ସଦ୍‌‌ଗୁରୁ ସ୍ୱାମୀ ଚେତନାନନ୍ଦ

The Sakala Picture
Published On

‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର। ‘ରୁ’ ଶବ୍ଦର ଅର୍ଥର ଆଲୋକ। ଅନ୍ଧକାରରୁ ଆଲୋକକୁ ନେଇଯାଇ ପାରିବା ତତ୍ତ୍ୱ ହେଉଛନ୍ତି ଗୁରୁ। ଏଠି ଅନ୍ଧକାରର ଅର୍ଥ ଅଜ୍ଞାନ, ଅବିଦ୍ୟା। ମନୁଷ୍ୟ ଆଲୋକ ଓ ଅମୃତ ତତ୍ତ୍ୱରେ ଗଢ଼ା ହୋଇଥିଲେ ସୁଦ୍ଧା ନିଜ ସମ୍ପର୍କରେ ଯଥାର୍ଥ ଜ୍ଞାନ ଅଭାବରୁ ଅଜ୍ଞାନରେ ପଡ଼େ ଏବଂ ବନ୍ଧନରେ ପଡ଼ି ଜନ୍ମମୃତ୍ୟୁ ଚକ୍ରରେ ଘୂରିବୁଲେ। ଯିଏ ମନୁଷ୍ୟକୁ ଏହି ଆଲୋକ ଦେଖାଇ ଅମୃତତ୍ତ୍ୱର ଅନୁଭବ କରାଇ ଦିଅନ୍ତି, ସେ ଗୁରୁ। ଅନେକ ସନ୍ନ୍ୟାସୀ ହୋଇପାରନ୍ତି, […]

‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର। ‘ରୁ’ ଶବ୍ଦର ଅର୍ଥର ଆଲୋକ। ଅନ୍ଧକାରରୁ ଆଲୋକକୁ ନେଇଯାଇ ପାରିବା ତତ୍ତ୍ୱ ହେଉଛନ୍ତି ଗୁରୁ। ଏଠି ଅନ୍ଧକାରର ଅର୍ଥ ଅଜ୍ଞାନ, ଅବିଦ୍ୟା। ମନୁଷ୍ୟ ଆଲୋକ ଓ ଅମୃତ ତତ୍ତ୍ୱରେ ଗଢ଼ା ହୋଇଥିଲେ ସୁଦ୍ଧା ନିଜ ସମ୍ପର୍କରେ ଯଥାର୍ଥ ଜ୍ଞାନ ଅଭାବରୁ ଅଜ୍ଞାନରେ ପଡ଼େ ଏବଂ ବନ୍ଧନରେ ପଡ଼ି ଜନ୍ମମୃତ୍ୟୁ ଚକ୍ରରେ ଘୂରିବୁଲେ। ଯିଏ ମନୁଷ୍ୟକୁ ଏହି ଆଲୋକ ଦେଖାଇ ଅମୃତତ୍ତ୍ୱର ଅନୁଭବ କରାଇ ଦିଅନ୍ତି, ସେ ଗୁରୁ। ଅନେକ ସନ୍ନ୍ୟାସୀ ହୋଇପାରନ୍ତି, ଗୁରୁ ବୋଲାଇ ପାରନ୍ତି। କିନ୍ତୁ ସେମାନେ ଗୁରୁ ନୁହନ୍ତି। ଯେତେବେଳେ ଭବ ବନ୍ଧନରେ ପଡ଼ି ଛଟପଟ ହେଉଥିବା ଜୀବ ପ୍ରତି କରୁଣାପୂର୍ଣ୍ଣ ହୋଇ ତା’କୁ ସେଥିରୁ ଉଦ୍ଧାର କରିବା ପାଇଁ ସ୍ୱୟଂ ପରମାତ୍ମା ଜଗତ୍‌‌ଗୁରୁଙ୍କ ଇଚ୍ଛା ତାଙ୍କ ଭିତରେ ଫୁଟିଉଠେ, ସେ ଗୁରୁ ହୁଅନ୍ତି। ଏଣିକି ନିଜର କଲ୍ୟାଣ, ନିଜର ମୁକ୍ତି ତାଙ୍କ ପାଇଁ ପ୍ରମୁଖ ନ ହୋଇ ତାଙ୍କ ନିକଟକୁ ଆସୁଥିବା ସମସ୍ତ ଭକ୍ତ ଶିଷ୍ୟଙ୍କୁ ଆତ୍ମଜ୍ଞାନ ଦେଇ ସଂସାରରୁ ଉଦ୍ଧାର କରିବା ତାଙ୍କର ପ୍ରମୁଖ କାର୍ଯ୍ୟ ହୋଇଯାଏ। ଏହାଙ୍କୁ ହିଁ କୁହାଯାଏ ସଦ୍‌‌ଗୁରୁ। ଏହିଭଳି ଜଣେ ଗୁରୁ ହେଉଛନ୍ତି ସ୍ୱାମୀ ଚେତନାନନ୍ଦ ସରସ୍ୱତୀ।

ଭାରତ ବର୍ଷରେ ଯେଉଁ କେତେଜଣ ଅତି ଉଚ୍ଚ ଶିକ୍ଷିତ, ବୈଜ୍ଞାନିକ ସିଦ୍ଧାନ୍ତମାନଙ୍କରେ ବିଶ୍ୱାସୀ ସଂସାରର ଅନିତ୍ୟତାକୁ ଉପଲବ୍ଧି କରି ସଂସାର ତ୍ୟାଗୀ ହୋଇ ଆଧ୍ୟାତ୍ମିକ ମାର୍ଗରେ ସତ୍ୟର ସନ୍ଧାନ କରିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ୱାମୀ ଚେତନାନନ୍ଦ। ବ୍ରହ୍ମଙ୍କର ଏକ ଗୁଣ ହେଉଛି ଚିତ୍‌‌ ଅର୍ଥାତ ଚୈତନ୍ୟମୟ। ସଦା ଚୈତନ୍ୟମୟ ବା ଜାଗ୍ରତ ସ୍ଥିତିରେ ରହୁଥିବା ଗୁଣ ଦେଖି ତାଙ୍କ ଗୁରୁଦେବ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ୱତୀ ତାଙ୍କ ସନ୍ନ୍ୟାସୀ ନାଁ ଦେଇଥିଲେ ଚେତନାନନ୍ଦ ସରସ୍ୱତୀ। ସ୍ୱାମିଜୀ ସନ୍ନ୍ୟାସ ପୂର୍ବାଶ୍ରମରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ମୃତ୍ତିକା ବିଜ୍ଞାନର ପ୍ରଫେସର ଏବଂ ଗବେଷଣା ବିଭାଗର ଡିନ୍‌‌ ଥିଲେ। ଅଧ୍ୟାପକ ଜୀବନ ଆରମ୍ଭରେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଦୁଇବର୍ଷ ଗବେଷଣା କରି ପିଏଚ୍‌‌ଡି ଡିଗ୍ରୀ ଲାଭ କରିଥିଲେ। ଜଣେ ସଦାଚାରୀ, ସ୍ନେହୀ, ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ସେ ଜଣେ ପ୍ରିୟ ବ୍ୟକ୍ତିତ୍ୱ ଥିଲେ। ମୃତ୍ତିକା ବିଜ୍ଞାନରେ ତାଙ୍କ ଜ୍ଞାନ ପାଇଁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଥିଲା। ଗଞ୍ଜାମର ଦିଗପହଣ୍ଡିରେ ଏକ କୁଳୀନ ଅଥଚ ଅଭାବଗ୍ରସ୍ତ ବ୍ରାହ୍ମଣ ପରିବାରରେ ଜନ୍ମିତ ପୂର୍ବାଶ୍ରମର ଚକ୍ରପାଣି ମିଶ୍ର ବାଲ୍ୟ ଜୀବନରେ ହିଁ ଆଧ୍ୟାତ୍ମିକତା ପ୍ରତି ଉନ୍‌‌ମୁଖ ହୋଇଥିଲେ। ପରବର୍ତ୍ତୀ କାଳରେ ତାଙ୍କର ବୈଜ୍ଞାନିକ ଜୀବନରେ ମଧ୍ୟ ସମାନ୍ତରାଳ ଭାବରେ ଏହି ଆଧ୍ୟାତ୍ମିକତାର ପ୍ରବାହ ଜାରି ରହିଥିଲା। ସେ ଅନୁଭବ କରି ସାରିଥିଲେ ଯେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଉଭୟେ ସତ୍ୟ ସନ୍ଧାନୀ। କେବଳ ମାର୍ଗ ଭିନ୍ନ ଭିନ୍ନ। ତେଣୁ ବିଜ୍ଞାନ ଓ ଆଧ୍ୟାତ୍ମିକତା ତାଙ୍କ ଜୀବନର ଗୋଟିଏ ବିନ୍ଦୁରେ ସେ ଏକାକାର କରି ଦେଇଥିଲେ। ତେଣୁ ତାଙ୍କର ବିଚାର, ବାଣୀଗୁଡ଼ିକ ଖୁବ୍‌‌ ସରଳ ଏବଂ ବୋଧ୍ୟ ଥିଲା। ଅନ୍ଧବିଶ୍ୱାସକୁ ସେ ଆଦୌ ପସନ୍ଦ କରୁନଥିଲେ।

ସନାତନ ହିନ୍ଦୁ ପରମ୍ପରାରେ ଆମ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇ ଚାରିଟି ଆଶ୍ରମ ଯଥା ବ୍ରହ୍ମଚାର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସରେ ବିଭକ୍ତ କରାଯାଇଛି। ଆତ୍ମାନୁସନ୍ଧାନ ପାଇଁ ତୃତୀୟ ଅବସ୍ଥାରେ ପ୍ରସ୍ତୁତି ଏବଂ ତା’ର ସାଧନା ପାଇଁ ଚତୁର୍ଥ ଅବସ୍ଥାରେ ସନ୍ନ୍ୟାସ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି। ଏହି ପରମ୍ପରାକୁ ଯଥାର୍ଥ ଅନୁସରଣ କରି ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟରୁ ୧୯୯୩ ମସିହାରେ ଅବସର ନେବା ପରେ ପରେ ହିଁ ସସ୍ତ୍ରୀକ ସନ୍ନ୍ୟାସ ଗ୍ରହଣ କରି ଗୃହତ୍ୟାଗ କରିଥିଲେ। ଦୁଇବର୍ଷ ପରେ ୧୯୯୫ ମସିହାରେ ତଦୀୟ ଗୁରୁଦେବଙ୍କର ଦେହାନ୍ତ ପରେ ଗୁରୁଦେବଙ୍କ ଇଚ୍ଛାକୁ ସ୍ୱୀକାର କରି ଗୁରୁପଦରେ ଅଧିଷ୍ଠିତ ହେଲେ। ଗୁରୁଭାର ଗ୍ରହଣ ଉପରାନ୍ତ ସ୍ୱାମୀ ଚେତନାନନ୍ଦ ୨୦୨୧ ମସିହାରେ ଦେହତ୍ୟାଗ ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷ କାଳ ସ୍ୱୀୟ ଜ୍ଞାନଦୀପ୍ତିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ଅଗଣିତ ଶିଷ୍ୟଗଣଙ୍କୁ ଆଲୋକିତ କରି ରଖିଥିଲେ। ବେଦ, ବେଦାନ୍ତ, ଗୀତା ଇତ୍ୟାଦି ଶାସ୍ତ୍ରମାନଙ୍କରେ ତାଙ୍କର ଗଭୀର ବ୍ୟୁତ୍ପତ୍ତି ସହ ନିଜର ଦୀର୍ଘ ଆଧ୍ୟାତ୍ମିକ ସାଧନା ଜନିତ ଅନୁଭବ ଭକ୍ତ, ଶିଷ୍ୟମାନଙ୍କୁ ସେ ଅବାରିତ ଭାବେ ବିତରଣ କରି ଚାଲିଥିଲେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ। ବହୁ ଜନ୍ମର ସଞ୍ଚିତ ସଂସ୍କାର ବଳରେ ତାଙ୍କ ଭିତରେ ଜଣେ ସଦ୍‌‌ଗୁରୁର ସମସ୍ତ ଲକ୍ଷଣ ପ୍ରକାଶିତ ହୋଇଥିଲା। ସେ ଥିଲେ କୁଳୀନ, ଶ୍ରୋତ୍ରିୟ, ବ୍ରହ୍ମନିଷ୍ଠ, ସୌମ୍ୟ, ଶାଳୀନ, ଶିଷ୍ୟ ପ୍ରିୟ। ଆଶ୍ରମର କାର୍ଯ୍ୟବିଧି ବ୍ୟତୀତ ସେ ପ୍ରାୟ ସବୁ ସମୟରେ ଶାସ୍ତ୍ର ଅଧ୍ୟୟନ ଏବଂ ବ୍ରହ୍ମ ଭାବନାରେ ମଗ୍ନ ରହୁଥିଲେ। ତାଙ୍କୁ ଦର୍ଶନ କରିବା ମାତ୍ରେ ହିଁ ଭକ୍ତ ଶିଷ୍ୟ ଏପରିକି ବାହାରର ଲୋକମାନେ ମଧ୍ୟ ଶାନ୍ତି ଅନୁଭବ କରୁଥିଲେ। ଦୀର୍ଘକାୟ, ଗୌରବର୍ଣ୍ଣ, ଆଜାନୁଲମ୍ବିତ ବାହୁ, ସୌମ୍ୟ ସିଗ୍ଧ ଦୃଷ୍ଟି, ମୁଖର ପ୍ରସନ୍ନତା- ସମସ୍ତଙ୍କୁ ପ୍ରଭାବିତ କରୁଥିଲା।

ଗଭୀର ଆଧ୍ୟାତ୍ମିକ ତତ୍ତ୍ୱମାନଙ୍କୁ ସରଳ ଭାବରେ ସମସ୍ତଙ୍କ ପାଇଁ ସେ ଉପସ୍ଥାପନା କରୁଥିଲେ। ବେଦାନ୍ତ ଏବଂ ଗୀତାର ଅତି ସରଳ ଏବଂ ନବ୍ୟ ବ୍ୟାଖ୍ୟା ଭକ୍ତ ଶିଷ୍ୟମାନଙ୍କୁ ମୋହି ପକାଉଥିଲା। ଆଇଆଇଟି ଖଡ଼ଗପୁରର ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀରେ ‘ହରି’ ଶବ୍ଦର ବ୍ୟାଖ୍ୟା ବୁଝାଇବା ସହ ସେମାନଙ୍କର ବିଭିନ୍ନ ଆଧ୍ୟାତ୍ମିକ ପ୍ରଶ୍ନର ସେ ଯେପରି ଉତ୍ତର ଦେଇଥିଲେ, ତାହା ବାସ୍ତବରେ ଅନନ୍ୟ। ଏହା ୟୁଟ୍ୟୁବରେ ମଧ୍ୟ ଉପଲବ୍ଧ। ପାଠକେ ଥରେ ଶୁଣିବା ଉଚିତ। ଜଣେ ଯଥାର୍ଥ ଶିଷ୍ୟ ଭାବରେ ସ୍ୱାମିଜୀ ତାଙ୍କ ଗୁରୁଦେବଙ୍କ ଜୀବନୀ ପ୍ରଣୟନ କରିବା ସହିତ ଅନେକ ଆଧ୍ୟାତ୍ମିକ ଗ୍ରନ୍ଥ ଉଭୟ ଇଂରାଜୀ ଓ ଓଡ଼ିଆରେ ରଚନା କରିଯାଇଛନ୍ତି। ସେଗୁଡ଼ିକ ମଧ୍ୟରେ ଶ୍ରୀଗୁରୁଗୀତାର ଓଡ଼ିଆ ବ୍ୟାଖ୍ୟା, ଇଂରାଜୀ ବ୍ୟାଖ୍ୟା, ଓଡ଼ିଆରେ ଅବତାର ଓ ସଦ୍‌‌ଗୁରୁ, ପୁନର୍ଜନ୍ମ, ବ୍ରହ୍ମ ପରମାୟା ଭଗବାନ, ଆତ୍ମଜୀବନୀ ଇଂରାଜୀରେ ‘ଦି ଇନର ଲାଇଟ୍‌‌’ ଏବଂ ଓଡ଼ିଆରେ ଆତ୍ମଜ୍ୟୋତି ପ୍ରଣୟନ କରିଯାଇଛନ୍ତି, ଯାହା ଆଗାମୀ ଦିନରେ କେବଳ ଭକ୍ତ ଓ ଶିଷ୍ୟ କାହିଁକି ଯେକୌଣସି ଆତ୍ମ ଜିଜ୍ଞାସୁଙ୍କୁ ଆଲୋକ ପ୍ରଦାନ କରିବ। ସର୍ବଦା ଆତ୍ମପ୍ରଚାର ବିମୁଖ ସଦ୍‌‌ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ଯଥାର୍ଥରେ ଜଣେ ସଦ୍‌‌ଗୁରୁ। ଯେଉଁମାନେ ସନ୍ଥ, ସେମାନେ କେବେ ବି ଆତ୍ମପ୍ରଚାର ଚାହାନ୍ତି ନାହିଁ। ତାଙ୍କୁ ସନ୍ଧାନ କରି ତାଙ୍କ ନିକଟକୁ ଯିବାକୁ ହୁଏ। ଯେ ତାଙ୍କ ନିକଟକୁ ଯାଇ ନିଜକୁ ତାଙ୍କ ଶ୍ରୀ ଚରଣରେ ସମର୍ପଣ କରେ, ସେ ତା’କୁ ଉଦ୍ଧାର କରିବାର ଦାୟିତ୍ୱ ନିଅନ୍ତି। ତେଣୁ ଭାରତୀୟ ଗୁରୁଶିଷ୍ୟ ପରମ୍ପରାରେ ସଦ୍‌‌ଗୁରୁ ପ୍ରାପ୍ତି ଏକ ସୌଭାଗ୍ୟ ବୋଲି କୁହାଯାଏ।

ସାଧୁ, ସନ୍ଥ, ମହାତ୍ମାମାନଙ୍କ ତ୍ୟାଗ, ତିତିକ୍ଷା ନିଷ୍ଫଳ ହୁଏ ନାହିଁ। ଏହି ଦୃଷ୍ଟିରୁ ବିଚାର କଲେ ସ୍ୱାମୀ ଚେତନାନନ୍ଦ ସରସ୍ୱତୀଙ୍କ ଅବଦାନ କିଛି କମ୍‌‌ ନୁହେଁ। ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଆଧ୍ୟାତ୍ମିକ ଧାରାରେ ଜ୍ଞାନ ଓ ଭକ୍ତିର ସମନ୍ୱିତ ପଥରେ ଜଣେ ସଦ୍‌‌ଗୁରୁ ଭାବରେ ସେ ଯେଉଁ ଆଲୋକବର୍ତ୍ତିକା ପ୍ରଜ୍ଜ୍ୱଳିତ କରିଦେଇ ଯାଇଛନ୍ତି, ତାହା କାଳ କାଳ ପାଇଁ ଜିଜ୍ଞାସୁମାନଙ୍କୁ ମାର୍ଗଦର୍ଶନ କରାଇବ। n

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର