ବନ୍ଧନରୁ ମୁକ୍ତି

The Sakala Picture
Published On

ଦାସତ୍ୱ ଓ ବନ୍ଧନରୁ ମୁକ୍ତି ଈଶ୍ୱରଙ୍କର ଏକ ବଡ଼ ଆଶୀର୍ବାଦ। ଏପରି ମୁକ୍ତି ମିଳିଲେ ହିଁ ସ୍ୱାତନ୍ତ୍ର୍ୟ ଓ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ ଅଧିକାର ତଥା ସୁଯୋଗ ମିଳିପାରେ। ଦେଶ ସ୍ୱାଧୀନ ଥିଲେ ହିଁ ବ୍ୟକ୍ତିଗତ ବା ନାଗରିକ ସ୍ୱାଧୀନତା ମିଳିପାରିବ। ଏହାର ଅର୍ଥ ନୁହେଁ ଯେ ସ୍ୱାଧୀନ ଦେଶରେ ସମସ୍ତଙ୍କୁ ବ୍ୟକ୍ତିଗତ ଓ ନାଗରିକ ସ୍ୱାଧୀନତା ନିଶ୍ଚୟ ମିଳିବ। ନାଗରିକର ନିଜ ବିଚାର ଅନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତା କୌଣସି ଦେଶ […]

ଦାସତ୍ୱ ଓ ବନ୍ଧନରୁ ମୁକ୍ତି ଈଶ୍ୱରଙ୍କର ଏକ ବଡ଼ ଆଶୀର୍ବାଦ। ଏପରି ମୁକ୍ତି ମିଳିଲେ ହିଁ ସ୍ୱାତନ୍ତ୍ର୍ୟ ଓ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ ଅଧିକାର ତଥା ସୁଯୋଗ ମିଳିପାରେ। ଦେଶ ସ୍ୱାଧୀନ ଥିଲେ ହିଁ ବ୍ୟକ୍ତିଗତ ବା ନାଗରିକ ସ୍ୱାଧୀନତା ମିଳିପାରିବ। ଏହାର ଅର୍ଥ ନୁହେଁ ଯେ ସ୍ୱାଧୀନ ଦେଶରେ ସମସ୍ତଙ୍କୁ ବ୍ୟକ୍ତିଗତ ଓ ନାଗରିକ ସ୍ୱାଧୀନତା ନିଶ୍ଚୟ ମିଳିବ। ନାଗରିକର ନିଜ ବିଚାର ଅନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତା କୌଣସି ଦେଶ ବା ସମାଜରେ ଅବାଧ ନୁହେଁ।

ସ୍ୱାଧୀନତା ସମସ୍ତଙ୍କର କାମ୍ୟ। କୌଣସି ବ୍ୟକ୍ତି ଅନ୍ୟର ଇଚ୍ଛା ଅନୁସାରେ ଚଳିବା ପାଇଁ ବା ଅନ୍ୟର ଆଦେଶ କାର୍ଯ୍ୟକାରୀ କରିବା ପାଇଁ କାମନା କରେ ନାହିଁ। ସେ ଚାହେଁ ଅନ୍ୟମାନେ ତା’ ଇଚ୍ଛା ଅନୁସାରେ ଚଳନ୍ତୁ ଏବଂ ତା’ର ଆଦେଶ କାର୍ଯ୍ୟକାରୀ କରନ୍ତୁ। ଶାସନ କରିବାକୁ ସମସ୍ତେ ଚାହାନ୍ତି, ଶାସିତ ହେବା ପାଇଁ କେହି ଚାହାନ୍ତି ନାହିଁ। ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ମୁକ୍ତିର କାମନା ଥାଏ। ସ୍ୱାଧୀନତାକୁ ମନୁଷ୍ୟର ଜନ୍ମସିଦ୍ଧ ଅଧିକାର ବୋଲି କୁହାଯାଇଛି। ଜୀବ ସହିତ ଯେଉଁ ଆତ୍ମା ଜନ୍ମରୁ ଥାଏ ତା’ର ମୁକ୍ତି କାମନା ଏକ ବୈଶିଷ୍ଟ୍ୟ ଓ ବିଶେଷ ଗୁଣ। ଜୀବାତ୍ମା ପରମାତ୍ମାଙ୍କର ଏକ ଅଂଶ। ଜୀବାତ୍ମାରେ ଥିବା ବ୍ରହ୍ମ ପରମବ୍ରହ୍ମଙ୍କଠାରୁ ପୃଥକ୍‌‌ ନୁହେଁ। ତେଣୁ ମନୁଷ୍ୟ ମାତ୍ରେ ସ୍ୱାଧୀନତା କାମନା କରେ।

ମନଇଚ୍ଛା ଖାଦ୍ୟ ଖାଇବା, ଯେଉଁଠି ନା ସେଇଠି ଶୋଇପଡ଼ିବା, ଯାହା ଇଚ୍ଛା ତାହା କହିବା ବା କରିବା ଏସବୁ ସ୍ୱାଧୀନତା ନୁହେଁ। ମାନସିକ ଚିନ୍ତା ଓ ବିଚାରର ସ୍ୱାଧୀନତା ମଧ୍ୟ ସ୍ୱାଧୀନତା ନୁହେଁ, ଯଦି ତା’କୁ ପ୍ରକାଶିତ କରାଯାଇ ନପାରିଲା ଲକ୍ଷ୍ୟହୀନ ଭାବେ ଯେକୌଣସି ସ୍ଥାନ ବା ଅଞ୍ଚଳରେ ବୁଲିବା ମଧ୍ୟ ସ୍ୱାଧୀନତା ନୁହେଁ। ରାଜା ହେବା, ଫକୀର ହେବା ବା ବାବାଜୀ ହେବା ସ୍ୱାଧୀନତା ନୁହେଁ। ସମ୍ପତ୍ତିବାନ ହେବା ବା ଦରିଦ୍ର ହେବା ସ୍ୱାଧୀନତା ନୁହେଁ। ଅନ୍ୟ ଏକ ଦେଶକୁ ଜୟ କରିବା ଓ ପରାଧୀନ କରିବା କୌଣସି ଦେଶ ପାଇଁ ସ୍ୱାଧୀନତା ନୁହେଁ। ସଂସାର ତ୍ୟାଗ କରି ସନ୍ନ୍ୟାସ ନେବା ମଧ୍ୟ ସ୍ୱାଧୀନତା ନୁହେଁ। ନିଜ ମନର ଇଚ୍ଛାର ନିୟନ୍ତ୍ରଣରୁ ମୁକ୍ତ ରହିବା ପ୍ରକୃତ ସ୍ୱାଧୀନତା।

ମୁକ୍ତି ଯଦି ସତରେ ତୁମର କାମ୍ୟ ତେବେ ପ୍ରଥମେ ମନକୁ ସ୍ଥିର କର। ଅସ୍ଥିର ମନ ତୁମକୁ ଅଖଣ୍ଡ ଆନନ୍ଦ ଦେଇପାରିବ ନାହିଁ। ଶରୀର ଓ ମନ ସହ ଆସକ୍ତି ରହିଲେ ମୁକ୍ତି ପାଇବା ସହଜ ନୁହେଁ। ତୁମେ କରୁଥିବା କର୍ମ ପ୍ରତି ତୁମର ଯଦି ଆସକ୍ତି ଥାଏ ତାହା ମଧ୍ୟ ଏକ ବନ୍ଧନ, ଯେଉଁଥିରୁ ତୁମକୁ ମୁକ୍ତିର ଆବଶ୍ୟକତା ରହିଛି। ବାସ୍ତବ ଓ ଅକୃତ୍ରିମ ମୁକ୍ତି ହେଉଛି ଆତ୍ମ କୈନ୍ଦ୍ରିକତା ଓ ଆତ୍ମ ଗର୍ବରୁ ମୁକ୍ତି, କାମନାରୁ ମୁକ୍ତି, ପସନ୍ଦ ନାପସନ୍ଦ ଚିନ୍ତାରୁ ମୁକ୍ତି, ଇନ୍ଦ୍ରିୟ ଭୋଗ୍ୟ, ଲାଳସା କ୍ରୋଧ, ଲୋଭ ଓ ଗର୍ବରୁ ମୁକ୍ତି। କେବଳ ବୈଦେଶିକ ଶକ୍ତିଠାରୁ ମୁକ୍ତି ବା ଦାରିଦ୍ର୍ୟରୁ ମୁକ୍ତିକୁ ମୁକ୍ତି ଭାବେ ନିଆଯାଇ ପାରିବ ନାହିଁ। ଔଦାସୀନ୍ୟ, ଅନାସକ୍ତି ଅର୍ଥାତ ଅଭିଳାଷଶୂନ୍ୟତା ଏବଂ ମାନସିକ ଆବେଗରୁ ମୁକ୍ତି – ଏଗୁଡ଼ିକ ହିଁ ସର୍ବୋଚ୍ଚ ସ୍ତରର ଶାନ୍ତି ଦେବା ପାଇଁ ସମର୍ଥ ଏବଂ ତାହା ହିଁ ମୁକ୍ତିର ଲକ୍ଷ୍ୟ।

ମନ ହିଁ ମଣିଷକୁ ସଂସାର ସାଙ୍ଗେ ବାନ୍ଧି ରଖେ। ମନ ନଥିଲେ ବନ୍ଧନ ନଥାନ୍ତା। ମନ ଆତ୍ମାସଙ୍ଗେ ତାରତ୍ମ୍ୟ ପ୍ରତିଷ୍ଠା କରିବାକୁ ଯାଇ ଭାବେ ମୁଁ ବନ୍ଧନରେ ଅଛି। ଅହଂବାଦୀ ଆତ୍ମକୈନ୍ଦ୍ରିକ ବ୍ୟକ୍ତିର ମନ ହିଁ ଆସକ୍ତି ଓ ବନ୍ଧନର ମୂଳ କାରଣ। ନିରହଂକାରୀ ବ୍ୟକ୍ତିର ମନର ଏପରି ବନ୍ଧନ ନଥିବାରୁ ସେ ମୁକ୍ତ। ଅହଂକାରରୁ ମୁକ୍ତିଦାତା ହିଁ ଆମର ବାସ୍ତବରେ ମୁକ୍ତିଦାତା। ମନ ଶୁଦ୍ଧ ଓ ନିରାସକ୍ତ ରହିଲେ ମଣିଷ ମୁକ୍ତି ମାର୍ଗରେ ଗତି କରେ। ଯିଏ ମନ ଉପରେ ବିଜୟ ପ୍ରାପ୍ତି କରିଛି ସେ ହିଁ ପ୍ରକୃତ ରାଜା ଓ ସମ୍ରାଟ। ତା’ର ସୁଖ ଓ ଶାନ୍ତି କଟକଣାମୁକ୍ତ ଓ ସୀମାବଦ୍ଧ ନୁହେଁ।

କେତେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ନିଜକୁ ମୁକ୍ତ ଭାବନ୍ତି ଏବଂ ମଦ୍ୟପାନ କରନ୍ତି, ନିଶା ସେବନ କରନ୍ତି। ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ମଦର ଦାସ ହୋଇଯାଆନ୍ତି ଏବଂ ପରେ ସେଥିରୁ ମୁକ୍ତି ପାଇବା ସହଜ ହୁଏ ନାହିଁ। ଆଉ କେତେକ ଉଚ୍ଚଶିକ୍ଷିତ ଅଧ୍ୟାପକ ଓ ଛାତ୍ର ମଧ୍ୟ ଏପରି ଅଛନ୍ତି, ଯେଉଁମାନେ ନିଜକୁ ମୁକ୍ତ ଭାବି ଗୁଟକା ଅଭ୍ୟାସ କରନ୍ତି ଓ ପରେ ଗୁଟକାର ଦାସ ହୋଇଯାଆନ୍ତି। ବେଶ୍ୟାଗୃହ ଗମନ କରିବାର ସ୍ୱାଧୀନତା ସ୍ୱାଧୀନତା ନୁହେଁ, ତାହା ପରାଧୀନତା। ଯେଉଁମାନେ ଇନ୍ଦ୍ରିୟର ଦାସ ସେମାନେ ପରାଧୀନ, ସ୍ୱାଧୀନ ନୁହନ୍ତି। ଯେଉଁମାନେ କୌଣସି ବଦଭ୍ୟାସର ଦାସ ହୋଇଥା’ନ୍ତି ସେମାନେ ନିଜକୁ ମୁକ୍ତ କରିପାରିବେ ନାହିଁ। ଜଣେ ଅହଂକାରୀ ବ୍ୟକ୍ତି ନିଜର ଅହଂଭାବର ଦାସ। ଆଉ କେତେଜଣ ନିଜର ହୀନମନ୍ୟତା ଭାବର ଦାସ ହୋଇଥା’ନ୍ତି। ମୁକ୍ତି ଅର୍ଥ ସ୍ୱାଧୀନତାଠାରୁ ଅଧିକ ବ୍ୟାପକ। ଆମେ ସ୍ୱାଧୀନତା ମାନେ ରାଜନୈତିକ ଓ ଅର୍ଥନୈତିକ ସ୍ୱାଧୀନତା ବୋଲି ଭାବୁ। କିନ୍ତୁ ମୁକ୍ତିର ଅର୍ଥ ଏହାଠାରୁ ବହୁତ ଅଧିକ ବ୍ୟାପକ। ଏହା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ମୁକ୍ତିକୁ ବୁଝାଏ। ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ: ୯୯୩୭୮୪୪୩୪୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର