିବର୍ତ୍ତନ ଆସିଗଲାଣି। ସ୍ୱାଧୀନତା ଓ ଆଧୁନିକତାର ଦ୍ୱାହି ଦେଇ ଭାରତୀୟ ନାରୀମାନେ ମଧ୍ୟ ଅନେକ କିଛି ପ୍ରଥା ପରମ୍ପରାକୁ ଭୁଲିଗଲେଣି। ଆଜି ଅବଶ୍ୟ ସେମାନେ ସ୍ୱାବଲମ୍ୱୀ ହେବା ସହ ପୁରୁଷର ସମକ୍ଷକ ହେଲେଣି। ସେ ଯୁଗର ନାରୀ ଓ ଏବେକାର ନାରୀ ମଧ୍ୟରେ ଅନେକ କିଛି ତାରତମ୍ୟ ଦେଖିବାକୁ ମିଳିଛି। ନାରୀକୁ ଗୌରବ ମଣ୍ଡିତ କରୁଥିବା ନୀତି, ନୈତିକତା, ଲଜା, ସ୍ୱାଭିମାନ ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ।

ସୁଖର କଥା ନାରୀ ସଶକ୍ତୀକରଣ, ନାରୀ ଜଗରଣ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସେହିଭଳି ଚାକିରି କ୍ଷେତ୍ରରେ ହେଉ କିମ୍ୱା ରାଜନୈତିକ କ୍ଷେତ୍ରରେ ନାରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଆଯିବା ସହ ଅଗ୍ରାଧିକାର ଭିତ୍ତିରେ ମଧ୍ୟ ସହାୟତା ଦିଆଯାଉଛି। ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ। କିନ୍ତୁ ନାରୀ ଖାଲି ପାଠୋଇ ହେଲେ ଚଳିବ ନାହିଁ ବରଂ ପାଠୋଇ ହେବା ସହ ନିଜର ମୌଳିକତାକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ନାରୀ ମର୍ଯ୍ୟାଦା ଓ ମହନୀୟତାକୁ ବଜାୟ ରଖିବାକୁ ହେଲେ ସମାଜର ସବୁବର୍ଗ ଆଦର୍ଶବାଦ ଚିନ୍ତାଧାରା ପୋଷଣ କରିବା ଆବଶ୍ୟକ।

ଶ୍ରୀବତ୍ସ ନାୟକ
କଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର