ଧର୍ମ ଓ ମାନବିକତା

The Sakala Picture
Published On

ସାଧାରଣ ଲୋକ ଧର୍ମର ପ୍ରକୃତ ସଂଜ୍ଞା ବୁଝିବା କାଠିକର ପାଠ। ପୂର୍ବ ପୁରୁଷ ଅମଳରୁ ଚଳି ଆସୁଥିବା ପ୍ରଥାକୁ ଆମେ ନିର୍ବିଘ୍ନରେ ଆଦରି ନେଇ ଥାଉ। ଏହା ହୁଏତ ଧର୍ମଗୁରୁ କିମ୍ବା ପରମ୍ପରାକୁ ସମ୍ମାନ ଜଣାଇ ହେଉ ବା ସ୍ୱଇଚ୍ଛାରେ ପାଳନ କରୁ। ଏଥିସହିତ ଉତ୍ତର ପିଢ଼ିକୁ ମଧ୍ୟ ସମମାର୍ଗରେ ପରିଚାଳିତ କରିବାକୁ ପ୍ରୋତ୍ସାହନ ଦେଇଥାଉ। ପୃଥିବୀରେ ଧର୍ମକୁ ନେଇ କେତେ ଯେ ହିଂସା ଓ ଜୀବନ ହାନି ହୋଇଛି ତା’ର ହିସାବ ହୁଏତ ଇତିହାସ ରଖିପାରିନାହିଁ। […]

ସାଧାରଣ ଲୋକ ଧର୍ମର ପ୍ରକୃତ ସଂଜ୍ଞା ବୁଝିବା କାଠିକର ପାଠ। ପୂର୍ବ ପୁରୁଷ ଅମଳରୁ ଚଳି ଆସୁଥିବା ପ୍ରଥାକୁ ଆମେ ନିର୍ବିଘ୍ନରେ ଆଦରି ନେଇ ଥାଉ। ଏହା ହୁଏତ ଧର୍ମଗୁରୁ କିମ୍ବା ପରମ୍ପରାକୁ ସମ୍ମାନ ଜଣାଇ ହେଉ ବା ସ୍ୱଇଚ୍ଛାରେ ପାଳନ କରୁ। ଏଥିସହିତ ଉତ୍ତର ପିଢ଼ିକୁ ମଧ୍ୟ ସମମାର୍ଗରେ ପରିଚାଳିତ କରିବାକୁ ପ୍ରୋତ୍ସାହନ ଦେଇଥାଉ। ପୃଥିବୀରେ ଧର୍ମକୁ ନେଇ କେତେ ଯେ ହିଂସା ଓ ଜୀବନ ହାନି ହୋଇଛି ତା’ର ହିସାବ ହୁଏତ ଇତିହାସ ରଖିପାରିନାହିଁ। ଏଥିପାଇଁ ଆମେ କାହାକୁ ଦାୟୀ କରିବା? ଧର୍ମକୁ ନା ଧର୍ମ ରକ୍ଷକଙ୍କୁ ନା ଧର୍ମ ନାମରେ ଲୋକଙ୍କୁ ଲୁଟୁଥିବା ତଥା ରାଜନୀତି କରୁଥିବା ବ୍ୟକ୍ତି ବିଶେଷଙ୍କୁ? ଆଦିମ କାଳରୁ ଧର୍ମାନୁଷ୍ଠାନଗୁଡ଼ିକର ଦାୟିତ୍ୱ ନିଜ ହାତରେ ରଖିବାକୁ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। କଳେବଳେକୌଶଳେ କ୍ଷମତା ଦଖଲ କରିବା ପଛରେ କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ଜଡ଼ିତ ହୋଇ ରହିଛି। ଅନେକ ମାମଲା ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ଅଦାଲତରେ ପଡ଼ିରହିଛି।

ସମାଜକୁ ସୁଧାରିବାକୁ ଧର୍ମର ଅନେକ ଆବଶ୍ୟକତା ଅଛି। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। କିନ୍ତୁ ସ୍ୱାର୍ଥସାଧନ ପାଇଁ ଧର୍ମ ନାମରେ ସମାଜରେ ବିଶୃଙ୍ଖଳା ସୃଷ୍ଟି ଓ ଧର୍ମ ନାମରେ ରାଜନୀତି ସ୍ପୃହଣୀୟ ନୁହେଁ। ପରିବେଶ, ବନ୍ଧୁବାନ୍ଧବ ଓ ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଭାବେ ଜୀବନଚର୍ଯ୍ୟା କରିବା, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଈଶ୍ୱର ବା ସେହି ଅଦୃଶ୍ୟ ଶକ୍ତିର ଉପାସନା କରିବାରେ ଧର୍ମ ନିହିତ ଅଛି। ଅନ୍ୟାୟ ଭାବେ କାହାରିକୁ କଷ୍ଟ ଦେବା, ଇଚ୍ଛା ବିରୁଦ୍ଧରେ ହେଉ କିମ୍ୱା ବଳପୂର୍ବକ ହେଉ କିମ୍ୱା ଡରାଇ ଧମକାଇ କୌଣସି ଧର୍ମକୁ କାହାଉପରେ ଲଦିଦେବା ଆଦୌ ଉଚିତ ନୁହେଁ। ହିଂସାକୁ ସମ୍ପୂର୍ଣ୍ଣ ରୂପେ ଧର୍ମଠାରୁ ଦୂରେଇ ରଖିବା ଉଚିତ।

ଆମେ ସାଧାରଣ ଜନତା ସାଧାରଣତଃ ଧର୍ମଭୀରୁ। ସତ୍ୟାସତ୍ୟ ବୁଝିବାକୁ କାହା ପାଖରେ ସମୟ କାହିଁ? ସମସ୍ତେ ତୁରନ୍ତ ଫଳ ଚାହାନ୍ତି। ତଥାକଥିତ ଅସାଧୁ ଧର୍ମରକ୍ଷକମାନେ ଏହାର ସୁଯୋଗ ଭଲଭାବେ ଉଠାଇଥାନ୍ତି। ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ଆଉ କିଛି ଉପାୟ ନ ଥାଏ। କେହି କେହି ପ୍ରଶାସନର ଦ୍ୱାରସ୍ଥ ହୁଅନ୍ତି ତ ଆଉ କେହି ଘର ଭିତରେ ବସି କାନ୍ଦନ୍ତି। ଏହାର ଅନ୍ତ କେବେ ତା’ କହିବା ମୁସ୍କିଲ। ତେବେ ଆମେ ନିଜକୁ ନିଜେ ଯଦି ସମ୍ଭାଳିବାକୁ ଚେଷ୍ଟା କରିବା, ତା’ ହେଲେ ହୁଏତ ଆଗାମୀ ପିଢ଼ି ପାଇଁ ଶୁଭଙ୍କର ହେବ।

ଦିନକୁ ଦିନ ନକଲି ଧର୍ମଗୁରୁଙ୍କ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଛି। ଏହା ସମାଜ ପ୍ରତି ଏକ ପ୍ରକାର ବିପଦର କାରଣ। ଅଧା ପାଠୁଆ ବା ଅପାଠୁଆ ଲୋକମାନେ ପ୍ରାୟ ସବୁ ଧର୍ମରେ ସ୍ୱଘୋଷିତ ଧର୍ମଗୁରୁ ବୋଲାଇ ଲୋକଙ୍କୁ ପ୍ରଲୋଭିତ କରି ପ୍ରବଚନ ଦେଇ ଉଦ୍‌‌ଭ୍ରାନ୍ତ କରିବାରେ ସଫଳ ହେଉଛନ୍ତି। ଏହାଦ୍ୱାରା ଅନେକ ବ୍ୟକ୍ତି କୁପଥଗାମୀ ହୁଅନ୍ତି ବା ଧର୍ମ ପରିବର୍ତ୍ତନ କରନ୍ତି।

ସରକାରୀସ୍ତରରେ ମଧ୍ୟ ‘ଧର୍ମ’ ଏକ ପରିଚୟର ମାଧ୍ୟମ ପାଲଟିଛି। ଯେ କୌଣସି ସ୍ଥାନରେ କୌଣସି ଫର୍ମ ପୂରଣ କରିବା ସମୟରେ ଦେଖିବାକୁ ମିଳେ ‘ରିଲିଜିଅନ’ ବା ଧର୍ମ। ସେଠାରେ ଯିଏ ଯାହା ଧର୍ମ ଲେଖି ନିଜକୁ ପରିଚିତ କରାଇଥା’ନ୍ତି। ଏହି ପ୍ରକ୍ରିୟା କ’ଣ ବଦଳି ପାରିବ ନାହିଁ? ସମସ୍ତେ ମାନବ ଏବଂ ଧର୍ମ ଯଦି ‘ମାନବ ଧର୍ମ’ ହୁଅନ୍ତା କ’ଣ କିଛି ବ୍ୟତିକ୍ରମ ହୁଅନ୍ତା କି? ସରକାରୀ, ବେସରକାରୀ ସବୁଠାରେ ଏହି ‘ଧର୍ମ’ ଲେଖିବାକୁ ବାଧ୍ୟ। ଏଥିରେ ଅନେକ ଯୁକ୍ତିତର୍କ ବାହାରିବ।

କୌଣସି ଧର୍ମ କେବେବି କାହାରିକୁ ହିଂସା ଶିଖାଏ ନାହିଁ। କେବଳ ସେହି ଅହଙ୍କାରୀ, ଧର୍ମ ବିଷୟରେ ସାମାନ୍ୟ ଜ୍ଞାନ ଥିବା ଧର୍ମରକ୍ଷକ ବା ଗୁରୁମାନେ ନିଜର ପତିଆରା ଜାହିର କରିବାକୁ ଯାଇ ଲୋକଙ୍କୁ ଏକଜୁଟ କରି ଯେତେପ୍ରକାର ହିଂସାର ବାତାବରଣ ତଥା ନିରୀହ ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରିଥା’ନ୍ତି। ଏହାଦ୍ୱାରା ପରସ୍ପର ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୁଏ। ଦେଶର ଧନଜୀବନ ନଷ୍ଟ ହୁଏ। ଆମେ ଗରିବରୁ ଆହୁରି ଗରିବ ହେଉ। କିନ୍ତୁ ଆମ ଭିତରେ ବସା ବାନ୍ଧିଥିବା ସେହି ଅନ୍ଧବିଶ୍ୱାସକୁ ତ୍ୟାଗ କରିବାକୁ ସର୍ବଦା ପଛଘୁଞ୍ଚା ଦେଇଥାଉ। ଆପଣମାନେ ଯେକୌଣସି ଧର୍ମର ହୋଇ ଥା’ନ୍ତୁ ନା କାହିଁକି ସେଇ ଧର୍ମ ବିଷୟରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ହାସଲ କରନ୍ତୁ। ଦେଖିବେ ଯେ, ଆପଣମାନେ କେମିତି ଭଣ୍ଡ ଓ ଅର୍ଧ ଶିକ୍ଷିତ ଗୁରୁମାନଙ୍କ ଦ୍ୱାରା ଭୁଲ ମାର୍ଗରେ ପରିଚାଳିତ ହେଉଛନ୍ତି। କିଛି ରାଜନେତା ନିଜର ସ୍ୱାର୍ଥ ହାସଲ ପାଇଁ ଧର୍ମର ଦ୍ୱାହି ଦେଇ ନରସଂହାର କରାଇ ଥା’ନ୍ତି। ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇ ଶାନ୍ତି ଭଙ୍ଗ କରି ଆତଙ୍କ ଖେଳାଇଥା’ନ୍ତି। ଏମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବାର ସମୟ ଉପନୀତ।

ସତ୍ୟ ସର୍ବଦା ଶିବ ଓ ସୁନ୍ଦର। ନକ୍ଷତ୍ର ପରି ଉଜ୍ଜଳ। ସତ୍ୟର ସାମ୍ନା କରିବା କିଞ୍ଚିତ କଷ୍ଟ। କିନ୍ତୁ ସତ୍ୟରେ ଯେଉଁ ଆନନ୍ଦ ମିଳେ ତାହା ଅସତ୍ୟର ସାମ୍ରାଜ୍ୟରେ ମିଳେନାହିଁ। କିଛିଦିନର ଅହଙ୍କାରୀ ଜୀବନର ଆନନ୍ଦ। ଆଉ ତା’ ପରେ କାରାଗାରରେ କାଳାତିପାତ ଭଲ ନା ସତ୍ୟ ମାର୍ଗର ନିରବଚ୍ଛିନ୍ନ ଶୃଙ୍ଖଳିତ ଆନନ୍ଦ ଭଲ? ହୁଏତ ଏହା ବୁଝିବା ଅନେକଙ୍କ ପକ୍ଷେ କଷ୍ଟକର। ତଥାପି ଚେଷ୍ଟା କରାଯିବା ଉଚିତ।

ପୃଥିବୀରେ ଜନକଲ୍ୟାଣ ନିମନ୍ତେ ପ୍ରଚଳିତ ସବୁଧର୍ମକୁ ଆମେ ମାନବିକତା ଦୃଷ୍ଟିକୋଣରୁ ସମ୍ମାନ ଦେବା ଉଚିତ ଏବଂ ଧର୍ମର ପ୍ରକୃତ ଅର୍ଥ ନିଜେ ବୁଝିବା ସହିତ ଅନ୍ୟମାନଙ୍କୁ ସହଜ ଭାବେ ବୁଝାଇବା ଆମର କର୍ତ୍ତବ୍ୟ। ସବୁ ଧର୍ମର ଲକ୍ଷ୍ୟ ଏକ। କିନ୍ତୁ ଭୌଗୋଳିକ ପରିବେଶ ତଥା ସାମାଜିକ ଚାଲିଚଳନକୁ ଦେଖି ପଥ ଟିକେ ଅଲଗା ହୋଇପାରେ। ସେଥିରେ ବିଚଳିତ ହେବାର କିଛି ନାହିଁ। ବିଶ୍ୱ ଆଜି ଅନେକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କେଉଁଠି ବର୍ଷ ବର୍ଷ ଧରି ଯୁଦ୍ଧ ଲାଗି ରହିଛି ତ କେଉଁଠି ବୁଭୁକ୍ଷୁ ଜନତା ଖାଦ୍ୟ ପାନୀୟ ପାଇଁ ଆଉଟୁ ପାଉଟୁ ହେଉଛି। କେଉଁଠି ପ୍ରକୃତିର କରାଳ ରୂପ ଦେଖିବାକୁ ମିଳୁଛି। ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ଭୂସ୍ଖଳନ ପରି ଦୁର୍ବିପାକ କବଳରେ ପଡ଼ି କପାଳରେ ହାତ ବାଡ଼ଉଛି ମଣିଷ। ବର୍ତ୍ତମାନ ସମୟରେ ଏହି ସବୁକୁ ମୁକାବଲା କରିବା ଜରୁରୀ ନା ଧର୍ମକୁ ନେଇ ଆଉ ଏକ ସମସ୍ୟା ସୃଷ୍ଟି କରିବା ଜରୁରୀ? ସାରା ବିଶ୍ୱକୁ ମାନବିକତା ସହିତ ଭ୍ରାତୃତ୍ୱର ବନ୍ଧନରେ ଆମେ ଯଦି ବାନ୍ଧି ପାରିବା ତେବେ ଦେଶ ତଥା ଜାତିର ସର୍ବାଙ୍ଗୀନ ଉନ୍ନତି ହେବ। ଏହା ହେବ ଧର୍ମର ପ୍ରକୃତ ଉଦେଶ୍ୟ।

ବିଷ୍ଣୁ ପ୍ରସାଦ ଦାସ
କଟକ, ମୋ: ୯୯୩୭୧୭୪୦୯୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର