ଭୂମିକମ୍ପ: ଏକ ଭିନ୍ନଦୃଷ୍ଟି

The Sakala Picture
Published On

ପ୍ରାକୃତିକ ବିପର୍ଯ୍ୟୟମାନଙ୍କ ମଧ୍ୟରୁ ଭୂମିକମ୍ପ ସର୍ବାପେକ୍ଷା ବିଧ୍ୱଂସକାରୀ। ଯଥେଷ୍ଟ ଆଗତ ସୂଚନା ବିନା ଏହା ଆସିଥାଏ ଏବଂ ମାତ୍ର କେତେ ମିନିଟ୍‌‌ ମଧ୍ୟରେ ନେଇପାରେ ହଜାର ହଜାର ଜୀବନ ତଥା ଧ୍ୱଂସ କରିପାରେ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି। ଯେଉଁମାନେ ଏହାର ପ୍ରକୋପରୁ ବଞ୍ଚି ଯାଆନ୍ତି, ସେମାନେ ସମ୍ଭବତଃ ଅଧିକ ହତଭାଗ୍ୟ। କାରଣ ତାଙ୍କୁ ବଞ୍ଚିବାକୁ ହୁଏ ଖାଦ୍ୟ, ପାନୀୟ, ବାସ, ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ଅଭାବ ମଧ୍ୟରେ। ଏହାବ୍ୟତୀତ ଅନେକ କିଛି […]

ପ୍ରାକୃତିକ ବିପର୍ଯ୍ୟୟମାନଙ୍କ ମଧ୍ୟରୁ ଭୂମିକମ୍ପ ସର୍ବାପେକ୍ଷା ବିଧ୍ୱଂସକାରୀ। ଯଥେଷ୍ଟ ଆଗତ ସୂଚନା ବିନା ଏହା ଆସିଥାଏ ଏବଂ ମାତ୍ର କେତେ ମିନିଟ୍‌‌ ମଧ୍ୟରେ ନେଇପାରେ ହଜାର ହଜାର ଜୀବନ ତଥା ଧ୍ୱଂସ କରିପାରେ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି। ଯେଉଁମାନେ ଏହାର ପ୍ରକୋପରୁ ବଞ୍ଚି ଯାଆନ୍ତି, ସେମାନେ ସମ୍ଭବତଃ ଅଧିକ ହତଭାଗ୍ୟ। କାରଣ ତାଙ୍କୁ ବଞ୍ଚିବାକୁ ହୁଏ ଖାଦ୍ୟ, ପାନୀୟ, ବାସ, ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ଅଭାବ ମଧ୍ୟରେ। ଏହାବ୍ୟତୀତ ଅନେକ କିଛି ନା କିଛି ଅଂଶ ହରାଇ ଅକର୍ମଣ୍ୟ ହୋଇ ପଡ଼ିଥା’ନ୍ତି ଏବଂ ସେଥିସହିତ ହରାଇଥା’ନ୍ତି ଆତ୍ମୀୟ ସ୍ୱଜନମାନଙ୍କୁ।

ପୃଥିବୀର ପୃଷ୍ଠଦେଶ ପ୍ରାୟ ୧୫ଟି ସଦା ଚଳମାନ ‘ଟେକ୍ଟୋନିକ୍‌‌’ ପ୍ଲେଟ୍‌‌ ଉପରେ ଅବସ୍ଥାପିତ। ସେଗୁଡ଼ିକ କ୍ରମାଗତ ଭାବେ ପରସ୍ପର ଧକ୍କା ଖାଇ ପରସ୍ପରକୁ ଠେଲନ୍ତି ଏବଂ ଘଷି ହୋଇ ଯାଆନ୍ତି। ତାଙ୍କର ଏହି ଭେଟ ସ୍ଥାନ ହେଲା ଫଲ୍‌‌ଟ ବା ବିଚ୍ୟୁତି। ଯେତେବେଳେ ଚାପର ଏକ ଅସମତୁଲତା ବିଚ୍ୟୁତିର କୌଣସି ପାର୍ଶ୍ବରେ ଥିବା ଶିଳାଖଣ୍ଡମାନଙ୍କୁ ପୁନଃସଜ୍ଜିତ କରେ, ସେତେବେଳେ ବିଚ୍ୟୁତିରେଖା ବା ‘ଫଲ୍‌‌ଟ ଲାଇନ୍‌‌’ ଦେଇ ଶକ୍ତି ନିର୍ଗତ ହୁଏ। ତାହା ଭୂମି ଉପରେ କମ୍ପନ ସୃଷ୍ଟି କରେ। ଯାହାକି ଉଭା ହୁଏ ଭୂମିକମ୍ପ ରୂପେ।

ଏହାର ତୀବ୍ରତା ମାପିବା ପାଇଁ ୧୯୩୫ ମସିହାରେ କାଲିଫର୍ଣ୍ଣିଆ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଟେକ୍‌‌ନୋଲୋଜିର ଭୂ-ବିଜ୍ଞାନୀ ଚାର୍ଲସ ଏଫ୍‌‌ ରିଚର ଏକ ମାପକର ପରିକଳ୍ପନା କରିଥିଲେ। ଏହା ସେସ୍ମୋଗ୍ରାଫ୍‌‌ ଯନ୍ତ୍ରରେ ସୂଚୀତ ଭୂମିକମ୍ପ ଦ୍ୱାରା ସୃଷ୍ଟ ତରଙ୍ଗମାନଙ୍କ ଦୋଳନର ‘ଲଗାରଦିମ୍‌‌’ରୁ ଗଣନା କରାଯାଏ। ଏହି ମାପକଟିରେ ୦ (ଶୂନ୍‌‌)ରୁ ୧୦ ପର୍ଯ୍ୟନ୍ତ ରହିଛି ଏବଂ ଏହାକୁ ରିଚରସ୍କେଲ୍‌‌ ବୋଲି କହନ୍ତି।

ବିଗତ ଫେବ୍ରୁଆରୀ ମାସ ୬ ତାରିଖ (୨୦୨୩)ରେ ତୁର୍କୀ ଓ ସିରିଆରେ ଘଟିଥିଲା ରିଚରସ୍କେଲ୍‌‌ରେ ୭.୮ ଏବଂ ୭.୫ ତୀବ୍ରତାର ଲାଗ ଲାଗ୍‌‌ ଦୁଇଟି ଭୂମିକମ୍ପ। ତତ୍ପରେ ତିନିଦିନ ଆସିଥିଲା ପ୍ରାୟ ୨୦୦ଟି ‘ପରବର୍ତ୍ତୀ’ ଧକ୍କା। (ଆଫ୍ଟର ସକ୍‌‌) ଯାହାର ତୀବ୍ରତା ୬ ପର୍ଯ୍ୟନ୍ତ ଥିଲା। ଏହି ଦୁଇଟି ଦେଶ ଆର୍‌‌ବିୟାନ୍‌‌ ପ୍ଲେଟ୍‌‌, ଆନାଟୋଲିୟାନ୍‌‌ ପ୍ଲେଟ୍‌‌ ଏବଂ ୟୁରେସିଆନ୍‌‌ ପ୍ଲେଟ୍‌‌ ନାମକ ତିନୋଟି ‘ଟେକ୍ଟୋନିକ୍‌‌ ପ୍ଲେଟ୍‌‌’ଙ୍କ ସଙ୍ଗମ ସ୍ଥଳରେ ଅବସ୍ଥିତ ଥିବାରୁ ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସକ୍ରିୟ ଅଞ୍ଚଳ। ତନ୍ମଧ୍ୟରୁ ଆର୍‌‌ବିୟାନ ପ୍ଲେଟ୍‌‌ ଉତ୍ତର ଦିଗକୁ ଗତି କରି ତୁର୍କୀ ଅବସ୍ଥାନ କରୁଥିବା ଆନାଟୋନିୟାନ୍‌‌ ପ୍ଲେଟ୍‌‌କୁ ପଶ୍ଚିମ ଦିଗକୁ ଠେଲୁଛି। ତୁର୍କୀର ମୁଖ୍ୟଅଂଶ ଉତ୍ତର ଆନାଟୋନିୟାନ୍‌‌ ବିଚ୍ୟୁତି ଏବଂ ଆନାଟୋନିୟାନ ପ୍ଲେଟ୍‌‌ର ମଧ୍ୟ ଭାଗରେ ରହିଛି। ତେଣୁ ଭୂ-ବିଜ୍ଞାନୀମାନଙ୍କ ମତରେ ଏ ଭୂମିକମ୍ପ ଏକ ‘ଷ୍ଟ୍ରାଇକ୍‌‌ ସ୍ଲିପ୍‌‌’ ଯୋଗୁଁ ହୋଇଥିଲା।

ଟେକ୍ଟୋନିକ୍‌‌ ପ୍ଲେଟ୍‌‌ର ଶିଳାମାନଙ୍କର ଗୋଟିଏ ସେଟ୍‌‌ ଅନ୍ୟ ତୁଳନାରେ କିଛି ମାତ୍ରାରେ ଊର୍ଦ୍ଧ୍ବଗାମୀ ହେବାକୁ ସାଧାରଣ ବିଚ୍ୟୁତି ଏବଂ ଗୋଟିଏ ଅନ୍ୟଟି ତୁଳନାରେ ନିମ୍ନଗାମୀ ହେବାକୁ ବିପରୀତମୁଖୀ ବିଚ୍ୟୁତି ବୋଲି କହନ୍ତି। ସେହିପରି ସେଗୁଡ଼ିକ ଘଷି ହୋଇ ଗତି କଲେ ବା ଗୋଟିଏ ଆଉ ଗୋଟିକ ଉପର ଦେଇ ଗଲେ ତାହାକୁ ‘ଷ୍ଟ୍ରାଇକ୍‌‌ ସ୍ଲିପ୍‌‌’ କୁହାଯାଏ।

ଆମ ଦେଶ ଇଣ୍ଡିଆନ୍‌‌ ପ୍ଲେଟ୍‌‌ ଉପରେ ଅବସ୍ଥିତ। ଏହା ୟୁରେସିଆନ୍‌‌ ପ୍ଲେଟ୍‌‌ ସହିତ ଧକ୍କା ଖାଇବା ଏବଂ ତତ୍ପର ଆଡ଼କୁ ଢଳି ରହିବା ହେତୁ ହିମାଳୟ ପର୍ବତ ସୃଷ୍ଟି ହୋଇଛି। ଏଣୁ ଅଞ୍ଚଳରେ ଭୂମିକମ୍ପ ସାଧାରଣତଃ ଏ ଦୁଇଟି ପ୍ଲେଟ୍‌‌ ମଧ୍ୟରେ ବିପରୀତମୁଖୀ ବିଚ୍ୟୁତି କାରଣରୁ ଉତ୍ପନ୍ନ ସଂକୋଚନକାରୀ ଶକ୍ତି ହେତୁ ହୋଇଥାଏ। ପୁଣେର ଭୂ-ବିଜ୍ଞାନୀ ସୁବ୍ରତ ଖେରଙ୍କ ମତରେ ଏହା ‘ଷ୍ଟ୍ରାଇକ୍‌‌ ସ୍ଲିପ୍‌‌’ ହେଉ କିମ୍ବା ଧକ୍କା ହେଉ, ଏଥିରୁ ନିର୍ଗତ ତରଙ୍ଗ ଖୁବ୍‌‌ ଶକ୍ତିଶାଳୀ ହୋଇପାରିବ। ଏଣୁ ଏଠାରେ ବଡ଼ ଧରଣର ଭୂମିକମ୍ପ ହେବାର ଆଶଙ୍କା ରହିଥିବାର ସେ ଏବଂ ଅନ୍ୟାନ୍ୟ ଭୂ-ବିଜ୍ଞାନୀମାନେ ସତର୍କ ସୂଚନା ଦିଅନ୍ତି।

ଆକଳନରୁ ଜଣାପଡ଼ିଛି ଯେ ବାର୍ଷିକ ଭୂ-ପୃଷ୍ଠରେ ଅସଂଖ୍ୟ ଭୂମିକମ୍ପ ହୋଇଥାଏ। ଉଦାହରଣ ସ୍ୱରୂପ ରିଚର ସ୍କେଲ୍‌‌ରେ ତୀବ୍ରତା ୨.୫ କିମ୍ବା କମ୍‌‌ ହୋଇଥିବା ଏଗୁଡ଼ିକର ସଂଖ୍ୟା ପ୍ରାୟ କେତେ ନିୟୁତ। ତେବେ ତହିଁରୁ ଅଧିକାଂଶକୁ ଆମେ ଅନୁଭବ କରିପାରୁନା। ସେହିପରି ଅଧିକାଂଶ ସ୍ଥଳେ ଅନୁଭବ କରିହେଉଥିବା ୨.୫ରୁ ୫.୪ ତୀବ୍ରତା ବିଶିଷ୍ଟ (ସାମାନ୍ୟ) ଭୂମିକମ୍ପ ସଂଖ୍ୟା ପ୍ରାୟ ୫ ଲକ୍ଷ ହୋଇଥିବା ବେଳେ ୫.୫ରୁ ୬ ତୀବ୍ରତାର (ସାମାନ୍ୟ ଧ୍ୱଂସକାରୀ) ପ୍ରାୟ ୩୫୦, ୬.୧ ରୁ ୬.୯ ତୀବ୍ରତାର (ଅଧିକ ଧ୍ୱଂସକାରୀ) ପ୍ରାୟ ୧୦୦, ୭.୦ ରୁ ୭.୯ ତୀବ୍ରତାର (ଭୀଷଣ ଧ୍ୱଂସକାରୀ) ୧୦ ରୁ ୧୫ ଏବଂ ୮ ରୁ ଅଧିକ ତୀବ୍ରତାର (କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସକରି ପାରୁଥିବା) ୧ (କିମ୍ବା ଦୁଇ ବର୍ଷରେ ଗୋଟିଏ) ହୋଇଥାଏ। ତହିଁରୁ ତୀବ୍ରତାର ମାତ୍ରା ଅନୁସାରେ ଶକ୍ତି ନିର୍ଗତ ହୁଏ।

ନିକଟ ଅତୀତରେ ଘଟିଥିବା କେତୋଟି ଭୟାବହ ଭୂମିକମ୍ପ ହେଉଛି ୨୦୦୪ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ (ତୀବ୍ରତା ୯.୧୫) ଏବଂ ତଦ୍‌‌ଜନିତ ଇଣ୍ଡୋନେସିଆ, ଥାଇଲାଣ୍ଡ, ଭାରତ ଓ ଶ୍ରୀଲଙ୍କାରେ ସୁନାମୀ ମୃତ୍ୟୁ ସଂଖ୍ୟା ୨,୩୦,୦୦୦। ୨୦୦୫ରେ ପାକିସ୍ତାନରେ ଭୂମିକମ୍ପ, ଯାହାର ତୀବ୍ରତା ୭.୬ ଓ ମୃତ୍ୟୁସଂଖ୍ୟା ୨୩୦୦୦)। ୨୦୦୮ ଚାଇନା ଭୂମିକମ୍ପର ତୀବ୍ରତା ୭.୮ ଥିବାବେଳେ ମୃତ୍ୟୁ ସଂଖ୍ୟା ୮୭୦୦୦ ହୋଇଥିଲା। ୨୦୧୦ ହାଇତି ଭୂମିକମ୍ପର ତୀବ୍ରତା ୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୩,୧୬,୦୦୦ ଥିଲା। ସେହିବର୍ଷ ଚିଲି ଭୂମିକମ୍ପର ତୀବ୍ରତା ୮.୮ ଓ ମୃତ୍ୟୁ ସଂଖ୍ୟା ୫୦୦୦ ହୋଇଥିଲା। ୨୦୧୫ରେ ନେପାଳ ଭୂମିକମ୍ପର ତୀବ୍ରତା ୭.୮ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୦୦୦ ଥିଲା। ୨୦୧୭ ମେକ୍‌‌ସିକୋରେ ୭.୫ ୭.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଯୋଗୁଁ ୩୬୯ଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ ଇଣ୍ଡୋନେସିଆରେ ୭.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୩୦୦ ହୋଇଥିଲା। ୨୦୨୧ ହାଇତିରେ ଭୂମିକମ୍ପର ତୀବ୍ରତା ୭.୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୨୦୦ ଥିଲା। ୨୦୨୩ ତୁର୍କୀ ଓ ସିରିଆରେ ଭୂମିକମ୍ପର ତୀବ୍ରତା ୭.୮ ଓ ୭.୫ ଥିଲା ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦,୦୦୦ ହୋଇଛି।

ସେପରି ଭୂମିକମ୍ପ ସ୍ଥାନେ ସ୍ଥାନେ ଏବଂ ସମୟେ ସମୟେ ହେଉ ନଥିଲେ ସମଗ୍ର ପୃଥିବୀ ପାଇଁ ତାହା ଯେ ସମ୍ପୂର୍ଣ୍ଣ ଧ୍ୱଂସର କାରଣ ପାଲଟି ଯାଆନ୍ତା, ଏକଥା ବିଶ୍ୱାସ କରି ନ ହେଲେ ବି ନିରାଟ ସତ୍ୟ। କାରଣ ଭୂ-ବିଜ୍ଞାନୀମାନଙ୍କ ମତରେ ଏ ଶକ୍ତି ସଞ୍ଚିତ ହୋଇ ତାହାର ପରିମାଣ ପୃଥିବୀର ଧାରଣ କ୍ଷମତାକୁ ଅତିକ୍ରମ କରି ପ୍ରକଟିତ ହୁଅନ୍ତା ମହାଭୂମିକମ୍ପ ରୂପ ନେଇ। ଫଳରେ ସମ୍ଭବତଃ ସୃଷ୍ଟି ହୁଅନ୍ତା ମହାପ୍ରଳୟ ଏବଂ ଜୀବଜଗତର ବିଲୁପ୍ତିର ଆଶଙ୍କା। ଅତଏବ ଏହାକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ଗ୍ରହଣ କରିବାକୁ ସେମାନେ ମତ ଦିଅନ୍ତି। ଏପରି ସ୍ଥଳେ, ପ୍ରକୃତିର ଏହା ଏକ ଆଶୀର୍ବାଦ ବୋଲି ମଧ୍ୟ କୁହାଯାଇପାରିବ।

ଅବଶ୍ୟ ବଡ଼ଧରଣର ଭୂମିକମ୍ପ (୭ ତୀବ୍ରତାରୁ ଅଧିକ) ପ୍ରବଳ ଧ୍ୱଂସକାରୀ ହୋଇଥିବାର ଆମେ ଅନୁଭବ କରୁଛୁ। ତେବେ ତା’ର ଏହି ଭୟାବହତା ପାଇଁ ମନୁଷ୍ୟ ହିଁ ଅଧିକ ମାତ୍ରାରେ ଦାୟୀ ବୋଲି କେତେକ ବୈଜ୍ଞାନିକଙ୍କ ମତ। କାରଣ ସ୍ଥାନଟିର ଭୂମିକମ୍ପ ସମ୍ବେଦନଶୀଳତା କଥା ବିଚାରକୁ ନ ନେଇ ଆମେ ଅବିଚାରିତ ଭାବେ ସେଠାରେ ନିର୍ମାଣ କାର୍ଯ୍ୟ କରିଚାଲିଛେ। ବଡ଼ ବଡ଼ ଘର, କଳକାରଖାନା, ଜଳଭଣ୍ଡାର ଇତ୍ୟାଦି। ପୁନଶ୍ଚ ତହିଁରୁ ଅଧିକାଂଶ ଭୂମିକମ୍ପ ନିରୋଧୀ ନିୟମ ଅନୁସାରେ ତିଆରି ହେଉନାହିଁ। ଫଳସ୍ୱରୂପ ତାହା ଅଧିକ ଧ୍ୱଂସକାରୀ ସାବ୍ୟସ୍ତ ହେଉଛି। ଏପରି ସ୍ଥଳେ ଖେଳପଡ଼ିଆ ଅପେକ୍ଷା ଆମ ବାସଗୃହ ଭୂମିକମ୍ପରେ ଆମର ମୃତ୍ୟୁ ତଥା ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ଅଧିକମାତ୍ରାରେ ଦାୟୀ।

ଏ ଉକ୍ତିର ସତ୍ୟତା ପ୍ରତିପାଦନ ପାଇଁ ଭୂ-ବିଜ୍ଞାନୀମାନେ ଉଦାହରଣ ଦିଅନ୍ତି କ୍ଷୁଦ୍ର ଭୂମଧ୍ୟସାଗରୀୟ ଦେଶ ଚିଲିର। ଏହା ଏକ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ଦେଶ। ୨୦୧୪-୧୫ରେ ଏଠାରେ ୮ରୁ ଅଧିକ ଥର ଭୂମିକମ୍ପ ଘଟିଥଲା। ସେଗୁଡ଼ିକର ତୀବ୍ରତା ଥିଲା ରିଚର ସ୍କେଲ୍‌‌ରେ ୯ ପାଖାପାଖି। ଫଳରେ ଘଟିଥିଲା ଅକଳନୀୟ ଧନଜୀବନହାନି। ତେବେ ନିର୍ମାଣ କାର୍ଯ୍ୟକୁ କଠୋର ଭାବେ ନିୟନ୍ତ୍ରଣ କରିବା ଏବଂ କେବଳ ଭୂମିକମ୍ପ ନିରୋଧୀ ନିର୍ମାଣକୁ ଅନୁମତି ଦେବା ଫଳରେ ସେହି ଦେଶରେ ଭୂମିକମ୍ପ ଜନିତ ବିପର୍ଯ୍ୟୟକୁ ଅନେକ ମାତ୍ରାରେ ଏଡ଼ାଇ ଦିଆଯାଇଛି। ସେହିପରି ୨୦୧୧ ମସିହାରେ ଜାପାନର ଫୁକୁସୀମା ଭୂମିକମ୍ପ (ତୀବ୍ରତା ୯) କେବଳ ଆଣବିକ ଶକ୍ତିକେନ୍ଦ୍ରରୁ ତେଜଷ୍କ୍ରିୟ ନିର୍ଗତ କରିଥିଲା ସିନା ପ୍ଲାଣ୍ଟ ଏବଂ ଅନ୍ୟସବୁ ପ୍ରାୟତଃ ଅତୁଟ ଅବସ୍ଥାରେ ଥିଲା। ପକ୍ଷାନ୍ତରେ ୧୯୯୩ରେ ଆମ ଦେଶରେ ଘଟିଥିବା ଲାଟୁର ଭୂମିକମ୍ପ (ତୀବ୍ରତା ୬) ଭୟଙ୍କର କ୍ଷୟକ୍ଷତିର କାରଣ ହୋଇଥିଲା। ତୁର୍କୀ ଏବଂ ସିରିଆରେ ଏବେ ତାହା ବରଂ ଘଟିଛି। ଏଣୁ ବୈଜ୍ଞାନିକ କୌଶଳ ବ୍ୟବହାର କରି ଦାୟୀତ୍ୱବାନ୍‌‌ ରୂପେ ନିର୍ମାଣ କାର୍ଯ୍ୟ କରାଗଲେ ଏବଂ ଏହାକୁ ଗୋଟିଏ ଗୋଟିଏ ସ୍ଥାନରେ ଅଧିକ କେନ୍ଦ୍ରୀଭୂତ ନ କରି ଭୂପୃଷ୍ଠ ଉପରେ ଚାପ ଅତ୍ୟଧିକ ବୃଦ୍ଧି ନ ହେବା ପ୍ରତି ଧ୍ୟାନ ଦେଲେ ଭୂମିକମ୍ପର ଭୟାବହତା ଅନେକାଂଶରେ ପ୍ରଶମିତ କରାଯାଇପାରନ୍ତା। ଏପରିସ୍ଥଳେ ନିୟମିତ ସମୟ ବ୍ୟବଧାନରେ ଏହା ଘଟି ଟେକ୍ଟୋନିକ୍‌‌ ପ୍ଲେଟ୍‌‌ମାନଙ୍କ ଚଳନରୁ ଉତ୍ପନ୍ନ ଶକ୍ତିକୁ କ୍ରମାଗତ ନିର୍ଗତ କରିଚାଲିବା ଆମ ପୃଥିବୀ ପାଇଁ ଶୁଭଙ୍କର ବୋଲି ଅନୁଭବ କରିବା ସମ୍ଭବ ହୋଇ ପାରନ୍ତା।

ପ୍ରଫେସର ରମେଶଚନ୍ଦ୍ର ପରିଡା
ଭୁବନେଶ୍ୱର; ମୋ: ୯୯୩୭୩୦୧୪୬୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର